Monday, May 11, 2020

ଯାତ୍ରା Vs ୟାତ୍ରା ! ଓଡ଼ିଆ ଭାଷାରେ ୟାତ୍ରା କାହିଁକି ଗ୍ରହଣୀୟ ନୁହେଁ ?

ରଥଯାତ୍ରା ଆସିଗଲେ ଓଡ଼ିଆ ଲୋକେ ୟାତ୍ରା/ଯାତ୍ରା ଵା Yatra /Jatra ମଧ୍ୟରେ କେଉଁଟା ଠିକ୍ ଏଇ ଗୋଲକଧନ୍ଦାରେ ଫସିଯାଉଥିଵା ଦୃଷ୍ଟିଗୋଚର ହୋଇଥାଏ । ଓଡ଼ିଆଲୋକେ ଏକ ଏମିତି ଦେଶରେ ରୁହନ୍ତି ଯୋଉଠି ହିନ୍ଦୀଭାଷାର ଏକାଧିପତ୍ୟ ରହିଛି ଏଵଂ ହିନ୍ଦୀଭାଷୀ ତାଙ୍କ ଉଚ୍ଚାରଣ —ଲିଖନ ଶୈଳୀରେ ଅନ୍ଯଭାରତୀୟ ଭାଷାର ଆଞ୍ଚଳିକ ଶବ୍ଦଗୁଡ଼ିକ ଲେଖନ୍ତି ଓ କହିଥାଆନ୍ତି ।

ହିନ୍ଦୀଭାଷୀଙ୍କୁ ଅନୁକରଣ ଯୋଗୁଁ ଅନେକ ଓଡ଼ିଆଲୋକ “ଦେଖା ଶିଖା ଓଡ଼ିଶା” ନ୍ଯାୟରେ
ହିନ୍ଦୀର “यात्रा” ଆଧାରରେ ଓଡ଼ିଆରେ ଲେଖିଲାଵେଳେ   “ୟାତ୍ରା” ଲେଖିଦିଅନ୍ତି ଏମନ୍ତ କି କହି ବି ଦିଅନ୍ତି  ।

🔵ତେଵେ ଓଡ଼ିଆଭାଷାରେ “ଯାତ୍ରା” ପରିଵର୍ତ୍ତେ “ୟାତ୍ରା” ଲେଖିଵା ଯୁକ୍ତିଯୁକ୍ତ କି ?

🔶ହିନ୍ଦୀଭାଷୀ ‘ଯ’=‘य’ ଏଵଂ ‘ୟ’=‘य़’ ଲେଖିଵା କଥା କିନ୍ତୁ ତାଙ୍କର ଅଵର୍ଗ୍ଯ ‘ଯ’ ଲୁପ୍ତ ଓ କେତେକ ସ୍ଥାନରେ ଜ ହୋଇଯାଇଥିଵା ହେତୁ ସେମାନେ ‘ଯ’ ଓ ‘ୟ’କୁ(य,य़) ଏକାକାର କରିଦେଇଛନ୍ତି ଏଵଂ ୟ କୁ य़  ନଲେଖି य ଲେଖନ୍ତି । ତେଵେ ଲିପ୍ଯାନ୍ତରଣ ଵେଳେ ଓଡ଼ିଆ ଭାଷାର "ଯ" ପାଇଁ ଦେଵନାଗରୀରେ "य" ଓ "ୟ" ପାଇଁ "य़" ଲେଖାଯାଏ । ଓଡ଼ିଆ ଭାଷାରେ ‘ଯ’ ଭଳି ଲିପି ରହିଛି ତାହେଲେ ଉକ୍ତ ମୌଳିକ ଵର୍ଣ୍ଣକୁ ଅଯଥା ମାରିଦେଇ ‘ୟାତ୍ରା’ ଲେଖିଵା ନିଜ ଭାଷାର ମୌଳିକତା ହ୍ରାସ କରିଵା ଛଡ଼ା ଆଉ କଣ୍ ହୋଇଥାଇପାରେ ?

🔶ନିରୁକ୍ତୀ ଶାସ୍ତ୍ର ଅନୁସାରେ
ଯା ଧାତୁ+ଭାବ. ତ୍ର+ଆ = ଯାତ୍ରା ହୋଇଛି ।
ଯା ଧାତୁର ମୂଳ ଓ ପ୍ରମୁଖ ଅର୍ଥ ଗମନ କରିଵା

କିନ୍ତୁ ୟା ବୋଲି କୌଣସି ସଂସ୍କୃତ ଧାତୁଶବ୍ଦ ନାହିଁ ତେଵେ ୟା ବୋଲି ଏକ ଵିଶେଷ୍ଯ ଶବ୍ଦ ରହିଛି ଯାହା ଯା ଧାତୁରୁ ନିଷ୍ପନ୍ନ ଏଵଂ ଏହାର ନିମ୍ନଲିଖିତ ଅର୍ଥ ଯଥା
●ଶତକ୍ରତୁ
●ଇନ୍ଦ୍ର
●ଅଶ୍ବ
●ଯଜ୍ଞଭୂମି
●ପ୍ରୟାଗ

ଏସବୁ ଅର୍ଥ ମଧ୍ୟରେ କୌଣସି ଅର୍ଥ ଦ୍ଵାରା ଯାତ୍ରା ଶବ୍ଦକୁ ସମ୍ପୂର୍ଣ୍ଣ ନିଷ୍ପନ୍ନ କରିଵା କଷ୍ଟସାଧ୍ୟ ଵ୍ଯାପାର ସେହିପରି
‘ଜା’ ଶବ୍ଦର ଅର୍ଥ ହେଲା —
✓ମାତା
✓ସାନଜାଆ; ସ୍ବାମୀଙ୍କ ସାନଭାଇର ସ୍ତ୍ରୀ

ତେଣୁ ଶବ୍ଦର ନିରୁକ୍ତୀ ତତ୍ତ୍ଵ ଅନୁଯାୟୀ
ଯାତ୍ରା ଶବ୍ଦ ହିଁ ସର୍ଵାଧିକ “ୟାତ୍ରା” କି “ଜାତ୍ରା” ଲିଖନ ତ୍ରୁଟିପୂର୍ଣ୍ଣ ଅଟେ ।

🔵ଓଡ଼ିଆଭାଷାରେ କାହିଁକି “ୟାତ୍ରା” ଶବ୍ଦ ଗ୍ରହଣୀୟ ନୁହେଁ ? 'ଯାତ୍ରା' ହିଁ କାହିଁକି ଗ୍ରହଣୀୟ ?

—ୟାତ୍ରା କାହିଁକି ଗ୍ରହଣୀୟ ନୁହେଁ ?―

🔶୧) ଓଡ଼ିଆରେ କୌଣସି ଶବ୍ଦର ପ୍ରଥମ ଅକ୍ଷର "ୟ" ହୁଏନାହିଁ ( ଅଵଶ୍ଯ କେହି କେହି ଭୁଲରେ 'ଏହାଙ୍କର'/'ଆଙ୍କର'କୁ ୟାଙ୍କର ବୋଲି ଲେଖିଥାଅନ୍ତି) ।
🔶୨) "ୟ" ଏକ ଵ୍ୟଞ୍ଜନଵର୍ଣ୍ଣ ନୁହେଁ । ଏହା ଏକ 'ଦ୍ୱିସ୍ୱରଵର୍ଣ୍ଣ' ଵା 'diphthong' (ଇ+ଅ ; ତାଲଵ୍ୟକଣ୍ଠ୍ୟ ସଂଯୁକ୍ତସ୍ୱର) ହୋଇଥିଵାରୁ କୌଣସି ସଙ୍ଘର୍ଷୀ ଵ୍ୟଞ୍ଜନଵର୍ଣ୍ଣ / fricative ("ଯ") ପାଇଁ ପ୍ରତିସ୍ଥାନନ (substitute) କରିଵା ଅନୁଚିତ ।

