ପ୍ରାଚୀନ କାଳରୁ ଓଡ଼ିଆରେ ପ୍ରଚଳିତ ହିଁ ନୁହେଁ ଵରଂ ଅତି ପ୍ରଚଳିତ ହୋଇ ଆସିଛି ବୋଇତ ଶବ୍ଦ । ଭାରତର ଅନ୍ୟ କୌଣସି ପ୍ରାଦେଶିକ ଭାଷାରେ ଏହି ଶବ୍ଦ ନାହିଁ ।
୧) ହିନ୍ଦୀରେ - ନୈହର, ନୟା , କସ୍ତୀ, କିସ୍ତୀ ଶବ୍ଦ ରହିଛି
୨) ବଙ୍ଗଳାରେ ତୋରୀ, ଡୋଙ୍ଗା, ନୌକା, ନାଓ, ତରୋନି, ଖେଆ (ପଶ୍ଚିମ ବଙ୍ଗ) ଓ ଖ୍ୟେଓଆ (ବାଂଲାଦେଶ୍) ଶବ୍ଦ ଅଛି
୩) ସଂସ୍କୃତରେ ନୌକା, ନୌ, ତରୀ, ତରଣି, ଉତ୍ପ୍ଳଵା, ପ୍ଳଵାକା, କଣ୍ଠାଳ, ଅଡୁଵ, ତଳ୍ପ, ତରଣ୍ଡ, ନାଵ,ପରିପ୍ଳଵ, ପର୍ଣ୍ଣାଳ, ଜଳଯାନ, ଵାରିରଥ ... ଇତ୍ୟାଦି ଇତ୍ୟାଦି ଏବଂ କ୍ୱଚିତ କାବ୍ୟରେ ବହିତ୍ର, ବୋହିତ୍ଥ ଵ୍ଯଵହୃତ ଏଵଂ ସଂସ୍କୃତକୁ ଏ ଶବ୍ଦ ଓଡ଼ିଆ କଵି ଜୟଦେଵଙ୍କ ଦ୍ଵାରା ଯାଇ ଚଳୁଅଛି ।
ଅଵଶ୍ଯ ସିଂହଳୀରେ බෝට්ටුව (bōṭṭuva) ଶବ୍ଦ ରହିଛି ଏଵଂ ଏ ଶବ୍ଦଟି ଓଡ଼ିଆ ମୂଳର କି ୟୁରୋପୀୟ ମୂଳରୁ ଆସିଅଛି ତାହା ଗଵେଷଣାର ଵିଷୟ । ପୁଣି ପ୍ରାକୃତର 𑀩𑁂𑀟𑀕 (beḍaga) ସଂସ୍କୃତର ବେଡ଼କ ଓ ବେଡ଼ ଇତ୍ଯାଦି ଶବ୍ଦ ସହିତ ଓଡ଼ିଆ ବୋଇତ ଶବ୍ଦ ସହ ଵାହ୍ଯ ସାଦୃଶ୍ୟ ଦେଖାଯାଏ କିନ୍ତୁ ଏହାର ମୂଳ ଭିନ୍ନ ଅଟେ ।
ପ୍ରକାରାନ୍ତରେ, ୟୁରୋପୀୟ ଭାଷା ସମୂହରେ ଏହି ଶବ୍ଦର ପାଖାପାଖି ଶବ୍ଦ ଅନେକ ରହିଛି ।
ଯଥା—
🔷ଇଂରାଜୀ—(ଆଧୁନିକ—boat),(ମଧ୍ୟ ଯୁଗୀୟ—bot, boot, boet, boyt),(ପ୍ରାଚୀନ—bāt)
🔷ପ୍ରାକ୍ ଜର୍ମାନ— *baitaz, *baitą
🔷ଇସପ୍ରାନ୍ତୋ— boato
🔷ଫିଜିଆନ—boto
🔷 ସ୍କଟିସ୍—boat, bote
