Thursday, January 19, 2023

ଶବ୍ଦ ନିରୁକ୍ତି ଓ ଶବ୍ଦର ଇତିହାସ

ଶବ୍ଦର ଇତିହାସ ଓ ଶବ୍ଦର ନିରୁକ୍ତି ସମ୍ବନ୍ଧରେ ଗୋଟିଏ ଭ୍ରମ ଧାରଣା ଅନେକଙ୍କ ମଧ୍ୟରେ ଦୃଶ୍ୟ ହୋଇଥାଏ । ଅନେକେ ମନେ କରନ୍ତି ଯେ ତତ୍ସମ ଶବ୍ଦର ନିରୁକ୍ତି ମତ ହିଁ ସେ ଶବ୍ଦର ସୃଷ୍ଟି ଇତିହାସ କିନ୍ତୁ ସଂସ୍କୃତ ଭାଷାରେ ଧାତୁ ପ୍ରତ୍ୟୟାଦି ପ୍ରୟୋଗ ଦ୍ଵାରା ଗୃହୀତ କେତେକ ଦ୍ରାଵିଡ଼ ଆଷ୍ଟ୍ରିକ ଓ ଵୈଦେଶିକ ଶବ୍ଦ କ୍ଷେତ୍ରରେ ତଥା ପ୍ରାକୃତ ମୂଳଜ ଦେଶୀୟ ଶବ୍ଦ କ୍ଷେତ୍ରରେ ଏଭଳି ଵିଚାର ଯୁକ୍ତିଯୁକ୍ତ ନୁହେଁ । କେତେକ ଶବ୍ଦର ଆଲୋଚନା ଦ୍ଵାରା ଆମେ ଏହି କଥାକୁ ଭଲରେ ବୁଝିପାରିଵା । 

ହିନ୍ଦୁ ଶବ୍ଦର‌ ସୃଷ୍ଟି ସିନ୍ଧୁ ଶବ୍ଦରୁ ହୋଇଛି ଏଵଂ ଏହା ହିନ୍ଦୁ ଶବ୍ଦର ଲୋକପ୍ରିୟ ଐତିହାସିକ ମତ । ପରେ ଯେତେବେଳେ ଏହି ପାର୍ସୀ ଶବ୍ଦ 'ହିନ୍ଦୁ' ଭାରତକୁ ଆସିଲା ଓ ବହୁ ପ୍ରଚଳିତ ହେଲା ତାକୁ ସଂସ୍କୃତ ଭାଷାରେ ଧାତୁ ପ୍ରତ୍ୟୟାଦି ପ୍ରୟୋଗ ଦ୍ଵାରା ଗୃହୀତ କରାଗଲା । 

ଵୈଦେଶିକ ମ୍ଲେଚ୍ଛମାନେ ଭାରତୀୟଙ୍କୁ ହିନ୍ଦୁ କହୁଥିଲେ ସେହି ସିନ୍ଧୁ ନଦୀ ଆଧାରରେ ପୁଣି ପରଵର୍ତ୍ତୀ କାଳରେ ଭାରତକୁ ଇଣ୍ଡିଆ ତଥା ଭାରତୀୟମାନଙ୍କୁ ଇଣ୍ଡିଆନ୍ ପରିଚୟ ମିଳିଲା । 

ସଂସ୍କୃତ ଭାଷାରେ କାଗଜ(ଆରବୀ),ଆତ(ପର୍ତ୍ତୁଗୀଜ) ଭଳି ଶବ୍ଦକୁ ଧାତୁ ପ୍ରତ୍ୟୟ ପ୍ରୟୋଗ କରି ଯଥାକ୍ରମେ "କାଗଦ ଓ ଆତୃପ୍ୟ" ରୂପେ ଗ୍ରହଣ କରାଯାଇଛି । ଏହିପରି ଭାବେ ମର୍କଟ(ଦ୍ରାଵିଡ଼),ମୟୂର(ମୁଣ୍ଡା) ଓ ଵହିତ୍ର(ବୋଇତ-ଓଡ଼ିଆ) ଆଦି ଶବ୍ଦ ମଧ୍ୟ ସଂସ୍କୃତ ଭାଷାରେ ଗୃହୀତ ହୋଇଛି । 

