Thursday, April 15, 2021

ଟମାଟୋ ଓ ପାତଲଘଣ୍ଟା

ଟମାଟ,ଟମାଟୋ ଵା ଟମାଟର ଆମ ଦେଶର ଫଳ/ପରିଵା ନୁହେଁ ଏହା ସ୍ପେନ ଦେଶର ଲୋକମାନଙ୍କ ଦ୍ଵାରା ଷୋହଳଶହ ଶତାବ୍ଦୀରେ  ଆମେରିକାରୁ ଆନିତ ହୋଇ ସାରା ଵିଶ୍ଵରେ ଲୋକପ୍ରିୟ କରାଯାଇଥିଲା । କୁହାଯାଏ ସ୍ପେନୀୟ ଵିଜେତା Hernán Cortés ପ୍ରଥମେ ଏକ ଜାତୀୟ ହଳଦିଆଵର୍ଣ୍ଣର ଟମାଟୋକୁ ଆଜଟେକ୍ ନଗର Tenochtitlan ଵା ଆଜିର ମେକ୍ସିକୋରୁ ୧୫୨୧ ଖ୍ରୀଷ୍ଟାବ୍ଦରେ ଆଣିଥିଲେ ।  ହଳଦିଆ ରଙ୍ଗର ବିଲାତି ବାଇଗଣକୁ ସେତେବେଳେ "pomi d'oro" ନାମ ଦିଆଯାଇଥିଲା ଯାହା ଆଜି ବି ଅନେକ ଭାଷାରେ ପ୍ରଚଳିତ ଏଵଂ ଏହାର ଆକ୍ଷରିକ ଅର୍ଥ "ସ୍ଵର୍ଣ୍ଣ ସେଓ" ଅଟେ । ତେବେ ଇଂଲଣ୍ଡରେ ୧୫୯୦ ମସିହା ଯାଏଁ ଟମାଟୋ ଗଛ ଲଗାଯାଇନଥିଲା ।  ଇଂଲଣ୍ଡକୁ ଟମାଟୋ ଆଣିଵାର ଶ୍ରେୟ ଓ୍ଵଲଟର ରାଲେଙ୍କୁ ଦିଆଯାଏ ତେବେ ପ୍ରଥମେ ପ୍ରଥମେ ଏହାକୁ ଇଂଲଣ୍ଡରେ ଵିଷାକ୍ତ ଵିଚାର କରି ଖାଉନଥିଲେ ଏଵଂ କେଵଳ ମାତ୍ର ଉଦ୍ୟାନର ସୌନ୍ଦର୍ଯ୍ୟ ବୃଦ୍ଧି ହେତୁ ଲଗାଉଥିଲେ  । ସେତେବେଳେ ଏହାର ରଙ୍ଗ ଯୋଗୁଁ ଏହାକୁ love apple କୁହାଯାଉଥିଲା । ଇଂଲଣ୍ଡର ଧନୀକମାନେ ଯେଉଁ ଧାତଵ ଵାସନରେ ଖାଉଥିଲେ ସେଥିରେ lead ଵା ସୀସାଧାତୁର ପରିମାଣ ଅଧିକ ରହୁଥିଲା ଫଳରେ ତହିଁରେ ଟମାଟୋ ଖାଇଲେ ତାହା ପେଟ ପାଇଁ ଵିଷାକ୍ତ ହୋଇଯାଉଥିଲା ତେଣୁ ଟମାଟୋ ଵିଷାକ୍ତ ବୋଲି ମାନ୍ୟତା ଚଳୁଥିଲା । ତେବେ ଇଂଲଣ୍ଡର ଦରିଦ୍ରଲୋକେ ଧନୀକଙ୍କ ପରି ପ୍ରୋକ୍ତ ଵାସନରେ ଏ ଫଳକୁ ଖାଉନଥିଵାରୁ ଗରିଵ ଲୋକଙ୍କ ମଧ୍ୟରେ ଧୀରେ ଧୀରେ ଏହା ଲୋକପ୍ରିୟ ହେଵାକୁ ଲାଗିଲା ଏଵଂ ଏହାର ନାମ ରଖାଗଲା "poor mens apple" ।