🔷ଡଚ୍—boot
🔷ଡାନିସ୍— båd
🔷ଫାରୁଇଜ୍—bátur
🔷ଫ୍ରେଞ୍ଚ—bateau
🔷ହାଇତିଆନ୍ କ୍ରିଓଲ୍— bato
🔷 ଆଇସଲ୍ୟାଣ୍ଡିକ—bátur
🔷ଇଡୋ ଭାଷା(Ido)—batelo
🔷ଆଇରିସ୍—bád
🔷ଇଟାଲିଆନ୍—battello
🔷ଓସିଆନ(Occitan)— batèl
🔷ପର୍ତ୍ତୁଗୀଜ—bote
🔷ରୁଷୀଭାଷା—бот(bot)
ଜଳ ଜାହାଜ ଅର୍ଥରେ ଵ୍ଯଵହୃତ ଵିଭିନ୍ନ ୟୁରୋପୀୟ ଭାଷାର ଶବ୍ଦଗୁଡ଼ିକ ଓଡ଼ିଆ ବୋଇତ ଶବ୍ଦ ସହ ସମଦ୍ଧୃତ କି ନୁହେଁ ସେ ଵିଷୟରେ ଆହୁରି ଗଵେଷଣାର ଆଵଶ୍ଯକତା ରହିଛି ।
ବୋଇତ,ବହିତ୍ର ଓ Boat ସମଦ୍ଧୃତ କି ନାହିଁ ତାହା ଏବେ ବି ଅନୁସନ୍ଧାନର ଵିଷୟ ତେବେ ପାଶ୍ଚାତ୍ୟ ଭାଷାଵିଦମାନେ boat ଶବ୍ଦର ମୂଳ ପ୍ରାକ୍ ଭାରୋପୀୟ ରୂପ *bheid ବୋଲି ଅନୁମାନ କରିଅଛନ୍ତି ।
ଏହି P.I.E. rootର ଅର୍ଥ to break ଓ to split ଅଟେ । ଭାରତୀୟ ଵୈଜ୍ଞାନିକ ମୂଳ ଧାତୁ ଶବ୍ଦ
ଭିଦ୍ ଧାତୁ ସହିତ ଏହା ସମଦ୍ଧୃତ । ଭିଦ୍ ଧାତୁରୁ ଅନେକ ଭାରତୀୟ ଶବ୍ଦ ନିଷ୍ପନ୍ନ ହୋଇଅଛି । ଭେଦ କରିଵା,ଭିଜିଵା,ଭେଦିଵା, ଭୁସିଵା,ଭେଟ ଇତ୍ୟାଦି ଇତ୍ୟାଦି...
ସମୁଦ୍ର ଜଳରେ ଭିଜି ତାକୁ ଭେଦକରି ଵା ଭେଦିଯାଇ ଏକ ସମୁଦ୍ରକୂଳରୁ ଅନ୍ୟ ଏକ କୂଳରେ ପହଞ୍ଚି ଭେଟିପାରୁଥିଵା ଯାନ ନିଶ୍ଚୟ ବୋଟ୍ ହୋଇଥିଵ ।
ତେବେ ସଂସ୍କୃତ ବହିତ୍ର ଶବ୍ଦ ଓଡ଼ିଆ ବୋଇତ ସହ ସମଦ୍ଧୃତ ବୋଲି ଭାରତରେ ଗୋଟିଏ ସାଧାରଣ ମତଵାଦ ପ୍ରଚଳିତ ହୋଇଛି । ଏହି ବହିତ୍ର ଶବ୍ଦକୁ ଵହ୍ ଧାତୁରୁ ନିଷ୍ପନ୍ନ କରାଯାଇଛି । ଵହ୍ ଧାତୁର ଅନେକ ଅର୍ଥ ...
