Wednesday, August 19, 2020

ଆମ ଭାଷାରେ ଦାରୁ ଶବ୍ଦ ଓ ଦାରୁବ୍ରହ୍ମ

"ଦାରୁ" ଭାରୋପୀୟ ଭାଷାପରିଵାରର ଶବ୍ଦ ନା ଏକ ଆଷ୍ଟ୍ରୋଏସୀୟ ଶବ୍ଦ ?

ଖଡି଼ଆ,ମୁଣ୍ଡା ଓ ହୋ ଆଦି ଜନଜାତୀୟ ଭାଷାରେ ଗଛକୁ ଦାରୁ କୁହାଯାଏ ବୋଲି କିଛି ଲୋକ ଭାଵନ୍ତି ଏହି ଦାରୁ ଶବ୍ଦଟି ଜନଜାତୀୟ ମୂଳର ଶବ୍ଦ ହୋଇଥିଵ ।





ତେବେ ଋକଵେଦ ଓ ମହାଭାରତ ଇତ୍ଯାଦି ଅନେକ ପୁରାତନ ଗ୍ରନ୍ଥରେ ଦାରୁ ଶବ୍ଦର ଵ୍ଯଵହାର ଦୃଶ୍ୟ ହୋଇଥାଏ ।

ଋକଵେଦର ସୂକ୍ତ ୬:୩ରେ ଦାରୁ ଶବ୍ଦ ଵ୍ଯଵହାରର ଉଦାହରଣ

"ତିଗ୍ମଂ ଚିଦେମ ମହି ଵର୍ପୋ ଅସ୍ଯ ଭସଦଶ୍ଵୋ ନ ଯମସାନ ଆସା ।
ଵିଜେହମାନଃ ପରଶୁର୍ନ ଜିହ୍ଵାଂ ଦ୍ରଵିର୍ନ ଦ୍ରାଵୟତି ଦାରୁ ଧକ୍ଷତ୍ ॥୪॥"

ଅନେକ ୟୁରୋପୀୟ ଭାଷାରେ ମଧ୍ୟ ଦାରୁ ସମସାଦୃଶ୍ଯ ଶବ୍ଦ ରହିଛି ଯହିଁର ଵ୍ଯଵହାର ଵୃକ୍ଷ,କାଷ୍ଠ ଓ ଶକ୍ତ ଵା ଟାଣ ଆଦି ଅର୍ଥରେ ଵ୍ଯଵହାର ଦୃଷ୍ଟିଗୋଚର ହୋଇଥାଏ ।

ଉଦାହରଣ ସ୍ୱରୂପ—

🚩ପ୍ରାକ୍ ଭାରୋପୀୟ ମୂଳ ଶବ୍ଦ deru ଵା *drew
(“hard, firm, strong, solid”)
🔴 ଲାଟିନ — dūrus (“hard, rough”),
🔴ପ୍ରାଚୀନ ଇଂରାଜୀ—trum (“strong, firm”)
🔴 ପ୍ରାଚୀନ ଗ୍ରୀକ୍—δροόν (droón, “strong, mighty”)
🔴 ପ୍ରାଚୀନ ଗ୍ରୀକ୍—δόρῠ(dóru) ଗଛ,କାଠ
🔴 ପ୍ରାଚୀନ ଗ୍ରୀକ୍—δρῦς(drûs) ଓକ୍ ଓ ଟିମ୍ବର ଜାତୀୟ ଗଛ
🔴ହିଟାଇଟ୍—𒋫𒊒 (taru) ଗଛ,କାଠ
🔴ଭାରୋଇରାନୀୟ — *dā́ru ;ଵୃକ୍ଷ,କାଠ
🔴ଟୋଚାରିଆନ୍ —or(କାଠ)
🔴ଓ୍ଵେଲ୍ସ—derw(ଓକ୍ ଗଛ)
🔴ଜର୍ମାନିକ୍ — *trewą (ଗଛ;ଏହା ଇଂରାଜୀ tree ଶବ୍ଦର ମୂଳ ରୂପ)
🔴 ସଂସ୍କୃତ—ଦ୍ରୋଣ(wooden vessel, bucket,
a Soma vessel,ଏକ ଜାତୀୟ ଗଛକୁ ବି ଦ୍ରୋଣ କୁହାଯାଏ)
🔴ସ୍ଲାଭିକ୍ —*drъ̏vo (ଗଛ,କାଠ)
🔴ଆଲବେନୀୟ—dru(ଗଛ,କାଠ)
🔴ସଂସ୍କୃତ — ଦର୍ଵି(କାଠର ଚଟକା ଅଣକ ଚଟୁ,କରଚୁଲୀ)
🔴ରୁଷୀ ଭାଷା— дром (drom;ବଡଗଛ)
🔴ସଂସ୍କୃତ—ଦ୍ରୁମ(ଵିଶାଳକାୟ ଵୃକ୍ଷ)
🔴ବ୍ରେଟନ୍ ଭାଷା—derv(ଓକ୍ ଗଛ)
🔴ପ୍ରାଚୀନ ଆର୍ମେନୀୟ ଭାଷା—անտառ • (antaṙ;ଜଙ୍ଗଲ)
🔴ପାର୍ସୀ —ଦାର(କାଠ)




