ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏମିତି ଗୋଟେ ଶବ୍ଦ ଵିଷୟରେ ଉଣ୍ଡୁଥିଵା ବେଳେ "ଅଣ୍ଟା ସଳଖିଵା" କ୍ରିୟାଶବ୍ଦଟି ମିଳିଗଲା । ହଁ ଅନେକେ ଏହା ଏକ ସାଧାରଣ ଶବ୍ଦ ବୋଲି ଭାବି ପାରନ୍ତି ତେବେ ଏକ ଵିଵାହ ସମ୍ବନ୍ଧୀୟ ରୀତି ସହିତ ଏ ଶବ୍ଦଟି ଜଡ଼ିତ ବୋଲି ଅନେକେ ଜାଣିନଥିବେ ।
"ଅଣ୍ଟା ସଳଖିଵା"ର ସାଧାରଣ ଅର୍ଥ ହେଲା
“ଶ୍ରମ ମେଣ୍ଟାଇଵା ପାଇଁ କିଛିକ୍ଷଣ ବିଶ୍ରାମ ନେଵା” । ଆମ୍ଭେମାନେ ଏକାଦିକ୍ରମେ କିଛିକାଳ କୌଣସି ପରିଶ୍ରମସାଧ୍ୟ କାମ କରିଵା ଯୋଗୁଁ ଅଣ୍ଟା ପିଠି ଲାଗି ଗଲେ ଵା ଘୋଳି ହେଲେ କିଛିକାଳ ଠିଆ ହୋଇ ଦେହକୁ ଓ ଅଣ୍ଟାକୁ ସିଧା କରନ୍ତି ,ସେହି ପ୍ରକ୍ରିୟାକୁ ହିଁ ଓଡ଼ିଶାରେ ଅଣ୍ଟା ସଳଖିଵା କୁହାଯାଏ ।
କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ
ଆଗେ ଅଵିଭକ୍ତ ସମ୍ବଲପୁର ତଥା ଅନ୍ୟାନ୍ୟ ଗଡ଼ଜାତ ଅଞ୍ଚଳରେ "ଵିଵାହ ପରେ ପହିଲି ପାଳି ଯାଇଥିଵା ଝିଅ କିଛିଦିନ ସ୍ୱାମୀଘରେ ଖଟିଵା ପରେ କିଛିଦିନ ପାଇଁ ବାପଘରକୁ ଆସିଵା”କୁ ଅଣ୍ଟା ସଳଖିଵା କୁହାଯାଉଥିଲା ।
କିନ୍ତୁ ଝିଅର ଵିଵାହ ପରେ ପ୍ରଥମଥର ବାପଘରକୁ ଫେରିଵା ସହିତ "ଅଣ୍ଟା ସଳଖିଵା"ର କ'ଣ ସମ୍ପର୍କ ?
ପ୍ରକୃତରେ "ଅଣ୍ଟା ସଳଖିଵା"ର ଭାଵାର୍ଥ ହେଉଛି ଵିଶ୍ରାମ କରିଵା । ଝିଅଟି ଶାଶୁଘରକୁ ଖଟିଵାକୁ ଯାଇ ଫେରିଵା ବେଳେ ସବୁ ପାରିଵାରିକ ଜଞ୍ଜାଳରୁ କିଛି ଦିନ ପାଇଁ ମୁକ୍ତି ପାଉଥିଲା ତେଣୁ ଏହାକୁ ଲକ୍ଷଣାର୍ଥ ଅଣ୍ଟା ସଳଖିଵା କୁହାଯାଉଥିଲା ।
ହୁଏତ ଆଜି ଏ "ଅଣ୍ଟା ସଳଖିଵା" ଶବ୍ଦର ପ୍ରୋକ୍ତ ଲକ୍ଷଣାର୍ଥକ ସାଂସ୍କୃତିକ ପ୍ରୟୋଗ ଅପ୍ରଚଳିତ ହୋଇଯାଇଥାଇପାରେ କିନ୍ତୁ ଏହା ଭାଷାରେ ସାଂସ୍କୃତିକ ପ୍ରଭାଵକୁ ସ୍ପଷ୍ଟ ଭାବରେ ସୂଚାଇଥାଏ । ଗୋଟିଏ ଗୋଟିଏ ଭାଷା ଏକ ଏକ ସଂସ୍କୃତି ସହିତ ସମ୍ପର୍କିତ । କୌଣସି ଶବ୍ଦକୁ ଭଲ ଭାବରେ ଜାଣିଵାକୁ ହେଲେ ସେ ଶବ୍ଦ ସହିତ ସମ୍ପର୍କିତ ସଂସ୍କୃତିକୁ ଜାଣିଵାକୁ ହୁଏ ।
ଆପଣଙ୍କ ଅଞ୍ଚଳରେ ଵିଵାହ ପରେ ପ୍ରଥମଥର ଝିଅ ବାପଘରକୁ ଫେରିଵାକୁ କ'ଣ କୁହାଯାଏ ?
No comments:
Post a Comment