Sunday, January 5, 2020

ଵିଚ୍ , ବିଚ୍ ଓ बीच

ଅନେକ ସମୟରେ ଖବରକାଗଜ ରେ କିମ୍ବା ସମ୍ବାଦ ପଢୁଥିବା ସମୟରେ ବିଚରାସ୍ତାରେ  ହତ୍ୟା ଆଦି କୁହାଯାଏ କିନ୍ତୁ ବହୁତ ଓଡ଼ିଆ ଅଛନ୍ତି ଯେଉଁମାନେ
ଏଥିରେଥିଵା ବିଚ ଶବ୍ଦର ଅର୍ଥ କ'ଣ ଓ ଏହାର ମୂଳକୁ ନେଇ ଵିଶେଷ ଜାଣିନଥାନ୍ତି ।

ଅଧିକାଂଶ ଭାଷାଵିଦ୍ ଙ୍କ ମତ ଯେ ଓଡ଼ିଆ ଭାଷାର ଏଇ ବିଚ୍ ଶବ୍ଦଟି ମୂଳତଃ ହିନ୍ଦୀ बीच ଶବ୍ଦର ଓଡ଼ିଆ ଅନୁସୃତ ଶବ୍ଦ ଅଟଇ ।

ହିନ୍ଦୀ ଓ ଓଡ଼ିଆରେ ବୀଚ୍ ଓ ବିଚ୍ ଶବ୍ଦର ଭାଵାର୍ଥ ସମାନ ଓ ତାହା ହେଉଛି ମଧ୍ୟରେ ଵା  ମଝି ।

ହିନ୍ଦୀରେ बीच ଶବ୍ଦର ପ୍ରୟୋଗ ପୂର୍ଵକ ନିମ୍ନୋକ୍ତ ଵାକ୍ଯଗଠନ ସବୁ କରାଯାଏ

●ତେରେ ମେରେ ବୀଚ୍ ମେ ... ,
●ବୀଚ ବଜରିଆ ମେ ...,
●ଉସ୍ ବୀଚ୍ ଐସା ହୁଆ...,

କିନ୍ତୁ ମାନକ ଓଡ଼ିଆ ଵା ବହିଭାଷାରେ ବୀଚ୍ ଵା ଵିଚ୍ ଶବ୍ଦର ପ୍ରୟୋଗକୁ କଦାପି ସ୍ଥାନ ଦିଆଯାଇନାହିଁ ।

ଵିଚ୍ ଶବ୍ଦ ଯୁକ୍ତ କେତେକ ଯୁଗ୍ମ ଶବ୍ଦ  କଟକୀ ଓଡ଼ିଆ ଆଞ୍ଚଳିକ ଶୈଳୀରେ ବହୁ ପ୍ରଚଳିତ । ଯେମିତିକି "ବିଚ୍ ବଜାରରେ ବେଇଜିତ କଲାୱାଲା ମୁଁ ..."
"ବିଚ୍ ରାସ୍ତାରେ ସେ ତାକୁ ଗାଳୀ କଲା..."

କେଵଳ ହିନ୍ଦୀ ହିଁ ନୁହେଁ ଗୁଜରାଟୀରେ ମଧ୍ୟ ଏଇ ଵିଚ୍ ଧାତୁ ସହିତ ସମଦ୍ଧୃତ ଶବ୍ଦ ବହୁପ୍ରଚଳିତ
ଯଥା―
●વચલું (vaclũ)
●વચ્ચેનું (vaccenũ)

କିନ୍ତୁ
ଏ ଶବ୍ଦ ହିନ୍ଦୀ ଭଳି ସ୍ଵତନ୍ତ୍ର ଵ୍ଯଵହାର ହୁଏନାହିଁ ଯେମିତି ଓଡ଼ିଆ ଭାଷାରେ ମଧ୍ୟ ଓ ମଝି ଶବ୍ଦର ଵ୍ଯଵହାର ହୋଇଥାଏ ।

