Thursday, June 19, 2025

ଗୋସିଆଁ : ପ୍ରାଚୀନ କିନ୍ତୁ ପ୍ରଚଳିତ ଓଡ଼ିଆ ଶବ୍ଦ

ଗୋସିଆଁ
ଅନେକ ପ୍ରାଚୀନ ଓଡ଼ିଆ ଶବ୍ଦ ଆଜି ବି ଗ୍ରାମାଞ୍ଚଳରେ ପ୍ରଚଳିତ ଅଛି। ତନ୍ମଧ୍ୟରୁ "ଗୋସିଆଁ" ଶବ୍ଦଟି ଏକ ଖାଣ୍ଟି ଓଡ଼ିଆ ଶବ୍ଦ, ଯାହା ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ପଶୁ ଵା ଦ୍ରଵ୍ୟର ମାଲିକକୁ ବୁଝାଏ। ଏହା ଵ୍ୟତୀତ ଶବ୍ଦଟିର ଅନ୍ୟ ଅର୍ଥ ମଧ୍ୟ ରହିଛି, ଯଥା- ଗୃହସ୍ଵାମୀ, ଭୃତ୍ୟର ସ୍ଵାମୀ, ସ୍ଵାମୀ (ପତି ଵା husband) ଓ ରକ୍ଷକ। ଏହା ଏକ ଵିଶେଷଣ ଶବ୍ଦ ରୂପେ ମଧ୍ୟ ଅନ୍ୟ ଶବ୍ଦ ସହିତ ଯୁକ୍ତ ହୋଇ ଵ୍ୟଵହୃତ ହୁଏ। ଉଦାହରଣ ସ୍ୱରୂପ, "ଗୋସିଆଁ ଭୃତ୍ୟ" ଅର୍ଥାତ୍ ଯାହାର ସ୍ଵାମୀ ଵା ମାଲିକ ଅଛି, "ଗୋସିଆଁ ସ୍ତିରୀ" ଅର୍ଥାତ୍ ଯେଉଁ ସ୍ତ୍ରୀର ପତି ଜୀଵିତ ଅଛି ଏଵଂ "ଗୋସିଆଁ ଆଶ୍ରିତ" ଅର୍ଥାତ୍ ଯାହାର ରକ୍ଷକ ଅଛି। 

ଏହି ଶବ୍ଦର ଉପରୂପ ହେଉଛି "ଗୁସିଆଁ" ଓ "ଗୋସେଇଁଆ"। ଓଡ଼ିଆ "ଗୋସିଆଁ" ଶବ୍ଦଟି "ଗୋସ୍ଵାମୀ" ଶବ୍ଦରୁ ଉତ୍ପନ୍ନ ହୋଇଥିଵା ଅନୁମାନ କରାଯାଇଛି। ଓଡ଼ିଶାର ଗ୍ରାମାଞ୍ଚଳରେ ଏହି ଶବ୍ଦ ଆଜି ମଧ୍ୟ ପ୍ରଚଳିତ ଅଛି ଏଵଂ ଏହାର ପ୍ରାଚୀନତା ଓଡ଼ିଆ ସାହିତ୍ୟରେ ଦେଖିଵାକୁ ମିଳେ।

ଓଡ଼ିଶାରେ ପ୍ରଚଳିତ ଦୁଇଟି ଢଗ ଏହି ଶବ୍ଦର ପ୍ରୟୋଗକୁ ସୂଚିତ କରେ। ପ୍ରଥମ ଢଗଟି ହେଲା:  

“ମାଘେ ମଇଁଷି, ଭୋଦୁଆଁ ଗାଈ, 
ଅଶିଣେ ଘୋଡ଼ା ଗୋସିଆଁ ଖାଇ।”  

ମାଘ ମାସରେ ମଇଁଷି, ଭାଦ୍ରପଦରେ ଗାଈ, ଏଵଂ ଆଶ୍ୱିନ ମାସରେ ଘୋଡା ନିଜ ମାଲିକକୁ ପାଇଁ କ୍ଷତିକାରକ ହୋଇପାରେ ବୋଲି ସମ୍ଭଵତଃ ଢଗରେ ସୂଚୀତ ହୋଇଛି । 

ସେହିପରି ଓଡ଼ିଆରେ ଢଗ ଅଛି
“ପୋଷିଲା ବାଘ ଗୋସିଆଁ ଖାଏ,”  

ଏ ଢଗ ସୂଚୀତ କରେ ଯେ ବାଘ ଭଳି ହିଂସ୍ର ଜୀଵ ଯେତେ ପୋଷିଲେ ବି ସେ ନିଜର ହିଂସ୍ର ସ୍ଵଭାଵ ଯୋଗୁଁ ନିଜ ଗୋସିଆଁକୁ ମାରି ପାରେ । 
ସେହିପରି ଯଦି ମଣିଷ ଵିଶ୍ଵାସଘାତକ ହୁଏ ସେ ମଧ୍ୟ ହିଂସ୍ର ସ୍ଵଭାଵଯୁକ୍ତ ହୋଇପାରେ । 

ତେବେ ଗୋସିଆଁ ଶବ୍ଦର ପ୍ରାଚୀନ ଓ ସାହିତ୍ୟିକ ପ୍ରୟୋଗ ଅଚ୍ୟୁତାନନ୍ଦ ଦାସଙ୍କ ରଚିତ "ଗୋପାଳ ଓଗାଳ"ରେ ଦେଖିଵାକୁ ମିଳେ । ପଞ୍ଚସଖା ଯୁଗର ଅନ୍ୟତମ କଵି, "ଗୋସିଆଁ" ଶବ୍ଦଟି ଵ୍ୟଵହାର କରି ଲେଖିଛନ୍ତି:

“ଯାହା ପାଇଁ ମୁହିଁ ଘରୁ ଗୋଡ଼ କାଢି଼
କୁଞ୍ଜେ ଯାଉଥିଲି ଧାଇଁ  
ସେଇ ପୁଣି ଆଜି ଭଗାରୀ ସାଜୁଛି  
ମୁହଁ କୁ ଟିକେ ନଚାହିଁ  
କିଛି ଦିନ ପରେ ତାଟକ ହଜିଛି  
ଆଣିବେ ନିଶ୍ଚେ #ଗୋସିଆଁ  
ଶାଶୁ ନଣନ୍ଦ ଙ୍କ ସହିତ ଆସିଣ  
ଦେବେ ଜାଣ ମୋତେ ଚିଆଁ  
ଲଳିତା ହାତକୁ ଧରି ରାଧାରାଣୀ  
କହିଲେ ବଞ୍ଚିବି ନାହିଁ  
ଯମୁନା ଜଳରେ ପୋଡ଼ା ଜୀଵନକୁ  
ନିଶ୍ଚୟ ଝାସିବି ମୁହିଁ  
ଲୁହ ଢାଳି ଢାଳି ରାଇ କିଶୋରୀ  
ଯମୁନା କୂଳକୁ ଗଲେ ବାହାରି...!!”

ସମାଜ ଓ ସାହିତ୍ୟରେ "ଗୋସିଆଁ" ଶବ୍ଦର ଏହି ଵ୍ୟଵହାରରୁ ସ୍ପଷ୍ଟ ହୋଇଯାଏ ଯେ ଗୋସିଆଁ ଗୋଟିଏ ଅଞ୍ଚଳ ଵିଶେଷର ଶବ୍ଦ ନୁହେଁ ଵରଂ ଏକଦା ସାରା ଓଡ଼ିଶାରେ ପ୍ରଚଳିତ ଏକ ଶବ୍ଦ ଥିଲା ।

Saturday, May 3, 2025

ପକ୍ଵ ଶବ୍ଦରେ ଥିଵା ଫଳାଟି ଵ ଫଳା ନା ୱ ଫଳା ?

ଜଣେ ପଚାରିଲେ ପକ୍ଵ ଶବ୍ଦରେ ଥିଵା ଫଳାଟି ଵ ଫଳା ନା ୱ ଫଳା ? 

ଅଷ୍ଟାଧ୍ଯାୟୀର ସୂତ୍ର “ପଚୋ ଵଃ ” (୮.୨.୫୨) ସୂତ୍ର ତଥା ପକ୍ଵ ଶବ୍ଦର ନିରୁକ୍ତି ପାଠରେ ତହିଁର ଉତ୍ତର ଅଛି । 

ଏହି ସୂତ୍ର ନିଷ୍ଠା ପ୍ରତ୍ୟୟ ଯୋଗ ସମୟରେ “ପଚ୍” ଧାତୁର ରୂପାନ୍ତରଣ ନିୟମକୁ ସୂଚାଏ । 

ପଚୋ ଵଃ” ସୂତ୍ରର ଅର୍ଥ ହେଉଛି, “ପଚ୍” ଧାତୁରୁ “କ୍ତ” ଵା “କ୍ତଵତୁ” ପ୍ରତ୍ୟୟ ଯୋଗ ହେଲେ, କ୍ତ ପ୍ରତ୍ୟୟର “ତ” ରୂପ “ଵ” ରେ ପରିଵର୍ତ୍ତିତ ହୁଏ। ଉଦାହରଣ ସ୍ୱରୂପ, “ପଚ୍” ଧାତୁର ଅର୍ଥ ହେଉଛି “ରାନ୍ଧିଵା,ପାଚିଵା”। ଯଦି ପଚ୍ ଧାତୁରେ “କ୍ତ” ପ୍ରତ୍ୟୟ ଯୋଗ କରାଯାଏ, ତେବେ ସାଧାରଣ ନିୟମ ଅନୁସାରେ “ପକ୍ତ” ହେଵା କଥା। କିନ୍ତୁ ପାଣିନୀଙ୍କ ପଚୋ ଵଃ ସୂତ୍ର ଅନୁସାରେ, “ତ” ର “ଵ” ରେ ରୂପାନ୍ତର ହେଵ, ଯାହାଦ୍ୱାରା “ପକ୍ଵ” (pakva) ଶବ୍ଦ ଗଠିତ ହୁଏ। “ପକ୍ଵ” ଶବ୍ଦର ଅର୍ଥ ହେଉଛି “ରନ୍ଧା” ଵା “ପାକ ହୋଇଥିଵା” ତଥା" ପାଚିଥିଵା"। ଏହି ରୂପାନ୍ତରଣ ସଂସ୍କୃତ ଶବ୍ଦ ଗଠନରେ ଏକ ଵିଶେଷ ନିୟମ ଅଟେ। ପଚୋ ଵଃ ସୂତ୍ରର ପ୍ରୟୋଗ କେଵଳ “ପଚ୍” ଧାତୁ ପାଇଁ ସୀମିତ କିନ୍ତୁ ଏ ଧରଣର ଆହୁରି ଅନେକ ସୂତ୍ର ରହିଛି । 

ଉଦାହରଣ ସ୍ୱରୂପ ଅଷ୍ଟାଧ୍ଯାୟୀର ସୂତ୍ର ଵଚଃ ସମ୍ପ୍ରସାରଣମ୍” (୬.୧.୧୫) ନିୟମାନୁସାରେ ଵଚ୍ ଧାତୁରେ ନିଷ୍ଠା ପ୍ରତ୍ୟୟ “କ୍ତ” ଯୋଗ କଲେ: ଵଚ୍ + କ୍ତ = ଉକ୍ତ (ukta) ହୋଇଥାଏ । ଏଠାରେ “ଵଚ୍” ଧାତୁ ର “ଅ” ସ୍ୱର “ଉ” ରେ ପରିଵର୍ତ୍ତିତ ହୁଏ । ଏହା ପଚୋ ଵଃ ସୂତ୍ର (ଅଷ୍ଟା. ୬.୧.୧୫) ଠାରୁ ଭିନ୍ନ କିନ୍ତୁ ସମାନ ଧରଣର ସ୍ୱର ପରିଵର୍ତ୍ତନରେ ସାମଞ୍ଜସ୍ୟ ଦେଖାଯାଏ।

