ଅଛିଦ୍ରେ ଏକ ଦେଶଜ କ୍ରିୟା ଵିଶେଷଣ ଏଵଂ ଓଡ଼ିଆ ସାହିତ୍ୟରେ ଏହା ନିଶ୍ଚେଁ ନିଃସନ୍ଦେହେ ଅର୍ଥରେ ଵ୍ଯଵହାର ହୋଇଥାଏ ।
ଏ ଶବ୍ଦ ଵ୍ଯଵହାରର ଉଦାହରଣ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କଵି ସମ୍ରାଟଙ୍କକୋଟି ଵ୍ରହ୍ମାଣ୍ଡ ସୁନ୍ଦରୀରୁ ଗୋଟିଏ ଵାକ୍ଯ ଉଲ୍ଲେଖ ସହ କରାଯାଇଛି
"ଥିବ କିଁପା ଅଛି ଅଛିଦ୍ରେ ଏ ପୁରେ
ଜାଣୁ ଥାଇଁ ଏଣୁ ଚନ୍ଦ୍ରମା ।"
ତେଵେ ଅନ୍ତର୍ଜାଲରେ ଏହି ଅଛିଦ୍ରେ ଶବ୍ଦ ଵ୍ଯଵହାରର ଆଉ କେତେକ ଵାକ୍ଯ ଉଦାହରଣ ସଂଗ୍ରହ କରାଯାଇଛି ।
ଯଥା―
୧)ରଜନୀ ଅଛି ବେନି ଘଡି,
ମଥୁରାପୁର ଯାଇ ବେଢ଼ି।
ରୁନ୍ଧିଲା ଅଷ୍ଟ ଦିଗ ପଥ,
ଅଛିଦ୍ରେ ନ ବହେ ମରୁତ।
(ମଥୁରା ଆକ୍ରମଣ,ତ୍ରିନାଥ ପାଣିଗ୍ରାହୀ)
୨)ଅଛିଦ୍ରେ ପୁରିଛି ନାମ କୀଟୁ ବ୍ରହ୍ମ ଯାୟେ ।
ତିଳେ ତୈଳେ ଯେ ଘୃତ ଫୁଲ ବାସ ପ୍ରାୟେ ।
(ନିଶ୍ଚଳ ହୋଇଣ ନାମ,ପୋଥି ପ୍ରୋଜେକ୍ଟ)
ଅଵଶ୍ୟ ଅଛିଦ୍ରେ ଶବ୍ଦର କୌଣସି ମୂଳ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ କରାଯାଇନାହିଁ ।
ତେଵେ ଅନୁମାନ କରାଯାଇପାରେ ଯେ ସମ୍ଭଵତଃ ଏ ଶବ୍ଦ ଅଛିଦ୍ର ଵା ଅଚ୍ଛିଦ୍ର ସହିତ ସମଦ୍ଧୃତ ହୋଇଥିଵା ସମ୍ଭଵ ।
ଆମ ଭାଷାରେ ଅଛିଦ୍ର ଏକ ତଦ୍ଭଵ ଶବ୍ଦ ଏଵଂ ଅଚ୍ଛିଦ୍ର ଶବ୍ଦଟି ଏହାର ତତ୍ସମ ରୂପ ଅଟେ ।
ଅଛିଦ୍ର ଶବ୍ଦର ନିମ୍ନଲିଖିତ ଅର୍ଥ ରହିଛି...
୧)ଅଚ୍ଛିଦ୍ର
୨)ଵ୍ଯଵଧାନରହିତ
( "ତୁ ଦଶ ଦିଗରେ ସମାନ, ଅଛିଦ୍ର ସର୍ବତ୍ର ସମ୍ପୂର୍ଣ୍ଣ ।।" ଭୂପତି—ପ୍ରେମପଞ୍ଚାମୃତ। )
ନୀରନ୍ଧ୍ର; ସର୍ଵଵ୍ଯାପୀ
("ଅଛିଦ୍ର ହୋଇକରି ବରଷିଲା ଧାରା, ତହିଁ ପୂରିଲୋ ପର୍ବତ ବନ ଧରା ।।" କୃଷ୍ଣସିଂହ—ମହାଭାରତ, ବନ।)
ସେଇଭଳି ତଦ୍ଭଵ ଅଛିଦ୍ର ଶବ୍ଦର ତତ୍ସମ ରୂପ ଅଚ୍ଛିଦ୍ରଟି ନିମ୍ନୋକ୍ତ ଅର୍ଥରେ ଵ୍ଯଵହୃତ ହୋଇଥାଏ
୧)ନିରନ୍ଧ୍ର; ଛିଦ୍ରରହିତ
୨)ନିର୍ଦୋଷ; ଦୋଷରହିତ
୩)ନିଃସନ୍ଦେହ★
୪)କୌଣସି ଅଙ୍ଗ ଅପୂର୍ଣ୍ଣ ନ ରହି ସମ୍ପାଦିତ ହୋଇଥିବା କର୍ମ
୫)ଅତି ଘନ
୬)ସର୍ଵଵ୍ଯାପୀ
ଏଠାରେ ଅଚ୍ଛିଦ୍ର ଶବ୍ଦର ତୃତୀୟ ଅର୍ଥ "ନିଃସନ୍ଦେହ" ଅର୍ଥରୁ ସ୍ପଷ୍ଟ ହୁଏ ଯେ ଓଡ଼ିଆ ସାହିତ୍ୟରେ "ନିଶ୍ଚେ ନିଃସନ୍ଦେହେ" ଅର୍ଥେ ଵ୍ଯଵହୃତ ଅଛିଦ୍ରେ ଶବ୍ଦଟି ନିଶ୍ଚିତ ଭାଵେ ଅଚ୍ଛିଦ୍ର ଶବ୍ଦ ସହିତ ସମଦ୍ଧୃତ ।
No comments:
Post a Comment