ଦକ୍ଷିଣ ପୂର୍ଵ ଏସିଆରେ ସ୍ପେନ ଦେଶୀୟ ଲୋକଙ୍କ ଦ୍ଵାରା ଟମାଟର ପ୍ରଥମେ ଆନିତ ହୋଇଥିଲା ଏଵଂ ପରେ ଏହା ସେଠାରୁ ସାରା ଏସିଆ ମହାଦେଶରେ ଵ୍ୟାପିଗଲା ।  ଚୀନ ଦେଶକୁ ଟମାଟୋ ଫିଲିପାଇନସ କିଂଵା ମକାଓଠାରୁ ଆସି ପହଞ୍ଚିଲା ତେବେ ଚୀନାମାନେ ତାକୁ fānqié ନାମ ଦେଲେ ଯାହାର ଆକ୍ଷରିକ ଅର୍ଥ barbarian eggplant ଅଟଇ । ଆଜି ଚୀନ ଵିଶ୍ଵରେ ଟମାଟୋ ଉତ୍ପାଦନରେ ପ୍ରଥମ ହୋଇଥିଵାବେଳେ ଭାରତ ଦ୍ଵିତୀୟ ଓ ତୁର୍କୀ, ଯୁକ୍ତରାଷ୍ଟ୍ର ଆମେରିକା ଓ ଇଜିପ୍ଟ ଯଥାକ୍ରମେ ତୃତୀୟ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି। ଭାରତରେ ବିଲାତି ବାଇଗଣର ଟମାଟୋ ଓ ଟମାଟର ନାମ ଵିଶେଷ ଲୋକପ୍ରିୟ ତେବେ ବହୁତ ଲୋକ ଜାଣିନଥିବେ ଯେ ପ୍ରକୃତରେ ଟମାଟୋ ଶବ୍ଦଟି ମୂଳତଃ ଏକ ଇଂରାଜୀ ଵା ୟୁରୋପୀୟ ଶବ୍ଦ ନୁହେଁ ଵରଂ ଏହା ପ୍ରାଚୀନ ଆମେରକୀୟ ଆଜଟେକ୍ସ ଜାତୀୟ ଲୋକଙ୍କ Nahuatl ଭାଷାର ଏକ ଶବ୍ଦ  tomatlର ଆଧୁନିକ ରୂପ ଅଟେ । ପ୍ରଥମେ Nahuatl ଭାଷାର tomatl ଶବ୍ଦଟି ସ୍ପେନୀୟ ଭାଷାରେ tomate ହୋଇଥିଲା ଯାହା ଇଂରାଜୀରେ ଅନ୍ୟ ଏକ ଆମେରକୀୟ ପାଦପ potato(ଗୋଲ ଆଳୁ) ଆଧାରରେ ଟମାଟୋରେ ପରିଵର୍ତ୍ତିତ ହୋଇଅଛି ।

ଓଡ଼ିଶାରେ ଟମାଟୋ ଏକ ବାଇଗଣ ଜାତୀୟ ପାଦପ ହୋଇଥିଵାରୁ ଏଵଂ ବିଲାତରୁ ଏହାକୁ ଅଣାଯାଇଥିଵାରୁ ଏହାକୁ ବିଲାତି ବାଇଗଣ ନାମ ଦିଆଯାଇଛି । ସେହିପରି ଉତ୍ତର ଭାରତରେ ମଧ୍ୟ ଆଗେ ଏହାକୁ ବିଲାୟତି ଭଣ୍ଟା(ବାଇଗଣ) କୁହାଯାଉଥିଲା କିନ୍ତୁ ଅଧୁନା ଏ ଶବ୍ଦ ହିନ୍ଦୀଭାଷୀଙ୍କ କଥିତ ଭାଷାରୁ ପ୍ରାୟତଃ ଲୁପ୍ତ ହୋଇସାରିଛି । ଟମାଟରକୁ ଓଡ଼ିଶାର କେତେକ ଅଞ୍ଚଳରେ ବିଲାତି ବାଇଗଣ ନକହି କେଵଳ ବିଲାତି,ବିଲାଇତି,ବିଲେଇତି ଇତ୍ୟାଦି ମଧ୍ୟ କୁହାଯାଏ ।  ଓଡ଼ିଶାର ଦକ୍ଷିଣ ପଶ୍ଚିମ ଭାଗରେ ବିଲାତି ବାଇଗଣକୁ ଭେଦରା,ଭେଦରୀ ଓ ଭେଜରୀ ଇତ୍ୟାଦି କୁହାଯାଏ । ଏ ସମସ୍ତ ଶବ୍ଦ ତତ୍ସମ ବର୍ତ୍ତକୀ ତଥା ଓଡି଼ଆ ଭେଜୀ ଶବ୍ଦ ସହିତ ସମଦ୍ଧୃତ । ଓଡ଼ିଆ ଭାଷାରେ ଏକ ପ୍ରକାରର ବାଇଗଣ ଜାତୀୟ ପାଦପକୁ ଭେଜି ବାଇଗଣ କୁହାଯାଏ ସେହିପରି ବିଲାତି ବାଇଗଣ ସାଦୃଶ୍ୟ କଣ୍ଟାଯୁକ୍ତ ଏକ ଜାତୀୟ ଭାରତୀୟ ପାଦପକୁ ଭେଜରୀ କୁହାଯାଇଥାଏ ।

ପୂର୍ଵ ଓଡ଼ିଶାରେ ଵିଶେଷତଃ କଟକ ଓ ଏହାର ଆଖପାଖ ଅଞ୍ଚଳରେ ୧୯୮୦ ମସିହା ସୁଦ୍ଧା ବିଲାତି ବାଇଗଣକୁ ପାଚଲ ଓ ପାଚଲଘଣ୍ଟା କୁହାଯାଉଥିଲା ‌। ତେବେ ସ୍ଥାନୀୟ କଟକୀ କଥିତ ଭାଷାରେ ଟମାଟର ଓ ବିଲାତି ବାଇଗଣ ଆଦି ଶବ୍ଦର ବହୁଳ ପ୍ରୟୋଗ ଯୋଗୁଁ ଏ ଶବ୍ଦଦ୍ଵୟ ଏଠାକାର ଗ୍ରାମାଞ୍ଚଳରେ ରହୁଥିଵା ବୁଢ଼ାବୁଢ଼ଙ୍କ ମୁଖରୁ କ୍ଵଚିତ୍ ଶୁଣାଯାଏ ।

