ଓଡ଼ିଆ ସାହିତ୍ୟାକାଶରେ ବିଜୁଳି ଓ ଇନ୍ଦ୍ରଧନୁ କଳିର ସୁତ୍ରପାତ ହୋଇଯାଇଥାଏ । ଗୋଟିଏ ପଟେ ଇନ୍ଦ୍ରଧନୁରେ କଵିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସମର୍ଥନରେ ଲେଖା ବାହାରୁଥିଵା ବେଳେ ବିଜୁଳୀ ପକ୍ଷରୁ ଆଧୁନିକ ସାହିତ୍ୟିକ କଵିଵର ରାଧାନାଥ ରାୟଙ୍କ ସମର୍ଥନରେ ଲେଖା ପ୍ରକାଶିତ ହେଉଥିଲା । ଏହି ମସିଯୁଦ୍ଧ ଦୁଇ ତିନିଵର୍ଷ ଚାଲିଵାପରେ କୌଣସି କାରଣରୁ ବିଜୁଳୀ ପତ୍ରିକାର ପ୍ରକାଶନ ବନ୍ଦ ହୋଇଯାଇଥିଲା କିନ୍ତୁ ଇନ୍ଦ୍ରଧନୁ ପତ୍ରିକା ଆହୁରି ଅନେକ ଦିନଯାଏଁ ପ୍ରକାଶ ପାଇଥିଲା ।
ମାତ୍ର ସେହି ଦୁଇ ତିନିଵର୍ଷର “ବିଜୁଳୀ-ଇନ୍ଦ୍ରଧନୁ ମସିସମର” ସମୟରେ ଓଡ଼ିଶାର ତତ୍କାଳୀନ ବୁଦ୍ଧିଜୀଵୀ ଦ୍ଵିଧା ଵିଭକ୍ତ ହୋଇଯାଇଥିଲେ । ଉଭୟ ଦଳ ପରସ୍ପର ଵିପକ୍ଷରେ ମସିଯୁଦ୍ଧ କରୁଥାଆନ୍ତି । ଏହିକ୍ରମରେ ନଭେମ୍ବର ୬ ଦିନାଙ୍କ ୧୮୯୩ ମସିହା , ବୁଧଵାର ଦିନ ଇନ୍ଦ୍ରଧନୁ ପତ୍ରିକାରେ ଗୋଟିଏ ଚଟଣି(Joke) ପ୍ରକାଶ ପାଇଥିଲା ।
ଉକ୍ତ ଚଟଣିଟି ଏହିପରି...
⚫ଗୋଵରା ଦାସ — “ମାମୁ, ତୁମ ବୋପା ନାଆଁ କ’ଣ ?”
⚫ମାମୁ — “ଦୀନବନ୍ଧୁ” ।
⚫ଗୋଵରା ଦାସ— “ତୁମର ତେବେ ଯୋଡ଼ାଏ ବୋପା ।”
⚫ମାମୁ — “କିଆଁ” ?
⚫ଗୋଵରା ଦାସ—“ଗୋଟିଏ ହର୍ସ୍ଵ ‘ଇ’କାର(ି) ବୋପା
ଓ ଗୋଟିଏ ଦୀର୍ଘ ଈ’କାର(ୀ) ବୋପା ।”
“ଇତି ବଜୁଳୀ ଵ୍ୟାକରଣେ ।”
ସେତେବେଳେ ବିଜୁଳି ପତ୍ରିକା ପକ୍ଷରୁ ଦିନବନ୍ଧୁ ସାହୁ ସକ୍ରିୟ ଥାଆନ୍ତି । ତାଙ୍କୁ ଉପଲକ୍ଷ କରି ଏହିପରି ଅନେକ ଚଟଣି ଵା ଜୋକ୍ ଲେଖାଯାଉଥିଲା ।
ପ୍ରୋକ୍ତ ଚଟଣିରେ ସୂକ୍ଷ୍ମ ଭାବେ କୁହାଯାଇଛି ଯେ ଆମ ଭାଷାରେ ଦିନବନ୍ଧୁ ଓ ଦୀନବନ୍ଧୁ ଏହିପରି ଦୁଇଗୋଟି ଶବ୍ଦ ରହିଛି । ଗୋଟିଏ “ଦିନବନ୍ଧୁ” ଶବ୍ଦରେ ହର୍ସ୍ଵ ଇ କାର ରହିଛି ଏଵଂ ଏହାର ଅର୍ଥ ସୂର୍ଯ୍ୟ,ଅରଖ ଗଛ ଓ ମନ୍ଦାର ତେବେ ଓଡ଼ିଆ ଭାଷାରେ ଏ ଶବ୍ଦର ଵ୍ୟଵହାର ସାଧାରଣତଃ ସୂର୍ଯ୍ୟଙ୍କ ନାମ ଭାବେ ପ୍ରୟୋଗ ହୋଇଥାଏ । ଦିନ ଓ ବନ୍ଧୁ ଶବ୍ଦ ଷଷ୍ଠୀ ତତ୍ ପୁରୁଷ ସମାସ ଅନୁସାରେ ଦିନବନ୍ଧୁ ହୋଇଅଛି ଏଵଂ ଏହାର ଅନ୍ୟରୂପ ଦିନବାନ୍ଧଵ । ଯେ ଦିନରେ ଉଦୟ ହୁଅନ୍ତି ,ଦିନରେ ଯେ ପ୍ରାଣୀମାନଙ୍କ ବନ୍ଧୁ ସହଚର ସିଏ ଦିନବନ୍ଧୁ ଅର୍ଥାତ୍ ସୂର୍ଯ୍ୟ ଅଟନ୍ତି ।