ଓଡ଼ିଆ ଭାଷାରେ ଵିଚ୍ ଅପେକ୍ଷା ମଝି ଶବ୍ଦଯୁକ୍ତ ଅନେକାନେକ ଯୁଗ୍ମ ଶବ୍ଦ ରହିଛି
ଯଥା―
●ମଝିନଈ
●ମଝିଦାଣ୍ଡ
●ମଝିବାହାର
●ମଝିସୁଅ
●ମଝିସାଇ

ଇତ୍ୟାଦି ଇତ୍ୟାଦି

ଵିଚ୍ ଧାତୁରୁ ଗୋଟିଏ ପଟେ ଓଡ଼ିଆ ଭାଷାରେ ବିଚ ଶବ୍ଦ ଵ୍ଯଵହାର ହେଉଛି ସେଇଭଳି ହିନ୍ଦୀରେ बीच ଶବ୍ଦ ଵ୍ଯଵହାର ହୋଇଥାଏ । ଆମେ ଭାଵନ୍ତି ଯେ ହିନ୍ଦୀଭାଷା ସଂସ୍କୃତ ଭାଷାରେ ଥିଵା ଅଵର୍ଗ୍ଯ ଵ  ଓ ଵର୍ଗ୍ଯ ବ ମଧ୍ୟର ପାର୍ଥକ୍ୟକୁ ଶତକଡ଼ା ୧୦୦ ଅନୁକରଣ କରିଥାଏ  କିନ୍ତୁ बीच ଭଳି ଅନେକ ଶବ୍ଦ ହିନ୍ଦୀ ଭାଷାରେ ରହିଛି ଯେଉଁଥିରେ ହିନ୍ଦୀ ଭାଷା ସଂସ୍କୃତର ସେଇ ପୁରାତନ ପରମ୍ପରାର ଵିପରୀତ ଗମନ କରିଥାଏ ।

बीच ଶବ୍ଦଟି ସଂସ୍କୃତର विच् ଧାତୁରୁ ନିଷ୍ପନ୍ନ ହେଉଥିଲେ ହେଁ  ଏହାର ପ୍ରାଚୀନ ପ୍ରକୃତ ସ୍ଵରୂପକୁ ରକ୍ଷାକରିଵାରେ ଅକ୍ଷମ ରହିଛି । କିନ୍ତୁ ଓଡ଼ିଆ ଭାଷାରେ ଯେତେଵେଳେ ବି ଲେଖାଯାଏ ବିଚ୍ ଲେଖାଯାଏ, ବୀଚ୍ ଲେଖାଯାଏ ନାହିଁ । ସମ୍ଭଵତଃ କଟକାଞ୍ଚଳର ପ୍ରାଚୀନ ଲୋକେ बीच ଶବ୍ଦର ମୂଳ ଵିଚ୍ ଧାତୁ ବୋଲି ଜାଣିଥିଲେ ତେଣୁ ସେମାନେ ଓଡ଼ିଆ ଭାଷାରେ ସଂମ୍ପୂର୍ଣ୍ଣ ହିନ୍ଦୀ ହନୁକରଣ ନକରି #ବୀଚ୍ ପରିଵର୍ତ୍ତେ #ବିଚ୍ ଲେଖିଥାଇପାରନ୍ତି ।

ସଂସ୍କୃତର ଏଇ ଵିଚ୍ ଧାତୁରୁ ଅନେକ ଶବ୍ଦକୁ ନିଷ୍ପନ୍ନ କରାଯାଇଛି

ଯଥା—
ନିର୍ଵାଚନ = ନିର୍ + ଵାଚନ
ଏଠାରେ ଵାଚନ ଶବ୍ଦକୁ ଵିଚ୍ ଧାତୁରୁ ପୃଥକ କରି ବାଛିଵା ଅର୍ଥରେ ନିଷ୍ପନ୍ନ କରାଯାଇଛି ‌।

ସେଇଭଳି ଵାସନ୍ଦ,ତାଳ ଵେଚନକ,ଵିଵିକ୍ତ,ଵିଵେକ ଓ ଵିଵେଚନ ଇତ୍ୟାଦି ଅନେକ ଶବ୍ଦ ଏହି ମୂଳ ସଂସ୍କୃତ ଧାତୁରୁ ନିଷ୍ପନ୍ନ ହୋଇଅଛି ।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...