ବହୁତ ଲୋକ ଜାଣିନଥିବେ ଯେ ଇଂରାଜୀରେ ଆଜି ଯେଉଁ tree ଶବ୍ଦଟି ଵ୍ଯଵହାର ହେଉଅଛି ତାହାର ସଂସ୍କୃତ ଦାରୁ ଶବ୍ଦ ସହ ଶାବ୍ଦିକ ସମ୍ପର୍କ ରହିଛି । ପ୍ରକୃତରେ ଇଂରାଜୀରେ tree ଶବ୍ଦଟି  tre, tree, treo, treou, trew, trow ଆଦି ଵିଭିନ୍ନ ରୂପରେ ଭିନ୍ନ ଭିନ୍ନ ସମୟରେ ଚଳୁଥିଲା । ପୁରୁଣା ଇଂରାଜୀରେ  trēo, trēow ଶବ୍ଦ ଗଛ,କାଠ, ବାଡ଼ି ଆଦି ଅର୍ଥରେ ଵ୍ଯଵହାର ହେଉଥିଲା । ତେବେ ଇଂରାଜୀର ଏହି tree ଶବ୍ଦଟି ଜର୍ମାନ୍ ମୂଳର  *trewą (“ଗଛ,କାଠ”) ଶବ୍ଦର ଆଧୁନିକ ଇଂରାଜୀ ରୂପ ଅଟେ ଏଵଂ ଆଧୁନିକ ଭାଷାଵିଦମାନଙ୍କ ଅନୁସାରେ ଜର୍ମାନ୍ *trewą ଶବ୍ଦଟି ଆଗେ *dréwom ଥିଲା ଏଵଂ ଏହାର ମୂଳ ପ୍ରାକ୍ ଭାରୋପୀୟ ଶବ୍ଦରୂପ  *dóru (“ଗଛ”) ଅଟେ ।

"ଭାରତୀୟ ଶାସ୍ତ୍ରୀୟ ନିରୁକ୍ତି ନିର୍ଣ୍ଣୟ ପ୍ରଣାଳୀ"ରେ ଦାରୁ ଶବ୍ଦର ମୂଳ "ଦୃ ଧାତୁ" ବୋଲି ନିର୍ଣ୍ଣିତ ହୋଇଅଛି । ଦୃ ଧାତୁର ନିମ୍ନୋକ୍ତ ଅର୍ଥରେ ଵ୍ଯଵହାର ଦୃଶ୍ୟ ହୁଏ ...

୧)ଵିଦୀର୍ଣ୍ଣ କରିଵା
୨)ପୂଜା କରିଵା
୩) ସମ୍ମାନ କରିଵା
୪) ଶ୍ରଦ୍ଧା କରିଵା
୫)ପାଳନ କରିଵା
୬) ଧ୍ୟାନ ଦେଵା
୭)ଭୟକରିଵା(ଦର=ଭୟ; ଏହାର ତଦ୍ଭଵ ରୂପ ଡର )
୮) ହତ୍ୟା କରିଵା
ଇତ୍ଯାଦି ଇତ୍ଯାଦି...

