ହର୍ମ୍ମ୍ୟ ଏକ ତତ୍ସମ ଶବ୍ଦ ଏଵଂ ଏ ଶବ୍ଦଟି ରାଜପ୍ରାସାଦ ଭିନ୍ନ ଅନ୍ୟ ସମସ୍ତ ଅଟ୍ଟାଳିକା ଵା ପ୍ରାସାଦ ପାଇଁ ଵ୍ଯଵହୃତ ହେଉଥିଲା ।
ଆଗେ ପ୍ରସ୍ତର, କାଷ୍ଠ, ଇଷ୍ଟକାଦି ନିର୍ମିତ ଧନୀମାନଙ୍କ ଧଵଳିତ ଵାସଭବନକୁ ହର୍ମ୍ମ୍ୟ କୁହାଯାଉଥିଲା ।
ରାଜାଙ୍କର ପ୍ରାସାଦ ଵ୍ଯତୀତ ଅନ୍ୟ ସମସ୍ତ ବଡ଼ କୋଠା ଵା ଅଟ୍ଟାଳିକା ଇତ୍ୟାଦି ହର୍ମ୍ମ୍ୟ ପଦଵାଚ୍ଯ ହେଉଥିଲା ।
ହର୍ମ୍ମ୍ୟ ଶବ୍ଦକୁ ହୃଧାତୁରୁ ( ହୃ+ ଯତ୍ ମୁଟ୍ ଚ = ହର୍ମ୍ମ୍ୟ) ନିଷ୍ପନ୍ନ କରାଯାଇଛି !
ଯାହା ମନକୁ ହରଣ ବା ମୁଗ୍ଧ କରେ ତାହା ହର୍ମ୍ମ୍ୟ ଅଟେ ।
ଏଇ ହର୍ମ୍ମ୍ୟ ଶବ୍ଦ ଯୁକ୍ତ ହୋଇ ଆହୁରି ଅନେକ ଶବ୍ଦ ମଧ୍ୟ ସୃଷ୍ଟି ହୋଇଅଛିଛି ।
ଯଥା―
●ହର୍ମ୍ମ୍ୟ ତଳ― ଅଟ୍ଟାଳିକାର ମେଜିଆ
●ହର୍ମ୍ମ୍ୟ ଶିଖର ― କୋଠାର ଶିରୋଦେଶ
●ହର୍ମ୍ମ୍ୟା ରୂଢ଼ ― କୋଠା ଉପରେ ଚଢୁଥିଵା
●ହର୍ମ୍ମ୍ୟୋ ପରିସ୍ଥ ― କୋଠା ଉପରେ ଅବସ୍ଥିତ
ହର୍ମ୍ମ୍ୟ ଶବ୍ଦଟି ଋକଵେଦରେ ଗୃହ ଅର୍ଥରେ ଵିଶେଷ ଭାଵେ ଵ୍ଯଵହାର ହୋଇଥିଵା ଜଣାଯାଏ ।
ଆପଟେ ଓ Monier-Williamsଙ୍କର
ପ୍ରଣୀତ ଶବ୍ଦକୋଷରେ
ଚିମିନୀ,ଚୂଲା,ଭାଟି,ସଦା ଜଳୁଥିଵା ଗାତ୍ର, ଦୁଷ୍ଟ ଆତ୍ମାଙ୍କ ନିଵାସ ଓ ଅନ୍ତର୍ନିହିତ ଅଞ୍ଚଳ ଇତ୍ୟାଦି ଅର୍ଥ ମଧ୍ୟ ଉଲ୍ଲେଖ ରହିଛି ।
ତେଵେ ହର୍ମ୍ମ୍ୟ ଶବ୍ଦରେ ଯଦି 'ଯ' ଫଳା ନଦେଇ
ହର୍ମ୍ମ ଲେଖାଯାଏ ତାହେଲେ ଏ ଶବ୍ଦର ଅର୍ଥ ସମ୍ପୂର୍ଣ୍ଣ ବଦଳିଯାଏ ।
କାରଣ ହର୍ମ୍ମ ଶବ୍ଦର ଅର୍ଥ ହାଇମାରିଵା ବୋଲି ଶବ୍ଦ ରତ୍ନାଵଳୀ ଅଭିଧାନରେ ଉଲ୍ଲେଖ ରହିଛି ।
ଏଇଭଳି ଆଉ ଏକ ଶବ୍ଦ ମଧ୍ୟ ଶବ୍ଦ କଳ୍ପଦ୍ରୁମ ଅଭିଧାନରେ ରହିଛି ତାହା ହେଲା ହର୍ମ୍ମୁଟ । ହର୍ମ୍ମୁଟ ଶବ୍ଦର ଅର୍ଥ ସୂର୍ଯ୍ୟ ଓ କଚ୍ଛପ ।
ଏଥିପାଇଁ ହର୍ମ୍ମ୍ୟ ଓ ହର୍ମ୍ମ ଶବ୍ଦ ପ୍ରୟୋଗଵେଳେ ଵିଶେଷ ସାଵଧାନ ହୋଇ ଲେଖିଵାକୁ ପଡି଼ଥାଏ ।
ଇଂରାଜୀର home ସମେତ ଅଧିକାଂଶ ୟୁରୋପୀୟ ଭାଷାରେ ହର୍ମ୍ମ୍ୟ ସମସାଦୃଶ୍ଯ ଶବ୍ଦ ରହିଛି । ମନରେ ସ୍ଵତଃ ପ୍ରଶ୍ନ ଆସେ କ'ଣ ହର୍ମ୍ମ୍ୟ ଓ home ଗୋଟିଏ ମୂଳ ପ୍ରାକ୍ ଭାରୋପୀୟ ଶବ୍ଦରୁ ଆସିଅଛି କି ?
