ସମୟ ସହିତ କୌଣସି କୌଣସି ଶବ୍ଦର ଵ୍ଯଵହାର କମିଯାଏ କିଂଵା କେତେକ ଅଞ୍ଚଳରେ ସୀମିତ ହୋଇ ରହିଯାଏ । ସେଇଭଳି ଏକ ଶବ୍ଦ ହେଉଛି କକର୍ଥନା ।
ଅକର୍ଥନା ଶବ୍ଦ ଆଜିକାଲି ବାଲେଶ୍ବର,ଭଦ୍ରକ,ସୁନ୍ଦରଗଡ ଓ ଜଗତସିଂହପୁର ଆଦି କେତେକ ଜିଲ୍ଲାର ଗ୍ରାମାଞ୍ଚଳରେ ସୀମିତ ରହିଯାଇଥିଵା କଥିତ ଓଡ଼ିଆ ଶବ୍ଦକୋଷରୁ ଜଣାପଡେ଼ । ଏ ଶବ୍ଦର ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଅର୍ଥ ଓ ରୂପ ମଧ୍ୟ ହୋଇଗଲାଣି ।
ଉଦାହରଣ ସ୍ୱରୂପ
ଉତ୍ତର ଓଡ଼ିଶାରେ କକର୍ଥନା ଶବ୍ଦଟି ‛କକର୍ଦ୍ଧନ’ ହୋଇଯାଇଥିଵାଵେଳେ ଗଞ୍ଜାମ ଖୋର୍ଦ୍ଧାରେ ‛କକର୍ଚ୍ଛନିଆ’ ହୋଇ ଚଳୁଅଛି । ଜଗତସିଂହପୁରରେ କକଖିଥନା ଓ କକଞ୍ଚନା ଏ ଉଭୟ ଶବ୍ଦ କକର୍ଥନାର ଆଧୁନିକ ରୂପ ହୋଇଥିଲେ ହେଁ କକଖିଥନାର ଅର୍ଥ ଵ୍ଯାକୁଳତା,କାକୁର୍ତ୍ତି ହୋଇଥିଵାଵେଳେ କକଞ୍ଚନାର ଅର୍ଥ କଷ୍ଟ ହୋଇଛି । ସେହିପରି ଗଜପତିରେ କାକର୍ଚ୍ଛାନିଆ ଶବ୍ଦଟି ଵିସ୍ମିତହେଵା,ଛାନିଆ ଓ ତରତର ହେଵା ଅର୍ଥରେ ଵ୍ଯଵହୃତ ହେଉଥିଵା କଥିତ ଓଡ଼ିଆ ଶବ୍ଦକୋଷରୁ ଉଲ୍ଲେଖରୁ ଜଣାଯାଏ । ସୁଵର୍ଣ୍ଣପୁରରେ କକର୍ଥନା ଶବ୍ଦ ତରଣର ହେଵା ଅର୍ଥରେ ଵ୍ଯଵହୃତ ହେଉଥିଵା ମଧ୍ୟ ଏହି ଶବ୍ଦକୋଷରେ ଉଲ୍ଲେଖ କରାଯାଇଛି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କକର୍ଥନା ଶବ୍ଦକୁ ଏକ ଵିଶେଷଣ ଶବ୍ଦ ଅଭିହିତ କରାଯିଵା ସହ ଏହା ସଂସ୍କୃତ କଦର୍ଥନା ସହିତ ସମଦ୍ଧୃତ ବୋଲି ଉଲ୍ଲେଖ କରାଯାଇଛି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କକର୍ଥନା ଶବ୍ଦର ନିମ୍ନ ଅର୍ଥ ମାନ ରହିଛି ...
