ଓଡ଼ିଶାରେ ସାଧାରଣତଃ କାର୍ତ୍ତିକ ପୂର୍ଣ୍ଣିମାର ପରଦିନ ଛାଡ଼ଖାଇ ପାଳିତ ହୋଇଥାଏ । କାର୍ତ୍ତିକ ମାସଯାକ ବ୍ରତ ପାଳନ କରି ମାର୍ଗଶୀର ମାସର ଏଇଦିନ ଏସବୁ ଖାଦ୍ୟ ଖିଆଯିଵାରୁ ଏହାର ଏପରି ନାମକରଣ କରାଯାଇଛି l ତେଵେ ଅଧୁନା ଲୋକେ ଏହି ଦିନ ମାଛମାଂସ ଭକ୍ଷଣ କରୁଥିଵା ହେତୁରୁ ଶନିଵାର,ସୋମଵାର,ମଙ୍ଗଳଵାର ଓ ଗୁରୁଵାରରେ ଛାଡ଼ଖାଇ ପଡି଼ଥିଲେ ଅନ୍ୟ ଦିନରେ ଏହା ପାଳନ କରିଥାନ୍ତି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ବିଂଶ ଶତାବ୍ଦୀରେ ସଂକଳିତ ହୋଇଥିବା ଏକ ଵିଶାଳ ଶବ୍ଦଭିତ୍ତିକ ଜ୍ଞାନକୋଷ । ଏହି ଭାଷାକୋଷରୁ ତତକାଳୀନ ସମୟର ଅନେକ କଥା ଵିଷୟରେ ତଥ୍ୟ ମିଳିଯାଇଥାଏ । ଆଜକୁ ୧୦୦ ଵର୍ଷ ତଳେ ନଥିବା ଅନେକ ଚଳଣି ଏବଂ ୧୦୦ ଵର୍ଷ ପୂର୍ଵର ଵିସ୍ମୃତ ଚଳଣି ଵିଷୟରେ ତର୍ଜମା କରିବା ପାଇଁ ଏହି ଭଳି ପୁରୁଣା ପୁରୁଣା ପୁସ୍ତକର ଅଧ୍ଯୟନ କରିବାକୂ ହୋଇଥାଏ ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଓଡ଼ିଶାର ଘରେ ଘରେ ପରିଚିତ ଏକ ଚଳଣି ଵିଷୟରେ ଜାଣିବାକୁ ଉଣ୍ଡିଲାରୁ ଏହି ଵିଶାଳକାୟ ଶବ୍ଦଗ୍ରନ୍ଥର ପୃ-୨୭୯୫ ତଥା ପୃ-୮୧୫୦ ରେ ଏହି ପର୍ଵ ସମ୍ଵନ୍ଧିତ ଦୁଇଗୋଟି ଶବ୍ଦ ମିଳିଲା
→ଛାଡ଼ଖାଇ
→ସଭାଖାଈ(ସଵାଖାଇ,ସବାଖାଈ)
ଛାଡ଼ଖାଇ ଓ ସଭାଖାଈ ତଳେ ଦ୍ରଷ୍ଟଵ୍ୟ ପ୍ରାୟ ସମାନ । ସଭାଖାଈ ଶବ୍ଦଟି ଗଞ୍ଜାମ ଅଞ୍ଚଳର ତଥା ଏହା ସଵାଖାଇ ଶବ୍ଦ ସହିତ ସମଦ୍ଧୃତ ବୋଲି ଭାଷାକୋଷରେ ଉଲ୍ଲେଖ ରହିଛି ।
★ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଛାଡ଼ଖାଇ ଶବ୍ଦ ତଳେ ଥିଵା ଦ୍ରଷ୍ଟଵ୍ୟ:-
“ହବିଷିଆଳିମାନେ କାର୍ତ୍ତିକମାସ ଯାକ ଵ୍ରତ କରିଥିବା ଯୋଗୁଁ ଯେଉଁ ଯେଉଁ ଖାଦ୍ଯ ଛାଡ଼ିଥାଆନ୍ତି. ତାହା 'ଛାଡ଼ଖାଇ' ଦିନ ଖାଆନ୍ତି ।”
★ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ‛ସଭାଖାଇ’ ଶବ୍ଦ ତଳେ ଥିଵା ଦ୍ରଷ୍ଟଵ୍ୟ:-
‛ଛାଡ଼ଖାଇ; କାର୍ତ୍ତିକ ମାସରେ ହବିଷ୍ଯ (ନିରାମିଷ ଭୋଜନ) କରୁଥିଵା ଵ୍ଯକ୍ତିମାନେ କାର୍ତ୍ତିକ ପୁର୍ଣ୍ଣିମା ବାସୀ ଦିନ ହବିଷ୍ଯ ଵ୍ରତ ଉଦ୍ୟାପନ କରିଵା ଉପଲକ୍ଷରେ ବନ୍ଧୁବାନ୍ଧବମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କ ସଙ୍ଗେ ସମସ୍ତ ପ୍ରକାର ଖାଦ୍ଯ ଖାଇଵା ରୂପକ ଉତ୍ସଵ’