ଯଥା—
ଵହନ କରିଵା,ପ୍ରଵାହିତ ହେଵା,ବହିଵା,ଚଳାଇଵା,ବାଟ କଢ଼ାଇ ନେଵା,ଵିସ୍ତାରିତ କରିଵା,ଧାରଣ କରିଵା,ଘେନି ପଳେଇଯିଵା,ହରଣ କରିଵା,ପିନ୍ଧିଵା,ଗର୍ଭ ଧାରଣ କରିଵା,ଟାଣିଵା,ଟେକି ଧରିଵା,ଵିଵାହ କରିଵା,ସହ୍ଯ କରିଵା,ଅନୁଭଵ କରିଵା ଓ ନିଶ୍ବାସ ମାରିଵା ଇତ୍ୟାଦି
ଅର୍ଥାତ୍ ଯିଏ ଜୀଵ ଓ ଵସ୍ତୁକୁ ବହନକରେ ଵା ଆପଣା ଅ
ଉପରେ ଟେକିଧରେ ଓ ସ୍ଵୟଂ ବହିଯାଏ,ତାକୁ ପ୍ରଵାହିତ ହେଵା ପାଇଁ ଚଳାଇଵାକୁ ହୁଏ ,ଜୀଵ ଓ ଵସ୍ତୁଗୁଡି଼କୁ ଯେ ସମୁଦ୍ର ଭୀଷଣ ଝଡ଼ ତୋଫାନ ସହି ଯେଉଁ ଜଳଯାନ ବାଟ କଢ଼ାଇ ନିଏ ସେ ବହିତ୍ର ଵା ବୋଇତ ଅଟେ ।
ନିରୁକ୍ତି ଦୃଷ୍ଟିରୁ ଦେଖିଲେ ଇଂରାଜୀ boat ଓ ବହିତ୍ର ତଥା ବୋଇତ ଶବ୍ଦ ମଧ୍ୟରେ କୌଣସି ସାମ୍ଯ ଥିଵା ଦୃଶ୍ୟ ହୁଏ ନାହିଁ । ପୁଣି ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇଂରାଜୀରେ ବାରଶହ ଶତାବ୍ଦୀ ଯାଏଁ ଛୋଟ ଡଙ୍ଗାକୁ ହିଁ boat କୁହାଯାଉଥିଲା କିନ୍ତୁ ଓଡ଼ିଶାରେ ବଡ଼ ବଡ଼ ଜାହଜକୁ ବୋଇତ କୁହାଯାଉଥିଲା ।
ଏଠାରେ ଦୁଇଟି କଥା ସମ୍ଭଵ ହୋଇଥାଇପାରେ...
୧)ହୁଏତ ଵୈଦେଶିକ ଭାଷାଵିଦମାନେ boat ଶବ୍ଦର ମୂଳ ନିର୍ଣ୍ଣୟରେ କୌଣସି ତ୍ରୁଟି କରିଅଛନ୍ତି । ଏଠାରେ ଧ୍ୟାନ ଦେଲାଭଳି କଥା ହେଲା ବୋଇତ ଓ ବୋଟ୍ ଏ ଉଭୟ ଶବ୍ଦ ଵର୍ଗ୍ଯ "ବ" ଯୁକ୍ତ କିନ୍ତୁ ତତ୍ସମ ବହିତ୍ର ଶବ୍ଦ ଵହ୍ ଧାତୁରୁ ନିଷ୍ପନ୍ନ ହେଵା ପରେ ସଂସ୍କୃତରେ ଵହିତ୍ର ହୋଇଅଛି ।
୨)ବୋଇତ ଵା ଵହିତ୍ର ଓ boat ଉଭୟ ଭିନ୍ନ ଭିନ୍ନ ମୂଳର ଶବ୍ଦ ଓ ଏମାନଙ୍କ ମଧ୍ୟରେ କେଵଳ ଅର୍ଥଗତ ତଥା ଵାହ୍ଯ ସାମଞ୍ଜସ୍ୟ ଦୃଶ୍ୟ ହେଉଅଛି ।
ଅଵଶ୍ଯ ଏହାର ସଂସ୍କୃତରେ ଵ୍ଯଵହାର ଆଧୁନିକ ଓ ସ୍ଵଳ୍ପ । ସର୍ଵପ୍ରଥମେ ବହିତ୍ର ଶବ୍ଦ ଉତ୍କଳୀୟ କଵି ଜୟଦେଵ ତାଙ୍କ ଗୀତଗୋଵିନ୍ଦରେ ଵ୍ଯଵହାର କରିଥିଲେ ...
