ଓଡ଼ିଆ ଏବଂ ଓଡ଼ିଶା ଶବ୍ଦ ଦ୍ଵୟ ସଂସ୍କୃତ ର “ଉଡ୍ର/ଓଡ୍ର” ଶବ୍ଦର ସଗୋତ୍ରୀୟ ଅଟେ ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଓଡ୍ର/ଉଡ୍ର ଶବ୍ଦର ନିରୁକ୍ତି ଵ୍ୟାଖ୍ୟା ଅଛି―
➡ଆ=ସମ୍ୟକ+ଉଡ୍ ଧାତୁ(ଆଲିଙ୍ଗନ, ସ୍ତୁତି କରିବା)+ସଂଜ୍ଞାର୍ଥ.ର
ଅର୍ଥାତ୍
“ଯେ ଭାତୃତୁଲ୍ୟ ଅନ୍ୟଜାତୀୟ ଲୋକଙ୍କୁ
ଆଲିଙ୍ଗନ କରନ୍ତି ସେମାନଙ୍କର ମହିମାଗାନ ପୂର୍ଵକ ଉତ୍ସାହିତ କରିନ୍ତି ସେ ଜାତୀୟ ଲୋକ ଉଡ୍ର ଭାବେ ଖ୍ୟାତ ଅଟନ୍ତି ।”
ଓଡ଼ିଆଲୋକେ ଗତ ତିନିଶହ ବର୍ଷ ହେବ ଏ ଦେଶରେ କେତେ ଯେ ଅପମାନ ସହି ସହି ବଞ୍ଚି ରହିଛନ୍ତି ତା’ କଳନା ବାହାରେ ....
ଦେଶ ଭାଗବଣ୍ଟା ହୋଇ ପଡୋ଼ଶୀ ନେବା ଠାରୁ
ଭାଷାମାରଣ ଓ ନାନାଦି ରାଜନୈତିକ ଷଡଯନ୍ତ୍ରର ଶିକାର ହୋଇ ସୁଦ୍ଧା ଏ କଳିଙ୍ଗଦେଶର ମୋ ଭାଇ ଓ ଭଉଣୀମାନଙ୍କର ଭାରତ-ଭାରତୀପ୍ରୀତି ତଥାପି କାଣିଚାଏ ମଧ୍ଯ ଅଳପ ହୋଇନାହିଁ ।
➡ସେହିପରି
ମୂଳ ଦ୍ରାଵିଡ଼ ପ୍ରାକୃତର “ଓଡ଼ ଧାତୁ” ର ଅର୍ଥ
ଚାଷ କରିବା....
ଦ୍ରାଵିଡ଼ଭାଷା ପରିଵାରର ସର୍ଵପୁରାତନ ଭାଷା
ହେଉଛି ଏକଦା କଳିଙ୍ଗଭାଷା ନାମରେ
ପ୍ରସିଦ୍ଧ ଥିବା କୁଇ(କୁଭି)ଭାଷା ।
ଏ ଭାଷାରେ କୋରାପୁଟ ଅଞ୍ଚଳର କନ୍ଧଜାତୀୟ ଲୋକେ ତଥା ସ୍ଥାନୀୟ ଓଡ଼ିଆମାନେ କଥୋପକଥନ କରିଥାନ୍ତି । ଏହି କୁଇଭାଷାର ଜୋମଳ ଶବ୍ଦରୁ ଚାଉଳ
ତଥା ଜୋମ(ଖାଇବା) ଶବ୍ଦରୁ ଦେଶଜ ଜମବା ଶବ୍ଦ ସୃଷ୍ଟି ହୋଇଛି ।
ପରଵର୍ତ୍ତୀକାଳରେ ଜୋମ ଶବ୍ଦ ସହ ସଂସ୍କୃତ ଜମ୍ ଧାତୁର ସାମ୍ୟତା ଦେଖି ଏହି ସଂସ୍କୃତ ଧାତୁଶବ୍ଦର ଅନ୍ୟ ଏକ ଅର୍ଥ ଖାଇବା ହୋଇଥିବା ଅନୁମାନ କରାଯାଏ । ଓଡ଼ିଆ ‛ଚାଉଳ’ ଓ ହିନ୍ଦୀ ‛ଚାଵଲ’ ର ମୂଳ କୁହେଇଲା ଭଳିଆ ସେଭଳି କୌଣସି ସଂସ୍କୃତ ଶବ୍ଦ ନାହିଁ ତେଣୁ କେତେକ ଭାଷାଵିଦ ମତ ଦିଅନ୍ତି
