ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ଫୁଟିଵା କ୍ରିୟାର ଯେଉଁ ସବୁ ଅର୍ଥ ଉଲ୍ଲେଖ ଅଛି ତାହା ଏଠାରେ ପ୍ରଦତ୍ତ ହେଲା ।
(କ)ପ୍ରସ୍ଫୁଟିତ ହେଵା (ଯଥା—ସହସ୍ରଦଳ କମଳ କି ଓଲଟି ଅଛି ଫୁଟି । କି ଅବା ଗ୍ୟାଁନ ଧ୍ୟାନ ଶୂନ୍ୟକୁ ମନ ଭେଟି ॥ ଵଟ ଅଵକାଶ-ବଳରାମ ଦାସ)
(ଖ)ଫୋଡ଼ି ହେଵା;ମୁନିଆ ପଦାର୍ଥ ଗଳିଯିଵା(ଯଥା—ମୋ ଗୋଡ଼ରେ ଗୋଟେ କଣ୍ଟା ଫୁଟିଗଲା ।)
(ଗ)ଏକ ପାଖରୁ ଅନ୍ୟ ପାଖକୁ ଭେଦ କରିଵା; ବିଦ୍ଧ କରିଵା
(ଯଥା—ଗୋଟିଏ ଶର ତାଙ୍କ ବକ୍ଷସ୍ଥଳକୁ ଫୁଟିଲା ।)
(ଘ)କଣା ହେଵା; ଛିଦ୍ର ହେଵା; ଛିଦ୍ରଯୁକ୍ତ ହେଵା(ଯଥା—ନିଆଁରେ ବସାଇଵା ମାତ୍ରକେ ହାଣ୍ଡିଟା ଫୁଟିଗଲା ।)
(ଙ)ସୌନ୍ଦର୍ଯ୍ୟ ଵିକସିତ ହେଵା; ସ୍ପଷ୍ଟରୂପେ ପ୍ରକାଶିତ ହେଵା; ସ୍ପଷ୍ଟରୂପେ ଦେଖାଯିଵା
(ଯଥା—ସମାଗମେ ଏବେ ଗଣ୍ଡେ ସୁନ୍ଦରୀର ଫୁଟିଲା ଲାଜ ସିନ୍ଦୂର— ରାଧାନାଥ. ପାର୍ଵତୀ)
(ଚ)ଗରମ ପାଣି ଅଗ୍ନି ଉତ୍ତାପରେ ବୁଦ୍ବୁଦ୍ଯୁକ୍ତ ହୋଇ ଟକମକ ଶବ୍ଦ କରିଵା
(ଯଥା—ଭାତ ଫୁଟୁଅଛି ଟକର ମକର)
(ଛ)ବାଣ, ଫୋଟକା ଆଦି ଢୁ ଢା ଶବ୍ଦପୂର୍ଵକ ବିସ୍ଫୋରଣ ହେଵା
(ଯଥା—ବନ୍ଧୁକ ବା ତୋପ ଫୁଟିବା ମାତ୍ରକେ ସମସ୍ତେ ଉଠିବସିଲେ ।
(ଜ)ଦୃଷ୍ଟିଶକ୍ତିହୀନ ହେଵା; ଚକ୍ଷୁ ନଷ୍ଟ ହେଵା
(ଯଥା—ଏକ ବ୍ରହ୍ମ ରୂପ ଗୋଟି ଚାହିଁ ଚକ୍ଷୁ ଯିବ ଫୁଟି ଯାହା ମୁଁ ଦେଖିଛି କିସ କହିବି ତୁଣ୍ଡେ—ଜାଗିଛନ୍ତି ବ୍ରହ୍ମଅଗ୍ନି ଅଲେଖ କୁଣ୍ଡେ,ଭୀମ ଭୋଇ )
(ଝ)ବହୁ ସଂଖ୍ୟକ ଛୋଟ ମାଛ ଜଳର ଉପରିଭାଗକୁ ଡେଇଁଵା
(ଯଥା—ମାଛମାନେ ପୋଖରୀରେ ଫୁଟିଛନ୍ତି)
(ଞ) (ଅଶ୍ଳୀଳ)ବାଳିକା ପ୍ରଥମେ ଋତୁମତୀ ହେଵା
(ଟ)କଉଡ଼ି ଖେଳରେ ଅଳ୍ପ ଵା ବହୁତ ଦାନ ପଡ଼ିଵା ଦ୍ୱାରା ଖେଳାଳିର ସାର ପାଚି ନ ପାରି ପୁଣି ଲେଉଟିଵା ଵା କଞ୍ଚା ହେଵା
(ଯଥା— ତୋ ସାର ଫୁଟିଲା ଲୋ ଆଉ ତୁ ଜିତିପାରୁବୁନି)