(ଵିଶେଷଣ)
୧)ବ୍ଯାକୁଳ; ବିକଳ
୨)ଅତ୍ଯାଚାରିତ
(ଵିଶେଷ୍ଯ)
୧)କଷ୍ଟ ଦେବା
ତୀର୍ଥ ଯାତ୍ରା ନ କରିବ କାୟା କକର୍ଥନା
(ସାରଳାମହାଭାରତ)
୨)ବ୍ଯାକୁଳତା
ପାଣ୍ଡବ କେକୟ ଆମ୍ଭର ପରା
ସେନାମାନଙ୍କୁ ଯୁଦ୍ଧେ ଦେଉଛନ୍ତି କକର୍ଥନା ।
(କୃଷ୍ଣସିଂହ, ମହାଭାରତ ଦ୍ରୋଣ)
୩)ଅତ୍ଯାଚାର
ଆଜି ସାହିତ୍ୟ କ୍ଷେତ୍ରରେ ‛କକର୍ଥନା’ ଶବ୍ଦର ଵ୍ଯଵହାର ସୀମିତ ହୋଇଯାଇଥିଲେ ହେଁ ଏ ଶବ୍ଦ ତଥାପି ଅଳ୍ପ ବହୁତେ ଵ୍ଯଵହାର ହେଉଅଛି । ଅନେକ ସାହିତ୍ଯିକ ଏଵେ ବି ଏ ଶବ୍ଦ ଵ୍ଯଵହାର କରୁଥିଵା ଦୃଷ୍ଟିଗୋଚର ହୁଏ । ଉଦାହରଣ ସ୍ୱରୂପ ଏ ଵର୍ଷ ଜଣେ କଵି
“ଗୁରୁକଲ୍ଯାଣ ମହାପାତ୍ର” ତାଙ୍କ “ଭାଵର ଦେଵତା ତୁମେ” କଵିତାରେ ‛କକର୍ଥନା’ ଶବ୍ଦର ପ୍ରୟୋଗ କରି ପଦେ ଲେଖିଲେ
“ଯେତେସବୁ କକର୍ଥନା ଆମ ନ ହେଉ ନିଷ୍ଫଳ
ହେ ମହାପ୍ରଭୁ ଏତିକି ମୋ’ ପ୍ରାର୍ଥନା କେବଳ ।”
କଟକର ଶିଵ ପ୍ରସାଦ ରାଉତ
ତାଙ୍କ କୌଶଲ୍ୟାକୁମର କଥାମୃତ💐କ'ଅନୁପ୍ରାସରେ ଲେଖିଛନ୍ତି ଏଵଂ ଏଥିରେ ସେ “କଲବଲ" ଅର୍ଥରେ କକର୍ଥନା ଶବ୍ଦର ପ୍ରୟୋଗ କରିଥିଵା ମଧ୍ୟ ଜଣାଇଛନ୍ତି ।
ଉ―
କା'ଆଗେ କହିବି,କଦନ ଦୁଃଖ ଯା' ମୋ'ର,
କାନ କି ଶୁଣିଲା?
ଲକ୍ଷ୍ମଣ ମାରିଲା, କକର୍ଥନା କରି ଘୋର।।
ସମ୍ବଲପୁରର ଜନୈକ କଵି
ମାନସ୍ କୁମାର୍ ଷଡଙ୍ଗୀ ତାଙ୍କ ମହିଷାଷ୍ଟକମ୍ କଵାତାରେ କକର୍ଥନା ଶବ୍ଦକୁ ସରଳ କରି କକରଥନା ଭାଵେ ଵ୍ଯଵହାର କରିଛନ୍ତି
ଉ―
“ଅନ୍ଧାର୍ ଚ଼ିରି
ରତ୍ନ ବେଦୀ କେ ଆଲୋକିତ୍ କରି
ଆସ୍ତେ ଆସ୍ତେ ଖୁଲୁଛେ କବାଟ୍ |
ଆହା ! କାହାର୍ ସେ କକରଥନା କାନ୍ଦି ଶୁଭୁଛେ ?”
ଆମ ସାରଳା ମହାଭାରତଠାରୁ ଏଯାଵତ୍ ଯେଉଁ କେତୋଟି ଶବ୍ଦ ନୂତନ ସମ୍ଭାଵନାର ସହ ଚଳିଆସୁଛି
ତନ୍ମଧ୍ୟରେ କକର୍ଥନା ଶବ୍ଦ ଅନ୍ଯତମ । କେଵଳ ସାହିତ୍ୟ କ୍ଷେତ୍ରରେ ହିଁ ନୁହେଁ କଥିତ ଭାଷାରେ ଓ ଗଣମାଧ୍ୟମରେ ମଧ୍ୟ ଵେଳେଵେଳେ ଏ ଶବ୍ଦର ପ୍ରୟୋଗ କରାଯାଏ । ପ୍ରାଚୀନ ଲୁପ୍ତ ଶବ୍ଦସମୂହ ଆକାଶରେ କକର୍ଥନା ଶବ୍ଦଟି ଆଜି ବି କୌଣସି ଶୁଭ୍ର ତାରକା ଭଳି ନିଜର ଆଲୋକ ବାଣ୍ଟୁଅଛି ଏଵଂ ଏହିଭଳି ଆମର ଅନ୍ୟ ପ୍ରାଚୀନ ଶବ୍ଦଗୁଡି଼କର ମଧ୍ୟ ଵ୍ଯଵହାର ହୁଅନ୍ତା ଯଦି ନିଶ୍ଚୟ ଆମ ଭାଷାର ଅନେକ ଉପକାର ହୁଅନ୍ତା ।
No comments:
Post a Comment