Saturday, January 18, 2020

ଓଡ଼ିଆ ଭାଷାରେ ମାମା ସମ୍ବୋଧନଵାଚକ ଶବ୍ଦର ଵିଭିନ୍ନ ଅର୍ଥ

ଓଡ଼ିଶାରେ ମାମା ଶବ୍ଦ ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଅର୍ଥରେ ଵ୍ଯଵହୃତ ହୋଇଥାଏ ‌। ନିମ୍ନରେ ଭିନ୍ନ ଭିନ୍ନ ମାମା ଶବ୍ଦ ଵିଷୟରେ ଆଲୋଚନା କରାଗଲା

୧)ମାମା — ମାଆ
ଧନୀଘରର ପିଲାଏ ନିଜ ମାଆକୁ ମାମା ଡାକୁଥିଵା ଦେଖାଯାଏ । ଏହି ଡାକ ହିନ୍ଦୀଭାଷା ମଣ୍ଡଳରେ ଵିଶେଷ ଭାଵେ ପ୍ରଚଳିତ । କେତେକ ଦେଶର ପିଲାଏ ମଧ୍ଯ ତାଙ୍କ ମାଆଙ୍କୁ ମାମା ଡାକନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଉଲ୍ଲେଖରୁ ଜଣାଯାଏ ଯେ ଓଡ଼ିଶାରେ ଆଗେ ରାଜପରିଵାରର ଲୋକଙ୍କ ମଧ୍ୟରେ ଏ ଡାକ ଚଳୁଥିଲା ।

୨)ମାମା — ମାମୁ
ମାତୁଳ ଵା ମାମୁଙ୍କୁ ମଧ୍ୟ କେଉଁଠି କେଉଁଠି ମାମା ଡାକାଯାଏ । ଲୋକେ ଗର୍ଵରେ କୁହନ୍ତି ମା+ମା = ମାମା ଅର୍ଥାତ୍ ଯିଏ ଦୁଇଗୁଣ ମାଆ ସିଏ ମାମା ଵା ମାମୁ ।

୩)ମାମା — ବଡ଼ ମାଆ

ଢେଙ୍କାନାଳ ଇତ୍ୟାଦି କେତେକ ଜିଲ୍ଲାରେ ବଡ଼ ମାଆଙ୍କୁ ମମା ଓ ମାମା ଡାକନ୍ତି । ସମ୍ଭଵତଃ ବଡ଼ମାଆ ଶବ୍ଦଟି ପିଲାଙ୍କ ଦ୍ଵାରା ଉଚ୍ଚାରଣ ମମା ହୋଇଥିଵ କିଂଵା ମାଈମାଆ ଶବ୍ଦ ପରଵର୍ତ୍ତୀକାଳରେ ମମା ଓ ମାମା ହୋଇଥାଇପାରେ । ମାଈ ଶବ୍ଦର ଗୋଟିଏ ଅର୍ଥ ବଡ଼, ପ୍ରଧାନ ପୁଣି ହିନ୍ଦୀ ଭାଷା ମଣ୍ଡଳରେ ବଡ଼ ଓ ଶ୍ରେଷ୍ଠ ସମ୍ମାନୀୟା ମହିଳାମାନଙ୍କୁ ମାଈ ବୋଲି ସମ୍ବୋଧନ କରାଯାଇଥାଏ ।  ଗଡ଼ଜାତରେ ମଧ୍ୟ ମାଈ ଶବ୍ଦର ଏଭଳି ଵ୍ଯଵହାର ଦେଖାଯାଏ ।

୪)ମାମା — ଆଈ, ଜେଜେମାଆ
ପୂର୍ଵ ଉପାନ୍ତ ଅଞ୍ଚଳରେ ମାଆଙ୍କର ମାଆଙ୍କୁ ଵା ଆଈଙ୍କୁ ମାଆ କୁହାଯାଉଥିଵା ଵେଳେ କେତେକ ଅଞ୍ଚଳରେ ଜେଜେମାଆଙ୍କୁ ମଧ୍ୟ ପିଲାଏ ମାମା ଡାକନ୍ତି । କେତେକଙ୍କ ମତରେ...
ମାଆଙ୍କ ମାଆ = ଆଈ
ଏହି ଵାକ୍ଯ ମାଆର ମାଆକୁ ପିଲାଏ ସରଳ କରି ମାମା ଡାକିଵା ଆରମ୍ଭ କରିଥିଵେ ଫଳରେ ଆଈ ଶବ୍ଦର ଆଉ ଏକ ଓଡ଼ିଆ ପ୍ରତିଶବ୍ଦ ମାମା ହୋଇଥିଵ ।  ପୂର୍ଵ ଉପାନ୍ତ ଅଞ୍ଚଳରେ ଏଇଭଳି ଭାଵେ ଅଜାଙ୍କୁ ମାଁପ ସମ୍ବୋଧନ କରାଯାଏ । ଏଠାରେ “ମାଆର ବାପ” ରେ ଥିଵା ‘ବାପ’ ଶବ୍ଦରୁ ‘ବା’ ଲୁପ୍ତ ହୋଇ କେଵଳ ‘ପ’ ରହିଯାଏ ଓ ଅଜା ଶବ୍ଦର ଆଉ ଏକ ଓଡ଼ିଆ ପ୍ରତିଶବ୍ଦ ସୃଷ୍ଟି ହୁଏ ମାଁପ । ତେଵେ ସମ୍ବଲପୁରୀ ଓଡ଼ିଆ ଶବ୍ଦକୋଷରେ ଅଭିଧାନକାର ମାମା ଶବ୍ଦର ଅର୍ଥ ଆଈ ଯୋଡ଼ିଛନ୍ତି । ପଶ୍ଚିମ ଉପାନ୍ତ ଅଞ୍ଚଳରେ ମଧ୍ୟ ପୂର୍ଵ ଉପାନ୍ତ ଅଞ୍ଚଳ ଭଳି ମାମା ଶବ୍ଦର ଆଈ ଅର୍ଥରେ ଵ୍ଯଵହାର ଚଳୁଅଛି କି ନାହିଁ ତାହା ସେ ଅଞ୍ଚଳର ସ୍ଥାନୀୟ ଅଧିଵାସୀ ଏଠାରେ ଜଣାଇଲେ ସମସ୍ତେ ଉପକୃତ ହୁଅନ୍ତେ ।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...