Thursday, April 30, 2020

ସାବୁନ ଵିଷୟରେ ଏଇକଥା ଜାଣିଛନ୍ତି କି ?

ଆଧୁନିକ ଭାରତୀୟ ସମାଜ ସହିତ ଅଙ୍ଗାଙ୍ଗୀ ଭାଵେ ଜଡ଼ିତ ହୋଇଯାଇଥିଵା ଦ୍ରଵ୍ଯଟି ହେଉଛି ସାବୁନ । ଵୈଦେଶିକ ଦ୍ରଵ୍ଯ ସାବୁନ ଓ  ଏ ଶବ୍ଦ ଉଭୟ ମୂଳତଃ ୟୁରୋପୀୟ ବୋଲି ଗଵେଷକଙ୍କ ମତ । ସାବୁନର ଆଵିଷ୍କାର ଆଜକୁ ପ୍ରାୟ ୪୦୦୦ ଵର୍ଷ ତଳେ ରୋମରେ ହୋଇଥିଲାଵେଳେ ପର୍ତ୍ତୁଗୀଜ ମୂଳର ଶବ୍ଦ ସାବୁନ୍ ବୋଲି ଜଣାଯାଏ ।

ପର୍ତ୍ତୁଗୀଜ ଭାଷାରେ sabão,sabon ଓ sabõ ଇତ୍ୟାଦି ଶବ୍ଦ ପରସ୍ପର ସମଦ୍ଧୃତ ଓ ଏକାର୍ଥବୋଧକ ତେଵେ ତନ୍ମଧ୍ୟରୁ sabon ଶବ୍ଦଟି ସର୍ଵତ୍ର ବହୁପ୍ରଚଳିତ ହୋଇଅଛି ।

ସାବୁନ ଏକ ଵୈଦେଶିକ ଦ୍ରଵ୍ଯ ହୋଇଥିଵାରୁ ଏଵଂ ଭାରତରେ ପ୍ରାରମ୍ଭିକ ସମୟରେ ଏହା ସେତେ ଲୋକପ୍ରିୟ ହୋଇନଥିଵାର ଏହାର ଅଧିକ ପ୍ରତିଶବ୍ଦ ଆମ ଭାରତରେ ମିଳେ ନାହିଁ ।

ଅଵଶ୍ଯ ସାବୁନର କେତେକ ଵୈଜ୍ଞାନିକ ଶାସ୍ତ୍ରୀୟ ପ୍ରତିଶବ୍ଦ ନିଶ୍ଚୟ ସୃଷ୍ଟି କରାଯାଇଛି ଯେମିତି କି ...

●ସ୍ତୋମକ୍ଷାର
●ସର୍ଵକ୍ଷାର
ଫେଣକ
●ଅଵଶ୍ୟାନକ

ଇତ୍ୟାଦି ...

ସେହିପରି ତାମିଳରେ ମଧ୍ୟ ସାବୁନକୁ କାରମ୍  ଓ ନୁରୈୟମ୍ କୁହାଯାଏ ଏଵଂ କନ୍ନଡରେ ସବକାର,ସବଉ ଓ ସାବୁ ଇତ୍ୟାଦି ନାମ ଚଳୁଅଛି ।

ହିନ୍ଦିଭାଷୀ ଆମଭଳି ସାବୁନ ଶବ୍ଦ ବହୁଳ ଵ୍ଯଵହାର କରନ୍ତି ତେଵେ ସେମାନେ ଦିହଲଗା ସାବୁନକୁ ବଟ୍ଟୀ ଓ ଲୁଗାଧୁଆ ସାବୁନକୁ ଟିକିଆ କହିଥାଆନ୍ତି । ବଟ୍ଟୀ ଶବ୍ଦଟି କେତେକ ଅଞ୍ଚଳରେ ସୀମିତ ଏଵଂ ଵର୍ତ୍ତମାନ କେଵଳ ଅଭିଧାନରେ ମିଳିଥାଏ । ହିନ୍ଦିଭାଷୀ ସମ୍ଭଵତଃ ଏ ଶବ୍ଦ ଆଉ ଵ୍ଯଵହାର କରୁନାହାନ୍ତି ।
ଆମ ଓଡ଼ିଶାରେ ଲୁଗାସଫା ସାବୁନକୁ ମୁଣ୍ଡା ସାବୁନ ବି କୁହାଯାଉଥିଲା ଏଵଂ ଏଵେ ବି ଗ୍ରାମାଞ୍ଚଳରେ ଅଳ୍ପ ବହୁତେ ଏ ଶବ୍ଦ ଚଳୁଥିଵାର ଜଣାଯାଏ ।

