ଛୋଟପିଲାଙ୍କୁ ପୁଅ,ବାପ,ବାବୁ,ବାବା,ଧନ,ଝିଅ,ମାଆ,ବୁଡି଼,ବୁଈ ସମ୍ବୋଧନ ଛାଡି଼ ଆଜି ଓଡ଼ିଶାର ନଗରଵାସୀ ବେଟା,ବେଟୀ ସମ୍ବୋଧନ କରନ୍ତି । ବେଟା ଶବ୍ଦ ଆଜିକାଲି ଓଡ଼ିଶାର ଗଡ଼ିଆ ଲୋକଙ୍କ ପ୍ରଥମ ପସନ୍ଦ ହୋଇଗଲାଣି । ତେବେ ଆଶ୍ଚର୍ଯ୍ୟ ଲାଗିଲେ ବି ସତ ଯେ ଗଞ୍ଜାମଵାସୀ ପ୍ରାଚୀନ ଓଡ଼ିଆ କଵି କୃଷ୍ଣ ସିଂହଙ୍କ କୃତ କୃଷ୍ଣ ମହାଭାରତରେ #ବେଟା ଶବ୍ଦ ଵିଭିନ୍ନ ସ୍ଥାନରେ ପ୍ରୟୋଗ କରାଯାଇଛି ।
“ଆନ ଧନୁ ଧରିଣ ଦ୍ରୁପଦଙ୍କ ବେଟା, ରହ ରହ ବୋଇଲେ ମେଲିଣ ଗଳାଟା ।”
(କୃଷ୍ଣସିଂହ, କୃଷ୍ଣ ମହାଭାରତ, କର୍ଣ୍ଣପର୍ଵ)
“କାଣ୍ଡଘାତରେ ତଳେ ପଡ଼ିଣ କେତୋଟା,
ଦେବେ ଭୂମି ସାଉଣ୍ଟା ଦନୁଜଙ୍କ ବେଟା।”
(କୃଷ୍ଣସିଂହ, କୃଷ୍ଣ ମହାଭାରତ, ଵନପର୍ଵ।)
“ଏହି ସମୟରେ ଯେ ଦ୍ରୁପଦଙ୍କ ବେଟା ,ଧାଇଁଲେ ମୃତ୍ୟୁଦେବଙ୍କର ଧରି ଛଟା।” (କୃଷ୍ଣସିଂହ, ମହାଭାରତ, ଦ୍ରୋଣପର୍ଵ)
ଓଡ଼ିଆ ଢଗରେ ମଧ୍ୟ ବେଟା ଓ ବେଟୀ ଶବ୍ଦ ଵ୍ୟଵହାର ହେଵାର ଉଦାହରଣ ରହିଛି
“ଟୋକାଟା କାହାର ବେଟା,
ଏ ଟୋକୀଟି କାହାର ବେଟୀ ।”
“ଘରେ ନ ଥାଏ ଭୁର୍ଭୁଜା
ବେଟା କରୁଥାଏ ଦୁର୍ଗାପୂଜା”
ଏହି ବେଟା ଓ ବେଟୀ ଶବ୍ଦ ଏକ ପ୍ରାକୃତ ଶବ୍ଦ ଏଵଂ ସୌରସେନୀ ପ୍ରାକୃତରେ ଏ ଶବ୍ଦ 𑀩𑀺𑀝𑁆𑀝 (biṭṭa) ରୂପେ ପ୍ରଚଳିତ ଥିଲା । ବେଟା ଶବ୍ଦଟି ସଂସ୍କୃତ ବଟୁ ଶବ୍ଦ ସହିତ ସମୋଦ୍ଧୃତ ।
ପ୍ରାଚୀନ ଭାରତରେ ବ୍ରାହ୍ମଣ କୁମାରମାନଙ୍କୁ ବଟୁ କୁହାଯାଉଥିଲା । ଵିଶେଷ କରି ଉପନୟନ ପରେ ଵିଵାହ ପର୍ଯ୍ୟନ୍ତ ବ୍ରହ୍ମଚାରୀ ଅଵସ୍ଥାରେ ଗୁରୁ ଗୃହରେ ରହିଵା ବ୍ରାହ୍ମଣ କୁମାରକୁ ହିଁ ବଟୁ ବୋଲାଯାଉଥିଲା ।
ବଟୁ ଶବ୍ଦର ଆଉ ଦୁଇଗୋଟି ଅର୍ଥ ଭାଷାକୋଷରୁ ମିଳେ ବାଳକ ଓ ଅଜ୍ଞାନ ଵା ନିର୍ବୋଧ ଵ୍ୟକ୍ତି। ଏହି ଦୁଇଟି ଅର୍ଥରେ ପରଵର୍ତ୍ତୀ କାଳରେ ବଟୁ ଶବ୍ଦ ଵ୍ୟଵହାର ହୋଇଥିଵା ସମ୍ଭଵ ।