ସ୍କନ୍ଧ ପୁରାଣର 'ଉତ୍କଳଖଣ୍ଡ'ରେ 'ଦାରୁ'ର ବ୍ୟୁତ୍ପତ୍ତି ନିମ୍ନପ୍ରକାରେ କଥିତ ଅଛି :

⁠"ଖଣ୍ଡନାତ ସର୍ଵଦୁଃଖାନାମଖଣ୍ଡାନନ୍ଦ ଦାନତଃ ।
⁠ସ୍ୱଭାଵାଦ ଦାରୁରେଷୋ ହି ପରଂବ୍ରହ୍ମାଭିଧୀୟତେ ।" (୨୮-୩୯)

ତେବେ ଦାରୁ ଶବ୍ଦର କେଵଳ ଗଛ ଓ କାଠ ନୁହେଁ ଆହୁରି ଅନେକ ଅର୍ଥ ରହିଛି ।  ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦାରୁ ଶବ୍ଦର ନିମ୍ନୋକ୍ତ ଅର୍ଥସବୁ ଉଲ୍ଲେଖ କରାଯାଇଛି ...

🚩ଵିଶେଷ୍ଯ🚩
🔷କାଷ୍ଠ ଵା କାଠ
🔷କାଷ୍ଠ ଖଣ୍ଡ
🔷 ଜାଳଇନ୍ଧନ
🔷ଦେଵଦାରୁ ବୃକ୍ଷ
🔷ପିତ୍ତଳ
🔷ଶିଳ୍ପକର ଵା ଶିଳ୍ପୀ
🔷ବଢ଼େଇ
🔷ଦାତା ବ୍ୟକ୍ତି(ଦା ଧାତୂ)

🚩ଵିଶେଷଣ🚩
🔷ବିଦାରକ(ଦୋ ଧାତୁ)
🔷ଛେଦକ
🔷ଦାନଶୀଳ(ଦା ଧାତୁ)
🔷ଖଣ୍ଡନଶୀଳ/ ମସକା

🚩ଦେଶଜ ଵିଶେଷ୍ଯ🚩
🔷ବାରୁଦ(ପାର୍ସୀ —ବାରୁଦ)
🔷ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣରେ ଵ୍ଯଵହୃତ ନିମ୍ବ କାଠ
🔷ମଦ(ପାର୍ସୀ)
🔷ଔଷଧ(ପାର୍ସୀ; ତୁଳନା— ଦୱାଦାରୁ)
🔷ନିମ୍ବ ଗଛ(ଉତ୍ତର ଓଡ଼ିଶା)

ଆମ୍ଭ ଓଡ଼ିଆ ଭାଷାର ସାହିତ୍ୟରେ ଦାରୁ ଶବ୍ଦର ଯେତେ ଵ୍ଯଵହାର ହୋଇଅଛି ତେତେ ସଂସ୍କୃତ ଭିନ୍ନ ଅନ୍ଯ କୌଣସି ଭାରତୀୟ ଭାଷାରେ ଦୃଶ୍ୟ ହୁଏନାହିଁ ।

ଭୀମଭୋଇଙ୍କ ଏକ ଭଜନରେ ଆମେ ଦାରୁ ଶବ୍ଦର ବଡ଼ ଵୃକ୍ଷ ଅର୍ଥରେ ଵ୍ଯଵହାର ହୋଇଥିଵା ଦେଖିଥାଉ

🚩"ସତ୍ୟ ଯେବେ ସଦଗୁରୁ ଦୂଵ କରି ପାର 'ଦାରୁ'
ସିଦ୍ଧ ଵଚନ ଆଜ୍ଞାରୁ କାହାକୁ ମୋ ନାହିଁ ଭୟେ ।୩।"🚩

ପୁଣି ତାଙ୍କର ଅନ୍ଯ ଏକ ଭଜନରେ ଦାରୁ ଶବ୍ଦ କାଠ ଵା ନିମ୍ବ କାଠ ଅର୍ଥରେ ଦାରୁ ପ୍ରତିମା ଶବ୍ଦ ପ୍ରୟୋଗ ହୋଇଛି

