ଓଡ଼ିଶାର କେତେଜଣ ରାଜା ଅତୀତରେ ବ୍ରାହ୍ମଣ ଶାସନମାନ ବସାଇ ବ୍ରାହ୍ମଣମାନଙ୍କ ନିମିତ୍ତ କିଛି ଭୂ-ସଂପତ୍ତି ଦାନ କରିଥିଲେ l
ଏଇ ସମ୍ପତ୍ତି ଉପରେ ସେମାନେ ନାମକୁ ମାତ୍ର ସାଧାରଣ କର ବ୍ରାହ୍ମଣମାନଙ୍କ ଉପରେ ଧାର୍ଯ୍ୟ କରୁଥିଲେ ।
ଉକ୍ତ କରକୁ ଆଗେ ଟଙ୍କି କୁହାଯାଉଥିଲା l ଏହା ବାଟି ଟଙ୍କି, ବାହେଲି ଟଙ୍କି, ଦେବୋତ୍ତର ଟଙ୍କି, ବ୍ରହ୍ମୋତ୍ତର ଟଙ୍କି ଇତ୍ୟାଦି ବିଭିନ୍ନ ଭାଗରେ ବିଭକ୍ତ ଥିଲା l
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ଓଡ଼ିଆ ଟଙ୍କି ଶବ୍ଦ ସହିତ ତତ୍ସମ ଟଙ୍କା ଶବ୍ଦ ସମଦ୍ଧୃତ ବୋଲି ଉଲ୍ଲେଖ ରହିଛି ।
ପୁଣି ଟଙ୍କାର ପରିମାଣ ଵିଶେଷକୁ ବି ଆମ ଭାଷାରେ ଟଙ୍କି କୁହାଯାଏ ଏଵଂ କେଉଁଠି କେଉଁଠି ଏ ଶବ୍ଦ ଟଙ୍କିଆ ହୁଏ ଯଥା ―
●ଏକ ଟଙ୍କି(ଆ)
●ଦୁଇ ଟଙ୍କି(ଆ)
●ତିନି ଟଙ୍କି(ଆ)
ଉତ୍ତର ଓଡ଼ିଶାରେ ଡାବଲପୁଆର 'ପୁଆ' ଵା 'ପିଲ'କୁ ଟଙ୍କି ଓ ଟେଙ୍କି କୁହାଯାଏ । ତେଵେ ଆଜିକାଲି ଏ ଖେଳ ଲୁପ୍ତ ହେଵାକୁ ବସିଥିଵାରୁ ଟଙ୍କି ଓ ଟେଙ୍କି ଶବ୍ଦ ବି ଅଭିଧାନ ମଧ୍ୟରେ ସୀମିତ ହେଵାକୁ ବସିଛି ।
ହିନ୍ଦୀରେ କିନ୍ତୁ ଵୈଦେଶିକ tankକୁ ଟଙ୍କୀ କୁହାଯାଏ ତେଵେ ଆମ ଓଡ଼ିଆ ଭାଷାରେ ଆମେ ଟଙ୍କି ନକହି ଏହାକୁ ଟାଙ୍କି କହିଥାଉ ।
ଏଠାରେ ଉଲ୍ଲେଖଯୋଗ୍ଯ ଯେ ଟଙ୍କି ଭଳି ଆମ ଭାଷାରେ ଟଙ୍କୀ ଵୋଲି ଆଉ ଏକ ଶବ୍ଦ ମଧ୍ୟ ରହିଛି ଏଵଂ ଶ୍ରୀରାଗର ଏକ ରାଗିଣୀ ଵିଶେଷକୁ ଟଙ୍କୀ କୁହାଯାଏ । ଏ ଶବ୍ଦ ମଧ୍ୟ ତତ୍ସମ ଟଙ୍କ ଶବ୍ଦ ସହିତ ସମଦ୍ଧୃତ ଅଟେ ।
ସମୟ ,ସଂସ୍କୃତିରେ ପରିଵର୍ତ୍ତନ ସହ ଶବ୍ଦର ଅର୍ଥ ବଦଳିଥାଏ ଏଵଂ ଅନେକ ଶବ୍ଦ ଅପ୍ରଚଳିତ ହୋଇ କେଵଳ ଅଭିଧାନ ମଧ୍ୟରେ ହିଁ ସୀମିତ ରହିଯାଏ ।
ଆମ ଭାଷାରେ ଥିଵା ଟଙ୍କି ଶବ୍ଦଟିର ସେଇ ଅଵସ୍ଥା ହୋଇଯାଇଛି । ପୁରୁଣା ଯୁଗ ଓ ପୁରୁଣା ଲୋକଙ୍କ ସହିତ ଵେଳେ ଵେଳେ ଅନେକ ଶବ୍ଦ ମଧ୍ୟ ଏଇମିତି ମରି ହଜିଯାଆନ୍ତି ।
ଏହା ଏକ ସ୍ଵାଭାଵିକ ପ୍ରକ୍ରିୟା ଏଵଂ ସବୁ ଭାଷାରେ ଊଣା ଅଧିକେ ଏହା ହିଁ ହେଉଅଛି ଆଗକୁ ମଧ୍ୟ ହେଉଥିଵ ଯେତେଦିନ ଯାଏଁ ମାନଵ ସଭ୍ଯତା ତିଷ୍ଠି ରହିଥିଵ।
No comments:
Post a Comment