ପଶ୍ଚିମ ଓଡ଼ିଶାରେ ବିଲାତି ବାଇଗଣକୁ ପାତଲ୍ ଘଣ୍ଟା କୁହାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୪୭୫୪ତମ ପୃଷ୍ଠାରେ ଏ ଶବ୍ଦ ସ୍ଥାନିତ ହୋଇଛି ଏଵଂ ଏ ଶବ୍ଦର ଅନ୍ୟ ପ୍ରତିରୂପ ମଧ୍ୟ ସେଠାରେ ଉଲ୍ଲେଖ କରାଯାଇଛି  ଯଥା—

🔹ପାତଲ୍ ଘଣ୍ଟା
🔸ପାତଲ୍ ଭଁଟା
🔹ପାତଲ୍ ଭଣ୍ଟା
🔸ପାତଲ୍ ଭାଁଟା
🔹ପାତଲ୍ ଭାଣ୍ଟା
🔸ପାତଲ୍'ଘଟା

ପାତଲ୍ ଘଣ୍ଟା ଶବ୍ଦର  ଅନେକ ରୂପ ଭଳି ଏ ଶବ୍ଦର ସୃଷ୍ଟିକୁ ନେଇ ମଧ୍ୟ  ନାନା ମତ ରହିଛି । ନିମ୍ନରେ ତନ୍ମଧ୍ୟରୁ କେତେକ ମତ ଵିଷୟରେ ସଂକ୍ଷିପ୍ତ ଆଲୋଚନା କରାଗଲା ।

⬛ମତ [ଏକ]=> ପାତଲ୍ ଅଟେ ଆଵରଣ+ ଘଣ୍ଟା<ଭଣ୍ଟା(ବାଇଗଣ)⬛

ସମ୍ବଲପୁରୀ ଓଡ଼ିଆରେ ପାତଲ୍ ଶବ୍ଦର ଅର୍ଥ ପତଳା ,କ୍ଷୀଣ ଓ ସରୁଆ । ବିଲାତି ବାଇଗଣର ଉପର ଆଵରଣ ଦେଶୀୟ ବାଇଗଣ ଅପେକ୍ଷା ଅତିସରୁ,କ୍ଷୀଣକାୟ ଓ ପତଳା ହୋଇଥାଏ । ତେଣୁ କିଛି ଲୋକଙ୍କ ମତ ଯେ "ପତଳା" ଅର୍ଥଜ "ପାତଲ୍" ସହ "ଭଣ୍ଟା" ଶବ୍ଦର ଏକ ଦେଶଜ ରୂପ "ଘଣ୍ଟା" ଯୁକ୍ତ ହୋଇ ପାତଲ୍ ଘଣ୍ଟା ଶବ୍ଦ ସୃଷ୍ଟି ହୋଇଅଛି । ପ୍ରକାଶ ଥାଉକି ‘ଭଣ୍ଟା’ ଶବ୍ଦଟି ଉତ୍ତର ଭାରତର ଵିଭିନ୍ନ କଥିତ ଭାଷାରେ ବାଇଗଣ ଅର୍ଥରେ ଵ୍ୟଵହୃତ ହୋଇଥାଏ ।