ଓଡ଼ିଶାରେ ଆଗେ ସାବୁନକୁ "ସାହିବ ଗୁହ" ଵା ଘୁହ କୁହାଯାଉଥିଵା "ପୁରୀ ବୋଲୀ" ପୁସ୍ତକରେ ଉଲ୍ଲେଖ କରାଯାଇଛି । ଏହା ବହି ଅନୁସାରେ କେହି କେହି ଦାନ୍ତଘସା  ଟୁଥପେଷ୍ଟକୁ ବି "ସାହିବ ଗୁହ" କହୁଥିଲେ ।

ସମ୍ଭଵତଃ ପର୍ତ୍ତୁଗୀଜଙ୍କ ସମୟରେ ଯେତେଵେଳେ ପ୍ରଥମେ "ସାବୁନ ଓ ଟୁଥପେଷ୍ଟ" ଆମ ଦେଶକୁ ଆସିଥିଲା ରକ୍ଷଣଶୀଳ ଭାରତୀୟ ସମାଜ ଏହାକୁ "ସାହିବ ଗୁହ" ବୋଲି ଅଭିହିତ କରିଥିଲା ।

ଆଗେ ଲୋକେ ଖ୍ରୀଷ୍ଟିଆନ ଖାଦ୍ୟାଦି ଦ୍ଵାରା ଧର୍ମ ନାଶ ହୁଏ ବୋଲି ଵିଚାର କରୁଥିଵା ଜଣାଯାଏ । ସେତେଵେଳେ ୟୁରୋପୀୟମାନେ ଭାରତୀୟମାନଙ୍କର ଧର୍ମପରିଵର୍ତ୍ତନ କରିଵାକୁ ପ୍ରଵଳ ଚେଷ୍ଟା କରୁଥାଆନ୍ତି ଏଵଂ ଅନ୍ୟ ଏକ ଦିଗରୁ ଭାରତୀୟଙ୍କୁ କଳେ ବଳେ କୌଶଳରେ ହରାଇ ଭାରତ ଅଧିକାରର ସ୍ଵପ୍ନ ବି ଦେଖୁଥାଆନ୍ତି ।

ତେଵେ ଭାରତୀୟମାନେ ଆମେରିକାର ଲୋହିତ ଭାରତୀୟ ଓ ଅଷ୍ଟ୍ରେଲିଆର ଆଦିମ ଅଧିଵାସୀଙ୍କ ପରି ଅଦୂରଦର୍ଶୀ ନଥିଲେ । ସେମାନେ ଜାଣିଥିଲେ ଯେକୌଣସି ଦେଶର ମୂଳ ସଂସ୍କୃତି ଓ ଧର୍ମ ସେ ଦେଶର ଆତ୍ମା ।

ସଂସ୍କୃତି ମରିଗଲେ ଦେଶର ସ୍ଵାତନ୍ତ୍ର୍ଯ ରହିଯାଏନି । ତତ୍କାଳୀନ ଭାରତୀୟମାନେ ଵୈଦେଶିକ ଦ୍ରଵ୍ଯାଦିକୁ ଆପଣା ସଂସ୍କୃତି ନାଶର ସାଧନ ମାତ୍ର ଵିଚାର କରି ସେସବୁଠାରୁ ଅନେକ ଦିନ ଦୂରେଇ ରହିଲେ ।

ସେ ଯାହା ହେଉ ସମୟ ସହ ଯେତେଵେଳେ ଲୋକେ ସାବୁନର ମହତ୍ତ୍ଵ ବୁଝିଲେ ସେମାନେ ତାକୁ ଆଦରି ନେଲେ । ଥରେ ଭାରତୀୟମାନେ ସାବୁନ ତିଆରି କରିଵା ପଦ୍ଧତି ଶିଖିଗଲାପରେ ପାରମ୍ପରିକ ଉପାୟରେ ଘରେ ବି ସାବୁନ ତିଆରି କରିଵା ଆରମ୍ଭ କରିଦେଲେ ।

ଆଜକୁ ପ୍ରାୟ ଦୁଇ ଦଶନ୍ଧି ତଳେ ବି ଓଡ଼ିଶାର ଗାଁ ଗହଳିର ସ୍ତ୍ରୀଲୋକେ ନିଜ ହାତରେ ସାବୁନ ତିଆରି କରି ଲଗାଉଥିଵାର ଜଣାଯାଏ ।