ପାଶ୍ଚାତ୍ୟ ଭାଷାଵିଦଙ୍କ ଅନୁସାରେ ଇଂରାଜୀ home ଶବ୍ଦଟି ପ୍ରାକ୍ ଜର୍ମାନ୍ *haimaz (ଘର,ଗାଆଁ)ରୁ ନିଆଯାଇଛି ଏଵଂ ଏହାର ମୂଳ ଭାରୋପୀୟ ରୂପ *tḱóymos ଓ *ḱóymos(ଗାଁ, ଘର) ତଥା ମୂଳ ପ୍ରାକ୍ ଭାରୋପୀୟ ଧାତୁରୂପ *tḱey ଅଟେ ।
ପାଶ୍ଚାତ୍ୟ ଭାଷାଵିଦମାନଙ୍କ ଅନୁଯାୟୀ
*tḱey ଧାତୁର ଅର୍ଥ
●ଚାଷକରିଵା
●ଵାସକରିଵା
●ରହିଵା
●ବଞ୍ଚିଵା
ଏହି ଆଧାରରେ ଭାରତୀୟ କ୍ଷେମ ଶବ୍ଦ ଓ କ୍ଷ ଧାତୁ
home,tḱóymos ,*ḱóymos ଓ *tḱey ସହିତ ସମଦ୍ଧୃତ ବୋଲି ସେମାନେ ମତପୋଷଣ କରିଥାଆନ୍ତି ।
କ୍ଷେମ ଶବ୍ଦର କଲ୍ଯାଣ,ମଙ୍ଗଳ,ଶୁଭ,ସୁଖ,ସ୍ବାଚ୍ଛନ୍ଦ୍ଯ, ଶାନ୍ତି,ମୁକ୍ତି, ଅନନ୍ତ ସୁଖ,ମୂଳଦୂଆ,ନିରାପଦତା,ରକ୍ଷଣ,ଅର୍ଜିତ ବସ୍ତୁର ରକ୍ଷଣ,ମୋକ୍ଷ,ଵିଶ୍ରାମ,ସମୃଦ୍ଧି ଓ ଵାସସ୍ଥାନ ଇତ୍ୟାଦି ଅନେକ ଅର୍ଥ ରହିଛି ଏଵଂ କ୍ଷ ଧାତୁର ଅର୍ଥ "ସୁଖରେ ଓ ଶାନ୍ତିରେ ବାସ କରିଵା" ଅଟେ ।
କ୍ଷେମ ଶବ୍ଦର ଅଧିକାଂଶ ଅର୍ଥ ଏହାର ଵାସଗୃହ ଅର୍ଥକୁ ସମର୍ଥନ କରେ ।
ବାହାର ଅପେକ୍ଷା ଘରେ ଜଣେ ଲୋକ କଲ୍ଯାଣ,ମଙ୍ଗଳ,ଶୁଭ,ସୁଖ,ସ୍ବାଚ୍ଛନ୍ଦ୍ଯ, ଶାନ୍ତି,ମୁକ୍ତି ସୁଖ ଭୋଗିପାରୁଥିଲା ।
ବାହାରେ ହିଂସ୍ରଜନ୍ତୁ ଓ ଦୁର୍ଗମ କ୍ଷେତ୍ର ଯୋଗୁଁ ମନୁଷ୍ୟର ବହୁତ କ୍ଷତି ହେଉଥିଲା ଏଵଂ ସେ ସେମାନଙ୍କ ଦ୍ଵାରା ପରାଧୀନ ବୋଲି ଅନୁଭଵ କରିଥିଵା ସ୍ଵାଭାଵିକ କଥା ...
ଵିଶ୍ରାମ କରିଵାକୁ ଗୃହଟିଏ ନିତାନ୍ତ ଲୋଡା଼ ହିଁ ପଡି଼ଥାଏ ।
ଅନନ୍ତ ସୁଖ, ନିଜର ,ନିଜ ବନ୍ଧୁ ବାନ୍ଧଵ ତଥା ଖାଦ୍ୟ ଦ୍ରଵ୍ଯାଦିର ନିରାପଦତା ଓ ରକ୍ଷଣ ପାଇଁ ସେ ଯେଉଁ ସୁରକ୍ଷିତ ଵାସସ୍ଥାନ ପାଉଥିଲା ତାହାର ନାମ ଦେଇଥିଲା କ୍ଷେମ ।
ଯାହାର କ୍ଷେମ ଵା ଗୃହ ଯେତେ ଉନ୍ନତ ଓ ସୁନ୍ଦର ତାହାର ତେତେ ସମୃଦ୍ଧି ବୋଲି ଵିଚାର କରାଯାଉଥିଲା ଏଵେ ବି ଲୋକଙ୍କ ମଧ୍ୟରେ ଏଇ ଭାଵନା ରହିଛି ।
ଏଇ ଆଧୁନିକ ଯୁଗରେ ପୁଣି ଥରେ ମନୁଷ୍ୟ ଏକ ଵିଷାଣୁ ପାଇଁ ଗୃହର ମହତ ବୁଝିଛି । ସିଂହ ବାଘ ଭାଲୁ ଭଳି ହିଂସ୍ରଜନ୍ତୁଙ୍କୁ ନିଜ ବୁଦ୍ଧି ଵଳରେ ହରେଇ ଦେଇଥିଵା ମଣିଷ ଗୋଟିଏ ଅଣୁଜୀଵ ପାଇଁ ଘରେ ରହିଵାକୁ ହିଁ ଅଧିକ ସୁରକ୍ଷିତ ମଣୁଛି ।
No comments:
Post a Comment