ସେହିପରି ଦୀନବନ୍ଧୁ ଶବ୍ଦଟି ଶ୍ରୀଭଗଵାନଙ୍କର ଏକ ନାମ ଏଵଂ ହିନ୍ଦୀ, ବଙ୍ଗାଳୀ,ଅହମିୟା ଓ ମରାଠୀ ଆଦି ଅନ୍ୟାନ୍ୟ ଭାରୋପୀୟ ଭାଷାଗୁଡି଼କରେ ଏ ଶବ୍ଦର ଊଣା ଅଧିକେ ଵ୍ୟଵହାର ଥିଲେ ହେଁ ଓଡ଼ିଆ ଭାଷାରେ ବହୁଳ ଭାବେ ଶ୍ରୀଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କୁ ସମ୍ବୋଧନାର୍ଥ ଵ୍ୟଵହୃତ ହୋଇଥାଏ ।
ଵନମାଳୀ ଦାସ ପ୍ରଭୁଙ୍କ ଏହି ପଵିତ୍ର ନାମ ନେଇ ଗାଇଛନ୍ତି
“ଦୀନବନ୍ଧୁ ଦଇତାରୀ ଦୁଃଖ ନଗଲା ମୋହରି ।
ହେଲ କି ନିଷ୍ଠୁର ଚିତ୍ତ ନୀଳାଚଳେ ବିଜେ କରି ।।”
ସେହିପରି ଵନମାଳୀ ଦାସ ଅନ୍ୟ ଏକ ଭଜନରେ ପ୍ରଭୁଙ୍କୁ ଏହି ନାମ ନେଇ ସ୍ମରଣ କରିଛନ୍ତି...
“ଏହି ଅଳି ଶ୍ରୀଛାମୁରେ ହେ ଦୀନବନ୍ଧୁ!
ଏହି ଅଳି ଶ୍ରୀଛାମୁରେ ।
ଶ୍ରୀରଙ୍ଗା ଚରଣ ସେବାରେ
ମୋ ମନ ରହିଥାଉ ନିରନ୍ତରେ ।।”
ଅଚ୍ୟୁତାନନ୍ଦ ଦାସ ମଧ୍ୟ ପ୍ରଭୁଙ୍କର ଏହି ନାମ ନେଇ ଅନେକ ପଦ୍ୟ ରଚନା କରିଛନ୍ତି ଯଥା—
“ଦୀନବନ୍ଧୁ ǃ
ମୋ ଦୁଃଖ ନ ଗଲା ଯେ
ତୁମ୍ଭେ ଦୀନବନ୍ଧୁ ମୋ ବନ୍ଧୁ ନୋହିଲେ
ମୋ ବନ୍ଧୁ ହୋଇଵ କେ ।
ଦୀନବନ୍ଧୁ ବୋଲି ଯାହାକୁ କହନ୍ତି
ସେହି ତ ପରମ ଯୋଗୀ
ଦୁଃଖୀ ଲୋକଙ୍କର ଦୁଃଖ ନିଵାରଣ
ସୁଖୀ ଲୋକଙ୍କର ଭୋଗୀ ॥୧॥”
ସାଲବେଗ ମଧ୍ୟ ପ୍ରଭୁଙ୍କର ଏ ନାମ ନେଇ ତାଙ୍କର ଗୀତିକଵିତାରେ ଡାକିଛନ୍ତି
“ଦୀନବନ୍ଧୁ ହୋ...
କୃପାସିନ୍ଧୁ ହୋ...
ତୁମ୍ଭେ ଡାକିଲେ ନ ଶୁଣ କାହିଁକି ।
ଆହେ ଦ୍ରୌପଦୀ ଆତଙ୍ଗ ଵିଵସନ କାଳେ
ବସ୍ତ୍ର ଦେଲ ପଠିଆଇକି
ଲକ୍ଷେ ଯୋଜନରେ ଗଜ ଡାକ ଦେଲା
କର୍ଣ୍ଣ ଡ଼େରିଥିଲ ତହିଁକି ॥”
ଗୌରଚରଣ ଅଧିକାରୀ ତାଙ୍କର ଗୀତରେ ପ୍ରଭୁଙ୍କୁ ଏହି ନାମରେ ଧ୍ୟାନ କରି ଗାଇଛନ୍ତି
“ଗଉରଚରଣ ମାନକୁ
ନ କହିଵ ଆଉ ଆଙ୍କୁ
ଆହେ ଦୀନବନ୍ଧୁ କରୁଣାନିଧାନ !