କିନ୍ତୁ ଆଉ କେତେକ ଶବ୍ଦରେ ନିଷ୍ଠା ପ୍ରତ୍ୟୟ ଯୋଗ ସମୟରେ ସ୍ଵର ପରିଵର୍ତ୍ତନ ହୁଏ ନାହିଁ । ଉଦାହରଣ ସ୍ୱରୂପ “ସଚ୍ + କ୍ତ = ସକ୍ତ” ହୁଏ ଏଵଂ ଏ ଶବ୍ଦ ଗଠନରେ ପାଣିନିଙ୍କ ଅଷ୍ଟାଧ୍ୟାୟୀର “କ୍ତକ୍ତଵତୂ ନିଷ୍ଠା” (୩.୨.୧୦୨) ସୂତ୍ର ପ୍ରଯୁଜ୍ୟ । ଏହି ସୂତ୍ର “କ୍ତ” ପ୍ରତ୍ୟୟକୁ ନିଷ୍ଠା ଅର୍ଥରେ “ସଚ୍” (ଅନୁସରଣ କରିବା) ଧାତୁ ସହ ଯୋଗ କରାଏ। ଫଳତଃ “ସଚ୍” ର “ଅ” ସ୍ୱର ଅପରିଵର୍ତ୍ତିତ ରହେ, କାରଣ ଏହା ପାଇଁ “ପଚୋ ଵଃ” ଭଳି ସ୍ୱର ପରିଵର୍ତ୍ତନ ସୂତ୍ର ନାହିଁ। ଫଳରେ, “ସଚ୍ + କ୍ତ” ସରଳ ଭାବେ “ସକ୍ତ” (ଅନୁସୃତ, ସଂଲଗ୍ନ) ହିଁ ହୁଏ। ଅଷ୍ଟାଧ୍ଯାୟୀର ଅନ୍ୟ ସୂତ୍ର ଯେପରି “ନ ଲଘୁପୂର୍ଵାତ୍” (୧.୨.୨୮) ସମ୍ପ୍ରସାରଣର ଅନୁପସ୍ଥିତିକୁ ସମର୍ଥନ କରେ।

ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ ମହାଶୟ ଯେମିତି ଓଡ଼ିଆ ଭାଷାରେ ଦେଵକୁଳ ଶବ୍ଦ ଦେଉଳ,କାଵଡ଼ି ଶବ୍ଦ କାଉଡ଼ି ଓ ଦେଵୀ ଶବ୍ଦ ଦେଈ ହୋଇଛି ଠିକ୍ ସେହିପରି ନିଷ୍ଠା ପ୍ରତ୍ୟୟ ଯୋଗ ସମୟରେ ମଧ୍ୟ ସ୍ଵର ଵର୍ଣ୍ଣ ଅଵର୍ଗ୍ୟ 'ଵ' ତଥା ଅନ୍ୟ ସ୍ଵରଵର୍ଣ୍ଣରେ ପରିଵର୍ତ୍ତିତ ହେଉଛି । 

ପାଣିନିଙ୍କ ଅଷ୍ଟାଧ୍ୟାୟୀରେ “ଵ”, “ଯ”, “ଲ” ଆଦି ଵ୍ୟଞ୍ଜନ ଵର୍ଣ୍ଣର ସ୍ୱର ଵର୍ଣ୍ଣରେ (ଯଥା “ଉ”, “ଇ”, “ଋ” ଆଦି) ପରିଵର୍ତ୍ତନ ସମ୍ବନ୍ଧୀୟ ନିୟମ ରହିଛି, ଯାହା ମୁଖ୍ୟତଃ ସମ୍ପ୍ରସାରଣ ନିୟମ ଅନୁସାରେ ପରିଚାଳିତ ହୁଏ। ଏହି ସମ୍ପ୍ରସାରଣ ପ୍ରକ୍ରିୟାରେ କେତେକ ଵ୍ୟଞ୍ଜନ (ଯେପରି “ଵ”, “ୟ”, “ଲ”) ନିର୍ଦ୍ଦିଷ୍ଟ ପ୍ରତ୍ୟୟ ଵା ପରିସ୍ଥିତିରେ ସମ୍ପୃକ୍ତ ସ୍ୱର ଵର୍ଣ୍ଣରେ ପରିଵର୍ତ୍ତିତ ହୁଏ। ଏହି ନିୟମ ସାଧାରଣତଃ ନିଷ୍ଠା ପ୍ରତ୍ୟୟ, କ୍ରିୟା ରୂପ ଗଠନ ଵା ଅନ୍ୟ ପ୍ରତ୍ୟୟ ଯୋଗ ସମୟରେ ପ୍ରୟୋଗ ହୁଏ। 

ଅଷ୍ଟାଧ୍ଯାୟୀର ସୂତ୍ର: ଯସ୍ଯେତ୍ ଚ (୧.୧.୧୫) ଅନୁସାରେ “ଯ”, “ଵ”, “ର”, ଓ “ଲ” ଵ୍ୟଞ୍ଜନ ଵର୍ଣ୍ଣ ନିଷ୍ଠା ପ୍ରତ୍ୟୟ, କୃତ୍ ପ୍ରତ୍ୟୟ ଵା ଅନ୍ୟ ନିର୍ଦ୍ଧିଷ୍ଟ ପ୍ରତ୍ୟୟ ଯୋଗ ସମୟରେ ସ୍ୱର ଵର୍ଣ୍ଣରେ ପରିବର୍ତ୍ତିତ ହୁଏ। ଉଦାହରଣ ସ୍ୱରୂପ:
•ଵଚ୍ + କ୍ତ = ଉକ୍ତ : ଏଠାରେ 'ଵ' ଵର୍ଣ୍ଣ 'ଉ' ହୋଇଛି। 
•ସ୍ଵପ୍+କ୍ତ = ସୁପ୍ତ : ଏଠାରେ 'ଵ' ଵର୍ଣ୍ଣ 'ଉ' ହୋଇଛି।‌
•ହ୍ଵେ+କ୍ତ = ହୁତ : ଏଠାରେ 'ଵ' ଵର୍ଣ୍ଣ 'ଉ' ହୋଇଛି ।‌
•ଯଜ୍ + କ୍ତ = ଇଷ୍ଟ : ଏଠାରେ ଯ ଵର୍ଣ୍ଣ ଇ ହୋଇଅଛି।
•ରଜ୍+ କ୍ତ = ଋକ୍ତ : ଏଠାରେ ର ଵର୍ଣ୍ଣ ଋ ହୋଇଅଛି 
ଅଷ୍ଟାଧ୍ଯାୟୀର ସମ୍ପ୍ରସାରଣାଚ୍ଚ (୬.୧.୧୩) ସୂତ୍ର ମଧ୍ୟ ଏହି ଵର୍ଣ୍ଣ ପରିଵର୍ତ୍ତନକୁ ସ୍ପଷ୍ଟ କରେ । 

ତେବେ ମୂଳ ପ୍ରଶ୍ନ ଥିଲା ପକ୍ଵ ଶବ୍ଦରେ ଵ ଫଳା ଅଛି ନା ୱ ଫଳା । ଉତ୍ତର ସ୍ପଷ୍ଟ,ପକ୍ଵରେ ଵ ଫଳା ହିଁ ଅଛି କାରଣ ସଂସ୍କୃତ ଭାଷାରେ ୱ ବୋଲି କୌଣସି ଦ୍ଵିସ୍ଵର ନଥିଲା ଏହାର ସ୍ପଷ୍ଟ ଉଚ୍ଚାରଣ ଓ ସ୍ଵତନ୍ତ୍ର ଅକ୍ଷର ଭାରତରେ କେଵଳ ଓଡ଼ିଆ ଭାଷାରେ ହିଁ ଅଛି ।

Tuesday, January 28, 2025

ମୌଳିକ ଓଡ଼ିଆ ଶବ୍ଦଗୁଡ଼ିକୁ ମହତ୍ତ୍ଵ ଦିଆଯାଉ

ଜଣେ କହୁଥିଲେ ଶବ୍ଦ ଵିଶେଷକୁ ମହତ୍ତ୍ଵ ଦେଇ କି ଲାଭ ? ଗୋଟିଏ ଦୁଇଟି ଓଡ଼ିଆ ଶବ୍ଦ ମରିଗଲେ ମରିଯାଉ ଆମ ପାଖରେ କ'ଣ ଶବ୍ଦର ଅଭାଵ ଅଛି ? 

ବୋଧହୁଏ ସେ ବାବୁ ଶବ୍ଦଗୁଡ଼ିକୁ ତୁଚ୍ଛ ମନେ କରୁଥାଇପାରନ୍ତି କିନ୍ତୁ ପୃଥିଵୀର ପ୍ରତ୍ୟେକ ଶବ୍ଦ ମହତ୍ତ୍ୱପୂର୍ଣ୍ଣ। ସଂସ୍କୃତି ମରିଗଲେ ବି ଭାଷା ବଞ୍ଚିରହେ । ପାରସ୍ୟ ଦେଶର ଲୋକେ ସେମାନଙ୍କ ମୂଳ ସଂସ୍କୃତି ପରମ୍ପରାକୁ ଛାଡ଼ି ପଠାଣ ହୋଇଯାଇଛନ୍ତି ତଥାପି ପାରସ୍ୟ ଦେଶରେ ପ୍ରାଚୀନ କାଳରୁ ପ୍ରଚଳିତ ପାର୍ସୀ ଭାଷା ଏବେ ବି ବଞ୍ଚି ରହିଛି । ସେହିପରି ଗୋଟିଏ ଭାଷା ମରିଗଲେ ବି ତହିଁରେ ପ୍ରଚଳିତ ଏକ ଵା ଏକାଧିକ ଶବ୍ଦ ଅନ୍ୟ ଭାଷାରେ ବଞ୍ଚିରହିପାରେ । ଉଦାହରଣ ସ୍ୱରୂପ ଅଷ୍ଟ୍ରେଲିଆର ଜନଜାତୀୟ ଭାଷା Guugu Yimidhirr ଆଜି ଲୁପ୍ତପ୍ରାୟ କିନ୍ତୁ ଏ ଭାଷାର କଙ୍ଗାରୁ ଶବ୍ଦ ସାରା ଵିଶ୍ଵଵାସୀ ଆପଣା ଭାଷାରେ ଗ୍ରହଣ କରିଛନ୍ତି । ପୁଣି ଊନବିଂଶ ଓ ବିଂଶ ଶତାବ୍ଦୀ ମଧ୍ୟରେ ଲୋପ ପାଇଥିଵା ଅଷ୍ଟ୍ରେଲୀୟ ଜନଜାତୀୟ Dharug ଭାଷାର bumariny ଶବ୍ଦରୁ boomerang ଶବ୍ଦ ସୃଷ୍ଟି ହୋଇଥିଲା ଯାହା ଆଜି ବି ଅନେକ ଭାଷାରେ ଚଳୁଅଛି।‌ 

ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜ(West Indies)ରେ 
Taíno ନାମରେ ଏକ ଭାଷା ଆଜକୁ ଚାରି ପାଞ୍ଚ ଶହ ଵର୍ଷ ତଳେ ବୋଲାଯାଉଥିଲା । ୟୁରୋପୀୟମାନଙ୍କ ଦ୍ଵାରା ଯୋଜନାବଦ୍ଧ ଭାବରେ ସ୍ଥାନୀୟ ମୂଳନିଵାସୀମାନଙ୍କର ହତ୍ୟା ଓ ସେମାନଙ୍କ ଉପରେ ପର୍ତ୍ତୁଗୀଜ୍,ଇଂରାଜୀ, ଫରାସୀ ଓ ସ୍ପାନିଶ ଆଦି ଭାଷା ଯୋର କରି ଲଦାଯିଵା ଯୋଗୁଁ Taíno ଭାଷା ଲୋପ ପାଇଗଲା । କିନ୍ତୁ ଗଲାବେଳେ Taíno ଭାଷା ସଂସାରକୁ ଦେଇଯାଇଛି barbecue, caiman, canoe, cassava, cay, guava, hammock, hurricane, hutia, iguana, macana, maize, manatee, mangrove, maroon, potato, savanna ଓ tobacco ଭଳି କିଛି ମୂଳ ଜନଜାତୀୟ ଶବ୍ଦ । 