ଓଡ଼ିଶାରେ ସାବୁନ ଶବ୍ଦଟି ପର୍ତ୍ତୁଗୀଜ ମୂଳରୁ ଆସି ସାବୁନ, ସାବୁ,ସାବିନି,ସାବନ,ସାବୁନୁ ଓ ସାଗୁନୁ ଆଦି
ନାନା ରୂପ ହୋଇ ଚଳୁଅଛି । ବହୁତ ସମ୍ଭଵ ଆଞ୍ଚଳିକ ଭାଷାରେ ଏହାର ଅନ୍ୟ କୌଣସି ନିଆରା ଅଜଣା ପ୍ରତିଶବ୍ଦ ମଧ୍ୟ ଚଳୁଥିଵ ।

ୟୁରୋପୀୟ ଭାଷାଗୁଡି଼କରେ ମଧ୍ୟ ଏ ଶବ୍ଦ ନାନା ରୂପରେ ଚଳୁଅଛି

ଯଥା–
ଇଂରାଜୀ―soap,sope(ମଧ୍ୟ ଯୁଗ), sape,sāpe(ପୁରାତନ)
ସ୍କଟିଶ୍ ―saipsape 
ଫ୍ରିଶିଆନ୍–Seepe ,sjippe
ଡଚ୍―zeep
ଜର୍ମାନ―Seep,Seife 
ଡାନିଶ―sæbe 
ସ୍ଵେଡିଶ୍―såpa
ନରୱେଆନ୍―såpe
ଫାରୋଶି―sápa
ଆଇସଲାଣ୍ଡିକ୍―sápa
ସ୍ପାନିସ୍―jabón 

ବିଶ୍ଵାସ କରାଯାଏ ଯେ ପ୍ରାୟ 4,000 ବର୍ଷ ପୂର୍ଵେ କିଛି ରୋମୀୟ ମହିଳା "ଟାଇବର ନଦୀ" କୂଳରେ ବସି ପୋଷାକ ଧୋଉଥିଲେ, ସେତେଵେଳେ ଏହି ନଦୀର ଉପର ମୁଣ୍ଡରୁ ବଳି ଦିଆଯାଇଥିବା କିଛି ପଶୁଙ୍କ ଚର୍ବି ମଧ୍ୟ ପ୍ରବାହିତ ହୋଇ ନଦୀ କୂଳର ମାଟିରେ ଆସି ଯମା ହୋଇଯାଇଥିଲା ।

ସଂଯୋଗଵଶତଃ ଯେତେବେଳେ ଏହି ମାଟି ରୋମଦେଶୀୟ ମହିଳାଙ୍କ ପୋଷାକରେ ଲାଗିଲା,ସେମାନେ ଉକ୍ତ ପୋଷାକ ଅଧିକ ସଫା ହୋଇଯାଇଥିଵା ଦେଖି ଆଶ୍ଚର୍ଯ୍ୟ ହେଲେ  । ଯେହେତୁ ଏହି ଚର୍ବି ସାପୋ ପର୍ଵତ ଆଡୁ଼ ଭାସି ଆସିଥିଲା ତେଣୁ ଏହି ନିର୍ଦ୍ଦିଷ୍ଟ ମାଟିର ନାମ ହେଲା sēbum । ଲାଟିନ୍ ଭାଷାରେ sēbum ଶବ୍ଦର  “tallow(ତେଲ,ମେଦ), fat(ଚର୍ଵି) ଓ grease(ଚର୍ଵି, ତୈଳ,ଚିକଣିଆ ତତ୍ଵ ଵିଶେଷ) ଆଦି ଅର୍ଥ ଏହି କଥାକୁ ସ୍ପଷ୍ଟ କରିଥାଏ ।

ପରେ ଯେତେଵେଳେ ରୋମାନ୍ ମହିଳାମାନେ ସେହି ନିଆରା ମାଟିକୁ ଵ୍ଯଵହାର କରି ଲୁଗା ସଫା କରିଵା ଆରମ୍ଭ କଲେ ସେମାନେ ସେହି ତତ୍ତ୍ଵର ଆଉ ଏକ ନାମ ଦେଲେ  sāpō ଯାହା ପରେ ପର୍ତ୍ତୁଗୀଜରେ  ଯାଇ  'ସାବୁନ୍' ହୋଇ ଚଳିଵାକୁ ଲାଗିଲା ।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...