⬛ମତ[ଦୁଇ]ପାତାଳର ଭଣ୍ଟା ଜାତୀୟ ପରିଵା ⬛

ବିଲାତି ବାଇଗଣ ଆମ ଦେଶର ଫଳ ନୁହେଁ । ଏହା ମୂଳତଃ ଆମେରିକାରୁ ଅଣାଯାଇ ଆମ ଦେଶରେ ଚାଷ କରାଯାଇଛି । ପୁରାଣରେ ସପ୍ତ-ପାତାଳର କାହାଣୀ ରହିଛି । କିଛି ଲୋକଙ୍କ ଅନୁସାରେ ମାଟି ତଳେ ସପ୍ତ ପାତାଳ ଅଵସ୍ଥିତ ତେଵେ ଆଉ କିଛି ଲୋକ କୁହନ୍ତି ପ୍ରାଚୀନ ତଥା ହିଂସ୍ର ମାନଵଜାତିଙ୍କ ଦ୍ଵାରା ଵସଵାସ କରାଯାଉଥିଵା ବଡ଼ ଦ୍ଵୀପ ଓ ମହାଦେଶଗୁଡି଼କୁ ସନାତନୀ ପୁରାଣକାରମାନେ ପାତାଳ ଅଭିହିତ କରିଅଛନ୍ତି । ସେମାନଙ୍କ ମତରେ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା,ଆଣ୍ଟାର୍କଟିକା, , ଅଷ୍ଟ୍ରେଲିଆ,ଆରବ,ଇରାକ ଓ ଆଫ୍ରିକାର କିଛି ଅଂଶକୁ ସେତେବେଳର ପୁରାଣରେ ପାତାଳ ଅଭିହିତ କରାଯାଇଥିଵା ସମ୍ଭଵ । ଏସବୁ ଅଞ୍ଚଳରେ ଏମିତି ମାନଵ ସଭ୍ୟତା ଗଢିଉଠିଥିଲା ଯେଉଁମାନେ ବହିରାଗତଙ୍କ ପ୍ରତି ହିଂସ୍ର ଵ୍ୟଵହାର କରୁଥିଲେ । ଆରବରେ ଓ ଇରାକ୍'ରେ ବାର୍ବାରିକ ଓ ଆସିରୀୟ ଲୋକେ ହିଂସ୍ର ଓ ଦୁର୍ଦ୍ଧାନ୍ତ ଥିଵା ଜଣାଯାଏ । ଏଣୁ ଯେହେତୁ ବିଲାତି ବାଇଗଣ ଆମେରିକା ମହାଦେଶର ପାଦପ ଏଵଂ ଆଧୁନିକ ଯୁଗରେ ଏହାର ଆଵିଷ୍କାର ପରେ ଏହାକୁ ଏକ ପାତାଳ ଭାଵରେ ଭାରତୀୟ ଲୋକେ ଅନୁମାନ କରିଥିଲେ ତେଣୁ ସେମାନେ ବିଲାତି ବାଇଗଣର ,ପାତାଳର ଭଣ୍ଟା = ପାତାଳଘଣ୍ଟା ନାମକରଣ କରିଥାଇପାରନ୍ତି । ପାତାଳ ଶବ୍ଦ ସହ ଯୁକ୍ତ ଘଣ୍ଟା ଶବ୍ଦଟି ଭଣ୍ଟାକୀ ଶବ୍ଦର ଏକ ରୂପ ହୋଇଥିଵ କିଂଵା ଘଣ୍ଟାର ପେଣ୍ଡୁଲିୟମ୍ ପରି ଏ ଫଳଟି ତଳକୁ ଓହଳି ଥିଵାରୁ ପାତାଳ ଶବ୍ଦ ସହ ଘଣ୍ଟା ଶବ୍ଦ ଯୋଡ଼ା ହୋଇଥାଇପାରେ ।

⬛ମତ[ତିନି]ତରଳିଆ ଶସ ଯୁକ୍ତ ଭଣ୍ଟା/ପାତଳ+ଭଣ୍ଟା=>ପାତଲଘଣ୍ଟା⬛

ଓଡ଼ିଆ ଭାଷାରେ ପାତଳ ବୋଲି ଶବ୍ଦଟିଏ ଅଛି । ଆମ ଭାଷାରେ ଏହି ଶବ୍ଦର ଅନେକ ଅର୍ଥରେ ଵ୍ୟଵହାର ରହିଛି ! ଯଥା—
କ)ପାଦ ତଳ
ଖ)ପାଆତଳିଆ/ପାଦତଳସ୍ଥିତ(ଵିଶେଷଣ)
ଗ)ଅନୁଗତ
ଘ)ଅତି ହୀନ
ଙ)ପତଳା ଵା ସରୁ(ସମ୍ବଲପୁରୀ ଓଡ଼ିଆରେ ଏହି ଓଡ଼ିଆ ଶବ୍ଦ ପାତଲ୍ ହୋଇଅଛି )
ଚ)କୃଶ ଵା ଶୀର୍ଣ୍ଣକାୟ
ଛ) ଜଳରେ ଗୋଳିଆ ହୋଇଥିଵା
ଜ)ଜଳୀୟ ଵା ତରଳ*
ଝ)ଅଘନ

ଏହି ପାତଳ ଶବ୍ଦଟି ପତଳା ଵା ସରୁ ଅର୍ଥ ଛଡ଼ା ଜଳୀୟ ଵା ତରଳ ଅର୍ଥରେ ମଧ୍ୟ ଵ୍ୟଵହାର ହୋଇଥାଏ । ସେଇଥିପାଇଁ "ଯାଉ(ଯଵାଗୂ)"କୁ ଆମ ଭାଷାରେ "ପାତଳ ଭାତ" କୁହାଯାଏ କାରଣ ସାଧାରଣ ଭାତ ଶୁଷ୍କ ହୋଇଥିଵାବେଳେ ଯାଉଭାତରେ ଜଳୀୟ ଅଂଶ ରହିଥାଏ । ଦେଶୀୟ ବାଇଗଣ ପାଚି ଧୀରେ ଧୀରେ ଶୁଖିଯାଏ କିନ୍ତୁ ବିଲାତି ବାଇଗଣ ପାଚିଲେ ଈଷତ ଲାଲ ଵର୍ଣ୍ଣ ଧାରଣ କରେ ଏଵଂ ତା ମଧ୍ୟରେ ମଞ୍ଜି ସହ ତରଳ ପଦାର୍ଥ ସୃଷ୍ଟି ହୋଇଥାଏ । ସମ୍ଭଵତଃ ବିଲାତି ବାଇଗଣରେ ତରଳ ଶସ ମିଳୁଥିଵାରୁ ଜଳୀୟ ଅର୍ଥରେ ପାତଳ ଶବ୍ଦର ଵ୍ୟଵହାର କରାଯାଇଥିଲା ଏଵଂ ତାହା ସହ ବାଇଗଣ ଅର୍ଥଜ ତତ୍ସମ ଭଣ୍ଟାକୀ ଶବ୍ଦ ଯୋଡ଼ା ଯାଇଥିଲା ଯାହା ସମୟାନୁକ୍ରମେ କେତେକ ଅଞ୍ଚଳରେ ଘଣ୍ଟା ହୋଇଅଛି ।

