Monday, August 17, 2020

କଟ୍ଟର କ'ଣ ଓଡ଼ିଆ ଶବ୍ଦ ?


ଓଡ଼ିଶାରେ କିଛି ଵର୍ଷ ହେଵ ଏଇ କଟ୍ଟର ଶବ୍ଦଟି ଶୁଣିଵାକୁ ମିଳୁଛି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କଟର କି କଟ୍ଟର ବୋଲି କୌଣସି ଶବ୍ଦ ଦୃଶ୍ୟ ହୁଏନାହିଁ ଅର୍ଥାତ୍ ଏ ଶବ୍ଦ ଓଡ଼ିଆ ଭାଷାରେ ନଥିଲା ଵା ଵ୍ଯଵହାର ହେଉନଥିଲା ।

ତେବେ ଓଡ଼ିଆ ଭାଷାରେ କଟରକଟର ଶବ୍ଦ ରହିଛି ଯାହାର ଅର୍ଥ ବେଙ୍ଗଙ୍କର କର୍କଶ ଶବ୍ଦ , ଅର୍ଥହୀନ କର୍କଶ ଶବ୍ଦ ।

ଓଡ଼ିଆ ଭାଷାରେ କଟରା ଶବ୍ଦ ରହିଛି ଯାହାର ଅର୍ଥ ଖୋରି,ଗିନା ,କଟୁରିକୁ ବି କେତେକ ଅଞ୍ଚଳରେ କଟରି ,କଟାର ଓ କଟାରି କୁହାଯାଏ । ପୁଣି ବହୁତ ଖଟାକୁ ବି କଟରି କୁହନ୍ତି ।

ସେହିପରି କଟୀର ଶବ୍ଦର ଅର୍ଥ ଜଙ୍ଘ,ଅଣ୍ଟା ଓ ଗିରି କନ୍ଦର ଅଟେ । ଖଳାକୁ କେତେକ ଅଞ୍ଚଳରେ କଟାର୍ କୁହାଯାଏ ।

ଘୋଳଦହିକୁ କଟୁର ମଧ୍ୟ କୁହନ୍ତି,କୋରଡ଼ ଶବ୍ଦର ଏକ ଦେଶଜ ରୂପ ହେଉଛି କଟୋର ।

ତାହେଲେ କଟ୍ଟର ନାମକ ଅଦ୍ଭୁତ ଶବ୍ଦଟି କେଉଁ ଶବ୍ଦ ସହ ସମଦ୍ଧୃତ ?

କ'ଣ ସେ ବେଙ୍ଗ ପରି କର୍କଶ କଟରକଟର ଶବ୍ଦ କରେ ବୋଲି କଟ୍ଟର ନା କଟାରୀ ଧରି ମ୍ଲେଚ୍ଛ ସଂହାର କରେ ବୋଲି କଟ୍ଟର ?

କଟ୍ଟର ଲୋକ କ'ଣ ବେଶି ଖଟାଖିଆ କି ଅଥଵା ସେମାନେ ଜଙ୍ଘରେ ଚାଲନ୍ତି କିଂଵା ଗିରିକନ୍ଦରରେ ଵାସ କରନ୍ତି ?

ବହେ ଘୋଳଦହି ପାନକରୁଥିଵା ଲୋକ କଟ୍ଟର  କି ଗଛର କଟୋର ଵା କୋରଡ଼ରେ ଵାସ କରୁଥିଵା ଲୋକ କଟ୍ଟର ?

ଆପଣ ଓଡ଼ିଆ ଭାଷାର କୌଣସି ବି ପୁରାତନ ଅଭିଧାନରେ ଏ ଶବ୍ଦକୁ ଉଣ୍ଡିଲେ ପାଇବେ ନାହିଁ । ଓଡ଼ିଶାର ଗାଁ ଗଣ୍ଡାରେ ମଧ୍ୟ କଟ୍ଟର ଭଳି କୌଣସି ଶବ୍ଦ ଚଳୁନାହିଁ ତାହାଲେ କୋଉଠୁ ଆସିଲା ଏ କଟ୍ଟର ?

