ସମ୍ବଲପୁରୀ ଓଡ଼ିଆରେ ଆଲ୍ମାଲ୍ ଶବ୍ଦଟି ଦୈବାତ୍, କାଳେ, ଯଦି, ହୁଏତ ଅର୍ଥରେ ଏକ
ସମ୍ଭାଵନାସୂଚକ ଅବ୍ୟୟ ଭାବେ ଵ୍ଯଵହୃତ ହୋଇଥାଏ ।
ଏହି ଶବ୍ଦ ଵ୍ଯଵହାରର କେତେକ ଵାକ୍ୟ ଉଦାହରଣ ନିମ୍ନରେ ପ୍ରଦାନ କରାଗଲା ...
✓ଆଲ୍'ମାଲ୍ ଯଦି ଥୁତନା ଥି ବାଜି ଦେଲା ବଏଲେ ଗିଲୁଥିବୁ ନ ଏତକେ...
✓ଆଲ୍ ମାଲ୍ ମୋର୍ ହାବଡ଼େ ପଡ଼ଲା ଏକଦମ୍ ମୁରକୁଟି ଦେମି ପୁତାକେ...
✓ଆଲ୍ ମାଲ୍ ପଲେଇ ଆଏଲେ ପୁରା ଦିମାଗ୍ ଚାଟି ଦେବା ବୋ।
✓ଆଲ୍ ମାଲ୍ ଭେଟଘାଟ୍ ପଡଲେ ବଡା ଖୁସ୍ ଲାଗ୍ସି।
✓ରେଙ୍ଗଟୁ କେ ଫୋନ୍ କଲେ ଉଠାବାର୍ ନାଇଁ କି ପଏସା ଫିରାବାର ନାଇଁ, ଆଲମାଲ୍ ଭେଟଲେ ନାଁ ଦେଶୀ କୁକୁର ଟାକର୍ ପିଟିମିଁ।
✓ହଜୁର୍ ! ଆମର୍ ବୁଢା ଡଂଗ୍ରେଁ ରଗ୍ରଗ୍ ଅଂଗ୍ରା ଖଁଡ଼୍ । ଆଲ୍ମାଲ୍ ପହଁଟି ଗଲା ବେଲେଁ କଥା କଲିଆ ।(ସୌ—ଦାଁ ଲାଗିଛେ)
ଇତ୍ୟାଦି...
ଏ ଶବ୍ଦକୁ ପ୍ରଥମେ ଦେଖିଲେ ଏହା ସହ ସମଦ୍ଧୃତ କୌଣସି ଭାରୋପୀୟ,ଆଷ୍ଟ୍ରୋଏସୀୟ କି ଦ୍ରାଵିଡ଼ ଶବ୍ଦ ହଠାତ୍ ମନକୁ ଆସେ ନାହିଁ । ତେବେ ସମ୍ବଲପୁରୀ ଭାଖାଟି ଭାରୋପୀୟ ଭାଭା ପରିଵାରର ଭାଷା ହୋଇଥିଵାରୁ ଥିଵାରୁ ତଥା ଓଡ଼ିଆ ଭାଷାର ଏକ ଉନ୍ନତ ଶୈଳୀ ହୋଇଥିଵାରୁ ପ୍ରଥମେ ଓଡ଼ିଆ ତଥା ସଂସ୍କୃତ ଇତ୍ୟାଦି ଭାଷାରେ ଏହି ଶବ୍ଦ ସହ ସମ ଅର୍ଥବୋଧକ ଶବ୍ଦ ଉଣ୍ଡି ଦେଖାଯାଉ କ'ଣ ମିଳୁଛି ...
ସାଧାରଣତଃ ଆଲ୍ ମାଲ୍ ଶବ୍ଦଟି କାଳେ ଅର୍ଥରେ ହିଁ ଵିଶେଷ ଭାବେ ଵ୍ଯଵହାର ହୋଇଥାଏ ଏଵଂ କାଳେ ଶବ୍ଦ ସହିତ ଏ ଶବ୍ଦ ସମଦ୍ଧୃତ ହୋଇଥିଵା ସମ୍ଭଵ !