⬛ମତ[ଚାରି]ପାଚଳ=ଖଟା+ଘଣ୍ଟା=>ପା(ଚ/ତ)ଲଘଣ୍ଟା ⬛

କିଛି ଲୋକଙ୍କ ଅନୁସାରେ ପାତଲ୍ ଘଣ୍ଟା ଶବ୍ଦ ମଧ୍ୟରେ ଥିଵା ପାତଲ୍ ଶବ୍ଦଟି ଏକ ପ୍ରାଚୀନ ଓଡ଼ିଆ ଶବ୍ଦ "ପାଚଳ" ର ଆଧୁନିକ ରୂପ ଅଟେ । ପ୍ରକୃତରେ ଏହି ଓଡ଼ିଆ ଖଟା ଅର୍ଥଜ ପାଚଳ ଶବ୍ଦଟି ସଂସ୍କୃତର ସମାର୍ଥକ "ପାଚନ" ସହିତ ସମଦ୍ଧୃତ ଅଟେ ।   ଓଡିଆ ମହାଭାରତରେ ତଥା ଅନ୍ଯାନ୍ଯ ପୁରାତନ ଓଡ଼ିଆ ଗ୍ରନ୍ଥରେ ପାଚଲ ଶବ୍ଦଟି ଖଟା ବା ଆମ୍ବିଳ ଅର୍ଥରେ ଵ୍ୟଵହୃତ ହୋଇଅଛି । ବିଲାତି ବାଇଗଣ ଖଟାଳିଆ ହୋଇଥିଵାରୁ ଏଵଂ ଖଟାରେ ଘଣ୍ଟା ହେଉଥିଵାରୁ ଏହାକୁ ଆଗେ ପୂର୍ଵାଞ୍ଚଳରେ  ପାଚଲଘଣ୍ଟା ଵା କେଵଳ ପାଚଲ୍ କହୁଥିଲେ  । 'ଚ' ଓ 'ତ' ଵର୍ଣ୍ଣ ପରସ୍ପର  ପରିଵୃତ୍ତ ହେଇପାରନ୍ତି ତେଣୁ ପୂର୍ଵାଞ୍ଚଳର ପାଚଲଘଣ୍ଟା ଶବ୍ଦଟି ପଶ୍ଚିମାଞ୍ଚଳରେ ପାତଲଘଣ୍ଟା ହୋଇଅଛି ।

⬛ମତ[ପାଞ୍ଚ]ପାଚଲ=ପାଚିଲା ଖଟା ପରିଵା+ଘଣ୍ଟା⬛

ଓଡ଼ିଆ ଭାଷାରେ ‘ପାଚଳ’ ଶବ୍ଦର ଅର୍ଥ “ଵିନା ଅଗ୍ନି ସହାୟତାରେ ପକ୍ଵ ଖାଦ୍ୟଦ୍ରଵ୍ୟ” ଏଵଂ ‘ପାଚଲ’ ଶବ୍ଦର ଅର୍ଥ “ଘାଣ୍ଟିଆ ତିଅଣ ଵା ଆମ୍ବିଳ ତିଅଣ” ଓ ‘ଵିହନ’ । ତତ୍ସମ ‘ପାଚଳ’ ଶବ୍ଦ ସହ ଓଡ଼ିଆ ‘ପାଚଲ’,‘ପାଚିଲା’ ଓ ‚'ପାକଲା' ଇତ୍ୟାଦି ଶବ୍ଦ ସମଦ୍ଧୃତ ଅଟେ ।
କିଡନୀ ଫ଼େଲ୍ ଵା ବୃକ୍କ ଅପକାର୍ଯ୍ୟ ରୋଗୀଙ୍କୁ ଖାଦ୍ୟ ମଧ୍ୟରେ ଆମିଷ, ପାଚିଲା ଫଳ ମନା ଓ ତା ସହ ପରିବା ମଧ୍ୟରେ ଟମାଟୋ ମଧ୍ଯ ମନା l ତେବେ "ଫଳ ତ ମନା ପରିବା ଭିତରେ ଟମାଟୋ କାହିଁକ ମନା ?" କାରଣ "ଫଳ ପାଚିବା ପରି ଟମାଟୋ ବି ପାଚିଥାଏ  l" ନୟାଗଡ଼, କଟକ, ଢେଙ୍କାନାଳରେ ପାଚେ ବୋଲି ସେଠାକାର ଲୋକେ ତେଣୁ ଟମାଟୋକୁ 'ପାଚଲ' କହନ୍ତି l  କଟକର ପୁରପଲ୍ଲୀରେ ଅଦ୍ୟାାବଧି କିଛି ଅଞ୍ଚଳରେ ପାଚଲଘଣ୍ଟା ଶବ୍ଦର ପ୍ରଚଳନ ରହିଛି ଏଵଂ ଏଇ ମାତ୍ର କୋଡି଼ଏ ତିରିଶ ଵର୍ଷ ପୂର୍ଵେ ନୟାଗଡ଼ ଜିଲ୍ଲାରେ ମଧ୍ୟ ଟମାଟୋକୁ ପାଚଲଘଣ୍ଟା କହୁଥିଲେ ବୋଲି ଅନୁସନ୍ଧାନରୁ ଜଣାଯାଏ। ସମ୍ଭଵତଃ "ପାଚିଲା" ଅର୍ଥରେ "ପାଚଲ" ଶବ୍ଦଟି ପାଚଲଘଣ୍ଟା ଶବ୍ଦରେ ଵ୍ୟଵହାର ହୋଇଅଛି । ସମ୍ଭଵତଃ  ଘାଣ୍ଟତିଅଣରେ ଆମ୍ବିଳ ଖଟା ଭାଵରେ ଵ୍ୟଵହାର ହେଉଥିଵାରୁ ଘଣ୍ଟା ଶବ୍ଦଟି ସେହି ଅର୍ଥ ଆଧାରରେ ପାଚଲ ଶବ୍ଦ ସହ ଯୋଡ଼ା ହୋଇଅଛି ।

