Friday, April 17, 2020

ଵାତ୍ଯା ଆଗମନ ପୂର୍ଵର କ୍ଷୀଣ ପ୍ରକୋପକୁ ଆମ ଭାଷାରେ କୁହନ୍ତି ଝଜ...

ଦୂରଵର୍ତ୍ତୀ ଵାତ୍ଯାର କ୍ଷୀଣ ପ୍ରକୋପକୁ ଗଞ୍ଜାମ ଜିଲ୍ଲାର ଉପକୂଳଵର୍ତ୍ତୀ ଅଞ୍ଚଳରେ  ଝଜ କୁହନ୍ତି । ସମ୍ଭଵତଃ ଏ ଶବ୍ଦଟି ଝଞ୍ଜା ଶବ୍ଦ ସହିତ ସମଦ୍ଧୃତ । ଝଜ ଏକ ଵିଶେଷ୍ଯ ଶବ୍ଦ ଭାଵେ ଵ୍ଯଵହୃତ ହୋଇଥାଏ ଠିକ୍ ସେଇଭଳି ଝଞ୍ଜା ଶବ୍ଦ ବି ଏକ ଵିଶେଷ୍ଯ ଶବ୍ଦ ଅଟଇ ।

ଝଞ୍ଜା ଶବ୍ଦଟି ସାଧାରଣତଃ ଏକ ଝମ୍ ଝମ୍ ଝୁମ୍ ଝୁମ୍ ଇତ୍ୟାଦି ଧ୍ଵନ୍ଯାନୁକରଣ ଶବ୍ଦ ସହ ଜନ୍ ଧାତୁ ଯୁକ୍ତ କରାଯାଇ ସୃଷ୍ଟି ହୋଇଅଛି ।

ଏହାର ନିମ୍ନୋକ୍ତ ଅର୍ଥ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି...

୧)ବତାସ; ଝଡ଼ି; ଝଡ଼; ତୋଫାନ
ଉ―“ପରସ୍ପରେ ଦୁଇ ସେନାଏ ପୀଡ଼ା ପାଇ ଝଞ୍ଜାବଜା ଲଚିକା ପ୍ରୟୋଗ ଗଲେ ହୋଇ।”
(କୃଷ୍ଣସିଂହ. ମହାଭାରତ, ଶଲ୍ଯପର୍ଵ)

୨)ଝଡ଼ି ଵରଷା; ଝଡ଼ ସହିତ ବର୍ଷା★

୩)ଘୋର ଵୃଷ୍ଟି

୪)ଵାତ୍ଯାର ଗର୍ଜନ★

୫)ଟଙ୍କାର ଧ୍ବନି

୬)ତୃପ୍ତି

୭)ଝାଞ୍ଜ

୮)ଛୋଟ ଛୋଟ ବିନ୍ଦୁ ପାତ ସହ ଵର୍ଷା★

ପ୍ରାୟତଃ ଦେଖାଯାଏ ଵାତ୍ଯା ଆସିଵା ଆଗରୁ ଛୋଟ ଛୋଟ ବିନ୍ଦୁପାତ ସହ ଵର୍ଷା ହୁଏ ଓ କ୍ଷୀଣରୁ ଧିରେ ଧିରେ ତୀଵ୍ର ଗର୍ଜନ ଶୁଣାଯାଇଥାଏ ।

ମତାନ୍ତରେ ଓଡ଼ିଆ ଝଜକା ଵା ଝଜକିଵା କ୍ରିୟା ଶବ୍ଦ ଶବ୍ଦ ସହିତ ଗଞ୍ଜାମ ଅଞ୍ଚଳର ଝଜା ଶବ୍ଦ ସମଦ୍ଧୃତ ହେଵା ମଧ୍ୟ ସମ୍ଭଵ ।

ଝଜକା ଶବ୍ଦର ନିମ୍ନୋକ୍ତ ଅର୍ଥ ରହିଛି ...
            (ଵିଶେଷ୍ଯ)
୧)ଭୟଜନିତ କିଂକର୍ତ୍ତଵ୍ଯଵିମୂଢ଼ତା; ଛନକା; ଛାନିଆ; ହଠାତ୍ ଭୟ ଯୋଗୁଁ ଆବ୍ବାକାବ୍ବା ହେଵା
୨)ଧନ୍ଦାଳି ହେଵା ଅଵସ୍ଥା, ଧନ୍ଦକା
୩) ଆନଦ୍ଧ ଵାଦ୍ଯାଦିର ଅନୁଚ୍ଚ ଶବ୍ଦ★
          (ଵିଶେଷଣ)
୧)ଛାନିଆ
୨)କିଂକର୍ତ୍ତଵ୍ଯଵିମୂଢ଼
୩)କାର୍ଯ୍ୟଵ୍ଯସ୍ତ—3. Verybusy.
 
