Wednesday, January 22, 2020

ଭାରତର ଇଣ୍ଡିଆ ନାମକରଣ ପଛରେ କଣ୍ କାରଣ ରହିଛି ?

ଆଜିକାଲି ସାମାଜିକ ଗଣମାଧ୍ୟମଗୁଡି଼କରେ ଜ୍ଞାନ ବଣ୍ଟନ ହେଉଛି ଯେ ଇଂରାଜୀରେ

→ଆମେରିକାକୁ America କହନ୍ତି
→ଜାପାନକୁ  Japan କହନ୍ତି
→ଭୁଟାନକୁ Bhutan କହନ୍ତି
→ଶ୍ରୀଲଙ୍କାକୁ ବି Sri Lanka ଲେଖାଯାଏ

ତାହେଲେ କେଵଳ ଭାରତ କୁ ହିଁ କାହିଁକି  ଇଂରାଜୀରେ  India  କହନ୍ତି  ???

ତଳେ ଏହାର ଉତ୍ତର ଦେଵାକୁ ଯାଇ
ସେହି ଜ୍ଞାନପିପାସୁ ଲୋକଙ୍କ ଦ୍ଵାରା
Oxford Dictionaryର ଦ୍ଵାହି ଦେଇ
ଲେଖା ଯାଇଥାଏ ଯେ—
ଇଣ୍ଡିଆ ଶବ୍ଦଟା ଗୋଟିଏ ଶବ୍ଦ ନୁହେଁ ଵରଂ ଅନେକ ଶବ୍ଦର ପ୍ରଥମ ଅକ୍ଷରର ମିଶ୍ରଣରେ ତିଆରି
ଯଥା—
I    —  Independent
N  —  Nation
D   — Declared
I    — In
A   — August

ଏହି ପାଞ୍ଚଟି ଶବ୍ଦର ପ୍ରଥମ ଅକ୍ଷର I,N,D,I, ଓ A କୁ ମିଶେଇ ଇଣ୍ଡିଆ ଶବ୍ଦ ହୋଇଛି
ଇତ୍ୟାଦି ଇତ୍ୟାଦି...

ଆମ ଦେଶରେ ଶବ୍ଦର ନିରୁକ୍ତି ନଜାଣି
ତାହାର ଏଭଳି ଅଵୈୟାକରଣିକ
ଵ୍ଯାଖ୍ଯା କରାଯିଵାର ପରମ୍ପରା
ବହୁ ପୁରାତନ । ତେଵେ ଇଣ୍ଡିଆ ଶବ୍ଦର
ନିରୁକ୍ତି ସମ୍ପୂର୍ଣ୍ଣ ଭିନ୍ନ କଥା କହିଥାଏ ।

ଲାଟିନ୍ ର ଇଣ୍ଡିଆ ଶବ୍ଦ ବି ଗ୍ରୀକ୍ ରୁ ସିଧାସଳଖ ଗ୍ରହଣ କରାଯାଇଛି ସେଇ ମୂଳ  ଶବ୍ଦଟି ହେଉଛି Ἰνδία(Indía) ।

ଏଠାରେ  Ἰνδός(Indós) ଶବ୍ଦରୁ Ἰνδ
  ସହିତ -ῐ́ᾱ(-íā) ପ୍ରତ୍ଯୟ ଯୁକ୍ତ ହୋଇ Ἰνδία(Indía) ଶବ୍ଦଟି ସୃଷ୍ଟି ହୋଇଅଛି ।

Ἰνδός(Indós) ଶବ୍ଦର ଅର୍ଥ ଇଣ୍ଡସ୍ ଵା ସିନ୍ଧୁ ନଦୀ ଅଟେ । ଗ୍ରୀକ୍ ଭାଷାରେ ଚଳୁଥିଵା Ἰνδός(Indós) ଶବ୍ଦଟି ଆସିଅଛି ପୁରୁଣା ପାର୍ସୀଭାଷାର 𐏃𐎡𐎯𐎢𐏁(hindūš) ଶବ୍ଦରୁ ।