ଯେହେତୁ
‛ଅ’,‛ଉ’ ଏବଂ ‛ଓ’ ଆଦି ସ୍ଵରଵର୍ଣ୍ଣ ଗୁଡି଼କ ଵ୍ୟାକରଣର ପରିବୃତ୍ତିଗତ ନିୟମ ଅନୁଯାୟୀ ଅଵର୍ଗ୍ୟ ‛ଵ’ ରେ ପରିଣତ ହୋଇଥାଏ ତେଣୁ ବୋଧହୁଏ ଶାସ୍ତ୍ରୀୟ ଓଡ଼ିଆ ଭାଷାର ଚାଉଳ ଶବ୍ଦରୁ ହିନ୍ଦୀ ଚାଵଲ ଶବ୍ଦର ସୃଷ୍ଟି ହୋଇଅଛି(ଯଥା–କୈଵର୍ତ୍ତ-କେଉଟ) ଏବଂ ଏ ଉଭୟ ସଗୋତ୍ରୀୟ ଶବ୍ଦ ଅଟନ୍ତି ।
ଅଵିଭକ୍ତ କୋରାପୁଟ-ଜୟପୁର ଅଞ୍ଚଳରେ ସବୁଠାରୁ ଅଧିକ(ପ୍ରାୟ 5000) ପ୍ରକାରର ନୀଵାର ଵା ବାଳୁଙ୍ଗା(ବାଳୁଙ୍ଗାଧାନକୁ ବାଲେଶ୍ବରରେ ଝଡା଼ ମଧ୍ଯ କୁହାଯାଏ) ଧାନ ପ୍ରାପ୍ତ ହୋଇଛି ଏବଂ ଏଭଳି ଵିଵିଧତା ଦକ୍ଷିଣ ଭାରତ ତଥା ଚୀନରେ ସୁଦ୍ଧା ଦୃଷ୍ଟିଗୋଚର ହୁଏନାହିଁ । ଏହିକାରଣରୁ ଵିଶ୍ଵରେ ସର୍ଵପ୍ରଥମେ ଧାନଚାଷ ବି ଓଡ଼ିଶାର ଦକ୍ଷିଣ ପଶ୍ଚିମ ଭାଗରେ ହୋଇଥିବା ଅଧିକାଂଶ ଗଵେଷକ ମତ ଦିଅନ୍ତି ।
ସମୟ ସହିତ
ମୂଳ ଦ୍ରାଵିଡୀୟ ଓଡ଼ ଧାତୁ ରୁ ଚାଷୀ ଅର୍ଥରେ “ଉଡ୍ର,ଓର ଏବଂ ଓଡ଼” ଆଦି ଜାତିଵାଚକ ଶବ୍ଦ ସୃଷ୍ଟି ହୋଇଛି ......
ଏ ଚଷାଜାତି କୃଷି କ୍ଷେତ୍ରରେ ଚାଷ କରୁ କରୁ ନିଜ ମାଟିମାଆକୁ ବଞ୍ଚେଇବା ଲାଗି ଆଵଶ୍ୟକ ପଡି଼ଲେ ଅସ୍ତ୍ର ଧରି ଲଢିବାକୁ ସୁଦ୍ଧା ପଛେଇ ନାହିଁ .......
ଏଇଠୁ କଳିଙ୍ଗ ଦେଶରେ ଓଡ଼ ପାଇକ ଖଣ୍ଡାୟତ ଜାତିର ଅଭ୍ୟୁଦୟ ମଧ୍ଯ ଘଟିଛି । ଶାନ୍ତିକାଳରେ ଚାଷକର୍ମ ତଥା ଯୁଦ୍ଧକାଳରେ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ହୋଇ ଯାଇଛି ଏ ଜାତିର ସ୍ଵାଭାଵିକ କର୍ମ .....