ପ୍ରକୃତରେ ଓଡ଼ିଆ ଅଭିଧାନରେ ଯେତେ ଉଣ୍ଡିଲେ ମଧ୍ୟ ଆମକୁ ଏହି ଶବ୍ଦ ମିଳିଵ ନାହିଁ ଵରଂ ଏ ଶବ୍ଦକୁ ହିନ୍ଦୀ ଅଭିଧାନରେ ଅନ୍ଵେଷଣ କଲେ ଯାଇ କିଛି ସୁଫଳ ମିଳିଵ । କଟ୍ଟର ଆଦୌ ଏକ ଓଡ଼ିଆ ଶବ୍ଦ ନୁହେଁ ମୂଳତଃ ଏହା ହିନ୍ଦୀ ଭାଷାର ଶବ୍ଦ ।



ହିନ୍ଦୀ ଶବ୍ଦସାଗର ହିନ୍ଦୀ ଭାଷାର ଏକ ପୁରାତନ ଵିଶାଳ ଶବ୍ଦକୋଷ । ଏଥିରେ ହିନ୍ଦୀ କଟ୍ଟର ଶବ୍ଦର ନିମ୍ନୋକ୍ତ ଅର୍ଥ ଉଲ୍ଲେଖ କରାଯାଇଛି ...

୧)କାଟିକି ଖାଇଲା ଲୋକ(काट खानेवाला)
୨)ନିଜ ଵିଶ୍ଵାସ ଵିପରୀତ ପ୍ରତିକୂଳ କଥା ସହିନପାରିଵା ଵ୍ଯକ୍ତି
୩) ଅନ୍ଧଵିଶ୍ୱାସୀ
୪)ହଠୀ
୫)ଦୁରାଗ୍ରହୀ
ଅନ୍ଯ କେତେକ ଅଭିଧାନରେ କଟ୍ଟର ଶବ୍ଦର ଆଉ କେତେକ ଅର୍ଥ ଇଂରାଜୀରେ ମଧ୍ୟ ଉଲ୍ଲେଖ କରାଯାଇଛି

ଯଥା...
୧)strict(କଠୋର, କଡ଼ା, ଦୃଢ଼)
୨)obdurate(ଜିଦିଆ,ନିଷ୍ଠୁର,ଦୁରାଗ୍ରହୀ,କଠୋର)
୩)dogmatic(ଅସହିଷ୍ଣୁ,ହଠଧର୍ମୀ,ମତାଗ୍ରହୀ)
୪)fanatic
୫)rabid(ଉନ୍ମତ୍ତ,ପ୍ରଗଳ୍ଭ,ବାୟା,ବଝା)
୬)staunch(ଦୃଢ଼,ଅଟଳ,ନିଷ୍ଠାଵାନ)
୭)bigoted(ଧର୍ମାନ୍ଧ)

ତାହେଲେ ଆମେ କଟ୍ଟର ଲୋକ କିଏ ତାହା ଜାଣିଗଲେଣି
ଯିଏ କଠୋର ହୃଦୟର ହୋଇଥିଵ,ନିଷ୍ଠୁର ହୋଇଥିଵ,ଏକଜିଦିଆ ହୋଇଥିଵ ,ଦୁରାଗ୍ରହୀ ହୋଇଥିଵ , ଅସହିଷ୍ଣୁ ଓ ପାଗଳ ହୋଇଥିଵ , ଯେଉଁ ଲୋକ ଧର୍ମାନ୍ଧ ଓ ଅନ୍ଧଵିଶ୍ୱାସ ହୋଇଥିଵ ସେଇ ଲୋକ ହେଉଛି କଟ୍ଟର 😀

କଟ୍ଟର ଶବ୍ଦ ଵ୍ଯଵହାର କରିଥିଵା,କରୁଥିଵା କଳିଙ୍ଗ ଦେଶର ହିନ୍ଦୀ-ହିନ୍ଦିଆ ହନୁକରଣପ୍ରିୟ ହନୁମାଙ୍କଡ଼ମାନଙ୍କର ଯଦି ଓଡ଼ିଆ ଭାଷା ପ୍ରତି ଟିକିଏ ବି ନିଷ୍ଠା ଥାଆନ୍ତା ଵା ସେମାନେ ନିଜ ମାତୃଭାଷା ପ୍ରତି ନିଷ୍ଠାଵାନ ହୋଇଥିଲେ ହିନ୍ଦୀ ହନୁକରଣ  କରନ୍ତେ ନାହିଁ ।