🚩"ଦାରୁ ପ୍ରତିମା ମୂର୍ତ୍ତି ଦେବୀ ଦେବତା ସବୁଠାରୁ ଚିତ୍ତ ଛାଡିଦେଲେ ।
ମନ୍ତ୍ର ଯନ୍ତ୍ର ତନ୍ତ୍ର ଚାରିବେଦ ସବୁ ଏମାନଙ୍କୁ ଏଡି ଚାଲିଗଲେ ।।"🚩

ଭୀମଭୋଇଙ୍କ ଭଜନରେ ଯେମିତି ଦୁଵ ସହ ଦାରୁ ଶବ୍ଦର ଵ୍ଯଵହାର ହୋଇଛି ସମାନ ଭାବେ କଵି ବଳରାମ ଦାସ ତାଙ୍କ କମଳଲୋଚନ ଚଉତିଶାରେ ଏହିପରି ଭାବେ କରିଅଛନ୍ତି

🚩"ନୀଳେନ୍ଦ୍ରୀ ଜଳେ ପଦ୍ମ ଆଖି ।
ନିସ୍ତରିଯିଵା ନରେ ଦେଖି ।।
ଟେକିଲେ ଦୂବ କରେ ଦାରୁ ।
ଟାଣପଣରେ ଭାଙ୍ଗେ ମେରୁ ।।"🚩

କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଵୈଦେହୀଶ ଵିଳାସ କାଵ୍ଯରେ "ଚନ୍ଦନ ଦାରୁ" ଶବ୍ଦ ପ୍ରୟୋଗ ହୋଇଛି । ଏଠାରେ ଦାରୁ ଶବ୍ଦକୁ କଵିସମ୍ରାଟ ଗଛ ଅର୍ଥରେ ଵ୍ଯଵହାର କରିଛନ୍ତି ।

🚩ଵିଦୁର ଲକ୍ଷ୍ମଣ ଘନ ପଵନ ଭଗ୍ନ ଚନ୍ଦନ ଦାରୁ ଆଣି ଚାରୁଵାସ ବିହି ଯେ ।
ଵିଦ୍ରୁମେ ତାହାର ଛାଇ ବାଡ଼ ନଳଦରେ ଦେଇ କସ୍ତୁରୀ ଗୈରିକେ ଚିତ୍ର ଲିହି ଯେ । ୩ ।🚩
(ଵୈଦେହୀଶ ଵିଳାସ)

ଅତିବଡ଼ ଜଗନ୍ନାଥ ଦାସଙ୍କ ଭାଗଵତର ଅନେକ ସ୍ଥାନରେ ଦାରୁ ଶବ୍ଦଟି କାଠ ଅର୍ଥରେ ଵ୍ଯଵହୃତ ହୋଇଅଛି ।
ଯଥା—

🚩ସଂସାର ନିସ୍ତାରଣ ସାଧ୍ଯେ
ଅନଳ ଯେହ୍ନେ ଦାରୁ ମଧ୍ୟେ ।"🚩
(ସପ୍ତମ ସ୍କନ୍ଧ,ଭାଗଵତ)

🚩ଦାରୁ-ସଂଯୋଗେ ଅଗ୍ନି ଯେହ୍ନେ ।
ତେଜ ପ୍ରକାଶେ ଅନୁଦିନେ ।।🚩
(ଅଷ୍ଟମ ସ୍କନ୍ଧ,ଭାଗଵତ)

🚩ପତ୍ର କୁସୁମ ଫଳ ଛାଇ ।
ମୂଳ ବକଳ ଦାରୁ ଦେଇ ।।🚩
(ଦଶମ ସ୍କନ୍ଧ ଭାଗଵତ)

🚩ଦାରୁ ପାଷାଣ ଧାତୁମୟୀ ।
ଲେପ ଲେଖନ ଯେତେ ହୋଇ ।।🚩
(ଏକାଦଶ ସ୍କନ୍ଧ ଭାଗଵତ)