🔶୩) "ୟ" ଅକ୍ଷରଟି ମୂଳ ଭାରତୀୟ ଲିପିରେ ନ ଥିଲା । ସେଥିପାଇଁ ଆମର ପ୍ରାଚୀନ ବ୍ରାହ୍ମୀ ଲିପିରେ କେଵଳ "ଯ" ରହିଛି "ୟ" ବୋଲି କୌଣସି ଅକ୍ଷର ନାହିଁ । ଏହା ଆରବିକ ଭାଷାର ପ୍ରଭାଵରେ ହିନ୍ଦୀକୁ ଆସିଛି । ଆମର ଉଚ୍ଚାରଣରେ କିଛି ଅପ୍ରଥମ "ଯ" ମଧ୍ୟ ସେହି ପ୍ରକାରେ ହୋଇଗଲାଣି । କିନ୍ତୁ ପ୍ରଥମରେ ଥିଲେ "ଯ" ଆଜି ମଧ୍ୟ "ୟ" ହୋଇନାହିଁ । ଓଡ଼ିଆ ପରି ପ୍ରାଚୀନ ଶାସ୍ତ୍ରୀୟ ଭାଷାର ଶାସ୍ତ୍ରୀୟତାକୁ ବଞ୍ଚାଇଵାକୁ ହେଲେ ଆମକୁ ମୌଳିକ ଉଚ୍ଚାରଣ ଅନୁସାରେେ ବନାନ ରଖିଵାକୁ ହେଵ ।

🔶୪) ସମ୍ବଲପୁରର ନିପଟ ଗାଆଁରେ ଏଵେ ମଧ୍ୟ 'ମାୟା' (ପିଜୁଳି) ପରିଵର୍ତ୍ତେ 'ମାଯା' କହନ୍ତି ।  ସମ୍ବଲପୁରୀ ଓଡ଼ିଆରେ 'ମୟୂର'ର ଉଚ୍ଚାରଣ ଏଵେ ମଧ୍ୟ 'ମଯୂର' ପରି ଶୁଦ୍ଧ ଅକ୍ଷୂଣ୍ଣ ରହିଛି । ମୌଳିକ ଓଡ଼ିଆ ଭାଷା ଯଥା ଭତ୍ରୀ, ଦେଶିଆ ଓ ବାଥୁଡ଼ି ଓଡ଼ିଆରେ ମଧ୍ୟ ଏହିପରି ଅନେକ ଉଦାହରଣ ମିଳେ ।

—ଜାତ୍ରା କାହିଁକି ଗ୍ରହଣୀୟ ନୁହେଁ ?

🔶(୧)"ଜ" ହେଉଛି ଵର୍ଗ୍ୟ କିନ୍ତୁ "ଯ" ହେଉଛି ଅଵର୍ଗ୍ୟ (ଅନ୍ତସ୍ଥ) । "ଜ" ଗୋଟିଏ ସ୍ପର୍ଶସଙ୍ଘର୍ଷୀ (affricate) ଵର୍ଣ୍ଣ ହୋଇଥଵା ଵେଳେ "ଯ" ହେଉଛି ସଙ୍ଘର୍ଷୀ (fricative) । "ଯ" ସ୍ଥାନରେ "ଜ" ଲେଖିଲେ ଅନେକ ନୈରୁକ୍ତିକ ଦ୍ୱନ୍ଦ୍ୱ ଉପୁଜାଇଵ । ଭାଷା ନିଜର ଵୈଜ୍ଞାନିକତା ହରାଇଵ ।

🔵ତାହେଲେ ଇଂରାଜୀରେ “ଯାତ୍ରା” କେମିତି ଲେଖିଵା ?