⬛ମତ[ଛଅ]ପଚ୍ ପଚ୍ ଶବ୍ଦଜ ତେଣୁ ପାଚଲ ଵା ପାତଲ+ଘଣ୍ଟା ଵା ଭଣ୍ଟା⬛

କିଛି ଲୋକଙ୍କ ଅନୁସାରେ ବିଲାତି ବାଇଗଣ  ପାଚିଲେ ପଚ୍ ପଚ୍ ପୁଚପୁଚିଆ ଗୁଣକୁ ପ୍ରାପ୍ତ କରିଥାଏ । ବିଲାତି ବାଇଗଣ ଅତି ପାଚିଗଲେ ତାକୁ ଯଦି ଆଙ୍ଗୁଠି  ଦ୍ଵାରା ଅତିଶୟ ଚାପ ପ୍ରୟୋଗକରି ଚିପାଯାଏ ତେଵେ ତାହା ପଚ୍ ଶବ୍ଦ ସୃଷ୍ଟି ସହ ଫାଟିଯାଏ । ବିଲାତି ବାଇଗଣକୁ ନିଆଁ ମଧ୍ୟରେ ପୋଡ଼ାଗଲେ ମଧ୍ୟ ଏହା ମଧ୍ୟରେ ଥିଵା ଜଳୀୟ ଅଂଶ ଯୋଗୁଁ ପଚ୍ ପଚ୍ ଶବ୍ଦ ଉତ୍ପନ୍ନ ହୋଇଥାଏ । ସମ୍ଭଵତଃ ଏଥିପାଇଁ ଏହି ପଚ୍ ପଚ୍ ଶବ୍ଦ ସୃଷ୍ଟିକାରୀ ପରିଵାକୁ ପୂର୍ଵାଞ୍ଚଳରେ ପାଚଲ ଵା ପଚଲ୍ କୁହାଯାଏ ଏଵଂ ଏହି ଶବ୍ଦର ଅନ୍ୟ ଏକ ରୂପ ପଶ୍ଚିମାଞ୍ଚଳରେ ପାତଲ୍ ହୋଇ ପ୍ରଚଳିତ ଥିଲା ।