"ପ୍ରଳୟପୟୋଧିଜଳେ ଧୃତଵାନସି ଵେଦଂ ଵିହିତଵହିତ୍ରଚରିତ୍ରଂମଖେଦମ୍"
ଏହାର ବହୁତ ପରେ ତୁଳସୀ ଦାସ ଅଵଧିଭାଷାରେ ବହିତ୍ର ଶବ୍ଦର ଥରେ ମାତ୍ର ଵ୍ଯଵହାର କରିଅଛନ୍ତି ...
"सोइ राम कामारि प्रिय अवधपति सवँदा दास तुलसी त्रासनिधि वहित्रं"(ହିନ୍ଦୀ ଶବ୍ଦସାଗରରୁ ସଂଗୃହୀତ)
ତୁଳସୀ ଦାସ ଓଡ଼ିଶାରେ ଅନେକ ଦିନ ଅଵସ୍ଥାନ କରିଥିଲେ ଓ କେତେକଙ୍କ ଅନୁସାରେ ତ ତୁଳସୀ ଦାସ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ । ଏହାଙ୍କ ଛଡ଼ା ଅନ୍ୟ କେହି ଉତ୍ତର ଭାରତୀୟ କଵି ବହିତ୍ର ଶବ୍ଦ ଵ୍ଯଵହାର କରିଥିଵା ଜଣାଯାଏ ନାହିଁ ।
⛵⛵⛵⛵ଓଡ଼ିଆ ସାହିତ୍ୟରେ ବୋଇତ ଶବ୍ଦ⛵⛵⛵⛵
✓କାଳିନ୍ଦିଜଳ କଲ୍ଲୋଳ ଲହରି ଶୋଭିତ ।
ମଧ୍ୟରେ ଅଧର ଶୋଭ ପୋହଳା ବୋଇତ ॥
ସୁସଞ୍ଛ ତ୍ରିମୁଣ୍ଡି ପାବଛରେ ହୋଏ ରୋଳ ।
ପ୍ରସାଦ ସୌରଭେ ଭ୍ରମନ୍ତି କି ଭ୍ତଙ୍ଗମେଳ ॥
(ଜଗମୋହନ ରାମାୟଣ, ବଳରାମ ଦାସ)
✓ବାୟୁ ଦେଖି ସାଧୁମାନେ ।
ହରଷ ହେଲେ ନିଜ ମନେ ।।
ସମୁଦ୍ରେ ବୋଇତ ମେଲିଲେ ।
ସପତ ବୋହୁକୁ ଡ଼ାକିଲେ ।।
(ଖୁଦୁରୁକୁଣୀ ଓଷା ଗୀତ, ଗୋପୀନାଥ ଦାସ)
✓ସୁନ୍ଦରୀର ତରୀ ସମ ବିଭୁଷିତ,
ଗଜଦନ୍ତେ ଗଢ଼ା ଅପର ବୋଇତ,
ସମସଂଖ୍ୟା ଯୁବା ବର୍ମୋଜ୍ଜ୍ୱଳ ଅଙ୍ଗ,
ତରୀଦନ୍ତେ ରଙ୍ଗେ କାଟନ୍ତି ତରଙ୍ଗ ।
(ଚିଲିକା,କଵିଵର ରାଧାନାଥ ରାୟ)