ସେଇଭଳି ଓଡ଼ିଆ କ୍ରିୟା ଝଜକିଵା ଵା ଝଜକିହେଵାର ମୁଖ୍ୟତଃ ତିନୋଟି ଅର୍ଥ ଅଛି

୧)ଭୟରେ କିଂକର୍ତ୍ତଵ୍ଯଵିମୂଢ଼ ହେଵା ଵା ଛାନିଆ ହେଵା
୨)ଧନ୍ଦି ହେଵା; ଧନ୍ଦକି ହେଵା
୩)ଆନଦ୍ଧ ଵାଦ୍ଯାଦି ଅନୁଚ୍ଚ ଶବ୍ଦ କରିଵା★

ଝଜକା ଓ ଝଜକିଵା ଶବ୍ଦରେ ଯେଉଁ କ୍ଷୀଣ ଅନୁଚ୍ଚ ଶବ୍ଦ କରିଵା ଅର୍ଥଟି ରହିଛି ତାହା ସମ୍ଭଵତଃ ପରେ ଦୂରଵର୍ତ୍ତୀ ଵାତ୍ଯାର କ୍ଷୀଣ ପ୍ରକୋପ ଅର୍ଥରେ ଵ୍ଯଵହାର ହୋଇଥାଇପାରେ ।

ଦୂରଵର୍ତ୍ତୀ ଵାତ୍ଯାର କ୍ଷୀଣ ପ୍ରକୋପ ପ୍ରଥମେ ଜଣାପଡେ଼
ଘୁ ଘୁ ସୁ ସୁ ଇତ୍ୟାଦି ଅନୁଚ୍ଚ ଶବ୍ଦରୁ କିନ୍ତୁ ଯଦି ଉକ୍ତ ଵାତ୍ଯା ନିକଟତର ହୁଏ ତେଵେ ସେହି ଶବ୍ଦ ଦୃତ ଓ ଉଚ୍ଚତର ହେଵାକୁ ଲାଗେ ।

ଆମ ଉପକୂଳାଞ୍ଚଳରେ ଵାତ୍ଯା ଯୋଗୁଁ ପ୍ରତିଵର୍ଷ ଲକ୍ଷ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୁଏ ଫଳରେ କୌଣସି ଵାତ୍ଯା ଆଗମନର ଆଭାସ ମିଳିଲେ ଛାନିଆଁ ହେଵା ସ୍ଵାଭାଵିକ କଥା । ତେଵେ ଉପକୂଳ ଓଡ଼ିଶାର ଲୋକଙ୍କ ସାହସ ଓ ଧୈର୍ଯ୍ୟଶକ୍ତି ଆଗରେ ମନର ଭୟ କଣ୍ ବଡ଼ ବଡ଼ ଵନ୍ଯା ଵାତ୍ଯା ବି ସହସ୍ରାଧିକ ଥର ହାର ମାନିସାରିଛି ।

ପୃଥିଵୀର ଏଇ କଳିଙ୍ଗୋତ୍କଳଭୂଖଣ୍ଡର ଲୋକେ ଏଇଥିପାଇଁ ସବୁଠାରୁ ସାହସୀ ହୋଇପାରଛନ୍ତି କାରଣ ମନୁଷ୍ୟ କିମ୍ବା ମନୁଷ୍ୟ ଜାତି ତ ଛାର ସେମାନେ ଶତ ସିଂହର ସାହସ ବାନ୍ଧି ଵାତ୍ଯା ଵନ୍ଯା ସହିତ ମଧ୍ୟ ଯୁଝିଵାକୁ ପଛାଉନାହାନ୍ତି ।

ସେଇଥିପାଇଁ ତ ପ୍ରତିଵର୍ଷ ଏତେ ଵନ୍ଯା ଵାତ୍ଯା ହୋଇ ବି କୋଉ ଉପକୂଳିଆ କେଵେ ତା ଭିଟାମାଟି ଛାଡି଼ଦେଵା କଥା ଶୁଣାଯାଏ ନାହିଁ ।

“କଳିଙ୍ଗାଃ ସାହାସିକା” ଆପ୍ତଵାକ୍ଯକୁ ସାର୍ଥକ କଲାଭଳି ଏହା ଏକ ସକାରାତ୍ମକ ଵିଷୟ ନୁହେଁ କି  ?

(🤗ମନେ ରଖନ୍ତୁ ଝଜକୁ ଭୁଲରେ ଝଜା(ଧ୍ଵଜା)ଲେଖିଦେଲେ ଏହାର ଅର୍ଥ ଓଡ଼ିଆ ଭାଷାରେ ପତକା ହୋଇଯିଵ ଏଵଂ ଯଦି ଝଜି ଲେଖିଦିଅନ୍ତି ତାହାର ଅର୍ଥ ହେଵ ଗାମୁଛା😀)

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...