ଗୋଣ୍ଡି ପୁନେମ ଦର୍ଶନ ଅନୁସାରେ ଗୋଣ୍ଡି ଭାଷାର କିପରି ଉତ୍ପତ୍ତି ହୋଇଛି ତାହାର ପରିଚୟ ମିଳିଥାଏ । ଏଥିରେ ଉଲ୍ଲେଖ ରହିଛି ଯେ ଶମ୍ଭୁଶେକଙ୍କର ଡମ୍ଵରୁରୁ ଗୋଣ୍ଡି ଭାଷା ଉତ୍ପନ୍ନ ହୋଇଛି ।
ଏହି ଶମ୍ଭୁଶେକ ବହୁତ ସମ୍ଭଵ ଶିଵଶଙ୍କର ଭଗବାନଙ୍କ ଵ୍ଯତୀତ ଆଉ କେହି ନୁହନ୍ତି । କୁହାଯାଏ ଗଣ୍ଡ ଆଦି ଧର୍ମଗୁରୁ ପାରିକୁପାର ଲିଙ୍ଗୋ ସେହି ଶମ୍ଭୁଶେକ ଦେଵତାଙ୍କର ସେହି ଡମ୍ବରୁ ଧ୍ଵନିକୁ ଶୁଣି ଗୋଣ୍ଡି ଭାଷାକୁ ରଚନା କରିଥିଲେ ।
ଡମ୍ବରୁ ଶବ୍ଦକୁ ଶୁଣି ସେହି ସ୍ଵରରେ ସେ ଵର୍ଣ୍ଣ , ଶବ୍ଦ ଏଵଂ ଵାକ୍ଯ ତିଆରି କରୁ କରୁ ଗୋଣ୍ଡି ବୋଲି ଏକ ନୂଆ ଭାଷା ସୃଷ୍ଟି କରିଦେଇଥିଲେ । ଏହାକୁ ହିଁ ଗୋଏନ୍ଦାଡୀ଼ ଵାଣୀ ଵା ଗଣ୍ଡଵାଣୀ କୁହାଯାଏ । ଗୋଣ୍ଡି ଭାଷାରେ ଡମ୍ବରକୁ ଗୋଏନ୍ଦାଡୀ଼ କୁହାଯାଏ ।
ଅଵଶ୍ୟ ଏହି ଲୋକକଥା କେଵଳ ଏକ ଲୋକଵିଶ୍ଵାସ ନା ଏହ ପଛରେ କୌଣସି ଐତିହାସିକ କଥା ରହିଛି ତାହା ନିଶ୍ଚୟ ଗଵେଷଣା ସାପେକ୍ଷ । ତେଵେ ଗୋଣ୍ଡ, ଗୋଣ୍ଡି,ଗଣ୍ଡ ,କୋଣ୍ଡା,କୋଟିଆ,କନ୍ଧ ଓ କୋୟା ଇତ୍ୟାଦି ଏ ସମସ୍ତ ଶବ୍ଦର ମୂଳ ହେଉଛି ଏକ ଦ୍ରାଵିଡ ଶବ୍ଦ କୁ ଵା କୋ ଏଵଂ ଏହାର ଅର୍ଥ ପର୍ଵତ ଅଟେ । ସେଇଭଳି ଦ୍ରାଵିଡ ଜନଜାତି ଗୁଡ଼ିକର ଗୋଣ୍ଡ ,କୋଣ୍ଡା ଓ କନ୍ଧ ଇତ୍ୟାଦି ନାମକରଣର ଅର୍ଥ ମଧ୍ୟ ସ୍ପଷ୍ଟ ହେଉଛି ଯେ ସେମାନେ ପର୍ଵତଵାସୀ ଅଟନ୍ତି । ତେଵେ ସମୟ ସହ ଗୋଟିଏ ପଟେ ଦକ୍ଷିଣ ଭାରତର ଦ୍ରାଵିଡ ଲୋକେ ସମତଳରେ ଵସତିସ୍ଥାପନ କରିଵା ଶିଖିଗଲାଵେଳେ ଉତ୍ତର ଭାରତର ଗୋଣ୍ଡ ଜାତି ମଧ୍ୟ କେତେକ ଅଞ୍ଚଳରେ ଶାସନ କରିଵା ଆରମ୍ଭ କରିଦେଇଥିଲେ । ଓଡ଼ିଶାରେ ମଧ୍ୟ ଅନୁଗୋଳ ଠାରୁ କନ୍ଧମାଳ ଓ ନଵରଙ୍ଗପୁର ପର୍ଯ୍ୟନ୍ତ ଅଞ୍ଚଳରେ ଅନେକ ଵର୍ଷ ଯାଏଁ ଏହି ଯୁଦ୍ଧପ୍ରିୟ ଜାତିର ପ୍ରତ୍ଯକ୍ଷ କ୍ଷମତା ରହିଥିଵା ଜଣାଯାଏ ।
କୁ ଓ କୋ ଶବ୍ଦ ସହିତ ସମଦ୍ଧୃତ ଓ ସମସାଦୃଶ୍ଯ ଥିଵା ପର୍ଵତ ଅର୍ଥଜ ଅନେକ ଶବ୍ଦ ଦ୍ରାଵିଡ ଭାଷା ପରିଵାରର ଵିଭିନ୍ନ ଭାଷାରେ ମିଳିଯାଏ ଏଇ ଯେମିତି
କୁଈ ଭାଷାରେ ପାହାଡ଼କୁ “କୁପ୍'ଡା଼” କୁହାଯାଏ ଠିକ୍ ସେଇଭଳି ତାମିଳରେ குட்டரி (kuṭṭari) ବୋଲି ଏକ ଶବ୍ଦ ରହିଛି ଯାହାର ଅର୍ଥ ପାହାଡ଼ ଵା ପର୍ଵତ ଅଟେ ।
No comments:
Post a Comment