ସେହିଭଳି ଅଳ୍ପ ଲୋକଙ୍କ ଦ୍ୱାରା କଥିତ ତଥା ସୀମିତ ଅଞ୍ଚଳରେ ପ୍ରଚଳିତ ଭାଷା ଵିଶେଷର ଏକ ଵା ଏକାଧିକ ଶବ୍ଦ ସାରା ଵିଶ୍ଵରେ ମଧ୍ୟ ଚଳୁଥିଵାର ଅନେକ ଉଦାହରଣ ରହିଛି । ଆଙ୍ଗୋଲାରେ Bantu ଭାଷା‌ Kiviliର ci-mpenzi ଇଂରାଜୀ ଭାଷାରେ ଆସି chimpanzee ହୋଇ ଚଳିଲା ଓ ପରେ ଓଡ଼ିଆ ଭାଷାରେ ଏହି ଶବ୍ଦଟି ସିମ୍ପାଜି ହୋଇଅଛି । ଭାରତରୁ ମଧ୍ୟ ଶତାଧିକ ଶବ୍ଦ ଯାଇ ସାରା ଵିଶ୍ଵର ଵିଭିନ୍ନ ଭାଷାରେ ଚଳୁଅଛି। ଉଦାହରଣ ସ୍ୱରୂପ ସଂସ୍କୃତ ବାତିଙ୍ଗଣ ଶବ୍ଦରୁ Brinjal,ଚିତ୍ରସ ଓ ଚିତା ଶବ୍ଦରୁ cheetah ଶବ୍ଦ ସୃଷ୍ଟି ହୋଇଛି । ଶୃଗାଳ ଶବ୍ଦଟି ପାର୍ସୀରେ شغال (shaghal) ଓ ତୁର୍କଭାଷାରେ çakal ହୋଇ ଶେଷରେ ଇଂରାଜୀ ଭାଷାରେ ଯାଇ Jackal ହୋଇଅଛି।‌ ଓଡ଼ିଆ ଜଗନ୍ନାଥ ଶବ୍ଦ ଇଂରାଜୀ ଭାଷାରେ ଯାଇ Juggernaut ହୋଇଛି। ମୂଲ୍ୟଵାନ ପଥର Opalର ଇଂରାଜୀ ନାମଟି ଏହାର ସଂସ୍କୃତ ନାମ ଉପଳରୁ ନିଆଯାଇଛି । pepper ଶବ୍ଦଟି ସଂସ୍କୃତର ପିପ୍ପଳୀରୁ ସୃଷ୍ଟି ହୋଇଛି।‌ ତେଣୁ ସମ୍ଭଵତଃ ଶବ୍ଦର ଶକ୍ତିକୁ ଅନୁଭଵ କରି ଆମ ପୂର୍ଵଜ ଶବ୍ଦକୁ ବ୍ରହ୍ମ ସହିତ ତୁଳନା କରିଥିବେ ।  

ଶବ୍ଦ ଵାକ୍ୟର ଅଙ୍ଗ; ଵାକ୍ୟ ଶବ୍ଦର ଶରୀର ଆଉ ଅନେକ ଶବ୍ଦର ସମାହାର ଓ ତହିଁର ଵ୍ୟଵହାର ସ୍ଵାତନ୍ତ୍ର୍ୟ ଭିତ୍ତିରେ ଗୋଟିଏ ଗୋଟିଏ ଭାଷା ଗଠିତ। ଯେମିତି ଏକ ଏକ ପ୍ରସ୍ତର ଵା ଇଷ୍ଟକ ଘେନି ଗୃହଟିଏ ନିର୍ମିତ ହୁଏ ଠିକ୍ ସେହିପରି ଏକ ଏକ ଶବ୍ଦ ଘେନି ଭାଷାଟିଏ ଗଠିତ ହୋଇଥାଏ ।‌ ଯେକୌଣସି ଭାଷାରେ ପ୍ରଚଳିତ ମୌଳିକ ଶବ୍ଦମାନ ଉକ୍ତ ଭାଷାର ଅମୂଲ୍ୟ ସମ୍ପଦ। ଗୋଟିଏ ଵୈଦେଶିକ ଶବ୍ଦ ଆଣି ଭାଷାରେ ମିଶାଇଲେ ସମାର୍ଥକ ଅନେକ ମୌଳିକ ଶବ୍ଦ ଅପ୍ରଚଳିତ ହୋଇ ମରି ହଜିଯାଏ । ଉଦାହରଣ ସ୍ୱରୂପ ଓଡ଼ିଆ ଭାଷାରେ ଵୈଦେଶିକ ଖୋଜ୍ ଶବ୍ଦ ଆସି ମିଶିଯିଵାରୁ ଓଡ଼ିଆ ଭାଷାରେ ପୂର୍ଵେ ସମ ଅର୍ଥରେ ଵ୍ୟଵହାର ହେଉଥିଵା ଉଣ୍ଡିଵା ଓ ଡଗରାଇଵା ଭଳି ଶବ୍ଦ ଆଜି ହଜିଗଲାଣି । 

ଵୈଦେଶିକ ଵ୍ୟକ୍ତି ଓ ଧର୍ମସଂସ୍କୃତିର ପ୍ରଭାଵ ଗୋଟିଏ ଦେଶରେ ବଢ଼ିଗଲେ ଉକ୍ତ ଦେଶର ମୂଳ ସଂସ୍କୃତି ସଂହରି ଯାଏ ଵା ବଦଳି ଯାଏ । ତୁର୍କୀ,ଇରାକ ଓ ଇରାନ ଏହାର ପ୍ରମୁଖ ଉଦାହରଣ ।‌ ଵୈଦେଶିକ ଵୃକ୍ଷ ଅଧିକ ସଂଖ୍ୟକ ଲଗାଇଲେ ଦେଶୀୟ ଗଛଗୁଡ଼ିକର ବଂଶ ଲୋପ ପାଏ । ଆଜି ଆମ ଗାଆଁଗଣ୍ଡାରେ କାଜୁ,ପିଜୁଳି, ଅମୃତଭଣ୍ଡା ,ବଢ଼ିଆଳ ଓ ଆତ ଭଳି ଗଛର ପ୍ରାଦୁର୍ଭାଵ ବଢ଼ିଵା ଯୋଗୁଁ କ୍ଷୀରକୋଳି,ନଅରକୋଳି,ସାପଟା, କରମଙ୍ଗା,କେନ୍ଦୁ, ଡିମ୍ବିରି ଓ କୁସୁମ କୋଳି ପରି ଗଛ ଆଉ ସେତେ ଦେଖାଯାଏ ନାହିଁ। ସେହିପରି ଗୋଟିଏ ଭାଷାରେ କେଵଳ ଚମକ ସୃଷ୍ଟି ପାଇଁ ଦେଖେଇ ହେଵା ପାଇଁ ଜ୍ଞାନୀ ଓ ଆଧୁନିକ ମଣିଷ ବୋଲି ପରିଚିତ ହେଵା ପାଇଁ ଵୈଦେଶିକ ଶବ୍ଦ ପ୍ରୟୋଗ ମାତ୍ରାଧିକ ହୋଇଗଲେ ଉକ୍ତ ଭାଷାର କାୟା ହିଁ ପରିଵର୍ତ୍ତିତ ହୋଇଯାଏ,ମର୍ଫୋଲୋଜି ସଂହରିଯାଏ, ଭାଷା କଳୁଷିତ,ଅଶାସ୍ତ୍ରୀୟ ଓ ଅଵୈଜ୍ଞାନିକ ହୋଇଯାଏ । ତେଣୁ ଭାଷାପ୍ରେମୀ,ଭାଷାଵିତ ଓ ସାହିତ୍ୟିକମାନେ ମୌଳିକ ଓଡ଼ିଆ ଶବ୍ଦଗୁଡ଼ିକୁ ମହତ୍ତ୍ଵ ହେଵା ଉଚିତ୍ ଅନ୍ୟଥା ଓଡ଼ିଆ ଭାଷାର ମଧ୍ୟ ହିନ୍ଦୀ ପରି ଦୁର୍ଗତି ହୋଇଯିଵା ସାର ହେଵ ! 

Monday, January 27, 2025

•ପଲ୍ଵଳ: ଏକ ଵିସ୍ମୃତ ପ୍ରାଚୀନ ଭାରତୀୟ ଶବ୍ଦ•

ପଲ୍ବଳ ଗୋଟିଏ ନିରୋଳ ଶାସ୍ତ୍ରୀୟ ଭାରତୀୟ ଶବ୍ଦ ତେବେ ଅନେକେ ହୁଏତ ଏ ଶବ୍ଦ ସମ୍ବନ୍ଧରେ ସେତେଟା ଜାଣିନଥିବେ । ଅଵଶ୍ୟ ଛୋଟବେଳୁ ହିଁ ଆମେ ଓଡି଼ଆମାନେ 'ପଲ୍ବଳ' ଶବ୍ଦ ସହିତ ପରିଚିତ ହୋଇଯାଆନ୍ତି କିନ୍ତୁ ଏ ଶବ୍ଦଟିର ଵ୍ୟଵହାର କଥିତ ଭାଷାରେ କି ଲିଖିତ ଭାଷାରେ ସେତେ ନଥିଵାରୁ ଆମେ ଏହାକୁ ପରେ ପରେ ପୋଶୋରି ଦିଅନ୍ତି ।‌ 

ଆମେ ଓଡ଼ିଆମାନେ ଛୋଟବେଳୁ କେମିତି ପଲ୍ବଳ ଶବ୍ଦ ସହିତ ପରିଚିତ ହୁଅନ୍ତି କେହି କେହି ପଚାରି ପାରନ୍ତି। ତେବେ ଅନେକଙ୍କର ହୁଏତ ଆଜି ବି ମନେ ଥିଵ ଯେ ଵର୍ଣ୍ଣବୋଧରେ 'ଵ ଫଳା' ପାଇଁ “ସ୍ୱଭାଵ,ଉଦ୍ୱେଗ,ଈଶ୍ୱର,ନିଃଶ୍ୱାସ,ସମ୍ବଳ,ଗ‌ହ୍ୱର, ଵିହ୍ୱଳ,ରାଜତ୍ୱ,ଆଶ୍ୱିନ,ପଲ୍ୱଳ,ଆହ୍ୱାନ,ତେଜସ୍ୱୀ, ,ତପସ୍ୱୀ,ସତ୍ୱର ଓ ଅନ୍ୱେଷଣ ଆଦି ଶବ୍ଦର ଉଦାହରଣ ରହୁଥିଲା। ତେଣୁ ଛୋଟବେଳେ ଵର୍ଣ୍ଣବୋଧ ପଢ଼ିଥିଵା ଲୋକଙ୍କ ମଧ୍ୟରେ କେହି କେହି ଏବେ ବି ହୁଏତ ପଲ୍ବଳ ଶବ୍ଦଟିକୁ ମନେ ରଖିଥିବେ । ପ୍ରକୃତରେ କ୍ଷୁଦ୍ର ଜଳାଧାର,ଡୋବା ଵା ଚୁଆକୁ ସଂସ୍କୃତ ଭାଷାରେ ପଲ୍ବଳ କୁହନ୍ତି । ଏ ଶବ୍ଦ ବହୁତ ପ୍ରାଚୀନ। 

ମହାଭାରତରେ ପଲ୍ଵଳ ଶବ୍ଦ ପ୍ରୟୋଗ ହୋଇଥିଵା କଥା କଳ୍ପଦ୍ରୁମରେ ଉଲ୍ଲେଖ ଅଛି । ଯଥା :
“ପଲ୍ଵଳାନି ଚ ସର୍ଵ୍ଵାନି ସର୍ଵ୍ଵେ ଚୈଵ ତୃଣୋପଳାଃ ।
ସ୍ଥାଵରଂ ଜଙ୍ଗମଞ୍ଚୈଵ ନିଃଶେଷଂ କୁରୁତେ ଜଗତ୍ ॥”


ସଂସ୍କୃତ କଳ୍ପଦ୍ରୁମରେ ଏହି ଶବ୍ଦର ନିରୁକ୍ତି ଲେଖାଅଛି “ପଳତି ଗଚ୍ଛତି ପିବତ୍ଯସ୍ମିନ୍ ଵା ।ପଳ ଗତୌ ପା ପାନେ ଵା +“ସାନସିଵର୍ଣ୍ଣସିପର୍ଣ୍ଣସୀତି ।” ଉଣାଂ । ୪ । ୧୦୭ । ଇତି ନିପାତନାତ୍ଵଳଚ୍ ପ୍ରତ୍ଯୟେନ ସିଦ୍ଧମ୍” । 

ପଲ୍ ଧାତୁରୁ ଯିଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୁଏ ତେଣୁ ଯେଉଁଠାକୁ ଗୋମେଷାଦି ପାଣି ପିଇଵାକୁ ଯାଆନ୍ତି ତାହା ପଲ୍ଵଳ ଅଟେ । ଭାଵପ୍ରକାଶ ଗ୍ରନ୍ଥରେ 'ପଲ୍ବଳ'ର ଲକ୍ଷଣ(ଅର୍ଥ) ଏମନ୍ତ ଉଲ୍ଲେଖ କରାଯାଇଛି -“ଅଳ୍ପଂ ସରଃ ପଲ୍ଵଳଂ ସ୍ଯାଦ୍ଯତ୍ର ଚନ୍ଦ୍ରର୍କ୍ଷ୍ୟଗେ ରଵୌ । ନ ତିଷ୍ଠତି ଜଳଂ କିଞ୍ଚିତ୍ତତ୍ରତ୍ଯଂ ଵାରି ପାଲ୍ଵଳମ୍ ॥” ସେହିପରି ପଲ୍ବଳର ଗୁଣ ଲେଖାଅଛି “ପାଲ୍ଵଳଂ ଵାର୍ଯ୍ଯଭିଷ୍ଯନ୍ଦି ଗୁରୁ ସ୍ଵାଦୁ ତ୍ରିଦୋଷକୃତ୍ ॥”

ଓଡ଼ିଆ ସାହିତ୍ୟରେ ପଲ୍ଵଳ ଶବ୍ଦର ପ୍ରୟୋଗ ନୂଆ ନୁହେଁ । କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଓ ଵୈଦେହୀଶ ଵିଳାସରେ ପଲ୍ଵଳ ଶବ୍ଦର ଵ୍ୟଵହାର ରହିଛି । 
କଵି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାଵ୍ୟରେ ପଲ୍ଵଳ ଶବ୍ଦ ପ୍ରୟୋଗ କରି ଲେଖିଛନ୍ତି...