⬛ମତ[ସାତ]ପାଟଳ(ଈଷତ ଲାଲ ରଙ୍ଗ)>ପାତଳ>ପାତଲ୍+ଭଣ୍ଡାକି>ଭଣ୍ଟା>ଘଣ୍ଟା⬛

ସଂସ୍କୃତରେ ପାଟଳ ବୋଲି ଶବ୍ଦଟିଏ ଅଛି ଯାହା "ଫକା ନାଲି","ଶ୍ବେତ ରକ୍ତବର୍ଣ୍ଣ" ଵା "ଈଷତ ଗୋଲାପି ରଙ୍ଗ" ଅର୍ଥରେ ଵ୍ୟଵହୃତ ହୋଇଥାଏ । ଇଂରାଜୀରେ ଏହି ରଙ୍ଗକୁ Pale red colour ଵା  whitish red colour କୁହାଯାଏ । ଏହି ରଙ୍ଗଟି ଠିକ୍ ଟମାଟୋ 🍅 ରଙ୍ଗ ପରି ହୋଇଥାଏ । ନାଗେଶ୍ଵର ଗଛ(Mesua ferrea)ର କଅଁଳ ପତ୍ର ଅତି ଈଷତ ଶ୍ଵେତ ରକ୍ତଵର୍ଣ୍ଣର ହୋଇଥାଏ ବୋଲି ତାକୁ ମଧ୍ୟ ପାଟଳଗଛ କୁହନ୍ତି । ଏକ ଜାତୀୟ ସେଵତୀ ପୁଷ୍ପ ଈଷତ ଗୋଲାପି ରଙ୍ଗର ହେଉଥିଵା ହେତୁ ତାକୁ ପାଟଳ କୁହାଯାଏ । ସେହିପରି Stereospermum chelonoides ଗଛକୁ ମଧ୍ୟ ଏହାର ଫିକା ଗୋଲାପି ରଙ୍ଗର ପୁଷ୍ପ ଯୋଗୁଁ ପାଟଳିପୁଷ୍ପ କୁହାଯାଏ । ତେଣୁ ସମ୍ଭଵତଃ ଟମୋଟୋର ଉପର ଆଵରଣ ଫିକା ନାଲି ରଙ୍ଗର ହେଉଥିଵାରୁ ଏହାକୁ ଏହାର ରଙ୍ଗ ଆଧାରରେ ସମାଜର ପଣ୍ଡିତଵର୍ଗଙ୍କ ଦ୍ଵାରା "ପାଟଳ ଭଣ୍ଡାକି" ନାମକରଣ କରାଯାଇଥିଲା । ତେବେ ସମୟକ୍ରମେ ଓଡ଼ିଆ ଭାଷାର ଶବ୍ଦ ପରିଵୃତ୍ତି ପ୍ରକ୍ରିୟା ଯୋଗୁଁ ପାଟଳ ଶବ୍ଦ ପାତଳ ଓ ପରେ ପାତଲ୍ ରେ ପରିଵୃତ୍ତ ହୋଇଥିଵାବେଳେ ବାଇଗଣ ଅର୍ଥଜ ତତ୍ସମ ଭଣ୍ଟାକୀ ଶବ୍ଦ ଭଣ୍ଟା,ଭାଁଟା ,ଘଣ୍ଟା ଓ ଘଟା ଇତ୍ୟାଦିରେ ପରିଵର୍ତ୍ତିତ ହୋଇଅଛି ।

ଏହିପରି ଭାବେ ଟମାଟୋ ଅର୍ଥରେ ଵ୍ୟଵହୃତ ପାଚଲଘଣ୍ଟା ଵା ପାତଲଘଣ୍ଟା ଶବ୍ଦର ନିରୁକ୍ତି ସମ୍ବନ୍ଧରେ ନାନା ମତ ପ୍ରକାଶ ପାଇଥାଏ ଏଵଂ ଵ୍ୟାଖ୍ୟା ଦୃଷ୍ଟିରୁ ଅଧିକାଂଶ ମତ ଯୁକ୍ତିଯୁକ୍ତ ମଧ୍ୟ ଲାଗେ ତେଣୁ ପାଚଲଘଣ୍ଟା ଵା ପାତଲଘଣ୍ଟା ଶବ୍ଦର ମୂଳକୁ ନେଇ ଵିଵାଦ ଛିଣ୍ଡିଵା ପରିଵର୍ତ୍ତେ ଦ୍ଵନ୍ଦ୍ଵ ବଢ଼ିଥାଏ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପାତଲ୍ ଶବ୍ଦ ସହିତ ଯୁକ୍ତ ହୋଇଥିଵା  ଘଣ୍ଟା ଶବ୍ଦକୁ ନେଇ ପ୍ରାୟ ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥାଏ । କେ‌ହି କେହି ଭାବି ପାରନ୍ତି ଯେ ଏହି ଘଣ୍ଟା ଶବ୍ଦଟି ଘାଣ୍ଟିଵା କ୍ରିୟା ଶବ୍ଦ ସହିତ ସମଦ୍ଧୃତ ହୋଇଥିଵା ସମ୍ଭଵ । ପୂର୍ଵେ "ଆମ୍ଵିଳ ଘାଣ୍ଟିଆ ତିଅଣ" କଲାଵେଳେ ବିଲାତି ବାଇଗଣ ପକାଇ ଘଣ୍ଟା ଯାଉଥିଵା ହେତୁ କିମ୍ବା ବିଲାତି ବାଇଗଣରେ ଥିଵା ଈଷତ ଲାଲ ଵର୍ଣ୍ଣର ଶସ ଓ ତାହାର ଵୀଜ ଗୋଳେଇ ଘାଣ୍ଟି ହୋଇ ରହିଥାଏ ବୋଲି  ପାତଲ୍ ଶବ୍ଦ ସହିତ ଘଣ୍ଟା ଶବ୍ଦ ଯୁକ୍ତ ହୋଇଅଛି ।
ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପାତଲ୍ ଘଣ୍ଟା ଶବ୍ଦର ଉଲ୍ଲେଖିତ ଅନ୍ଯ ପ୍ରତିରୂପ ଏହି ମତର ଖଣ୍ଡନ କରିଥାଆନ୍ତି । ପାତଲଘଣ୍ଟାର  ପାତଲ୍ ଭଁଟା,ପାତଲ୍ ଭଣ୍ଟା,ପାତଲ୍ ଭାଁଟା ଓ ପାତଲ୍ ଭାଣ୍ଟା ଆଦି ପ୍ରତିରୂପରେ ଭଣ୍ଟା ଶବ୍ଦଟି ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୋଇଥାଏ ।
ଭଣ୍ଟାକୀ ମୂଳର ଭଣ୍ଟା ଶବ୍ଦରୁ ପାତଲଘଣ୍ଟା ଶବ୍ଦରେ ଥିଵା ଘଣ୍ଟା ଶବ୍ଦ ସୃଷ୍ଟି ହୋଇଥିଵା ସମ୍ଭଵ । "ଭ" ଓ "ଘ" ଉଭୟ ମହାପ୍ରାଣ ଵର୍ଣ୍ଣ ହୋଇଥିଵାରୁ ଏମନ୍ତ ହେଵା ଅସମ୍ଭଵ ନୁହେଁ।