ବ୍ରହ୍ମଚାରୀ ଅର୍ଥରେ ବଟୁ ଶବ୍ଦ ସଂସ୍କୃତ ମହାଭାରତରେ ଵ୍ୟଵହୃତ ହୋଇଅଛି ।
“ତସ୍ମାଦ୍ବ୍ରୁଵନ୍ତୁ ସର୍ଵ୍ଵେଽତ୍ର ଵଟୁରେଷ ଧନୁର୍ମ୍ମହାନ୍ ।
ଆରୋପୟତୁ ଶୀଘ୍ରଂ ଵୈ ତଥେତ୍ଯୂଚୁର୍ଦ୍ଵିଜର୍ଷଭାଃ ॥”
(ମହାଭାରତ । ୧ । ୧୮୯ । ୧୫ ।)
କୁଟନ୍ନଟ ଵୃକ୍ଷକୁ ମଧ୍ୟ ବଟୁ କୁହାଯାଉଥିଲା ବୋଲି ଶବ୍ଦ ରତ୍ନାଵଳୀରେ ଏମନ୍ତ ଉଲ୍ଲେଖ ଅଛି
“ମଣ୍ଡୂକପର୍ଣଃ ଶ୍ଯୋଣାକଃ ଶୁକନାସଃ କୁଟନ୍ନଟଃ । ଋକ୍ଷୋ ଵଟୁଦୀର୍ଘଵୃନ୍ତୋ ଦୀର୍ଘଵୃନ୍ତକ ଇତ୍ଯପି ॥”
ଏହି ବଟୁ ଶବ୍ଦକୁ ସଂସ୍କୃତ ଧାତୁଶବ୍ଦ ବଟ୍ ଧାତୁରୁ ନିଷ୍ପନ୍ନ କରାଯାଇଛି । ବଟ୍ ଧାତୁରୁ ଵେଷ୍ଟନ କରିଵା,ଆଚ୍ଛାଦନ କରିଵା,ଵ୍ୟାପିଵା,କହିଵା ଆଦି ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ ।
ତେବେ ଭାଷାଵିଦ F.B.J Kuiper ତାଙ୍କର Proto munda words in sanskrit ପୁସ୍ତକରେ କେତେକ ସଉରା ଶବ୍ଦ ଵିଷୟରେ ଉଲ୍ଲେଖ କରିଛନ୍ତି ଯେଉଁ ଶବ୍ଦଗୁଡି଼କର ସାମଞ୍ଜସ୍ୟ ଏହି ବେଟା ଶବ୍ଦ ସହିତ ଅଛି । ସେହି ପୁସ୍ତକରେ ସେ ସଉରା ଭାଷାର be̠tke̠c(weak,tender,young) ,be̠ḍre̠c(stunted,small,) ଭଳି କେତେକ ଶବ୍ଦର ଉଲ୍ଲେଖ କରିଛନ୍ତି । ଏହି ଶବ୍ଦଗୁଡି଼କ ସଂସ୍କୃତ ବଟୁ ଓ ଓଡ଼ିଆ ବେଟା ଶବ୍ଦ ସହିତ ସାମ୍ୟ ରହିଛି ତେଣୁ କେତେକ ଆଧୁନିକ ଗଵେଷକ ଅନୁମାନ କରନ୍ତି ଯେ ଏହି ବେଟା ଓ ବଟୁ ଶବ୍ଦଦ୍ଵୟ ବହୁତ ସମ୍ଭଵ ଆଷ୍ଟ୍ରୋଏସୀୟ ଭାଷା ପରିଵାରର ମୁଣ୍ଡାଭାଷା ଶାଖାର ଶବ୍ଦ ହୋଇଥାଇପାରେ ।
(ତଥ୍ୟ ଉତ୍ସ : ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, କଳ୍ପଦ୍ରୁମ ସଂସ୍କୃତ ଅଭିଧାନ,Proto munda words in sanskrit)
No comments:
Post a Comment