“ରଞ୍ଜକ ଖ୍ୟାତ ନଳୀ ଅଛି ଯୋଖି ।
ମନୋହର ନାଭି ପଲ୍ୱଳ ଦେଖି॥”

ସେହିପରି ଵୈଦେହୀଶ ଵିଳାସରେ ପଲ୍ଵଳ ଶବ୍ଦର ଵ୍ୟଵହାର କରି ଭଞ୍ଜକଵି ପଦେ ରଚିଛନ୍ତି 

“ବନ୍ଧାଇ ହୋଇ ସୁଗ୍ରୀଵେ ମିତ୍ର ବଳ ସାଜି ।
ଵାରିଧି ପଲ୍ୱଳ ଡେଇଁ ଆସିଛି ମୁଁ ଖୋଜି ଯେ ॥”
(ହନୁମାନ ରାବଣକୁ କହିଲା "ରାମଚନ୍ଦ୍ର ସୁଗ୍ରୀବଙ୍କ ସହିତ ମିତ୍ରତା ସୂତ୍ରରେ ବନ୍ଧନ ହେବାରୁ ମିତ୍ର ସୁଗ୍ରୀବ ସୈନ୍ୟ ସଜ୍ଜିତ କରୁଅଛନ୍ତି । ମୁଁ ସମୁଦ୍ରକୁ କ୍ଷୁଦ୍ର ପୁଷ୍କରିଣୀ ପରି ଡେଇଁ ସୀତାଙ୍କୁ ଖୋଜିବାକୁ ଆସିଅଛି ।" )

ନାରାୟଣ ଵିପ୍ରଙ୍କ ଵିରଚିତ ପଦ୍ମପୁରାଣରେ ମଧ୍ୟ ପଲ୍ଵଳ ଶବ୍ଦ ପ୍ରୟୋଗ କରାଯାଇଥିଵା ଜଣାଯାଏ। 

“ହାୟନ ଯୁଗ ଆଦି ଯେତେ । ପୂର୍ଵାନୁକ୍ରମେ ଏ ଜଗତେ।। 
ନଦୀ ସାଗର ବାମ୍ଫୀ ସର । ପଲ୍ୱଳ ହ୍ରଦ ଯେ ନିର୍ଝର।। 
ଵୃକ୍ଷ ବଲ୍ଲରୀ ମନୌଷଧି । ଗିରି ନଗର ଗ୍ରାମ ଆଦି।। 
 ଏମାନେ ସ୍ଵାମୀ ଗୁଣେ ଯୁତ। ହୁଅନ୍ତି ସର୍ଵଦା ପୂଜିତ।।”
(ନାରାୟଣ ଵିପ୍ର କୃତ ପଦ୍ମପୁରାଣ)

ତେଣୁ ହଁ କଥିତ ଓଡ଼ିଆ ଭାଷାରେ ସେତେଟା ଵ୍ୟଵହାର ହେଉନଥିଲେ ବି ଓଡ଼ିଆ ଲିଖିତ ସାହିତ୍ୟରେ ପଲ୍ଵଳ ଶବ୍ଦର ଵ୍ୟଵହାର ରହିଛି । ଆଜି ବି ଅନେକ କଵି ପଲ୍ଵଳ ଶବ୍ଦ ପ୍ରୟୋଗ କରୁଅଛନ୍ତି । 

ତେବେ ଭାରତଵର୍ଷର କେତେକ ଇଣ୍ଡିକ୍ ଭାଷାରେ ପଲ୍ଵଳ ଶବ୍ଦ ମୂଳରୁ ଅନେକ ଦେଶଜ ଶବ୍ଦ ବି ସୃଷ୍ଟି ହୋଇଛି । 
ପାଲିରେ ପଲ୍ଵଳ ଶବ୍ଦ pallala ହୋଇ ଚଳୁଥିଲାବେଳେ 
ପ୍ରାକୃତରେ ତାହା 𑀧𑀮𑁆𑀮𑀮 (pallala) ହୋଇଥିଲା ।‌ ଏଥିରେ ଜଣାଯାଏ ଯେ ଆଗେ ପଲ୍ଵଳ ଶବ୍ଦଟି ତତ୍କାଳୀନ ଵିଭିନ୍ନ କଥିତ ଇଣ୍ଡିକ୍ ଭାଷାରେ ବି ନାନା ରୂପ ଘେନି ଚଳୁଥିଲା । ପରଵର୍ତ୍ତୀ କାଳରେ ପ୍ରାକୃତ ଓ ପାଲି ଭାଷା ଦେଇ ଏହି ପଲ୍ବଳ ଶବ୍ଦ ମୂଳର pallala ଓ 𑀧𑀮𑁆𑀮𑀮 (pallala) କ୍ରମେ ଧିଵେହୀ ଭାଷାରେ(ମାଳଦ୍ଵୀପ) ފަޅު
 (faḷu) ଓ ସିଂହଳୀ ଭାଷାରେ පල්ලල (pallala) ହୋଇଅଛି । ଏପଟେ ସିନ୍ଧୀ ଭାଷାରେ ବି ପ୍ରାକୃତ ଭାଷା ଦେଇ پَلهَرُ ପଲ୍ହରୁ ଶବ୍ଦ ସୃଷ୍ଟି ହୋଇଛି ‌। 

କିନ୍ତୁ ପଲ୍ଵଳ ଶବ୍ଦର ସଗୋତ୍ରୀୟ ସମ୍ପର୍କ ଥିଵା ସଗୋତ୍ରୀୟ ଶବ୍ଦ Balto-Slavic ଭାଷା ଲିଥୁଆନିଆ ଓ ଲାଟଵିଅନ୍ ଭାଷା,ଇଟାଲିକ୍ ଭାଷା ଲାଟିନ ଓ Hellenic ଭାଷା ଗ୍ରୀକ୍‌ରେ ବି ରହିଥିଵାର ଆଧୁନିକ ଭାଷାଵିଜ୍ଞାନୀମାନେ ପ୍ରମାଣ କରିଛନ୍ତି । 

ମୂଳ ଭାରୋପୀୟ ଭାଷାରେ*pelH ବୋଲି ଗୋଟିଏ ଶବ୍ଦ ପ୍ରଥମେ ଖଦିର,ଧୂସର,ପାଉଁଶିଆ ଵା Gray ଅର୍ଥରେ ପ୍ରୟୋଗ ହେଉଥିଲା । ପରେ ଏ ଶବ୍ଦ କ୍ଷେତ୍ରରେ semantic shift ଵା ଶବ୍ଦାର୍ଥ ପରିଵର୍ତ୍ତନ ଘଟି ତାହା swamp ଵା ଜଳାଭୂମି,marsh ଓ puddle ଆଦି ନାନା ଅର୍ଥରେ ଵିଭିନ୍ନ ଭାଷାରେ ଭିନ୍ନ ଭିନ୍ନ ରୂପରେ ଚଳିଵାକୁ ଲାଗିଲା । ଯେହେତୁ ଜଳାଭୂମି,ଛୋଟ ଗାଡ଼,ଡୋବା,ଚୁଆ ଓ କ୍ଷୁଦ୍ର ଜଳାଶୟ ଦୂରରୁ ଦେଖିଲେ ଖଦିର,ଧୂସର ଵା ପାଉଁଶିଆ ରଙ୍ଗର ଦେଖାଯାଇଥାଏ ତେଣୁ ହୁଏତ ମୂଳ ଭାରୋପୀୟ ଶବ୍ଦ *pelH କ୍ଷେତ୍ରରେ ଏଭଳି ଶବ୍ଦାର୍ଥ ପରିଵର୍ତ୍ତନ ସମ୍ଭଵ ହୋଇଥାଇପାରେ । ଆଜି ବି ଇଂରାଜୀ ଭାଷାରେ ଵ୍ୟଵହୃତ ହେଉଥିଵା Pale ଶବ୍ଦଟି ଏହି ମୂଳ ଶବ୍ଦରୁ ସୃଷ୍ଟି ହୋଇଛି । ସେହିପରି ପ୍ରାଚୀନ ଗ୍ରୀକରେ ଏହି ମୂଳ ଶବ୍ଦରୁ πηλός(pēlós) ଶବ୍ଦ ସୃଷ୍ଟି ହୋଇ ମୃତ୍ତିକା ଓ କର୍ଦ୍ଦମ ଆଦି ଅର୍ଥରେ ଚଳୁଥିଲା । ଲିଥୁଆନିଆର pelkė (“marsh”) ଓ ଲାଟଵିଅନର peļķe (“puddle”) ଶବ୍ଦ ମଧ୍ୟ ଏହି ମୂଳରୁ ସୃଷ୍ଟି ହୋଇଛି ବୋଲି ଆଧୁନିକ ଭାଷାଵିଜ୍ଞାନୀମାନେ ମତ ଦିଅନ୍ତି । ଲାଟିନ ଭାଷାର palūs ଓ palūdis ଇତ୍ୟାଦି ଶବ୍ଦ ବି ଏହି ମୂଳରୁ ସୃଷ୍ଟି ହୋଇଥିଲା ଏଵଂ ଜଳାଭୂମି,ଡୋବା,ଚୁଆ ଓ ଜଳାଶୟ ଇତ୍ୟାଦି ଅର୍ଥରେ ଚଳୁଥିଲା । କିନ୍ତୁ ପ୍ରଶ୍ନ ଆସେ ଯଦି ମୂଳ ଭାରୋପୀୟ ଭାଷାରେ ଆଗେ ପଲ୍ଵଳ ଶବ୍ଦର ମୂଳ ରୂପ *pelH ଶବ୍ଦଟିର ଅର୍ଥ ଧୂସର,ପାଣ୍ଡୁର ଓ ଖଦିର ଥିଲା ଏଵଂ ପରେ ସେହି ଶବ୍ଦରୁ ଇଂରାଜୀ ଭାଷାରେ Pale ଶବ୍ଦ ସୃଷ୍ଟି ହୋଇଛି ତାହେଲେ କ'ଣ ଭାରତରେ ବି କ୍ଷୁଦ୍ର ଜଳଧାରା ଵା ଡୋବା ଇତ୍ୟାଦି ଅର୍ଥଜ ପଲ୍ଵଳ ଶବ୍ଦ ଛଡ଼ା ଅନ୍ୟ କୌଣସି ଶବ୍ଦ ଥିଲା ? 