📍(୧)ଲିପ୍ଯାନ୍ତରଣ

ଓଡ଼ିଆଲିପିକୁ ଲାଟିନ୍ ଲିପିରେ ଲିପ୍ଯାନ୍ତରଣକାଳରେ
✓ଯାତ୍ରା=yātrā
✓ୟାତ୍ରା=ẏātrā
ଲେଖାଯାଏ
କିନ୍ତୁ ଅଧିକାଂଶ ଭାରୋପୀୟ ଭାଷାରେ ‘ଯ’ ଲୁପ୍ତ ହୋଇଯାଇଥିଵା ହେତୁ
‘Y’କୁ ‘ଯ’ ନ ପଢ଼ାଯାଇ ‘ୟ’ ପଢ଼ାଯାଏ ତେଣୁ ଓଡ଼ିଆଭାଷାରେ ଉଭୟ ଵର୍ଣ୍ଣକୁ ଏଭଳି ଲିପ୍ଯାନ୍ତରଣ ଓଡ଼ିଆ ଭାଷାରେ ‘ଯ’ ଵର୍ଣ୍ଣ ପ୍ରତି ଵିପଦଜନକ ‘ୟାତ୍ରା' ଲିଖନକୁ ସମର୍ଥନ କରୁଥିଵା କିଛି ଲୋକଙ୍କୁ ହୃଦବୋଧ ହୋଇପାରେ ।

ଫୋନେଟିକ୍ ଵର୍ଣ୍ଣଫଳକରେ yya ଲେଖିଲେ ତାହା ‘ୟ’ରେ ପରିଵର୍ତ୍ତିତ ହୋଇଥାଏ(କିନ୍ତୁ ଲିପ୍ଯାନ୍ତରଣ କାଳରେ yya=ଯ୍ୟ) ଏଵଂ ‘ya’ ଲେଖିଲେ ସଦାଵେଳେ ‘ଯ’ ହୁଏ । ଭାରତରେ ହିନ୍ଦୀଭାଷାର ଦେଵନାଗରୀ ଲିପି ଆଧାରିତ ୟୁନିକୋଡ଼ ପ୍ରଣୟନ ଯୋଗୁଁ ଏଭଳି ହୋଇଥିଵା ଯେ କେହି ସହଜରେ ଅନୁମାନ କରିପାରେ ।

📍(୨) ଉଚ୍ଚାରଣ ଅନୁଯାୟୀ ଲିଖନ ପଦ୍ଧତି

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି ପୁରାତନ
ଶବ୍ଦଗ୍ରନ୍ଥରେ ଆମେ ଏହି ପଦ୍ଧତିରେ
ଓଡ଼ିଆ ଭାଷାର ଶବ୍ଦଗୁଡ଼ିକ ଲେଖାଯାଇଥିଵା ଦେଖିଵାକୁ ପାଇଥାଉ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଯାତ୍ରା ଶବ୍ଦ ତଳେ ଏହାର ଲାଟିନ୍ ଉଚ୍ଚାରଣ ରୂପ J̄ātrā ଲେଖା ହୋଇଛି । ଭାଷାକୋଷ ଅନୁସାରେ~
✓Jā=ଜା
✓J̄ā=ଯା
✓Yā=ୟ
✓Za=ଜା଼
ତେଵେ ଏହି ପଦ୍ଧତି ଵ୍ଯଵହାର କରି ସମସ୍ତେ ସାଧାରଣ ଵର୍ଣ୍ଣଫଳକରେ ଲେଖିପାରିଵେ ନାହିଁ ତେଣୁ ଏଭଳି ଲିଖନ ପଦ୍ଧତି ସହଜ ହୋଇନଥିଵା ହେତୁରୁ ଲୋକ ସମାଜରେ ସେତେ ଲୋକପ୍ରିୟ ହୋଇପାରିନାହିଁ ଓ କେଵଳ ଭାଷାଵିତ୍ ଙ୍କ ମଧ୍ୟରେ ସୀମିତ ରହିଯାଇଛି । 