✓ସେ କାହିଁ ତରିବ ସଂସାର ।
ବୁଡ଼ଇ ତମ-ମହାଘୋର ।।୧୪୦।।
ବୋଇତ ଆଶ୍ରେ ବିନା ପ୍ରାଣୀ ।
ବାଣିଜ୍ୟେ ସମୁଦ୍ର ନ ଜିଣି ।।୧୪୧।।
(ଦ୍ଵାଦଶ ସ୍କନ୍ଧ,ଭାଗଵତ, ଅତିବଡ଼ ଜଗନ୍ନାଥ ଦାସ)
✓ଚନ୍ଦ୍ରାଲୋକେ ଯହିଁ ନିଶୀଥେ ଜଳଦେବୀ ସଙ୍ଗୀତ,
ଶୁଣନ୍ତି ଚକିତେ ନାବିକେ ଦୂରେ ବାହୁଁ ବୋଇତ ।
(ଚନ୍ଦ୍ରଭାଗା,କଵିଵର ରାଧାନାଥ ରାୟ)
✓ଉତ୍କଳେ ଅସଙ୍ଗେ-ପ୍ରବାହେ ତ୍ୱରିତ,
ବାହୁଛନ୍ତି ଯେହୁ ସ୍ୱରାଜ୍ୟ-ବୋଇତ;
ସେ ଦଳରେ ମୁହିଁ ଅକିଞ୍ଚନ ଜଣେ,
ମୋଡୁଥିଲି ନାବ-ମଙ୍ଗ ପ୍ରାଣପଣେ ।
(ବନ୍ଦୀର ଆତ୍ମକଥା, ଉତ୍କଳମଣି ଗୋପବନ୍ଧୁ ଦାସ)
✓ଗଙ୍ଗ-ଶିଉଳୀ ଟଗରେ,
ଧବଳିତ ଉପବନ ଜନମନ ହରେ ।
ଖଣ୍ଡ ଖଣ୍ଡ ଧଳାମେଘ ସୁନୀଳ ଅମ୍ବରେ,
ଭାସଇ ବୋଇତ ଯଥାନୀଳ ସମୁଦ୍ରରେ ।
(ଶରତ୍, ମଧୁସୂଦନ ରାଓ)
✓"ବୋଇତ ଲାଗିଲା ଆସି ସିଂହଳ ଦ୍ଵୀପରେ
ସାଧଵ ଯୁଵତୀମାନେ ଅତି ପ୍ରମୋଦରେ
ଗଲେ ବୋଇତ ବନ୍ଦାଇ,
ଅର୍ଘ୍ୟଥାଳୀ କରେ ସର୍ଵେ ହୁଳହୁଳି ଦେଇ ।।"
(ଲାଵଣ୍ୟଵତୀ,କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ)
କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ,ଉତ୍କଳୀୟ କଵି ଜୟଦେଵଙ୍କ ପଦାଙ୍କ ଅନୁସରଣରେ ତାଙ୍କ ଵୈଦେହୀଶ ଵିଳାସର ଵିଭିନ୍ନ ସ୍ଥାନରେ ବହିତ୍ର ଶବ୍ଦକୁ ଵ୍ଯଵହାର କରିଅଛନ୍ତି ...