 Sir. Ralph Lilley Turnerଙ୍କ ଆର୍ଯ୍ୟଭାଷା ଵ୍ୟୁତ୍ପତ୍ତି କୋଷ A comparative dictionary of Indo-Aryan languagesର ୭୯୭୪ ତଥା ୭୯୭୫ତମ ପୃଷ୍ଠାରେ କୁହାଯାଇଛି ଯେ ହଁ ଆଗେ ଭାରତରେ ମଧ୍ୟ 
†*paluva(୰ପଲୁଵ),*palva(ପଲ୍ଵ) ଓ *palvara(ପଲ୍ଵର) ଭଳି ଶବ୍ଦ ଧୂସର,ପାଣ୍ଡୁର ଓ ଖଦିର ଅର୍ଥରେ ଚଳୁଥିଲା। ସେଥିପାଇଁ ତ ଆଜି ବି ସିଂହଳୀରେ Pulu(Grey hair),ପାହାଡ଼ୀ ଶୈଳୀ ଭାଲେଶୀରେ pallrā̃(Grey hair) ଓ ଭଦ୍ରଵାହୀରେ pallar(Grey hair) ଆଦି ଶବ୍ଦ ଚଳୁଅଛି ବୋଲି ରାଲ୍ଫ ଟର୍ନରଙ୍କ ଵ୍ୟୁତ୍ପତ୍ତିକୋଷରୁ ଜଣାଯାଏ । 

ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ସଂସ୍କୃତ ଏମିତି ଏକ ଭାଷା ଯହିଁର ଶବ୍ଦଗୁଡ଼ିକ ମଧ୍ୟରେ ଅନେକ ଶବ୍ଦର ସଗୋତ୍ରୀୟ ସମ୍ପର୍କ ତିନି ଵା ତତୋଽଧିକ ଭାରୋପୀୟ ଶାଖାର ଭାଷାରେ ପ୍ରଚଳିତ ଶବ୍ଦ ସହିତ ଥିଵା ଦୃଷ୍ଟିଗୋଚର ହୋଇଥାଏ । *pelH ଭଳି ଗୋଟିଏ ଗୋଟିଏ ପ୍ରାଚୀନ ମୂଳ ଶବ୍ଦରେ semantic shift ଵା ଶବ୍ଦାର୍ଥ ପରିଵର୍ତ୍ତନ ଘଟି ନାନା ଭରୋପୀୟ ଭାଷାରେ ଗୋଟିଏ ମୂଳ ଶବ୍ଦ ଭିନ୍ନ ଭିନ୍ନ ରୂପ ଧାରଣ କରି ଅନେକ ଅର୍ଥରେ ଚଳିଅଛି ।‌ ପୁଣି ଅନେକ ପ୍ରାଚୀନ ମୂଳ ଭାରୋପୀୟ ଶବ୍ଦ ମଧ୍ୟ ନିଜର ପ୍ରାଚୀନ ଅର୍ଥ ଓ ରୂପ ଘେନି ସଂସ୍କୃତ ଓ ପ୍ରାକୃତ ଆଦି ଭାଷାରେ ଚଳୁଥିଲା ତଥା ଏବେ ବି ତନ୍ମଧ୍ୟରେ କେତେକ ଚଳୁଅଛି । ଶେଷରେ ପଲ୍ଵଳ ଶବ୍ଦର ନିରୁକ୍ତି ଓ ଵ୍ୟୁତ୍ପତ୍ତି ମଧ୍ୟରେ ଆକାଶ ପାତାଳ ପ୍ରଭେଦ ଦେଖି ଆମ୍ଭେମାନେ ଜାଣିଲେ ଯେ ଗୋଟିଏ ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ ଓ ନିରୁକ୍ତି ଇତିହାସ କେମିତି ଭିନ୍ନ ଭିନ୍ନ ହୋଇପାରେ। ପ୍ରାଚୀନ ଭାରତୀୟ ଭାଷାଵିଦମାନେ ନିରୁକ୍ତି ବଳରେ ମୂଳ ଭାରୋପୀୟ ଶବ୍ଦଗୁଡ଼ିକୁ ଧାତୁ ପ୍ରତ୍ୟୟାଦି ଦ୍ଵାରା ସଂସ୍କୃତ କରିଥିଲେ, ଶୁଦ୍ଧ କରିଥିଲେ କିନ୍ତୁ ଉକ୍ତ ଶବ୍ଦଗୁଡ଼ିକର ଅନ୍ୟାନ୍ୟ ଭାରୋପୀୟ ଭାଷାରେ ସଗୋତ୍ରୀୟ ସମୋଦ୍ଧୃତ ଶବ୍ଦ ଆମକୁ ଜଣାଇ ଦିଏ ଯେ ସେ ଶବ୍ଦର ଇତିହାସ ଅତି ଗହନ ଓ ପ୍ରାଚୀନ ହୋଇପାରେ । 

Thursday, December 5, 2024

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?



ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ 
ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପା ଅର୍ଥଜ ଅସରପା ଶବ୍ଦଟି ଅସ୍ଥିରପାଦ ଶବ୍ଦରୁ ସୃଷ୍ଟି ହୋଇଛି ବୋଲି ମଧ୍ୟ ଉଲ୍ଲେଖ ଅଛି । ତେବେ ଭାଷାକୋଷରେ Cockroach ଅର୍ଥଜ ଅସରପା ଶବ୍ଦଟି ଅସ୍ରପା ଶବ୍ଦରୁ ସୃଷ୍ଟି ହୋଇଛି ବୋଲି ମତ ଦିଆଯାଇଛି । କିନ୍ତୁ ଭାଷାକୋଷ,ଶବ୍ଦକଳ୍ପଦ୍ରୁମ ଇତ୍ୟାଦି ଅନେକ ଅଭିଧାନରେ ଅସ୍ରପ ଓ ଅସ୍ରପା ଶବ୍ଦର ଅର୍ଥ ରାକ୍ଷସ, ରାକ୍ଷସୁଣୀ ଓ ଜୋକ ହିଁ ଲେଖା ହୋଇଛି। କୌଣସି ପୁରାତନ ସଂସ୍କୃତ ଅଭିଧାନରେ ଅସ୍ରପା ଶବ୍ଦର ଅର୍ଥ Cockroach ଲେଖାଥିଵା ଜଣାଯାଏ ନାହିଁ । ତେବେ ବହୁତ ସମ୍ଭଵ Cockroachକୁ ଶାସ୍ତ୍ରୀୟ ଓଡ଼ିଆ ନାଆଁଟିଏ ଦେଵା ପାଇଁ ସଂସ୍କୃତର ଅସ୍ର ଓ ପା/ପାଦ ଶବ୍ଦକୁ ଯୋଡ଼ି ଓଡ଼ିଶାରେ ସ୍ବତନ୍ତ୍ର ଭାଵେ ଅସ୍ରପା ଶବ୍ଦଟି ସୃଷ୍ଟି କରାଯାଇଥାଇପାରେ । ଭାରତରେ ଆଉ କୋଉଠି ବି କୌଣସି ଭାଷାରେ ଅସରପା କି ଅସ୍ରପା ସମସାଦୃଶ୍ୟ ଶବ୍ଦ ଦେଖାଯାଏ ନାହିଁ । କେଵଳ ବଙ୍ଗାଳୀରେ ହିଁ ଅସରପାକୁ আরশুলা (arśula) କୁହାଯାଏ । ମୂଳ ଅସ୍ରପା ଶବ୍ଦର ଵର୍ଣ୍ଣଵିପର୍ଯ୍ୟୟରେ ବଙ୍ଗାଳୀ ଭାଷାରେ আরশুলা (arśula) ଶବ୍ଦ ସୃଷ୍ଟି ହୋଇଛି ବୋଲି ଜ୍ଞାନେନ୍ଦ୍ର ମୋହନ ଦାସଙ୍କ "ବାଙ୍ଗ୍ଲା ଭାଷାରୋ ଅଭିଧାନରେ" ଉଲ୍ଲେଖ ଅଛି। 


ତେଣୁ ବହୁତ ସମ୍ଭଵ ଅସ୍ରପା ଵା ଅସ୍ରପାଦ ଶବ୍ଦରୁ ହିଁ ଅସରପା ଶବ୍ଦ ଭାରତର ପୂର୍ଵ ଭାଗସ୍ଥ କଳିଙ୍ଗ ଦେଶରେ ସୃଷ୍ଟି ହୋଇଛି। ଓଡ଼ିଆ ଭାଷା ଭାରତର ସର୍ଵାଧିକ ସଂସ୍କୃତନିଷ୍ଠ ଭାଷା ତେଣୁ ଏଭଳି ହେଵା ସାଧାରଣ କଥା । ତେବେ ଅସ୍ର ଆଉ ପା ଶବ୍ଦର ଅର୍ଥ ଆଲୋଚନା କରିଦେଲେ ସ୍ପଷ୍ଟ ହୋଇଯିଵ ଯେ Cockroachକୁ ଅସ୍ରପା ଵା ଅସରପା ନାଆଁ କାହିଁକି ଦିଆଯାଇଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଅସ୍ର ଶବ୍ଦର ଅର୍ଥ କୋଣ,ରକ୍ତ,କେଶ ଓ ଅଶ୍ରୁ । ସେହିପରି ‘ପା’ ଵା ‘ପାଆ’ ଶବ୍ଦର ଅର୍ଥ ଗୋଡ଼( Leg) ଓ ପାଦ(foot) । ତେଣୁ ସ୍ପଷ୍ଟ ହୋଇଯାଏ ଯେ ଅସରପାର ପାଦଟି ଵା ଗୋଡ଼ଟି ଅସ୍ରକାର ଵା କୋଣାକାର ପୁଣି ଏହାର ପାଦରେ ଏକାଧିକ ଅସ୍ର ଵା କେଶ ବାହାରି ଥାଏ ତେଣୁ ତାକୁ ଅସ୍ରପା କୁହାଗଲା । ପରେ ସେହି ଶବ୍ଦଟି ଅସରପା ହେଲା,ଅସଲା ହେଲା,ଅସରଲା ଓ ଅସରଡ଼ା ହେଲା । ବଙ୍ଗାଳୀ ଭାଷାରେ ଏହି ମୂଳ କଳିଙ୍ଗୀ ଶବ୍ଦ ଅସ୍ରପାରୁ ହିଁ আরশুলা (arśula) ଶବ୍ଦ ସୃଷ୍ଟି ହୋଇଛି। 

କ୍ରମଶଃ...

Tuesday, August 20, 2024

ମାଧଵ ଭଗିଆ ସମ୍ବାଦ —୨(ଅଣ ଓ ତିଅଣର କଥା)

ମାଧଵ ଆଜି ରାଗିଛି,ତାକୁ ଫେସବୁକରେ କିଏ ବହେ ଶୋଦି ଦେଇଛି ତେଣୁ ତା'ର ଭାଆରି ମନଦୁଃଖ। ଭଗଵାନ ଦାଶ ଓରଫ୍ ଭଗିଆ ମାଧିଆଟାର ଶୁଖିଲା ମୁହଁ ଦେଖି କାରଣ କ'ଣ ପଚାରନ୍ତେ ସେ ଚଢ଼ାଗଳାରେ କହିଲା “ହଇବୋ... ଫେସବୁକରେ ଏବେ ସବୁ ମହା ମହା ପଣ୍ଡିତ ବୁଲୁଛନ୍ତି ହୋ , ମୁଁ ତରକାରୀର juiceକୁ ଆଉ ତରକାରୀ ଵା curryକୁ ଓଡ଼ିଆରେ କ'ଣ କୁହନ୍ତି ବୋଲି ଗୋଟିଏ ଗୃପ୍‌ରେ ପଚାରିଦେଲି ଯେ ଜଣେ ମୋତେ ଅଣଓଡ଼ିଆ ଆଖ୍ୟା ଦେଇ ଦେଲା । କହିଲା ହଇରେ ଅଳପେଇଶା ତୋତେ ଝୋଳ,ଅଣ ଓ ତିଅଣ ଜଣାନାହିଁ ଯେ curry ଆଉ juice କହୁଛୁ ? ହଇଏ ଭଗିଆ ଭାଇ ତମେ କୁହ ତ ମୋର ଭୁଲ୍ କ'ଣ? ତିଅଣ ଆଉ ଅଣ କ'ଣ ଖାଣ୍ଟି ଓଡ଼ିଆ ଶବ୍ଦ? 
 
ଭଗିଆ କହିଲା ନାଇଁ ଯେ ମୋତେ ଆଗେ କହ ଆମେ ଓଡ଼ିଆ ଭାଷାରେ ଅଯଥା ହିନ୍ଦୀ ଇଂରାଜୀ ଆରବୀ ପାର୍ସୀ ତୁର୍କ ପର୍ତ୍ତୁଗୀଜ୍ ଶବ୍ଦ କାହିଁକି ଵ୍ୟଵହାର କରିଵା ? ଶବ୍ଦ ନଥିଲେ ଅଲଗା କଥା, ଶବ୍ଦ ଥାଇ କାହିଁକି ଝୋଳ,ଅଣ କୁ juice ପୁଣି ତିଅଣକୁ curry କହୁଥିଲୁ ଶୁଣେ ? 