ଏଠାରେ ଧ୍ୟାନ ଦେଲାଭଳିଆ ଦିଗ
ଯଥା:-
■→କାର୍ତ୍ତିକମାସ ଯାକ ଵ୍ରତ କରି ମାର୍ଗଶିର ମାସରେ ସେମାନେ ଏହି ମାସରେ ଛାଡ଼ କରିଥିଵା ଖାଦ୍ୟ ଭକ୍ଷଣ କରିଥାନ୍ତି ।
■→ଏହି ଦିନ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରି ସେମାନଙ୍କ ସହିତ ସମସ୍ତ ପ୍ରକାରର ଖାଦ୍ୟ ଖାଅନ୍ତି ।
◆◆◆ଉଭୟ ଦ୍ରଷ୍ଟଵ୍ୟର ନିଷ୍କର୍ଷ―
■→ଉଭୟ ଦ୍ରଷ୍ଟଵ୍ୟରେ ଜାଣିଶୁଣି ହେଉ କି ଅନ୍ୟ କାରଣଵଶତଃ ମାଂସ କି ମାଛର ଉଲ୍ଲେଖ
କରାଯାଇନାହିଁ ।
■→ହବିଷିଆଳମାନେ ତତ୍କାଳୀନ କାଳରେ ଆଜି ଅପେକ୍ଷା ଅଧିକ ଧାର୍ମିକ ହୃଦୟ ଵିଶେଷତଃ ବ୍ରାହ୍ମଣ ଆଦି ଉଚ୍ଚପରିବାରର ହେଉଥିଵା ହେତୁରୁ ନିଶ୍ଚିତ ମାଂସ ମାଛ ଭକ୍ଷଣ କରୁନଥାଇପାରନ୍ତି ଏଵଂ ମାଂସ ମାଛ ପରି ଶରୀରରେ ଉତ୍ତେଜନା ବୃଦ୍ଧି କରୁଥିଵା ତଥା ଲାଳୁଆ ଖାଦ୍ୟପଦାର୍ଥ(ପିଆଜ, ରସୁଣ, ପୋଈ ଓ ଲାଉ ଆଦି )ଏହି ମାସରେ ତ୍ୟାଗ କରିଦେଉଥିଲେ (ଵର୍ତ୍ତମାନ ବହୁ ସଂଖ୍ୟକ ସନାତନୀ ମାଂସଭକ୍ଷକ ହୋଇଯାଇଛନ୍ତି ଏମନ୍ତ କି ଉଚ୍ଚକୁଳର ଲୋକେ ସୁଦ୍ଧା ଵର୍ଜିତ ହୋଇଥିଵା ଜୀଵଙ୍କର ମାଂସଭକ୍ଷଣ କରିଵାକୁ ସୁଦ୍ଧା କୁଣ୍ଠାବୋଧ କରୁନାହାନ୍ତି)
■→ସେତେଵେଳେ ନୂଆଖାଇରେ ସବୁ ବନ୍ଧୁବାନ୍ଧବଙ୍କ ସହିତ ମିଳିମିଶି ଯେମିତି ପର୍ଵ ପାଳନ ହେଉଥିଲା ତଦନୁରୂପ ଛାଡ଼ଖାଇ ଦିନ ବି ଏହି ଵ୍ରତର ଉଦ୍ୟାପନ ବନ୍ଧୁଜନଙ୍କ ସହିତ ମିଳିମିଶି କରାଯାଉଥିଲା ଯାହା ଆଜିକାଲି ଆଉ ଅଧିକାଂଶ ସ୍ଥାନରେ ହେଉନାହିଁ ।
■→ ବହୁତ ସମ୍ଭଵ ଛାଡ଼ଖାଇ ଦିନ ନିରାମିଷ ଖାଦ୍ୟ ଭକ୍ଷଣ ଯାଏଁ ଲୋକମାନେ ବନ୍ଧୁବାନ୍ଧବଙ୍କ ସହ ମିଳିମିଶି ଏ ପର୍ଵ ପାଳୁଥିବେ ଏଵଂ ପରଵର୍ତ୍ତୀକାଳରେ ଉତ୍ତର ଭାରତୀୟଙ୍କ ଦେଖାଦେଖି ଆଧୁନିକତା ନାମରେ ‛ଅତି ମାଂସ ମତ୍ସ୍ୟ ଭକ୍ଷକ’ ହେଲାରୁ ସ୍ଵ ସ୍ଵ ଗୃହରେ ଆମିଷ କରି ଭକ୍ଷଣ କରିଵା ଆରମ୍ଭ କରିଦେଇଥିବେ ।
ଏ ଵିଷୟରେ ଆପଣଙ୍କ ମତ କଣ୍ ? ଆପଣଙ୍କ ବୟୋଜ୍ୟେଷ୍ଠ ମାନେ ଛାଡ଼ଖାଇ ଵିଷୟରେ କଣ ମତପ୍ରକାଶ କରନ୍ତି ଆମକୁ ଜଣାଇଵାକୁ ଵିଶେଷ ଅନୁରୋଧ ରହିଲା !!!
No comments:
Post a Comment