(ଠ)ଧାନ ଭାଜିଲେ ଧାନ ଉପରର ଚୋପା ଵିଦୀର୍ଣ୍ଣ ହୋଇ ତହିଁ ମଧ୍ୟରୁ ଖଇ ଶବ୍ଦ କରି ଡେଇଁ ଡେଇଁ ବାହାରି ପଡ଼ିଵା
(ଯଥା—ରଙ୍ଗିଆରାଇ ଧାନ ଭଲ ଖଇ ଫୁଟେ ।)
(ଡ)ଟକ ଟକ ଶବ୍ଦ କରିଵା
(ଯଥା—ରାତିଯାକ ତା ପେଟ ଫୁଟୁଛି ।)
(ଢ)ପ୍ରକଟିତ ହେଵା
(ଯଥା—ଫୁଟି ବାହାରୁଛି ରୁଦ୍ଧ ଦୀର୍ଘ ନିଶ୍ୱାସ—ରାଧାନାଥ. ନନ୍ଦିକେଶ୍ୱରୀ)
(ଣ)ସୁନ୍ଦରରୂପେ ପ୍ରକାଶିତ ହେଵା
(ଯଥା—ଏ ଚିତ୍ରରେ ଶ୍ରୀକୃଷ୍ଣଙ୍କ ରୂପଟି ଫୁଟୁଛି ।)
(ତ)ଛିଦ୍ରମୟ ଵା ବ୍ରଣମୟ ହେଵା
(ଯଥା—କୁଷ୍ଠ ରୋଗରେ ତା ସର୍ବାଙ୍ଗ ଫୁଟିଗଲାଣି ।)
(ଥ)ଶ୍ରାନ୍ତ ହେଵା; କ୍ଳାନ୍ତ ହେଵା; ଥକିଯିଵା
(ଯଥା—ଜଳପି ଜଳପି ତୋତେ ଫୁଟିଲେଣି ଆଳି—କଵିସୂର୍ଯ୍ୟ. ସଙ୍ଗୀତ)
(ଦ)ଆଵରଣ ମଧ୍ୟରୁ ଫିଟି ବାହାରକୁ ବାହାରି ପଡ଼ିଵା
(ଯଥା—କପାବକଡ଼ା ଫୁଟିଗଲଣି ।)
(ଧ)ଜାତ ହେଵା; ଜନ୍ମ ହେଵା
(ଯଥା—ଯାଵତ ଯୋନିରେ ରମନ୍ତି, ସର୍ଵତ୍ର ଫୁଟିଣ ମରନ୍ତି— ଜଗନ୍ନାଥ. ଭାଗଵତ)
(ନ)ପୀଡ଼ା କରିଵା; ପୀଡ଼ାଯୁକ୍ତ ହେଵା—
(ଯଥା—କେ ବୋଲେ ଶ୍ରୀଅଙ୍ଗ ଫୁଟିଵ ସିନା—ଦୀନକୃଷ୍ଣ. ରସକଲ୍ଲୋଳ)
(ପ)ବିଦ୍ଧ ହେଵା
(ଯଥା—କାଣ୍ଡରେ ତା ଛାତି ଫୁଟିଗଲା)
ଏତଦଵ୍ୟତୀତ ସମ୍ଭଵତଃ ମିଳିତ ହେଵା,ମିଶିଵା,ପଶିଵା ଅର୍ଥରେ ସାରଳା ମହାଭାରତରେ ମଧ୍ୟ ନିମ୍ନ ଫଦରେ ଫୁଟିଵା କ୍ରିୟାଟି ଵ୍ୟଵହାର ହୋଇଅଛି
“ଚନ୍ଦ୍ରଭାଗା ନାମେଣ ୟେକଇ ନଦୀ ଗୋଟି, ବୃଦ୍ଧମାତାଙ୍କ ପାରୁଶେ ମଉଦଧିରେ ଯାଇଂ ଫୁଟି ॥ (ସାରଳା ମହାଭାରତ)
ଏହି ଫୁଟିଵା କ୍ରିୟାଟି ଓଡ଼ିଆ ଭାଷାରେ ଉଭୟ କଥିତ ତଥା ସାହିତ୍ୟିକ ଭାଷାରେ ବହୁପ୍ରଚଳିତ ଓ ଵିଶେଷ ଭାବେ ଵ୍ୟଵହୃତ । ଵିଭିନ୍ନ କଵିଙ୍କ ରଚନାରେ ଫୁଟିଵା କ୍ରିୟାର ଵ୍ୟଵହାର ଦେଖିଵାକୁ ମିଳେ । ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗଵତ ହେଉ କି ସାରଳା ଦାସଙ୍କ ମହାଭାରତ ସର୍ଵତ୍ର ଫୁଟିଵା ଶବ୍ଦର ପ୍ରାଚୀନ ପ୍ରୟୋଗ ଦୃଶ୍ୟ ହୋଇଥାଏ । ନିମ୍ନରେ ତହିଁର କେତେକ ଉଦାହରଣ ପ୍ରଦତ୍ତ ହେଲା...