ଏମିତି ବି ହୋଇପାରେ ଯେ ବୋଧହୁଏ ଓଡ଼ିଶାର ପୂର୍ଵ ଓ ପଶ୍ଚିମରେ ବିଲାତି ବାଇଗଣ ପାଇଁ ଦୁଇଗୋଟି ଭିନ୍ନ ଭିନ୍ନ ଶବ୍ଦ ସୃଷ୍ଟି ହୋଇଥିଲା ।

▶️ପଶ୍ଚିମ ଓଡ଼ିଶାରେ ପାତଲଭଣ୍ଟା(ସରୁ ଆଵରଣ ଵା ପାଟଳ ରଙ୍ଗଯୁକ୍ତ ଭଣ୍ଟା ଅର୍ଥାତ୍ ବାଇଗଣ)

▶️ପୂର୍ଵ ଓଡ଼ିଶାରେ ପାଚଲଘଣ୍ଟା(ପାଚଲ ଵା ଆମ୍ଵିଳ ତୁଣରେ ଯେଉଁ ପରିଵା ଵା ଫଳକୁ ଘଣ୍ଟାଯାଏ)

ତେଵେ ପୂର୍ଵାଞ୍ଚଳର କଥିତ ଭାଷାଦ୍ଵାରା ପ୍ରଭାଵିତ ହୋଇ ସମୟକ୍ରମେ ପଶ୍ଚିମ ଓଡ଼ିଶାରେ ପାତଲଭଣ୍ଟା ଶବ୍ଦରେ ଥିଵା ଭଣ୍ଟା ଶବ୍ଦଟି ଘଣ୍ଟାରେ ପରିଵର୍ତ୍ତିତ ହୋଇଯାଇଥିଵ । ଫଳତଃ ପଶ୍ଚିମ ଓଡ଼ିଶାର ପାତଲଭଣ୍ଟାରୁ ପାତଲ୍ ଓ  ପାଚଲଘଣ୍ଟାରୁ ଘଣ୍ଟା ଶବ୍ଦଦ୍ଵୟ ଓଡ଼ିଆ ଭାଷାର ସ୍ଵାଭାଵିକ ଶବ୍ଦ ମାନକୀକରଣ ପ୍ରକ୍ରିୟା ଯୋଗୁଁ ପାତଲଘଣ୍ଟାରେ ପରିଣତ ହୋଇଥିଵା ମଧ୍ୟ ଅସମ୍ଭଵ ନୁହେଁ ।

ଆଜି ପୂର୍ଵାଞ୍ଚଳରୁ ପାଚଲଘଣ୍ଟା ଓ ପାଚଲ ଶବ୍ଦ ପ୍ରାୟତଃ ଲୁପ୍ତ ହୋଇ ସରିଛି ତେବେ ପଶ୍ଚିମ ଓଡ଼ିଶାରେ ପାତଲଘଣ୍ଟା ଵା ପାତଲଭଣ୍ଟା ଶବ୍ଦଟି ଵୈଦେଶିକ ଟମାଟର,ଟମାଟୋ ଶବ୍ଦ ସହିତ ଏଯାବତ୍ ସଂଘର୍ଷ କରି ବଞ୍ଚି ରହିଛି । ତେଣୁ ଆମ ସମସ୍ତ ଓଡ଼ିଆଙ୍କ ଦାୟିତ୍ଵ ଆମ୍ଭମାନଙ୍କୁ  ଲୁପ୍ତ ପାଚଲଘଣ୍ଟା ଓ ଵୈଦେଶିକ ଶବ୍ଦ ସହ ଶେଷ ସଂଗ୍ରାମ ଚଳାଇଥିଵା ପାତଲଘଣ୍ଟା(ଭଣ୍ଟା) ଶବ୍ଦଦ୍ଵୟର କଥିତ ଓ ଲିଖିତ ଭାଷାରେ ବହୁଳ ଭାବରେ ଵ୍ୟଵହାର କରି ଏ ଉଭୟ ଶବ୍ଦକୁ ବଞ୍ଚାଇ ରଖିଵାକୁ ହେଵ ।




No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...