ସଂସ୍କୃତ ଭାଷାରେ ଯେକୌଣସି ଵୈଦେଶିକ ଶବ୍ଦ ମିଶ୍ରଣ ପୂର୍ଵରୁ ତାହାର ପରିଶୋଧନ କରାଯାଇଥାଏ ଏଵଂ ଉକ୍ତ ଶବ୍ଦ ସଂସ୍କୃତ ଭାଷାର ଧାତୁପ୍ରତ୍ୟାଦି ଦ୍ଵାରା ଶୋଧିତ ହୋଇ ଏହି ଭାଷାର ଅଙ୍ଗ ପାଲଟି ଯାଏ । 

ହିନ୍ଦୁ ଶବ୍ଦର ନିରୁକ୍ତି ଵିଷୟରେ ପ୍ରଶ୍ନ ଆସିଲେ "ହୀନମନ୍ୟତାକୁ ଯିଏ ଦୂର କରେ ସେ ହିନ୍ଦୁ" ଏହି ପଦଟି ଅନେକେ କୁହନ୍ତି ତେବେ ହିନ୍ଦୁ ଶବ୍ଦର ଏହି ନିରୁକ୍ତି ଆଧାରରେ ହିଁ ସଂସ୍କୃତ ଭାଷାରେ ହିନ୍ଦୁ ଶବ୍ଦ ଗୃହୀତ ହୋଇଛି ବୋଲି ବୁଝିଵାକୁ ହେଵ । ସେହି ନିରୁକ୍ତିଟି ହେଲା...

"ହୀନଂ ଦୂଷୟତୀତି । ଦୁଷ + ଡୁଃ । = ହିନ୍ଦୁଃ (ପୃଷୋଦରାଦିତ୍ଵାତ୍ ସାଧୁଃ )”

ଗୋଟିଏ ତତ୍ସମ ଶବ୍ଦର ସଂସ୍କୃତ ଧାତୁପ୍ରତ୍ୟାଦି ନିରୁକ୍ତମତ ଅର୍ଵାଚୀନ ମଧ୍ୟ ହୋଇପାରେ ଯଦି ଶବ୍ଦଟି ଵୈଦେଶିକ ମୂଳର ହୋଇଥାଏ । ଶବ୍ଦର ଇତିହାସ ଓ ତତ୍ସମ ଧାତୁ ପ୍ରତ୍ୟୟ ନିରୁକ୍ତିମତ ଭିନ୍ନ ଭିନ୍ନ କଥା । ସଂସ୍କୃତ ଧାତୁପ୍ରତ୍ୟୟ ନିରୁକ୍ତୀ ପ୍ରଣାଳୀ ଏକ ଵୈଜ୍ଞାନିକ ପ୍ରଣାଳୀ ,ଏହି ପ୍ରଣାଳୀ ଦ୍ଵାରା କୌଣସି ଶବ୍ଦର ମୂଳ ରୂପକୁ କଳ୍ପନା କରାଯାଇଥାଏ । ଉଦାହରଣ ସ୍ୱରୂପ ଓଡ଼ିଆ ଲୋକଙ୍କୁ ଉଡ୍ର କୁହାଯାଏ ତେବେ ଏହି ଉଡ୍ର ଶବ୍ଦର ଇତିହାସ ଓ ନିରୁକ୍ତି ଦୁଇଟି ଭିନ୍ନ ଭିନ୍ନ ଵିଷୟ । 