କର ଏହି ଅଵଧାନକୁ ॥”
ଓଡ଼ିଆ ଷାଷା ସାହିତ୍ୟରେ ଦୀନବନ୍ଧୁ ଶବ୍ଦ ପ୍ରୟୋଗର ଏହିପରି ହଜାର ହଜାର ଉଦାହରଣ ରହିଛି । କିନ୍ତୁ କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ “ଦିନବନ୍ଧୁ ଓ ଦୀନବନ୍ଧୁ” ଏ ଉଭୟ ଶବ୍ଦକୁ ଵ୍ୟଵହାର କରି ପଦ୍ୟ ଲେଖିଛନ୍ତି । କୋଟୀବ୍ରହ୍ମାଣ୍ଡ ସୁନ୍ଦରୀରେ ଭଞ୍ଜ ଲେଖିଲେ
“ଦୀନବନ୍ଧୁ ନାମ ଧିଆଉଁ ଧିଆଉଁ
ଦିନବନ୍ଧୁ ଦେଖା ନ ଯାଇ।”
ପୁଣି ସେ ଏହିପରି ଵୈଦେହୀଶ ଵିଳାସର ଊନବିଂଶ ଛାନ୍ଦର ଅନ୍ତିମ ପଦଦ୍ଵୟରେ ମଧ୍ୟ ଏହି ଦୁଇଟିଯାକ ଶବ୍ଦକୁ ଅତି ସୁନ୍ଦର ଭାବରେ ପ୍ରୟୋଗ କରିଅଛନ୍ତି
“ଵିଶିଷ୍ଟରେ ଅନକଳ ପୁଂସ ଦୀନବନ୍ଧୁ ।
ଵିନୋଦରେ ସଙ୍ଗେ ଘେନି ହରେ ଦିନବନ୍ଧୁ ଯେ ।
ଵଶ ଧ୍ୟାନମାନସେ ବୀର ସେ ସତୀ ପଦେ ।
ବୋଲେ ଭଞ୍ଜ ଉପଇନ୍ଦ୍ର ଵେନିବିଂଶ ପଦେ ଯେ ।”
ବହୁତ ଲୋକ ଦିନବନ୍ଧୁ ଓ ଦୀନବନ୍ଧୁ ଉଭୟ ଶବ୍ଦକୁ ନେଇ ଦ୍ଵନ୍ଦରେ ପଡ଼ନ୍ତି । ଵିଶେଷତଃ ଇଂରାଜୀରେ ଅନେକ ଓଡ଼ିଆ ଲୋକ ନିଜର ଦୀନବନ୍ଧୁ ନାମକୁ Deenabandhu ପରିଵର୍ତ୍ତେ Dinabandhu ଲେଖିଵା ଯୋଗୁଁ ଓଡ଼ିଆ ଲିପ୍ୟାନ୍ତରଣ କାଳରେ ଏହା ଦିନ(Dina)ବନ୍ଧୁ(Bandhu) ହୋଇଯାଏ । ଉଭୟ ଶବ୍ଦର ଅର୍ଥରେ ପ୍ରଭେଦ କ'ଣ ତାହା ଉପରେ ଆଲୋଚନା ହୋଇଅଛି ଯେ ସୂର୍ଯ୍ୟଙ୍କୁ ସାଧାରଣତଃ ଦିନବନ୍ଧୁ କୁହାଯାଉଥିଵାବେଳେ ଦୀନବନ୍ଧୁ ଈଶ୍ଵରଙ୍କ ନାମ । ଭାରତ ସମେତ ପ୍ରାଚୀନ ଵିଶ୍ଵର ଅନେକ ଦେଶର ଵିଭିନ୍ନ ସଭ୍ୟତାରେ ସୂର୍ଯ୍ୟଙ୍କୁ ଭଗଵାନ ମାନ୍ୟତା ପ୍ରଦାନ କରାଯାଇଥିଲା । ଏ ଦୃଷ୍ଟିରୁ ଦେଖିଲେ ଦିନବନ୍ଧୁ ଓ ଦୀନବନ୍ଧୁ ଶବ୍ଦ ମଧ୍ୟରେ ସମାନତା ରହିଛି କିନ୍ତୁ ଶବ୍ଦ ନିରୁକ୍ତି ତତ୍ତ୍ଵ ଦୃଷ୍ଟିରୁ ଉଭୟ ଶବ୍ଦର ମୂଳ ଭିନ୍ନ ଭିନ୍ନ ଫଳତଃ ଦିନବନ୍ଧୁ ଓ ଦୀନବନ୍ଧୁ ଦୁଇଗୋଟି ଭିନ୍ନ ଶବ୍ଦ ଅଟଇ ।
No comments:
Post a Comment