ଏହାର ପ୍ରାକ୍ ଇରାନୀ ରୂପ  *hínduš ଏଵଂ ପ୍ରାକ୍ ଭାରୋ-ଇରାନୀୟ ରୂପ *síndʰuš(ନଦୀ/ସାଗର) ଥିଲା ।

ଆଗେ ଇଂରେଜ ଲୋକେ ଆରଵୀୟଙ୍କ ଠାରୁ ତଥା ପ୍ରାଚୀନ ଗ୍ରୀକ୍ ଇତିହାସ ଓ ସାହିତ୍ୟ ଗ୍ରନ୍ଥରୁ ଭାରତୀୟଙ୍କ ଵିଷୟରେ ଜାଣିଵାକୁ ପାଉଥିଲେ । ଫ୍ରାନ୍ସ ଦ୍ଵାରା ପରାଧୀନ ଥିଵା ସମୟରେ ଇଂରେଜ ଲୋକେ ମୂଳ ଲାଟିନ୍ Indía ଶବ୍ଦକୁ Inde ଲେଖୁଥିଲେ ।

ଏହି ଶବ୍ଦଟି ପୁରୁଣା ଫ୍ରେଞ୍ଚ ଭାଷାରେ Ynde ହୋଇ ଚଳୁଥିଲା । ୧୬୦୦ଶହ ଶତାବ୍ଦୀରେ ଭାରତକୁ ସ୍ବଚକ୍ଷୁରେ ଦେଖିଵା ପରେ ୟୁରୋପର ଵିଭିନ୍ନ ଜାତୀୟ ଲୋକେ ତାଙ୍କ ଅଞ୍ଚଳରେ ଭାରତ ପାଇଁ ଥିଵା ନାନା ନାମଵାଚକ ପ୍ରତିଶବ୍ଦର ମୂଳ ଏଇ India ଶବ୍ଦର ବହୁଳ ଵ୍ଯଵହାର କରିଵାକୁ ଲାଗିଲେ ଯାହା ଆଜି ସାରା ଵିଶ୍ଵରେ ଭାରତର ଆଧିକାରୀକ ନାମ ହୋଇଯାଇଛି ।

ତା ଛଡ଼ା ଭାରତ ସ୍ଵାଧୀନତା ହେଵାର ବହୁପୂର୍ଵରୁ ଭାରତର ଇଣ୍ଡିଆ ନାମ ପ୍ରଚଳିତ ରହିଥିଵାର ସ୍ପଷ୍ଟ ପ୍ରମାଣ ସ୍ଵରୂପ ଵିଭିନ୍ନ ନଥି ଓ ପୋଥି ଇତ୍ୟାଦି ରହିଛି । ତାହେଲେ ଇଂରେଜମାନେ କଣ୍ ଭଵିଷ୍ଯଦ୍ରଷ୍ଟା ଥିଲେ ?  କଣ୍ ୧୬୦୦ ଶତାବ୍ଦୀରେ ଭାରତଵର୍ଷକୁ ଆଗମନ ପୂର୍ଵରୁ ସେମାନେ ଜାଣିଯାଇଥିଲେ ଯେ ଆମେ ଏ ଦେଶକୁ କେତେକ ଵର୍ଷ ପରେ ଅଧିକାର କରି ଦୁଇଶତ ଵର୍ଷ ଶାସନ କରିବୁ ଓ  ଠିକ୍ ଅଗଷ୍ଟ ୧୫ ଦିନାଙ୍କ ୧୯୪୭ରେ ସ୍ଵାଧୀନତା ଦେବୁ ?

ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଭାରତର ଇଣ୍ଡିଆ ନାମଟି ସିନ୍ଧୁନଦୀର ନାମରେ ରଖାଯାଇଥିଲା ଓ “Independent Nation Declared In August” ଵାକ୍ଯର ସଂକ୍ଷିପ୍ତାକାର ରୂପ India ନୁହେଁ ।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...