📍(୩) ଅଧିକାଂଶ ଲାଟିନ ଲିପି ଵ୍ଯଵହାର କରି  J̄ātrā ଲେଖିନପାରନ୍ତି ତେଵେ ସେମାନେ “Jjatra” ଲେଖିପାରିଵେ !  “ja”=“ଜା” କୁ ବୁଝାଏ କିନ୍ତୁ କେହି ଚାହିଁଲେ “ଯ” ପାଇଁ ଯେମିତି ଫୋନେଟିକ୍ ରେ ଦୁଇଗୋଟି “y” ଵ୍ଯଵହାର କରି “yya(ଯ)” ଲେଖାଯାଏ ସେହି ଆଧାରରେ “jja = “ଯ” ଲେଖିପାରନ୍ତି(କିନ୍ତୁ ଲିପ୍ଯାନ୍ତରଣ କାଳରେ jja =ଜ୍ଜ ଅଟେ)।

📍(୪) କିଛି ଲୋକ ଯାତ୍ରାକୁ ଲାଟିନ ଲିପିରେ
Za ଲେଖିଵାର ଉଦାହରଣ ଦିଅନ୍ତି କିନ୍ତୁ
ଲାଟିନ୍ ରୁ ଲିପ୍ଯାନ୍ତରଣ କାଳରେ Z=ଜ଼ କରାଯାଇଥାଏ । ଜ଼ କୁ ଭାଷାଵିଜ୍ଞାନରେ “ଘୋଷ ଵର୍ତ୍ସ୍ଯ ସଙ୍ଘର୍ଷୀ ଵର୍ଣ୍ଣ କୁହନ୍ତି ଏଵଂ ଇଂରାଜୀରେ ଏହାକୁ voiced alveolar fricative) କୁହାଯାଇଥାଏ । ଜ,ଜ଼ ମଧ୍ୟରେ ଭିନ୍ନତା ସ୍ଵନୀମ ଵିନ୍ଦୁ(଼)ରୁ ସ୍ପଷ୍ଟ ହେଉଅଛି । ଵୈଦେଶିକ ଶବ୍ଦର ନିର୍ଭୁଲ ଉଚ୍ଚାରଣ ହେତୁ ସ୍ଵନୀମର ଵ୍ଯଵହାର ଏକାନ୍ତ ଆଵଶ୍ଯକ
ଯଥା—
ଜେ଼ବ୍ରା,ଜୁ଼ର୍ମାନା ଓ ଜ଼ମାନା ଇତ୍ୟାଦି ।
ଯାତ୍ରା ଶବ୍ଦଟି ଵୈଦେଶିକ ନୁହେଁ ପୁଣି ଆମେ ତାକୁ ଜ ଭଳି ଉଚ୍ଚାରଣ କରୁଥିଲେ ହେଁ ପ୍ରାଚୀନ ପ୍ରାକୃତ ଵର୍ଣ୍ଣ ‘ଯ’ ଲେଖିଥାନ୍ତି (ସୂର୍ଯ୍ୟ ଓ ଇଂରେଜମାନେ Hallelujah କହିଲାଵେଳେ ସେହି ଅଵର୍ଗ୍ଯ ଯ ଭଳି ଉଚ୍ଚାରଣ କରିଥାନ୍ତି କିନ୍ତୁ ହିନ୍ଦୀଭାଷୀଙ୍କ ପରି ତାଙ୍କର ଯ ପାଇଁ ସ୍ଵତନ୍ତ୍ର ଵର୍ଣ୍ଣ ନଥିଵାରୁ
J ଲେଖନ୍ତି । ଏଣୁ za ଲେଖିଵା ମଧ୍ୟ ସମୀଚିନ ନୁହେଁ ।

(ତଥ୍ଯ—ଉଡ୍ରବନ୍ଧୁ ଡାକ୍ତର ଦେଵାଶିଷ ଜ୍ଯୈଷ୍ଠୀ ଓ ଶିଶିର ସାହୁ ମନୋଜ)

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...