ଧର୍ମ ଶବ୍ଦ ଯୁକ୍ତ ଅନେକ ସମ୍ପର୍କ ଅସଲି ସମ୍ପର୍କ ନୁହେଁ ।ଯଥା―
ଧରମ ବାପା ପିତା ଯିଏ ଅସଲି ବାପା ନୁହନ୍ତି ।
ଧରମ ମାଆ ଯିଏ ସିଏ ଅସଲି ମାଆ ନୁହନ୍ତି ।
ଧରମ ପୁଅ, ଧରମ ଝିଅ,ଧରମ ଭାଇ ଓ ଧରମ ଭଉଣୀ ଇତ୍ୟାଦି ସମ୍ପର୍କ କ୍ଷେତ୍ରରେ ବି ସମାନ କଥା କୁହାଯାଇପାରେ ।
ଅର୍ଥାତ୍ ଏସବୁ ସମ୍ପର୍କ କେଵଳ ଭାଵ ଦିଆନିଆରୁ ଗଢି଼ଉଠିଛି କିନ୍ତୁ ଅସଲି ସମ୍ପର୍କ ନୁହେଁ ।
ତେଵେ ଏମିତି ବି ଗୋଟିଏ ସମ୍ପର୍କଵାଚକ ଶବ୍ଦ ରହିଛି ଯହିଁରେ ଧର୍ମ ଶବ୍ଦ ଯୋଡା଼ଗଲେ ହେଁ ତାହା ପ୍ରକୃତ ସମ୍ପର୍କ ହୋଇଥାଏ ।
ଏଇ ଶବ୍ଦଟି ହେଉଛି ଧର୍ମପତ୍ନୀ ...
ଧର୍ମପତ୍ନୀ ଏକ ଅସଲି ସମ୍ପର୍କ ଓ ଆଇନମାନ୍ଯ ମଧ୍ୟ କିନ୍ତୁ ଅନ୍ୟ ଧର୍ମ ଶବ୍ଦଯୁକ୍ତ ସମ୍ବନ୍ଧଵାଚକ ଭାଵଗତ ସମ୍ପର୍କରେ ଆଇନର ମାନ୍ଯତା ମିଳିନଥାଏ କି ଆଵଶ୍ଯକ ହୋଇନଥାଏ ।
ତାହେଲେ ଧର୍ମପତ୍ନୀ ଶବ୍ଦରେ ଧର୍ମ କାହିଁକି ଲାଗିଅଛି ?
ଆଗକାଳରେ ଯେଉଁମାନେ ଭାଇ ଭଗ୍ନୀ ମାତା ପିତା ଇତ୍ୟାଦି ଭାଵଗତ ଧର୍ମ ସମ୍ପର୍କ ରଖୁଥିଲେ ସେମାନେ
କୁଳଦେଵତା,ଗ୍ରାମ ଦେଵତା ଓ ଇଷ୍ଟଦେଵା ଦେଵୀ ଇତ୍ୟାଦିଙ୍କ ଆଗରେ ଧର୍ମ କରି ଅର୍ଥାତ୍ ଶପଥ କରି ଧର୍ମ ସମ୍ପର୍କ ଗଢୁ଼ଥିଲେ । ଵୈଦିକକାଳରେ କାହାକୁ ପୁତ୍ର ଵା କନ୍ଯାଭାଵେ ଗ୍ରହଣକଲାଵେଳେ ଯଜ୍ଞାନୁଷ୍ଠାନ ମଧ୍ୟ କରାଯାଉଥିଲା ।
ସ୍ତ୍ରୀ କ୍ଷେତ୍ରରେ ମଧ୍ୟ ଧର୍ମକୁ ସାକ୍ଷୀ ରଖି ଧର୍ମ ସମ୍ପର୍କ ସ୍ଥାପନ ହୋଇଥାଏ ଏଵଂ ଶାସ୍ତ୍ରଵିଦିତ ମନ୍ତ୍ରୋଚ୍ଚାରଣ ସହିତ ଏହି ସମ୍ପର୍କକୁ ସମାଜ ଓ ଦେଵତାଙ୍କ ଦ୍ଵାରା ଅନୁମୋଦିତ କରାଯାଇଥାଏ । ତେଣୁ ଧର୍ମପତ୍ନୀ ଶବ୍ଦରେ ମଧ୍ୟ ଧର୍ମ ଶବ୍ଦ ଯୋଡା଼ଯିଵା ସ୍ଵାଭାଵିକ କଥା ।
ତେଵେ ସବୁଠାରୁ ବଡ଼କଥା ହେଲା ଯେତେ ସମ୍ବନ୍ଧଵାଚକ ଶବ୍ଦରେ ଏହି ଧର୍ମ ଶବ୍ଦଟି ଲାଗିଛି ଉକ୍ତ ସମ୍ପର୍କମାନ ରକ୍ତ ସମ୍ପର୍କ ନୁହେଁ ।
ଏସବୁ ସମ୍ପର୍କ,ଧର୍ମ ଆଗରେ ଶପଥ ନେଇ ଗଢି଼ଉଠିଥିଵା ଭାଵଗତ ସମ୍ପର୍କ ଅଟେ । ଅନ୍ୟ ଧର୍ମ ସମ୍ପର୍କୀୟଙ୍କ ପରି ସ୍ତ୍ରୀ ବି ରକ୍ତ ସମ୍ପର୍କୀୟା ନୁହେଁ ଵରଂ ଭିନ୍ନ ଗୋତ୍ରର କନ୍ଯାଟିଏ ଅଟଇ ।
ଧର୍ମ ଆଗରେ ଶପଥ ନେଲାପରେ ଯାଇ ଜଣେ ଧର୍ମପତ୍ନୀ ହୋଇପାରେ । ଵିଭିନ୍ନ ଧର୍ମ ଓ ସଂସ୍କୃତିରେ ଏହାର ପ୍ରକ୍ରିୟା ଭିନ୍ନ ଭିନ୍ନ ହୋଇଥାଇପାରେ କିନ୍ତୁ ମୂଳତତ୍ତ୍ୱ ଗୋଟିଏ ହିଁ ଅଟେ ।
No comments:
Post a Comment