ମାଧଵ ଚିଡ଼ିଯାଇ କହିଲା “ଖୋରେ ! ସହର ସାରା ଲୋକେ ଜୁସ୍ କରୀ କହୁଛନ୍ତି ମୁଁ କହିଦେଲି ଯେ ଆକାଶ ଛିଡ଼ି ପଡ଼ିଲା ? ହେଇଟି ସେ ନିଆଁଲଗା କଥା ନକହି ମତେ ଆଗେ ତୁଣ ଓ ଅଣ କଥା କୁହ ! ଆମେ ଓଡ଼ିଆ ତ ପଖାଳଖିଆ ଜାତି , ପଖାଳ କଂସାକୁ ଲୁଣ ତୁଣ୍ଡପୋଡ଼ା,ଆଚାର,ବଡ଼ି,ମାଛ ଭଜା ,ଶାଗ ଭଜା ଓ ପୋଡ଼ା ପୋଡ଼ିରେ ଆମ ମନ । ତାହେଲେ ଆମ ପୂର୍ଵଜ କ'ଣ ତୁଣ ଖାଉଥିଲେ ନା ? 

ଭଗିଆ ତା କଥା ଶୁଣି ଅଳ୍ପ ହସି କହିଲା ନାଇଁରେ ପାଗଳା ଓଡ଼ିଆ ଜାତି ପ୍ରକୃତରେ ତିଅଣଖିଆ ଜାତି । ଓଡ଼ିଶାର ଗ୍ରାମାଞ୍ଚଳରେ ଲୋକେ ଏବେ ବି ତବତ ଭାତ ଖାଇଲାବେଳେ ଥାଳିଏ ଭାତକୁ ବେଲାଏ ତୁଣ ଲୋଡ଼ନ୍ତି। 
 ତବତ ଭାତ ହେଉ କି ଚକୁଳି ଏଣ୍ଡୁରି ପିଠା ଅବା କ୍ଷୀରି ଜାଉ ଆଦି ମିଷ୍ଟାନ୍ନ ହେଉ ସବୁ ଦରଵ ସହିତ ଓଡ଼ିଆଏ ତୁଉଣ ଵା ତିଅଣ ଟିକେ ଲୋଡ଼ନ୍ତି । ଓଡ଼ିଆମାନଙ୍କର ତୁଣ ପ୍ରତି ଆଦର ଏତେ ଯେ ଭୁଜା,ଚୁଡ଼ା,ହୁରୁମ ଓ ଲିଆ ଆଦି ଭ୍ରୁଷ୍ଟ ତଣ୍ଡୁଳ ସହିତ ମଧ୍ୟ ତିଅଣ ମିଶାଇ ଖାଇଵାକୁ ବଡ଼ ସୁଖ ପାଆନ୍ତି । ବାକି ସବୁ ଭାରତୀୟ କେଵଳ ଡାଲି ଖାଉଥିଲାବେଳେ ଓଡ଼ିଆ ଏମିତି ଏକ ଜାତି ଯେ ନିଜର ତିଅଣପ୍ରେମ ଯୋଗୁଁ ଡାଲି ମଧ୍ୟରେ ପରିବା ମିଶାଇ ଡାଲମା କରି ଖାଏ । ତେଣୁ ଓଡ଼ିଆଙ୍କ ପାଇଁ ତିଅଣ ବଡ଼ ଗୁରୁତ୍ବପୂର୍ଣ୍ଣ । 

ମାଧଵ କଥା କାଟି କହିଲା ଆଉ ଆଉ ସେ ଅଣ କାହାକୁ କୁହନ୍ତି? ତୁଣ ଓ ଅଣ ଗୋଟିଏ ନା ଭିନ୍ନ ଭିନ୍ନ? 

ଭଗିଆ କହିଲା ହଁ ତିଅଣ କଥା ପଡ଼ିଲେ ଅଣ କଥା ବି ଆପେ ଚର୍ଚ୍ଚାକୁ ଚାଲିଆସେ ‌। "ତିଅଣ ଓ ଅଣ"ର ସମ୍ପର୍କ ନିଵିଡ଼ । ତିଅଣରୁ ଅଣକୁ ଵିଚ୍ଛିନ୍ନ କରିଦେଲେ ତିଅଣର ସ୍ଵରୂପ ସଂହରିଯାଏ(ବଦଳିଯାଏ) ପୁଣି ସେ ଅଣହୀନ ଜୁକୁଜୁକିଆ ତିଅଣର ସ୍ଵାଦ ବି କିଛିଟା ପରିଵର୍ତ୍ତିତ ହୁଏ । ଓଡ଼ିଶାରେ ନାନା ଜାତୀୟ ତିଅଣ କରନ୍ତି । ବଡ଼ଓଷାରେ ଅଟକାଳି ଓ ଗୋଟାପିଠା ସହିତ ଘାଣ୍ଟ ତିଅଣ ହୁଏ । ଖଟାଯୁକ୍ତ ଆମ୍ବିଳ ତୁଣ ଵା ଖଟେଇ ତିଅଣଠାରୁ ତେଲ ଵ୍ୟଵହୃତ ହେଉନଥିଵା ଆଣ୍ଟାନି ତିଅଣ ଯାଏଁ,ଭଲ ଭାବେ ସିଜିନଥିଵା ପରିଵାଯୁକ୍ତ ଅସଙ୍ଘଡ଼ ତିଅଣଠାରୁ ବାଉଁଶ ଗଜାର କରଡ଼ି ତିଅଣ ପର୍ଯ୍ୟନ୍ତ ଓଡ଼ିଶାରେ ଶତ ସହସ୍ରାଧିକ ତିଅଣ କରାଯାଏ ‌। ତେବେ ତୁଉଣ ଵା ତିଅଣ ଓ ଅଣ ସହିତ ଆମେ ଓଡ଼ିଶାଵାସୀ ଯେତିକି ପରିଚିତ ତିଅଣ ଓ ଅଣ ଶବ୍ଦର ଵ୍ୟୁତ୍ପତ୍ତି ସମ୍ବନ୍ଧରେ ସେତେ ସଚେତନ ନୁହନ୍ତି। ନଗରାଞ୍ଚଳର ଲୋକେ Curry କିମ୍ବା ତରକାରୀ ଓ juice, Soup ଓ ଝୋଳ ଶବ୍ଦ ହିଁ ଅଧିକ ଵ୍ୟଵହାର କରନ୍ତି ଫଳତଃ ତନ୍ମଧ୍ୟରୁ କିଛି ଲୋକଙ୍କୁ ତିଅଣ ଓ ଅଣ ମଧ୍ୟରେ ପ୍ରଭେଦ ତଥା ଅର୍ଥ ହିଁ ଜଣାନାହିଁ। ତେବେ ଓଡ଼ିଶାର ଗ୍ରାମାଞ୍ଚଳରେ ଲୋକେ ତିଅଣ ଵା ତୁଉଣକୁ ତରକାରୀ ଵା Curry ଅର୍ଥରେ ପ୍ରୟୋଗ କରୁଥିଲାବେଳେ ଝୋଳ ଵା Soup ଅର୍ଥରେ ଅଣ ଶବ୍ଦ ଵ୍ୟଵହାର କରନ୍ତି । 

ସେଇଠୁ ମାଧଵ ପଚାରିଲା ଆଚ୍ଛା ତୁଣ, ତରକାରୀ ଓ curry ମଧ୍ୟରେ ପାର୍ଥକ୍ୟ କ'ଣ ?

ଭଗିଆ କହିଲା,
ତିଅଣ , ତରକାରୀ ଓ curry ଗୋଟିଏ ଖାଦ୍ୟ ଦରଵର ଅଲଗା ଅଲଗା ଭାଷାର ନାଆଁ । ତିଅଣ ଵା ତୁଉଣ ଓଡ଼ିଆ, ତରକାରୀ ପାର୍ସୀ ଆଉ curry ହେଲା ଇଂରାଜୀ। ହେଲେ କେତେକ ଅଞ୍ଚଳରେ ତରକାରୀ, curry ଓ ତିଅଣ ମଧ୍ୟରେ ଅର୍ଥଗତ ପାର୍ଥକ୍ୟ ଥିଵା ଜଣାଯାଏ ଏଵଂ ସେଇ ନିର୍ଦ୍ଧିଷ୍ଟ ଅଞ୍ଚଳର ଲୋକମାନେ ଆମିଷ ଜାତୀୟ ଵ୍ୟଞ୍ଜନକୁ ତରକାରୀ ତଥା curry କୁହନ୍ତି ଆଉ ନିରାମିଷ ଵ୍ୟଞ୍ଜନକୁ ତୁଉଣ ଵା ତିଅଣ କହିଥାନ୍ତି। ଅର୍ଥାତ୍ ଅଣ୍ଡା କରୀ ଵା ଅଣ୍ଡା ତରକାରି ଆଉ ପୋଇ ତିଅଣ ଏହିପରି କୁହାଯାଏ। 

ଉତ୍ତର ଶୁଣି ମାଧଵ ମନରେ କ'ଣ ଭାବି ପଚାରିଲା ଆଚ୍ଛା ଏଇ ତିଅଣ ଓ ଅଣ କ'ଣ ଗୋଟାଏ ଶବ୍ଦରୁ ସୃଷ୍ଟି ହୋଇଛି ନା ଭିନ୍ନ ଭିନ୍ନ ଶବ୍ଦରୁ ସୃଷ୍ଟି ହୋଇଛି ? 

ଭଗିଆ କହିଲା ବୁଝିଲୁ ମାଧିଆ ଆମ ଓଡ଼ିଶାରେ କେଵଳ ତିଅଣ ଓ ଅଣ ଶବ୍ଦର ଅର୍ଥ ହିଁ ନୁହେଁ ଵରଂ ଏ ଶବ୍ଦଦ୍ଵୟର ଵ୍ୟୁତ୍ପତ୍ତି ସମ୍ବନ୍ଧରେ ମଧ୍ୟ ଲୋକଙ୍କ ମନରେ ନାନା ଦ୍ଵନ୍ଦ୍ଵ ଭରି ରହିଛି ଫଳତଃ ଉଭୟ ଶବ୍ଦର ସୃଷ୍ଟି ସମ୍ବନ୍ଧରେ ଅନେକେ ଭ୍ରମାତ୍ମକ ମତ ରଖନ୍ତି। କେହି କେହି କୁହନ୍ତି ତୁଉଣ ଓ ଅଣ ମିଶି ତିଅଣ ‌ଶବ୍ଦ ହୋଇଛି ପୁଣି ଆଉ କିଛି ଲୋକେ କୁହନ୍ତି ତିଅଣ ଶବ୍ଦରୁ ଅଣ ଶବ୍ଦ ସୃଷ୍ଟି ହୋଇଛି। ଆହୁରି ମଧ୍ଯ କେହି କେହି ଅନୁମାନ କରନ୍ତି ଯେ ଵ୍ୟଞ୍ଜନ ଶବ୍ଦରୁ ଅଣ ଶବ୍ଦ ସୃଷ୍ଟି ହୋଇଛି। ତେବେ ପ୍ରକୃତରେ ତୁଉଣ ଵା ତିଅଣ ତଥା ଅଣ ଶବ୍ଦଦ୍ଵୟ ଭିନ୍ନ ଭିନ୍ନ ଶବ୍ଦ ମୂଳରୁ ସୃଷ୍ଟି ହୋଇଛି ଏଵଂ ଅଣ ଶବ୍ଦର କୌଣସି ସଗୋତ୍ରୀୟ ସମ୍ପର୍କ 'ଵ୍ୟଞ୍ଜନ' ଶବ୍ଦ ସହିତ ନାହିଁ। 

ତାହେଲେ ତିଅଣ ଆଉ ଅଣ ଶବ୍ଦ କୁଆଡ଼ୁ ଆସିଲା ? ମାଧଵ ଅଥୟ ହୋଇ ପଚାରିଲା !