ପ୍ରଥମେ ଓଡ଼ିଶାର ପାର୍ଵତ୍ୟାଞ୍ଚଳରେ ଵସଵାସ କରୁଥିଵା କୁଈ ଆଦି ଦ୍ରାଵିଡ଼ ଲୋକେ ଓଡ଼ିଶାର ନଦୀ ଓ ସମୁଦ୍ରକୂଳରେ ଵସତି ସ୍ଥାପନ ପୂର୍ଵକ ଚାଷଵାସ କରୁଥିଵା ଲୋକଙ୍କୁ 'ଓଡ଼' କହୁଥିଲେ । ଏହି ଓଡ଼ ଶବ୍ଦଟି ମୂଳତଃ ଏକ ଦ୍ରାଵିଡ଼ ଶବ୍ଦ ଏଵଂ ଏହାର ମୂଳ ଅର୍ଥ ଚାଷ କରିଵା । ଓଡ଼ ଶବ୍ଦ ପରେ ଓଡ଼ିଶାର ପ୍ରଥମେ ଚାଷକାର୍ଯ୍ୟ କରିଥିଵା ଚାଷୀଜାତି ଓଡ଼ିଆ ଜାତିର ସଂଜ୍ଞା ହୋଇଥିଲା । ଯେତେବେଳେ ଓଡ଼ିଶାର ଏହି ଚାଷୀମାନଙ୍କର ନାମକୁ ସଂସ୍କୃତ ଭାଷାରେ ଗୃହୀତ କରିଵାର ସମୟ ଓ ଅଵସର ଉପସ୍ଥିତ ହେଲା ସେତେବେଳେ ସଂସ୍କୃତ ଭାଷାର ଧାତୁ ପ୍ରତ୍ୟୟ ପ୍ରୟୋଗ କରାଗଲା ଏଵଂ ଏ ଶବ୍ଦ ସଂସ୍କୃତ ଭାଷାରେ ଚଳିଵାକୁ ଲାଗିଲା । 

“ଆ=ସମ୍ୟକ+ଉଡ୍ ଧାତୁ(ଆଲିଙ୍ଗନ କରିଵା)+ସଂଜ୍ଞାର୍ଥ. ର”

ଅର୍ଥାତ୍ ଯେଉଁ ଜାତୀୟ ଲୋକେ ସର୍ଵଦା ଭାତୃଭାବରେ ଅନ୍ୟଜାତୀୟ ଵ୍ୟକ୍ତିକୁ ଆଲିଙ୍ଗନ କରନ୍ତି ସେମାନେ ଓଡ୍ର । 

ଏଠାରେ ଧ୍ୟାନ ଦେଲା ଭଳି ଦୁଇଟି କଥା ହେଲା
ମୂଳ ଦ୍ରାଵିଡ଼ 'ଓଡ଼' ଶବ୍ଦର ମୂଳ ଅର୍ଥ ଥିଲା ଚାଷ କରିଵା କିନ୍ତୁ ଯେତେବେଳେ ସଂସ୍କୃତ ଭାଷାରେ ଏ ଶବ୍ଦ ଗୃହୀତ ହେଵାର ସମୟ ଉପନୀତ ହେଲା ସେତେବେଳେ ଏହି ଓଡ଼ ଶବ୍ଦଟି ସଂସ୍କୃତ ଭାଷାରେ ସଂସ୍କୃତ ଭାଷାର ଶବ୍ଦ ସମ୍ଭାର ଆଧାରରେ ଭିନ୍ନ ଆଧାର ଅର୍ଥାତ୍ ଆଲିଙ୍ଗନ କରିଵା ଅର୍ଥ ଘେନି ଗୃହୀତ ହେଲା । ଫଳତଃ ଵୈଦେଶିକ ତଥା ଅଗୋତ୍ରୀୟ ଭାଷାରୁ ଗୃହୀତ ହୋଇଥିଲେ ବି ସଂସ୍କୃତ ଭାଷାରେ ଏସବୁ ଵୈଦେଶିକ /ଅଗୋତ୍ରୀୟ ଶବ୍ଦ ସେ ଭାଷାକୁ କେବେବି କଳୁଷିତ କରିପାରେ ନାହିଁ ।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...