ଏହି
ମୂଳ ଦ୍ରାଵିଡୀୟ ଓଡ଼ ଧାତୁରୁ ପୁଣି ଆଉ ଏକ ଦିଗରୁ ଓରିଆ ଶବ୍ଦ ମଧ୍ଯ ସୃଷ୍ଟି ହୋଇଛି ।
ଗଡ଼ଜାତ ଅଞ୍ଚଳରେ ରାଜା ଓ ଦେବତାଙ୍କ ଭାତ ଵା ଅନ୍ନ କୁ ଓରିଆ କୁହାଯାଏ ଯାହାକୁ ବହୁତ ସମ୍ଭବ ଆମ ଆଡେ଼ କାନିକା କୁହାଯାଇଥାଏ ।
ସେହିପରି ଗଞ୍ଜାମ ଅଞ୍ଚଳରେ ଓରିଆ ଏବଂ ଉଡ଼ ଶବ୍ଦ ସହ ସାମଜସ୍ୟ ଥିବା ଫୁଟିଆଣୀ ଅର୍ଥରେ ଶବ୍ଦଟିଏ ଚଳେ “ଓରିଆଣି”...
ଓଡ଼ିଆ ସଂକ୍ଷିପ୍ତ ଇତିହାସ ପୁସ୍ତକ ଅନୁସାରେ―
ଐତିହାସିକ ପ୍ଲିିନିଙ୍କ 'ପ୍ରାକୃତିକ ଇତିହାସ' (Natural History) ପୁସ୍ତକରେ 'ଓରିଟିସ୍'କୁ ଏକ ଭାରତୀୟ ଜାତି ବୋଲି ଉଲ୍ଲେଖ କରାଯାଇଛି । ପ୍ଲିନଙ୍କ ବର୍ଣ୍ଣନା ଅନୁଯାୟୀ 'ଓରିଟିସ୍' ଜାତିର ଲୋକେ ମେଲିଅସ (Maleus) ପାହାଡ଼ କ୍ଷେତ୍ରରେ 'ମନେଡସ୍' (Manedes) ଓ 'ସୁଅାରିସ୍' (Suaris) ଜାତିର ଲୋକଙ୍କ ମଧ୍ୟରେ ଅବସ୍ଥାନ କରନ୍ତି । ଗବେଷକମାନେ 'ଓରିଟିସ୍'କୁ 'ଓଡ଼ିଅା', 'ମେଲିଅସ'କୁ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ମାଲ୍ୟବଣ, 'ମନେଡସ୍'କୁ 'ମୁଣ୍ତା' ଓ 'ସୁଅାରିସ'କୁ 'ସଉରା'ରଅପଭ୍ରଂଶ ବୋଲି ମତ ଦିଅନ୍ତି । ନବମ ଓ ଦଶମ ଶତାବ୍ଦୀର ଦୁଇଜଣ ମଧ୍ୟଏସିଅାର ଭୌଗୋଳିକ ଇବନ୍ ଖୁର୍ଦ୍ଦାଦଭି ଓ ହାଦୁଦ୍ ଅଲ୍ ଅାଲାନ ଓଡ଼ିଶାକୁ 'ଉର୍ସିନ' ବା 'ଉର୍ସଫିନ' ବୋଲି ଉଲ୍ଲେଖ କରିଛନ୍ତି । ଏକାଦଶ ଶତାବ୍ଦୀରେ ଅାଲବେରୁନି ତାଙ୍କ ପ୍ରସିଦ୍ଧ ପୁସ୍ତକ 'ଇଣ୍ତିଅା'ରେ ଓଡ଼ିଶାକୁ 'ଉର୍ଦ୍ଦାବିଶାଉ'(Urdavisau) ବୋଲି ଲେଖିଛନ୍ତି, ଯାହାକୁ ସଂସ୍କୃତ 'ଓଡ୍ର ବିଷୟ' ବା ଓଡ୍ର ପ୍ରଦେଶର ଅପଭ୍ରଂଶ ଭାବରେ ଗ୍ରହଣ କରାଯାଏ । ପ୍ରଥମ ଥରପାଇଁ ସ୍ପଷ୍ଟ ଶବ୍ଦରେ ଚତୁର୍ଦ୍ଦଶ ଶତାବ୍ଦୀରେ ସାମ୍ସଇ ସିରାଜ ଅଫିପ ନାମକ ଜଣେ ମୁସଲିମ୍ ଲେଖକ ଯାଜନଗର ଉଡ଼ିଶା କ୍ଷେତ୍ରର ନାମୋଲ୍ଲେଖ କରିଛନ୍ତି । ସେହି ସମୟରେ ସୀମାଚଳମର ଏକ ଶିଳାଲେଖରେ "ଓଡ୍ୟାଦେଶ' ନାମର ଉଲ୍ଲେଖ ରହିଛି । 'ଓଡିଶା', 'ଓଡ଼ିଶା ରାଷ୍ଟ୍ର', ତଥା 'ଓଡ଼ିଶା ରାଜ୍ୟ' ଅାଦି ନାମର ବ୍ୟବହାର ଗଜପତି ରାଜା କପିଳେନ୍ଦ୍ରଦେବ ପଞ୍ଚଦଶ ଶତାବ୍ଦୀର ଅାଦ୍ୟ ଭାଗରେ କରିଛନ୍ତି । ଏହା ପରେ ଉଭୟ ସରକାରୀ ନଥିପତ୍ରରେ ତଥା ଲୌକିକ ସ୍ତରରେ 'ଓଡ଼ିଶା' ନାମ ଲୋକପ୍ରିୟ ହୋଇଛି । ଓଡ଼ିଅା ମହାଭାରତର ରଚୟିତା ସାରଳା ଦାସ ମଧ୍ୟ ତାଙ୍କ ରଚନାରେ ଓଡ଼ିଶା ରାଷ୍ଟ୍ର ବା 'ଓଡ଼ରାଷ୍ଟ୍ର'ର ଉଲ୍ଲେଖ କରିଛନ୍ତି । ଏଥିରୁ ଗୋଟିଏ କଥା ସାବ୍ୟସ୍ତ ହୁଏ ଯେ, ଅନ୍ତତଃ ମଧ୍ୟକାଳରୁ ବା ହୋଇପାରେ ପ୍ରାଚୀନ କାଳରୁ, ଅାଜି ଓଡ଼ିଶା ନାମରେ ଖ୍ୟାତ ଅଞ୍ଚଳକୁ ତଥା ଏହି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ 'ଉଡ୍ର', 'ଓର' ଅାଦି ନାମରେ ଲୋକ ଜାଣୁଥିଲେ । ସମୟ କ୍ରମେ ଅର୍ଥାତ୍ ଅାଧୁନିକ କାଳରେ ଏହି ନାମକୁ ମହତ୍ତ୍ୱ ମିଳିଲା,ଏବଂ ସେହିଦିନଠାରୁ ଆଜିଯାଏଁ ଏ ରାଜ୍ୟର ନାମ ଓଡ଼ିଶା ଚଳୁଅଛି”
ଓଡ଼ିଶା ଏବଂ ଓଡ଼ିଆ ଶବ୍ଦର ମୂଳରେ ଥିବା ଉଭୟ ସଂସ୍କୃତ (ଉଡ୍ ଧାତୁ )ତଥା ଦ୍ରାଵିଡୀୟ ମୂଳଶବ୍ଦ(ଓଡ଼ ଧାତୁ)ଗୁଡି଼କର ଆର୍ଥିକ ଵ୍ୟାଖ୍ୟାରୁ ଏହିଭଳି ଉଚ୍ଚକଥା ମାନ ଜାଣିବାକୁ ମିଳିଥାଏ ।
ଓଡ଼ିଆମାନେ ସବୁଜାତିର ଲୋକଙ୍କ ସହିତ ଭାତୃଭାବ ରଖି ଚଳିଆସିଛନ୍ତି ଏବଂ ଚଳୁଅଛନ୍ତି ମଧ୍ଯ ! ଏକଥା ଉଡ୍ର ଶବ୍ଦର ନିରୁକ୍ତି ରୁ ସ୍ପଷ୍ଟ ଜାଣିହୁଏ |
No comments:
Post a Comment