ହିନ୍ଦୀର ଲାଚାରୀ ଓ ଓଡ଼ିଆର ଲାଚାରି ଦୁଇଗୋଟି ଭିନ୍ନଭିନ୍ନ ଶବ୍ଦ । ହିନ୍ଦୀରେ ଵ୍ଯଵହୃତ ଲାଚାରୀ ଶବ୍ଦଟି ପାର୍ସୀଭାଷାରୁ ଗ୍ରହଣ କରାଯାଇଛି ।
ହିନ୍ଦୀରେ ଅକ୍ଷମ,ଦୁର୍ଵଳ, ନିର୍ଵଳ,ନିରୁପାୟ ଓ ନିରାଶ୍ରୟ ଅଵସ୍ଥାକୁ ଲାଚାରୀ କୁହାଯାଏ ।
କିନ୍ତୁ ଓଡ଼ିଆ ଭାଷାର ନିଜସ୍ୱ ଶବ୍ଦ "ଲାଚାରି"ର ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ସ୍ଵତନ୍ତ୍ର ଅର୍ଥ ରହିଛି ।
ଏ ଶବ୍ଦଟି ଶବ୍ଦଟି "ପରସ୍ପର ମିଶ୍ରଣ" ଓ "ଏକୀଭାଵ" ଅର୍ଥରେ ଵ୍ଯଵହୃତ ହୋଇଥାଏ ।
ଓଡ଼ିଆ ଦେଶଜ ଲାଚାରି ଶବ୍ଦର ମୂଳ ମିଳେନାହିଁ ସମ୍ଭଵତଃ ଏହା ରଚ୍ ଧାତୁ(ରଚିଵା )= ଗୁନ୍ଥିଵା କିଂଵା ଲସ୍ ଧାତୁ/(ଲସିଵା,ଲଗ୍ନ,ଲିପ୍ତ) = ଆଲିଙ୍ଗନ କରିଵା ସହିତ ଏହାର କୌଣସି ସମଦ୍ଧୃତଗତ ସମ୍ପର୍କ ଥାଇପାରେ ।
ଓଡ଼ିଆ ସାହିତ୍ୟରେ ଲାଚାରି ଶବ୍ଦର ଵ୍ଯଵହାର ଅଳ୍ପ ହେଲେ ହେଁ ରହିଛି ନିଶ୍ଚୟ । ଆମ୍ଭେମାନେ କଵିରଵି ଵଳଦେଵରଥଙ୍କ କିଶୋରଚନ୍ଦ୍ରାନନ୍ଦ (ମ) ଚମ୍ପୂରେ "ଲାଚାରି" ଶବ୍ଦକୁ ପରସ୍ପର ମିଶ୍ରଣ" ଓ "ଏକୀଭାଵ" ଅର୍ଥରେ ଵ୍ୟଵହାର ହୋଇଥିଵା ଦେଖିଥାଉ ...
"ମିଶିଲା ଚାରି ଲୋଚନବାରି
ରୁହ ମଦନୁ ଲଭି ଲାଚାରି
ମିଳିଲା ଶ୍ୟାମ ଗଉର ଦୁଇ ମହ,
ମଧୁପ ଯୁବା ଲଭିଲା ଅବା ନବ ସରସୀରୁହ,
ମାନସ ଅଙ୍ଗଭେଦ ପ୍ରସଙ୍ଗ ରଙ୍ଗ ରଚିଲା ମ୍ନେହ,
ମଉଳିଗଲା ଶେଷ ସାତ୍ତ୍ୱିକ
ମୃଡନୟନ ସଂଖ୍ୟକଯାକ
ମଜ୍ଜାଇ ନେଲା ଦୁହିଙ୍କ ମନ ମହାମୋଦପ୍ରବାହ"
ତେଵେ ଆଜିକାଲିର କଵି/ଲେଖକମାନେ ମୂଳ ଓଡ଼ିଆ ଶବ୍ଦକୁ ଓ ତାହାର ଅର୍ଥକୁ ଜାଣିନାହାନ୍ତି ଆଉ ଏ ଶବ୍ଦ ହୁଏତ ଅଞ୍ଚଳ ଵିଶେଷର କଥିତ ଭାଷାରେ ଜୀଵିତ କିଂଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ମଧ୍ୟରେ ଗୋଟାଏ ଜୀଵାସ୍ମ ପରି ସଂଗୃହୀତ ହେଲା ପରି ରହିଅଛି ।
ଆଜିର ସାହିତ୍ଯିକ ହିନ୍ଦୀରୁ ଗୃହୀତ ଵୈଦେଶିକ ଲାଚାରୀ ଶବ୍ଦକୁ ଵିଵଶତା,ନିରାଶ୍ରୟତା,ନିରୁପାୟତା ଅର୍ଥରେ ପ୍ରୟୋଗ କରି ସାହିତ୍ୟ ଓ ଆଲେଖ୍ୟମାନ ଲେଖେ
ଯଥା―
"କେବେ ସ୍ବପ୍ନ ପୁରା କରିବାର ଦାୟିତ୍ଵ ହେଲେ ବାପା,
ଲୁହ ରେ ଲୁଚିଥିବା ଲାଚାରି ହେଉଛନ୍ତି ବାପା ,
ଯଦି ମା ଗହଣା ବିକ୍ରି କରି ଦିଏ....
ତେବେ ନିଜକୁ ବିକ୍ରି କରିଦେଉଥିବା ବିକ୍ରେତା ହେଉଛନ୍ତି ବାପା।"
ଓ
"ସେତେବେଳେ ଏମାନେ ନିଜର ଲାଚାରି ଖୋଲାଖୋଲି କହିଥିଲେ ଓ ଦେଶର ସମ୍ବିଧାନ ର ରକ୍ଷା ପାଇଁ ଏକ ନିର୍ଦ୍ଧିଷ୍ଟ ଦଳ ବିରୋଧରେ ସାଧାରଣ ଜନତା ଏକ ହୋଇ ସ୍ୱର ଉତ୍ତୋଳନ କରିବା ପାଇଁ ଉପଦେଶ ଦେଇଥିଲେ !"
ସାହିତ୍ଯିକମାନେ ଓଡ଼ିଆଭାଷାର ଲାଚାରି(ଏକୀଭାଵ/ପରସ୍ପର ମିଶ୍ରଣ) ଭଳି ଭଳି ଲକ୍ଷ ଲକ୍ଷ ନିଜସ୍ୱ ଶବ୍ଦ ଵିଷୟରେ କିଛି ଜାଣିନଥାନ୍ତି । ସେମାନେ ଯେତେଵେଳେ ସାହିତ୍ୟ ଲେଖିଵାକୁ ବସନ୍ତି ଲାଚାର ହୋଇ ଲାଚାରୀ(ଵିଵଶତା,ନିରାଶ୍ରୟତା,ନିରୁପାୟତା) ଭଳି ଵୈଦେଶିକ ଶବ୍ଦ ଵ୍ଯଵହାର କରିଵାକୁ ବାଧ୍ୟ ହେଉଅଛନ୍ତି ।
No comments:
Post a Comment