ଭଗିଆ କହିଲା ଶୁଣେ ସଂସ୍କୃତ ଭାଷାରେ ତେମନ ବୋଲି ଶବ୍ଦଟିଏ ଅଛି। ତିମ୍ ଧାତୁରୁ ଭାଵାର୍ଥେ ଆର୍ଦ୍ର କରିଵା ଅର୍ଥରେ ଲ୍ୟୂଟ ପ୍ରତ୍ୟୟ(ଅନ) ଯୁକ୍ତ କରି ତେମନ ଶବ୍ଦ ନିଷ୍ପନ୍ନ କରାଯାଇଛି। ଓଦା କରିଵା ଵା 
ଆର୍ଦ୍ରକରଣକୁ ତେମନ କୁହନ୍ତି,ଵ୍ୟଞ୍ଜନକୁ ତେମନ କୁହନ୍ତି ,ରନ୍ଧା ଯାଇଥିଵା ଖାଦ୍ୟକୁ ବି ତେମନ କୁହାଯାଏ। ଏଇ ତେମନ ଶବ୍ଦଟି ଓଡ଼ିଆ ଭାଷାରେ ତିଅଣ ରୂପରେ ଚଳୁଅଛି । ସେହିପରି ଅଣ ଶବ୍ଦଟି ତିଅଣରୁ ଆସିନାହିଁ ଵରଂ ଏହା ପ୍ରାକୃତ ମୂଳର ଏକ ପ୍ରାଚୀନ ଓଡ଼ିଆ ଶବ୍ଦ ଅଟେ । ପ୍ରାଚୀନ କାଳରେ ଭାରତରେ ଜଳକୁ ଅନସ୍,ଅର୍ଣ୍ଣସ୍ ଓ ଅଣ୍ଣ କୁହାଯାଉଥିଲା। ଜଳ ଅର୍ଥଜ ପ୍ରାକୃତ ଅଣ୍ଣ ଶବ୍ଦଟି କାଳକ୍ରମେ ଓଡ଼ିଆ ଭାଷାରେ ତିଅଣର ଜଳୀୟ ଅଂଶ ଅର୍ଥରେ ପ୍ରୟୋଗ ହେଉଅଛି ।

ଉତ୍ତର ଶୁଣି ମାଧଵ ଆହୁରି କ'ଣ ପଚାରିଵ ବୋଲି ଉଦ୍ୟତ ହୁଅନ୍ତେ ଭଗିଆ ତାକୁ ପୁଣି କେବେ ଭେଟିଲେ କଥା ହେଵା କହି ସେଠାରୁ ଚାଲିଗଲା...

 

Monday, July 29, 2024

ଚାଚା ଶବ୍ଦ ଏଵଂ ପୃଥିଵୀର ଵିଭିନ୍ନ ଭାଷାରେ ଏହାର ଅର୍ଥ

ହିନ୍ଦୀରେ ବାପାଙ୍କ ସାନ ଭାଇକୁ चाचा କୁହାଯାଏ । ପାରମ୍ପରିକ ଭାଷାଵିଦମାନେ କୁହନ୍ତି ଚାଚା ଶବ୍ଦଟି ସଂସ୍କୃତର ତାତ ଶବ୍ଦର ପରିଵର୍ତ୍ତିତ ରୂପ କିନ୍ତୁ ଆଧୁନିକ ଭାଷାଵିଦମାନେ ଏହାକୁ ଖଣ୍ଡନ କରନ୍ତି ଏଵଂ चाचा ଶବ୍ଦଟି ପ୍ରାଚୀନ ପ୍ରାକୃତ ଶବ୍ଦ *𑀘𑀸𑀘𑁆𑀘 (*cācca)ର ଆଧୁନିକ ରୂପ ବୋଲି ମତ ଦିଅନ୍ତି । ମୂଳ ପ୍ରାକୃତ 𑀘𑀸𑀘𑁆𑀘(ଚାଚ୍ଚ) ଶବ୍ଦଟି ପୁଣି ଏକ ମୌଳିକ ଶବ୍ଦ ଏଵଂ child babblingରୁ ପରେ ସୃଷ୍ଟି ହୋଇଛି( ଯେମିତି ଓଡ଼ିଆ ଭାଷାରେ ବୋଉ ଶବ୍ଦଟି child babblingରୁ ସୃଷ୍ଟ) । କେବେ ପିଲାଟିଏ ତା 'ଦାଦା' ଵା 'କାକା' ଆଗରେ ''ଚା - ଚା'' ଶବ୍ଦ କହି ଦେଇଥିଵ ତାହା ପରେ ଏକ ସମ୍ବନ୍ଧଵାଚକ ସମ୍ବୋଧନ ଶବ୍ଦରେ ପରିଵର୍ତ୍ତିତ ହୋଇଯାଇଛି । 

ହିନ୍ଦୀ ଭାଷାଭାଷୀ ଅଞ୍ଚଳ ଛଡ଼ା ପଞ୍ଜାବୀ ଭାଷାଭାଷୀ ଲୋକେ ତଥା ବଙ୍ଗାଳୀ ମୁସଲମାନମାନେ ମଧ୍ୟ ନିଜ କାକାକୁ চাচা(ଚାଚା) ସମ୍ବୋଧନ କରନ୍ତି । Berntsenଙ୍କ "Marathi Teaching Materials" ଅଭିଧାନ ଅନୁସାରେ ମରାଠୀ ଭାଷାରେ चाचा ଶବ୍ଦର ଅର୍ଥ ଦସ୍ୟୁ(Pirate) ଓ highjacker ଅଟେ । ଭାରତରେ ୮୦୦ରୁ ଅଧିକ ପ୍ରଚଳିତ ତେଣୁ ଅନ୍ୟ କୌଣସି ଭାଷାରେ ବି चाचा ଶବ୍ଦର ଭିନ୍ନ ଅର୍ଥରେ ଵ୍ୟଵହାର ଥାଇପାରେ । ରୋମାନ ଲିପିରେ ଏହି चाचा ଶବ୍ଦକୁ Chacha ଲେଖାଯାଏ ଏଵଂ ପୃଥିଵୀର ଵିଭିନ୍ନ ଭାଷାରେ ଉକ୍ତ Chacha ଶବ୍ଦର ନାନା ଅର୍ଥ ପ୍ରଚଳିତ । 

ଜର୍ଜିଅନ୍ ଭାଷାର chacha ଶବ୍ଦ ଇଂରାଜୀ ଭାଷାକୁ ଆସି ପ୍ରଚଳିତ ହୋଇଛି । ଏକ ଜାତୀୟ ଜର୍ଜିଅନ୍ ଦ୍ରାକ୍ଷ୍ୟା ମଦ୍ୟକୁ chacha କୁହାଯାଏ । ଏକ ଜାତୀୟ ପାଶ୍ଚାତ୍ୟ ବାଜାର ନାମ ଚାଚା,ଏକ ଜାତୀୟ ପାଶ୍ଚାତ୍ୟ ସଂଗୀତ ଓ ballroom ନୃତ୍ୟର ନାମ ବି cha cha ଵା cha cha cha ଅଟେ । ପେରୁ ଓ ବୋଲିଭିୟାରେ Aymaran ଭାଷାପରିଵାରର କେତେକ ଭାଷା ବୋଲାଯାଏ ଏଵଂ ତନ୍ମଧ୍ୟରେ ପ୍ରମୁଖ Aymara ଭାଷାରେ ପୁରୁଷ ଓ ପତି ଅର୍ଥରେ Chacha ଶବ୍ଦ ଵ୍ୟଵହାର କରାଯାଏ(ଯେମିତି ମରଦ ଶବ୍ଦଟି ଉଭୟ ପୁରୁଷ ଓ ପତି ଅର୍ଥରେ ପ୍ରୟୋଗ ହୁଏ) । 

Dragon fruit ନାମରେ ଜଣାଶୁଣା 
Selenicereus ଜାତୀୟ ଗଛଗୁଡ଼ିକ ମୂଳତଃ ଉତ୍ତର ଆମେରିକାର ନାଗଫେଣୀ ଜାତୀୟ ଗଛ । ତେବେ ଏହାର ପ୍ରକୃତ ସ୍ଥାନୀୟ ନାମ pitaya (/pɪˈtaɪ.ə/ପିତୈଅ) ଵା pitahaya(/ˌpɪtəˈhaɪ.ə/ପିତହୈୟ) ଅଟେ । କିନ୍ତୁ ଏହି ନାମଟି Arawakan ଭାଷାପରିଵାରର taino ଭାଷା ମୂଳର ତେବେ ପ୍ରାଚୀନ ଆମେରିକୀୟ Uto-Aztecan ଭାଷାପରିଵାର ଅନ୍ତର୍ଗତ Nahuatl ଭାଷାରେ ଡ୍ରାଗନ୍ ଫଳକୁ chacha କୁହନ୍ତି । 

 ଓଡ଼ିଶାର ବାଲେଶ୍ଵରଠାରେ ଛୋଟପିଲାଙ୍କୁ କଟିଛୁଆ କୁହନ୍ତି,ଗଞ୍ଜାମରେ ଛୋଟ ପୁଅପିଲାକୁ ସ୍ନେହରେ ଦାମୁଡି଼ ଡାକନ୍ତି, ସମ୍ବଲପୁରରେ ଛୋଟ ଝିଅପିଲାଙ୍କୁ ବୁଈ ତଥା ଉପକୂଳରେ ଛୋଟ ପିଲା ଵା ନିଜଠାରୁ ଛୋଟମାନଙ୍କୁ ସ୍ନେହରେ ବୁଢ଼ା ଓ ବୁଢ଼ୀ ସମ୍ବୋଧନ କରାଯାଏ ଠିକ୍ ସ୍ପାନିଶ୍ ଭାଷାରେ ଛୋଟପିଲାଙ୍କୁ muchacha ସମ୍ବୋଧନ କରନ୍ତି । ତେବେ ଏହି muchacha ଶବ୍ଦଟି ଝିଅ ଓ ପୁଅ ଭେଦରେ ଯଥାକ୍ରମେ chacho (“ପୁଅ") ଓ chacha(ଝିଅ) ହୋଇ ଚଳୁଅଛି । ପୁଣି ସ୍ପେନ ଭାଷା ଵ୍ୟଵହୃତ କେତେକ ଅଞ୍ଚଳରେ 
 ଘର ସଫାସୁତୁରା କରୁଥିଵା maidମାନଙ୍କୁ ବି chacha କୁହାଯାଏ । ସ୍ପାନିଶ୍ ଭାଷାରେ ମୂଳ ଆମେରିକୀୟ Nahuatl ଭାଷାର chachahuatl ଶବ୍ଦଟି chacha ହୋଇ handcuffs ଅର୍ଥରେ ବି ଵ୍ୟଵହାର ହେଉଛି । ସେଇ ସ୍ପାନିଶ୍ ଭାଷାରେ chachar ଶବ୍ଦଟି ଚୋବାଇଵା ଅର୍ଥରେ ଵ୍ୟଵହାର କରାଯାଏ ଏଵଂ ଏହାର ତୃତୀୟ ପୁରୁଷ ଏକ ଵଚନ ଵର୍ତ୍ତମାନ ସୂଚକ ତଥା ଦ୍ବିତୀୟ ପୁରୁଷ ଏକଵଚନ ଆଦେଶାତ୍ମକ ରୂପ chacha ଅଟେ । ଅର୍ଥାତ୍ ସ୍ପାନିଶ୍ ଭାଷାରେ chacha ଶବ୍ଦଟି ଚୋବାଅ ଓ ଚୋବା ଅର୍ଥରେ ପ୍ରୟୋଗ କରାଯାଉଛି । 

ସ୍ପେନ୍ ଦେଶ ନିକଟରେ ଫ୍ରାନ୍ସ୍ ଦେଶରେ ଫ୍ରେଞ୍ଚ୍ ଭାଷା ବୋଲାଯାଏ ଏଵଂ ଏ ଭାଷାରେ Chacha ଶବ୍ଦଟି କିନ୍ତୁ squash ପୁଣି ଏକ ଜାତୀୟ ନୃତ୍ୟ ତଥା ସଂଗୀତକୁ Cha cha ଵା cha cha cha କୁହନ୍ତି । 

Niger–Congo ଭାଷାପରିଵାରର ସ୍ବାହିଲୀ ଭାଷାରେ ଖଟା ହେଵା ଓ ପଚିଵା ଅର୍ଥରେ Chacha ଶବ୍ଦ ଵ୍ୟଵହାର କରାଯାଏ । ଏଇ ଭାଷାପରିଵାରର swazi ଭାଷାରେ chacha ଶବ୍ଦଟି ଢିଲା ହେଵା ଅର୍ଥରେ ପ୍ରୟୋଗ ହୋଇଥାଏ । 

ମାତ୍ର ଭାରୋପୀୟ ଭାଷାପରିଵାର ଅନ୍ତର୍ଗତ Celtic ଭାଷାଶାଖାର welsh ଭାଷାରେ ଵିଷ୍ଠା ଅର୍ଥରେ ପ୍ରଚଳିତ cachu ଶବ୍ଦର ଅନ୍ୟ ଏକ ରୂପ ହେଉଛି chacha !