ସାରଳା ମହାଭାରତରେ ମଧ୍ୟ ସାରଳା ଦାସ ଦାରୁ ଶବ୍ଦକୁ ବଡ଼ଗଛ ଵା ଦ୍ରୁମ ଅର୍ଥରେ ପ୍ରୟୋଗ କରିଯାଇଛନ୍ତି ।

🚩ଵୃକ୍ଷକୁ ଚାହିଂଲା ଅଟଇ କେଡେ ଦାରୁ
ମନେ ମନେ ଵିଚାରି ହସିଲା ରାଜା ଗୁରୁ ।।🚩
(ଆଦିପର୍ଵ, ସାରଳା ମହାଭାରତ)

ଆଧୁନିକ ଯୁଗରେ ଦାରୁ ଶବ୍ଦଟି ଆମଭାଷାର କଥିତ ଭାଷାରେ କ୍ରମେ ବାରୁଦ, ଔଷଧ ଓ ମଦ ଅର୍ଥରେ ଵ୍ଯଵହାର ହେଵାକୁ ଲାଗିଲା

ବ୍ରଜନାଥ ବଡ଼ଜେନା ତାଙ୍କ ସମରତରଙ୍ଗରେ ବାରୁଦ ଅର୍ଥରେ
ଦାରୁ ଶବ୍ଦର ଵ୍ଯଵହାର କରିଯାଇଛନ୍ତି...

🚩କାଣ୍ଡ ଗୁଳା ଯାରୁ ଗୁଳି,
ଚାଉଳ କିରି କଦଳୀ
ତମାଖୁ ଲୁଣ ଆଦି ଆଗ ସେ
କିରିହପାଳଠାରୁ ଦେଲେ ଚାଳି।🚩

କିଛି ଵର୍ଷ ତଳେ ଏକ ଡହରା ଗୀତ ବି ଆସିଥିଲା ଯହିଁରେ ଦାରୁ ଶବ୍ଦକୁ ମଦ ଅର୍ଥରେ ପ୍ରୟୋଗ କରାଯାଇଥିଲା...

"ଦାରୁ ଦାରୁ ଦାରୁ ଦେ ଦାରୁ" 😂




ତେବେ ଶ୍ରୀଜଗନ୍ନାଥଙ୍କୁ ଆମେ ଦାରୁ ଦିଅଁ ଓ ଦାରୁବ୍ରହ୍ମ କହିଥାନ୍ତି । ସାଧାରଣ ମତାନୁସାରେ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ
ନିମ୍ବଦାରୁରେ ଗଠିତ ହେଉଥିଵା ହେତୁ ତାଙ୍କୁ ଏପରି ଅଭିହିତ କରାଯାଇଛି କିନ୍ତୁ ଆଧ୍ୟାତ୍ମିକ ଵ୍ଯାଖ୍ଯାକାରଙ୍କ ମତରେ

'ଦାରୁ' ଶବ୍ଦକୁ 'ଦୃ' ଧାତୁ,  'ଦା' ଧାତୁ ଓ 'ଦୋ' ଧାତୁରୁ ନିଷ୍ପନ୍ନ କରାଯାଇଛି ।
🔸 'ଦୃ' ଧାତୁର ଅର୍ଥ ଵିଦୀର୍ଣ୍ଣ କରିଵା,ପୂଜା କରିଵା,ପାଳନ କରିଵା

🔸'ଦା'ର ଅର୍ଥ ଦାନ କରିଵା

🔸 'ଦୋ' ଧାତୁର ଅର୍ଥ ଖଣ୍ଡନ କରିଵା

ସୁତରାଂ, ଯିଏ ସଂସାରର ପାଳନକର୍ତ୍ତା,ଯିଏ ସର୍ଵଜୀଵଙ୍କ ଦ୍ଵାରା ପୂଜନୀୟ,ଯିଏ ପାପୀଙ୍କର ପାପକୁ ଵିଦୀର୍ଣ୍ଣ କରିଦିଅନ୍ତି,
ଯେ ଅଖଣ୍ଡ ଆନନ୍ଦ ଦାନ ଓ ସର୍ବଦୁଃଖ ଖଣ୍ଡନକାରୀ ସେ ହେଉଛନ୍ତି ଦାରୁବିଗ୍ରହରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...