“ବ୍ରହ୍ମାଣ୍ଡେ ଚରଣ ବାଜିଲା ।
ଶବଦେ ପ୍ରକୃତି କମ୍ପିଲା ॥
ବ୍ରହ୍ମାଣ୍ଡ ଫୁଟି ପାଦବଳେ ।
ଗଙ୍ଗା ପଡ଼ିଲା ଅନ୍ତରାଳେ ॥”
(ଭାଗଵତ, ଏକାଦଶ ସ୍କନ୍ଧ)
“ଦେଵଙ୍କ ଶସ୍ତ୍ରାଘାତେ ଫୁଟି ।
ଅସୁର ମଲେ କୋଟି କୋଟି ॥"
(ଭାଗଵତ ଅଷ୍ଟମ ସ୍କନ୍ଧ)
"ଯେହ୍ନେ ସିଦ୍ଧ ବାଞ୍ଛା ପ୍ରାପତ ହୋଇଲା
ତିନି ପୋଷେ ତଣ୍ଡୁଳ ମା ଗୋ ଶତେ ଗୋଟି ଫୁଟିଲା ॥"(ସାରଳା ମହାଭାରତ)
"ଅମର ଗିରି ଉପରେ ପୁଷ୍ପେକ ଫୁଟିଲା ଅଷ୍ଟଦଳ କମଳ ସେ ହୋଇ ଵିକାଶିଲା ।"
(ପ୍ରଥମ ଖଣ୍ଡ-ହରିବଂଶ, ଅଚ୍ୟୁତାନନ୍ଦ)
”କିଛି ଦୂର ନଈବାଲିରେ ଢୋ ଢୋ କରି ଗଛ ବାଣ ଫୁଟିଲା । ସଙ୍ଗେ ସଙ୍ଗେ ଶଙ୍ଖ ହୁଳହୁଳି ଉଛୁଳି ପଡ଼ିଲା ।”(ଫକୀରମୋହନ, ଗଳ୍ପ ସ୍ବଳ୍ପ)
“ଜଳକୁ ସେ ଶୁକ୍ର ରୋଧ କରିଥିଲେ ସେ ଯୋଗେ ଫୁଟିଲା ଆଖି, ଜଳ ତିଳ ବିଷ୍ଣୁ କରରେ ଦେଇଣ ବଳି ଯେ ହୋଇଲା ସୁଖୀ ।”(ଟୀକା ଗୋଵିନ୍ଦ ଚନ୍ଦ୍ର,ଯୋଗୀନ୍ଦ୍ର ଵିପ୍ର)
“ବେଶରେ ଆଵେଶ ହେଵା କ୍ରମରେ ତୁଟିଲା । ଆହାରେ ଵିମନା ହୋଇ ଗମନେ ଫୁଟିଲା ଯେ ॥”(ଲାଵଣ୍ୟଵତୀ,କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ)
“ଛାଇ ପଡ଼ି ଅଛି ନାହିଁ ଵୃକ୍ଷମୂଳ ପୁଷ୍ପକଢ଼ି ନାହିଁ ଫଳିଅଛି ଫଳ ଫୁଟିଛି ପତର ଡେମ୍ଫ ନାହିଁ ତାର ଅସାଧନା ମାର୍ଗେ ପାଇ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ।”
(ରୂପରେଖ ନାହିଁ ହେ ଶୂନ୍ୟଦେହୀ,ଭୀମଭୋଇ)
“ରଞ୍ଜନ ସୁଧା ସୁଧାପାନ ଚାରି ଦିଗେ ଵିଦ୍ୟମାନ
ପରିପୂର୍ଣ୍ଣ ହୋଇଅଛି ଵିମଳ ନୀର
ରଜତ କମଳ ମାଳ ପ୍ରଫୁଲ୍ଲ ହୋଇ ମଞ୍ଜୁଳ
ଫୁଟିଛି ଅମିତ ଇନ୍ଦୀବର କହ୍ଲାର
ରୟ ହରି ବାସ ତାଙ୍କର
ରଜ ସାରଥି କକୁଭେ କରେ ପ୍ରଚାର ।”
(ରସରତ୍ନାକର, ସ୍ଵଭାଵକଵି ଗଙ୍ଗାଧର ମେହେର)
“ନାଚ ଝମକନ୍ତି ତହିଂର ତଳେ ପିଅଂଳା
ଯୋଗ ନୋହଇ ଦୀର୍ଘ ଜାଳା
ରେଖ ନାହିଂ ରୂପ ନାହିଂ ଗଣ୍ଠି ନାହିଂ ଛାୟା
ଜଗତେ ବ୍ୟାପିତ ୟେକଇ କାୟା ।
ତୁଳାହୁଂ ଉଶ୍ୱାସ ତିଭୁବନୁ ଗରୁଆ
ବାଳ ରେହ ପ୍ରମାଣେ ଅତି ବଡ଼ ସରୁଆ
ଲବଣୀ ହୁଂ କୋମଳ ସୂଚୀ ନାହିଂ ଫୁଟେ
ଅହନିଶି ବରଷନ୍ତି କିଛି ନାହିଂ ତୁଟେ ॥"
(ଶ୍ରୀସିସୁଵେଦ)
...
No comments:
Post a Comment