ତେବେ ଓଡ଼ିଆ ଭାଷାରେ କଟ୍ଟର ଶବ୍ଦ ସିନା ନାହିଁ କିନ୍ତୁ ଦୃଢ଼ ଓ କଠିନ ଅର୍ଥରେ କଠର ଶବ୍ଦ ନିଶ୍ଚୟ ରହିଛି । ପ୍ରକୃତରେ କଠର ଶବ୍ଦଟି ଏକ ତତ୍ସମ ଶବ୍ଦ ଏଵଂ ଏ ଶବ୍ଦର ମୂଳ ଧାତୁ ରୂପ କଠ୍ ଧାତୁ ଅଟେ ।

କଠ୍ ଧାତୁରୁ କଠର,କଠୋର,କଠିନ,କଠ(କ୍ଲେଶ) ଓ କଠେର(ଦରିଦ୍ର) ଆଦି ଅନେକ ଶବ୍ଦ ନିଷ୍ପନ୍ନ ହୋଇଅଛି । ହୁଏତ ହିନ୍ଦୀ କଟ୍ଟର ଶବ୍ଦ ମଧ୍ୟ ଏହି କଠ୍ ଧାତୁ ସହିତ ସମଦ୍ଧୃତ ହୋଇଥାଇପାରେ  ।

ତେବେ ଯେହେତୁ ସଂସ୍କୃତରେ ଦୃଢ଼ ଅର୍ଥରେ କଠର ଶବ୍ଦ ରହିଛି ତେଣୁ ମୋର ଆଶା ଆଗକୁ ସଚେତନ ଓଡ଼ିଆ ଯୋଉମାନେ ଆଜିଯାଏଁ କେଵଳ "ଧର୍ମ ପ୍ରତି ନିଷ୍ଠାଵାନ" ଓ "ଧର୍ମରେ ଦୃଢ଼" ଅର୍ଥରେ କଟ୍ଟର ଶବ୍ଦର ଵ୍ଯଵହାର କରିଆସୁଥିଲେ ସେମାନେ ଆଜିଠାରୁ ହିନ୍ଦୀର  କଟ୍ଟର ନୁହେଁ ଵରଂ ଶାସ୍ତ୍ରୀୟ କଠର ଶବ୍ଦ ଵ୍ଯଵହାର କରିଵା ଆରମ୍ଭ କରିଦେଵେ ।

ତେବେ ଓଡ଼ିଆ ଭାଷାରେ କଟ୍ଟର କି କଠର ଶବ୍ଦ ଵ୍ଯଵହାର ନକରି ମଧ୍ୟ ଲୋକେ ନିଜକୁ ଖାଣ୍ଟିହିନ୍ଦୁ,କଞ୍ଚାହିନ୍ଦୁ, ନୈଷ୍ଠିକ ହିନ୍ଦୁ ଓ ଗୋଡା଼ ହିନ୍ଦୁ ଭାବେ ପରିଚିତ କରାଇପାରିବେ ଏଵଂ ଓଡ଼ିଆ ଭାଷାରେ ଏଭଳି ଶହ ଶହ ଶବ୍ଦ ରହିଛି ।

ଈଶ୍ଵର ଆମକୁ ଏକ ଶ୍ରେଷ୍ଠ ଵୈଜ୍ଞାନିକ ଉନ୍ନତ ଶକ୍ତିଶାଳୀ ସମୃଦ୍ଧ ଭାଷା ଦେଇଛନ୍ତି, କଳିଙ୍ଗ ଦେଶ ଭଳି ଶ୍ରେଷ୍ଠ ଭୂମିରେ ଆମ ଜନ୍ମ ହୋଇଅଛି ଅନ୍ତତଃ ଟିକିଏ ତ ଏ ମାଟି ଭାଷାର ମହତ୍ତ୍ଵ ରଖିପାରିଵା !

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...