✓ଵାର୍ଭଟ କି ଗଜଯୂଥ ଭେଳା ହୟ ।
ବହିତ୍ର କି ରଥ ଭେକ ପତ୍ତିଚୟ । ୧୩ ।
✓ବଳେ ବସାଇ ସ୍ୟନ୍ଦନେ
କେ ଗଲା କି ଘେନି ଵାରି-ରାଶି ମଧ୍ୟେ ମୋର ।
ଵାରି-ରାଶି ମଧ୍ୟେ ମୋର
ବହିତ୍ର କଟାଇ ଧନ ହରିନେଲା ଜୂର । ୩୨ ।
✓ଵିହି ଶାପ ତୋର ମୃତ୍ୟୁ ଏ ଶୈଳେ ଆସିଲେ
ବହି ଶଵ ତାହା ଜାଣି ଆଣି ଏ ନିକଟେ ।
ବହିତ୍ର ଯେମନ୍ତ ସ୍ଥିତ ସମୁଦ୍ରେ ପ୍ରକଟେ ।୩୪।
⛵ବୋଇତ ସମ୍ବନ୍ଧୀୟ କେତେକ ଐତିହାସିକ ତଥ୍ୟ⛵
🔴ସଂସ୍କୃତ "ଯୁକ୍ତିକଳ୍ପତରୁ" ଓ ଓଡ଼ିଆ ମାଦଳା ପାଞ୍ଜିରେ ବୋଇତ ତିଆରିର ପ୍ରଣାଳୀ ଓ ନିୟମ ଉଲ୍ଲେଖ । ଏଥିରେ ରାଜା ଭୋଜ ସ୍ଥାନୀୟ କାଠରୁ ବୋଇତ ତିଆରି କରୁଥିଲେ ବୋଲି ଉଲ୍ଲେଖ ରହିଛି । ରାଜାଭୋଜ ଓ ଇନ୍ଦ୍ରଦ୍ୟୁମ୍ନ ଇତ୍ୟାଦି ରାଜଶକ୍ତିର ପ୍ରତୀକ ରୂପେ ଉଲ୍ଲେଖ କରାଯାଇଛି ବୋଲି କେତେକ ଗଵେଷକ ମତ ଦିଅନ୍ତି ।
🔵ଚିଲିକାରୁ ମିଳିଥିଵା ଵିଭିନ୍ନ କାଠକାମ ଯନ୍ତ୍ର ଓ ଅନ୍ୟାନ୍ୟ ଵସ୍ତୁରୁ ପ୍ରମାଣ ମିଳେ ଯେ ନିକଟରେ ଥିଵା ଗୋଳାବାଇଠାରେ ଏକ ବୋଇତ ତିଆରି କାରଖାନା ଥିଲା ।
🔴ବଣଗଡ଼ ଓ ଚନ୍ଦ୍ରକେତୁଗଡ଼ରୁ ମିଳିଥିଵା ଖ୍ରୀ.ପୂ. ୪୦୦-୧୦୦ ଭିତରର ପୋଡ଼ାମାଟି ମୋହରରୁ ଜଣାପଡ଼େ ଯେ ବୋଇତରେ ମକା ଆଦି ଶସ୍ୟ ବୋଝେଇ ହୋଇ ସମୁଦ୍ରରେ ଯାଉଥିଲା ।
🔵ବୋଇତାଳୁ ଓ ବୋଇତିକଖାରୁ ଶବ୍ଦରୁ ଅନୁମାନ କରାଯାଏ ଯେ ଏ ଜାତୀୟ କଖାରୁକୁ ଓଡ଼ିଶାର ବୋଇତାଳମାନେ ବୋଇତରେ ନେଇ ଯାଉଥିଲେ ।
🔴ଓଡ଼ିଆ ଭାଷାରେ ମୁର୍ମୂଷୁ ହେଲୈ ହେଁ ହଜାର ହଜାର ବୋଇତିଆ ଶବ୍ଦ ରହିଛି ପୁଣି ସାରା ଭାରତରେ ନିଆରା ଆମ ଜାତିର ସ୍ଵତନ୍ତ୍ର ଦିଗ ନିର୍ଣ୍ଣୟ ପଦ୍ଧତି ମଧ୍ୟ ରହିଥିଲା ।