ସଂସ୍କୃତ ପରେ ହିନ୍ଦୀ କି ବଙ୍ଗାଳୀ ନୁହେଁ କେଵଳ ଓଡ଼ିଆ ଭାଷାରେ କାଳେ ଶବ୍ଦଟି ଦୈଵାତ୍,ଯଦି ଆଦି ଅର୍ଥରେ ବହୁଳ ଭାବରେ ଵ୍ଯଵହାର ହୋଇଥାଏ ।
ଆମ ଭାଷାରେ କାଳେ ଶବ୍ଦଯୁକ୍ତ ଅନେକ ଶବ୍ଦ ଚଳୁଅଛି
ଯଥା—
*କାଳେ କାଳେ(ଯୁଗେ ଯୁଗେ)
*କାଳେ ଭଦ୍ରେ(ଯଦି କେବେ)
*କାଳେ ସକାଳେ(ଦୈଵାତ୍)
*କଦାକାଳେ(କେବେ)
*ବାଳେ କାଳେ(ସଂ—ବାଳକାଳେ; ଯେ ନୁହଁ ବାଳେକାଳେ ସେ ନୁହେଁ କାଳେକାଳେ)
*
ସେହିପରି ଆମ ଭାଷାରେ କାଳେ ଶବ୍ଦର ଅନେକ ଅର୍ଥରେ ପ୍ରୟୋଗ ଦେଖାଯାଏ
ଯଥା—
୧)କେଜାଣି; ଅବା ପଛେ
କାଳେ ସ୍ରୋତ ହେବ ନିର୍ମଳ ହଦେ ଏହି ଆତଙ୍କ
(ମଧୁସୂଦନ କବିତା)
୨)ବୋଧହୁଏ
୩)ସମ୍ଭବତଃ
୪)ସମୟରେ
୫)ବହୁଦିନ ପରେ
୬)ସମୟକ୍ରମେ କେବେ
୭)ଭବିଷ୍ଯତରେ
ଗମନକୁସୁମ ପରି ଏଥିଶ୍ରମ ଫଳ କି ହୋଇବ କାଳେ।
(କବିସୂର୍ଯ୍ୟ କିଶୋରୀଚମ୍ପୁ ଗ ଗୀତ।)
୮) କୁଆଡ଼େ
ସେ କାଳେ ତମର ମାମୁଁ ପୁଅ ଭାଇ ପରା ?
ସମ୍ଭଵତଃ କାଳେ ଭଦ୍ରେ ଭଳି ଗଡ଼ଜାତ ଓଡ଼ିଶାରେ ପୂର୍ଵେ କାଳେମାଳେ ଶବ୍ଦ ବି ଚଳୁ ଥାଇପାରେ ଯାହା ପରେ ବହୁତ ସମ୍ଭଵ କାଳେମାଳେରୁ କାଲ୍ ମାଲ୍ ଓ ପରେ ଆଲ୍ ମାଲ୍ ହୋଇଥିଵ ।
ଆଉ ଗୋଟିଏ ଶବ୍ଦରୁ ଏହି ଆଲ୍ମାଲ୍ ଶବ୍ଦ ଆସିଥିଵା ଅନୁମାନ କରାଯାଇପାରେ ତାହା ହେଉଛି ଅକାଳେ । କାରଣ ଅକାଳେ ଶବ୍ଦର ହଟାତ୍ ଅକସ୍ମାତ ଭଳି ବହୁକାଳ ଅନ୍ତରରେ; କଦାଚିତ୍ ଅର୍ଥରେ ମଧ୍ୟ ଵ୍ଯଵହାର ରହିଛି ଏଵଂ ଏହା ସହଜରେ ଅକାଳେରୁ ଅ ଓ କ ଲୋପ ହୋଇ ଆଳେ ଓ ଆଲ୍ ହୋଇଥିଵ ଏଵଂ ଏହା ସହ "ମାଲ୍" ବୋଲି ଏକ ସହଚର ଶବ୍ଦ ଯୋଡା଼ଯାଇଥିଵ !
ଅଵଶ୍ଯ ସଉରା ଭାଷାରେ ହଠାତ୍ ଅର୍ଥଜ ଆଭାଡ୍ ଶବ୍ଦଟିଏ ଚଳୁଅଛି । ହୁଏତ ଏହି ଅଭାଡ଼୍ ଶବ୍ଦ ପରିବୃତ୍ତ ହୋଇ ଆଲ୍'ମାଲ୍ ଭାବେ ଆମ ଭାଷାରେ ଚଳୁ ଥାଇପାରେ ।
No comments:
Post a Comment