ଯେଉଁ ପାନ ଵା ଗୁଆକୁ କୌଣସି ଵ୍ଯକ୍ତି କଳରେ କିଛିକ୍ଷଣ ଯାକିକରି ପାଟିରୁ କାଢ଼ିଦିଏ ତାକୁ କଳଜକା ପାନ ବା ଗୁଆ କୁହାଯାଏ । ଆଗକାଳରେ କଳଜକା ପାନର ବଡ଼ ମହତ୍ତ୍ଵ ଥିଲା ଵିଶେଷତଃ ଵିଵାହକାଳୀନ ରୀତିନୀତି ମଧ୍ୟରେ କଳଜକା ପାନର ଵିଶେଷ ସ୍ଥାନ ରହିଥିଲା ।
ଆଗେ ନଵ ଵିଵାହିତ ଦମ୍ପତି ଓ ରସିକରସିକାଙ୍କର ପରସ୍ପର କଳଜନା ପାନ ମୁଖଦ୍ବାରା ଦିଆଦେଇ କରିଵା ରସିକସମାଜରେ ପ୍ରେମର ଗୋଟିଏ ଚିହ୍ନ ବୋଲି ଵିଚାର କରାଯାଉଥିଲା ।
ସେ ସମୟରେ ସର୍ଵ ସାଧାରଣରେ ମୁଖ ଚୁମ୍ବନ କରିପାରୁନଥିଲେ ତେଣୁ ଏଭଳି ସାଙ୍କେତିକ ରୀତିରେ ସେମାନେ ପାରସ୍ପରିକ ପ୍ରେମ ଵିଷୟରେ ଜଣାଉଥିଲେ ।
ଓଡ଼ିଶାର କେତେକ ସ୍ଥାନରେ ଆଗେ ଵିଵାହ ପୂର୍ଵରୁ କନ୍ଯାର କଳଜକା ଗୁଆକୁ କନ୍ଯାପକ୍ଷୀୟ ସ୍ତ୍ରୀ ମାନେ ଭାଙ୍ଗି ପାନ ସଙ୍ଗେ ବରକୁ ଅଜ୍ଞାତରେ ଖାଇଵାକୁ ଦେଇ ଦେଉଥିଲେ ଓ ଏତଦ୍ଦ୍ବାରା ଆଜୀଵନ ପତି ପତ୍ନୀର ଵଶ ହେବ ବୋଲି ଆଶା କରୁଥିଲେ ।
କଵିରଵି ଵଳଦେଵ ରଥ କଳଜକା ପାନ ଅର୍ଥରେ “କଳାନାଗବଲ୍ଲୀ” ଶବ୍ଦଟି ଵ୍ଯଵହାର କରିଛନ୍ତି ଯାହା ଓଡ଼ିଆ ଭିନ୍ନ ଅନ୍ୟ ଭାରତୀୟ ଭାଷାରେ ଦେଖାଯାଏ ନାହିଁ । ଏହି ଶବ୍ଦଟି ଓଡ଼ିଆ ଭାଷାକୁ କଵିସୂର୍ଯ୍ୟଙ୍କର ଏକ ଅମୂଲ୍ୟ ଭେଟି କହିଲେ ଅତ୍ୟୁକ୍ତି ହେଵ ନାହିଁ ।
କଵିସୂର୍ଯ୍ୟ ଵଳଦେଵ କଳାନାଗବଲ୍ଲୀ ଶବ୍ଦର ଵ୍ଯଵହାରରେ ଲେଖିଛନ୍ତି...
“କୁସୁମୋତ୍ସଵ ଵିରହ ଯୁଗୁ ଲାଗି ଡକାଇତ ଲାଗୁ ଲାଗୁ ଲଳନା ରତନ କଳନା ନ ପଡି଼ କଳାନାଗବଲ୍ଲୀ ଗେଲେ ମାଗୁ ।”
ଶ୍ରୀପ୍ରହରାଜ ଏହି କଳାନାଗବଲ୍ଲୀ ଶବ୍ଦର ମୂଳ ନିର୍ଣ୍ଣୟ କରିଵାକୁ ଯାଇ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ କରିଛନ୍ତି ଯେ ସମ୍ଭଵତଃ କଳାନାଗବଲ୍ଲୀ ଶବ୍ଦରେ କଳା ଶବ୍ଦଟି କଳିତ ସହ ସମଦ୍ଧୃତ ହୋଇଥିଵ ଏଵଂ ନାଗବଲ୍ଲୀ ଶବ୍ଦ ସହ ଯୁକ୍ତ ହୋଇ ଶବ୍ଦଟି ସୃଷ୍ଟି କରାଯାଇଥିଵ ।
କଳିତ ଶବ୍ଦର ନିମ୍ନଲିଖିତ ଅର୍ଥ ସବୁ ରହିଛି
ଯଥା—
●ଜ୍ଞାତ
●ଧୃତ
●ପ୍ରାପ୍ତ★
●ଉପର୍ଜିତ★
●ଗଣିତ
●ପୃଥକୀକୃତ★
●ବିଚାରିତ
●ବନ୍ଧ
●ଉକ୍ତ/କଥିତ
●ଗୃହୀତ
●ଦୃଷ୍ଟି
●ହୃଷ୍ଟ
●ଆଶ୍ରୀତ
●ଅନୁଗତ
●ସୁନ୍ଦର/ମନୋହର
ତେଣୁ ସମ୍ଭଵତଃ କଳିତ ଶବ୍ଦରୁ ପ୍ରାପ୍ତ, ଉପାର୍ଜିତ ଵା ପୃଥକୀକୃତ ଇତ୍ୟାଦି ଅର୍ଥରେ କଳା ଶବ୍ଦକୁ ଗୃହୀତ କରାଯାଇଛି ଏଵଂ ନାଗବଲ୍ଲୀ ସହିତ ଯୋଡା଼ଯାଇ କଳାନାଗବଲ୍ଲୀ ଶବ୍ଦ ସୃଷ୍ଟ ହୋଇଛି ।
ତେଵେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥାଇପାରେ ନାଗବଲ୍ଲୀ ପୁଣି କାହାକୁ କୁହାଯାଏ ?
ନାଗ ଶବ୍ଦର ଅନେକ ଅର୍ଥ ରହିଛି ଏଵଂ ପାନ ଗଛର ଏକ ନାଆଁ ନାଗ ମଧ୍ୟ ଅଟେ ସେଇଭଳି ବଲ୍ଲୀର ଅର୍ଥ ଲତା ଓ ପୃଥିଵୀ ଅଟଇ । ତେଣୁ ଏଠାରେ ନାଗବଲ୍ଲୀର ଅର୍ଥ ପାନଲତା ହୋଇଥିଵା ସ୍ପଷ୍ଟ ଅଟେ ।
No comments:
Post a Comment