🔵ଓଡ଼ିଶାରେ ପ୍ରଥମ ବୋଇତର ଚିତ୍ର ଏକ ମୂର୍ତ୍ତିରେ ଖୋଦିତ ଦୁଇଟି ଜାହାଜ । ଏହା ଭୁବନେଶ୍ୱରର ବ୍ରହ୍ମେଶ୍ୱର ମନ୍ଦିରରୁ ମିଳିଵା ପରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ହୋଇରହିଛି । ପ୍ରଥମ ବୋଇତଟିର ଆଗ ଭାଗରେ ଛିଡ଼ାହୋଇଥିଵା ହାତୀ ଥିଲା ବେଳେ ମଝିରେ ଦୁଇଜଣ ଲୋକ ବସିଛନ୍ତି ଓ ତାଙ୍କ ଭିତରୁ ଜଣେ ନାବିକ ମଙ୍ଗ ଧରି ବୋଇତଟିକୁ ଚଳାଉଛନ୍ତି ।
🔴ଭୁବନେଶ୍ୱରର ଏକ ଦେଉଳର ଉପରିଭାଗ ଓଲଟା ବୋଇତସମ ହୋଇଥିଵାରୁ ଏହାର ନାମ ବୋଇତାଳ ଦେଉଳ ।
🔵ଲିଙ୍ଗରାଜ ମନ୍ଦିରରେ ଥିଵା ୧୧ଶ ଖୀଷ୍ଟାବ୍ଦର ଏକ ମୂର୍ତ୍ତିରେ ନାରୀଜଣେ ବୋଇତଟି ଚଳାଉଥିଵା ଖୋଦିତ ।
🔴କୋଣାର୍କରେ ୧୩ଶ ଶତାବ୍ଦୀର ଏକ ମୂର୍ତ୍ତିରେ ବୋଇତଟିଏ ଚାରିଜଣ ନାବିକଙ୍କ ଦେଇ ଚାଳିତ ହେଵା ଦେଖିଵାକୁ ମିଳେ । ଏହି ବୋଇତରେ ମଝିଭାଗରେ ଏକ ଛୋଟ କୋଠରୀ ଭିତରେ ଧନୁଶର ଧରି ବସିଥିଵାର ଦେଖିବାକୁ ମିଳେ ।
🔵କୋଣାର୍କ ମନ୍ଦିରରେ ଥିବା ଏକ ବୋଇତରେ କଳିଙ୍ଗ ସହ ଆଫ୍ରିକାର ଵାଣିଜ୍ୟିକ କାରବାର ବାବଦରେ ଜଣାଉଥିଵା ଜିରାଫଟିଏ ଖୋଦିତ ହୋଇଅଛି ।
🔴ଦଶମରୁ ତ୍ରୟୋଦଶ ଶତାବ୍ଦୀ ସମୟର କଵି ସାରଳା ଦାସ ତାଙ୍କ ମହାଭାରତ ଗ୍ରନ୍ଥରେ କୁନ୍ତୀ ଓ ପାଣ୍ଡୁଙ୍କ ଵିଵାହ ପ୍ରସଙ୍ଗ ଉଲ୍ଲେଖ ସମୟରେ "ଆ କା ମା ଭୈ" ଶବ୍ଦର ଵ୍ଯଵହାର କରି ଲେଖିଛନ୍ତି ...
"କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ବୁଧଵାର ଯେ ପୂର୍ଣ୍ଣିମା
ଆ କା ମା ଭୈ ସ୍ନାହାନ ଦିନ ଗଙ୍ଗାକୁ ଗଲୈ କୁନ୍ତ ଭୋଜ ସ୍ଵାମୀ ।।
ସେହି ଗଙ୍ଗା ସ୍ନାହନକୁ ଭୀଷ୍ମ ଯେ ଅଇଲେ
କୁନ୍ତ ଭୋଜରଜା ସଙ୍ଗେ ମଇତ୍ର ହୋଇଲେ ।।"
କ୍ରମଶଃ...
© ଡାକ୍ତର ଦେଵାଶିଷ ଜ୍ଯୈଷ୍ଠୀ ଓ ଶିଶିର ସାହୁ ମନୋଜ
No comments:
Post a Comment