ଓଡ଼ିଆ ଭାଷାରେ ଚାଚା ଶବ୍ଦ ଭଳି କୌଣସି ଶବ୍ଦ ଅଛି କି ନାହିଁ ତାହା ଅସ୍ପଷ୍ଟ, ସମ୍ଭଵତଃ କେହି କେହି ହିନ୍ଦୀଭାଷା ଦ୍ଵାରା ପ୍ରଭାଵିତ ଓଡ଼ିଆ ଵ୍ୟକ୍ତି ନିଜ କକାକୁ ଚାଚା କହୁଥିବେ । ତେବେ ଆମ ଭାଷାରେ ଚାଲିଵା କ୍ରିୟାର ଆଦେଶାର୍ଥକ ନିର୍ଦ୍ଦେଶାର୍ଥକ "ଚାଲ୍ ଚାଲ୍" ଓ "ଚା ଚା" ରୂପ ବି ଚଳୁଅଛି । 

ବିଲାତ ଵା ବିଲାତି ଶବ୍ଦଟି କେଉଁ ଭାଷାର ଶବ୍ଦ?

ଦକ୍ଷିଣ ଆମେରିକୀୟ ମୂଳର ଗୋଲ ଆଳୁକୁ କେହି କେହି ବିଲାତି ଆଳୁ କୁହନ୍ତି ଠିକ୍ ସେହିପରି ଉତ୍ତର ଆମେରିକୀୟ ମୂଳର ଟମାଟୋକୁ ଅନେକେ ବିଲାତି ବାଇଗଣ ଅଥଵା କେଵଳ ବିଲାତି କୁହନ୍ତି । ଏ ଉଭୟ ପରିବା ଵୈଦେଶିକ ହୋଇଥିଵାରୁ ବିଲାତି କୁହାଗଲା କିନ୍ତୁ ଏ ବିଲାତି ଶବ୍ଦଟିର ଵ୍ୟୁତ୍ପତ୍ତି ଇତିହାସ କ'ଣ ? 
ଭାରତରେ ପାରସ୍ୟ ଦେଶର ପାର୍ସୀ ଭାଷାର ପ୍ରଚଳନ ମୋଗଲକାଳରେ ପ୍ରଶାସନିକ ଭାଷା ଭାବେ ହୋଇଥିଲା । ଏହି ସମୟରେ ପାର୍ସୀ ଭାଷାର ଗୋଟିଏ ଶବ୍ଦ ولایت (wilāyat) ଆସି ଵିଦେଶୀ ଵା ଵୈଦେଶିକ ଶବ୍ଦ ଅର୍ଥରେ ଚଳିଵାକୁ ଲାଗିଲା । ଏହି ଶବ୍ଦ ଓଡ଼ିଆ ଭାଷାରେ ବିଲାତ ହେଲା ବେଳେ ହିନ୍ଦୀରେ विलायती ହେଲା । କିନ୍ତୁ ପ୍ରକୃତରେ ପାର୍ସୀର ଏହି ولایت(wilāyat)ଶବ୍ଦଟି ବି ମୂଳତଃ ପାର୍ସୀ ଶବ୍ଦ ନୁହେଁ ଵରଂ ଆରବୀ ଭାଷାରୁ ଗୃହୀତ ହୋଇଛି । ଆରବୀ ଭାଷାରେ وِلَايَة(wilāya) ବୋଲି ଏକ ଶବ୍ଦ ପଡ଼ୋଶୀ ଓ ବନ୍ଧୁ ଆଦି ଅର୍ଥରେ ଚଳୁଥିଲା ଯାହା ପାର୍ସୀ ଭାଷାରେ ଆସି ପଡ଼ୋଶୀ ଅର୍ଥରେ ଚଳୁ ଚଳୁ ଏହା କ୍ରମଶଃ ولایت(wilāyat) ରୂପେ ପରିଵର୍ତ୍ତିତ ହୋଇ ବିଦେଶୀ ଅର୍ଥରେ ଚଳିଵାକୁ ଲାଗିଲା । ତେଣୁ ଯେମିତି ବିଲାତି ଶବ୍ଦଟି ମୂଳତଃ ଵିଦେଶୀ ଶବ୍ଦ ଠିକ୍ ସେହିପରି ବିଲାତି ଆଳୁ ଓ ବିଲାତି ବାଇଗଣ ବି ଵିଦେଶୀ ପରିବା ।

Wednesday, June 26, 2024

ଅହମ୍ ଅସ୍ମି ଓ İ am

ସଂସ୍କୃତ ଭାଷାରେ କୁହନ୍ତି "ଅହମ୍ ଅସ୍ମି", ଇଂରାଜୀ ଭାଷାରେ ଏହାର ଅନୁଵାଦ "İ am" । କିନ୍ତୁ ଅନେକେ ଜାଣିନଥିବେ ଯେ ସଂସ୍କୃତ ଅସ୍ମି ଶବ୍ଦ ସହିତ ଇଂରାଜୀ am ଶବ୍ଦର ସଗୋତ୍ରୀୟ ସମ୍ପର୍କ ବି ଅଛି! କିନ୍ତୁ କେମିତି?

ଅସ୍ମି ଶବ୍ଦର ପ୍ରାକ୍ ଇଣ୍ଡିକ୍ ରୂପ *Hásmi, ପ୍ରାକ୍ ଭାରୋଇରାନୀୟ ରୂପ *Hásmi ଓ ପ୍ରାକ୍ ଭାରୋପୀୟ ରୂପ *h₁ésmi (“I am, I exist”) ଥିଲା । ମୂଳ ପ୍ରାକ୍ ଭାରୋପୀୟ ଶବ୍ଦରୂପ *h₁ésmiରୁ ସଂସ୍କୃତ ଭାଷାରେ ଅସ୍ମି ହେଲା, ପ୍ରାଚୀନ ଗ୍ରୀକ୍ ଭାଷାରେ εἰμί (eimí), ଲାଟିନ ଭାଷାରେ sum ଆଉ ପ୍ରାଚୀନ ଇଂରାଜୀ ଭାଷାରେ eom ଶବ୍ଦ ସୃଷ୍ଟି ହୋଇଥିଲା । ଅସ୍ମି ଶବ୍ଦର ସଗୋତ୍ରୀୟ ଏହି ପ୍ରାଚୀନ ଇଂରାଜୀ eom ଶବ୍ଦ ପରିଵର୍ତ୍ତିତ ହୋଇଯାଇ am ରୂପେ ଚଳୁଅଛି ।‌ ତାହେଲେ i am ରେ ଥିଵା i ଟା କୁଆଡ଼ୁ ଆସିଲା ? ମୁଁ ଯଦି କହେ ଇଂରାଜୀ ଭାଷାର ଏହି i ଶବ୍ଦର ସଗୋତ୍ରୀୟ ସମ୍ପର୍କ ସଂସ୍କୃତ ଅହମ୍ ଶବ୍ଦ ସହିତ ଅଛି ଅନେକେ ହଠାତ୍ ଵିଶ୍ଵାସ କରିବେ ନାହିଁ । ତେବେ ପ୍ରକୃତରେ ସଂସ୍କୃତ ଅହମ୍ ଶବ୍ଦର ପ୍ରାକ୍ ଇଣ୍ଡିକ୍ ରୂପ 
 *aźʰám ଥିଲା, ପ୍ରାକ୍ ଭାରୋଇରାନୀୟ ରୂପ *aȷ́ʰám ଥିଲା ଆଉ ପ୍ରାକ୍ ଭାରୋପୀୟ ରୂପ *éǵh₂óm ଥିଲା । ପ୍ରାକ୍ ଭାରୋପୀୟ ଶବ୍ଦରୂପ *éǵh₂ómରୁ ସଂସ୍କୃତ ଭାଷାରେ ଅହମ୍,ଆଵେସ୍ଥାନୀରେ 𐬀𐬰𐬇𐬨 (azə̄m), ପ୍ରାଚୀନ ଗ୍ରୀକ୍ ଭାଷାରେ ἐγώ (egṓ), ଲାଟିନ ଭାଷାରେ ego ଏଵଂ ପ୍ରାଚୀନ ଇଂରାଜୀ ଭାଷାରେ ic ଶବ୍ଦ ସୃଷ୍ଟି ହୋଇଛି । ସେହି ପ୍ରାଚୀନ ଇଂରାଜୀ ଭାଷାର ic ଶବ୍ଦଟି ଆଜି ଆଧୁନିକ ଇଂରାଜୀ ଭାଷାରେ İ ରୂପେ ଚଳୁଅଛି । 

ଭାରତଵର୍ଷର ପଶ୍ଚିମ ଭାଗରେ ପ୍ରାୟ ପାଞ୍ଚ ହଜାର କିଲୋମିଟର ଦୂରରେ ବୋଲାଯାଉଥିଵା ଇଂରାଜୀ ଭାଷା ସହିତ ସଂସ୍କୃତଭାଷାର ଏତେ ଗଭୀର ସମ୍ପର୍କ ତଥାପି କିଛି ଲୋକ କୁହନ୍ତି ଆମେ ୟେ ଭାରୋପୀୟ ଭାଷାପରିଵାର କ'ଣ ବୁଝୁନୁ ,ଏସବୁ ଵିଦେଶୀଙ୍କ ଷଡ଼ଯନ୍ତ୍ର ଇତ୍ୟାଦି । ଯଦି ଵିଦେଶୀଙ୍କ ଷଡ଼ଯନ୍ତ୍ର ତାହେଲେ ଭାରୋପୀୟ ଭାଷାପରିଵାର ମଧ୍ୟରେ ଏତେ ସାମ୍ୟ ରହିଵା କଥା ହିଁ ନୁହେଁ ଵିଶେଷତଃ ଅଵ୍ୟୟ ପ୍ରତ୍ୟୟ ସର୍ଵନାମ ମଧ୍ୟରେ ତ ଆଦୌ ସାମ୍ୟ ରହିଵା କଥା ନୁହେଁ ।

Tuesday, April 16, 2024

ଵୈଦେଶିକ ଦୋକାନ ଶବ୍ଦ ଓ ଏହାର ଦେଶୀୟ ତଥା ଶାସ୍ତ୍ରୀୟ ଓଡ଼ିଆ ପ୍ରତିଶବ୍ଦ

ଅନେକେ କହିବେ ଆରବୀ ଭାଷାର دُكَّان ଶବ୍ଦଟି ଭାରତରେ ଆସି ଦୁକାନ ଓ ଦୋକାନ ହୋଇଅଛି । କିନ୍ତୁ ପ୍ରକୃତରେ ପ୍ରାଚୀନ Aramaic ଭାଷାର דּוּכָּנָא (dukkānā, “dais/ମଞ୍ଚ”) ଶବ୍ଦଟି ଆରବୀରେ ଯାଇ ଦୁକାନ ହୋଇଥିଲା । ପୁଣି ଏହା ମୂଳତଃ Aramaic ଶବ୍ଦ ନୁହେଁ ଵରଂ Akkadian ଭାଷାର ମଞ୍ଚ, ବେଞ୍ଚ; କୋଠରୀ, ଶୋଇବା ଘର, ଘରୋଇ ଚେମ୍ବର ଓ ଵସାଘର ଅର୍ଥଜ 𒆠𒍇 (/⁠takkannu, dakkannu, dukkannu) 
ଶବ୍ଦଟି ଯାଇ Aramaicରେ דּוּכָּנָא(dukkānā) ହୋଇଥିଲା ‌। ତେବେ ଏସମସ୍ତ ଶବ୍ଦର ମୂଳ ଇରାକ ଦେଶର ପ୍ରାଚୀନ ଭାଷା Sumerianର ଏକ ଶବ୍ଦ 𒆠𒍇 (daggan) ଅଟେ ଯାହା ଅତି ପ୍ରାଚୀନ କାଳର ମଧ୍ୟ ପ୍ରାଚ୍ୟରେ "କୋଠରୀ, ଦ୍ୱାର କିମ୍ବା ଏହାର ଫ୍ରେମ୍, କାନ୍ଥରେ ଏକ ସ୍ଥାନ" ଅର୍ଥରେ ଵ୍ୟଵହୃତ ହେଉଥିଲା । ମୋଟ ଉପରେ କହିଵାକୁ ଗଲେ ଦୋକାନ ଶବ୍ଦଟି ମୂଳତଃ ଇରାକ ଦେଶର ଶବ୍ଦ ଏଵଂ ପରେ ମଧ୍ୟପ୍ରାଚ୍ୟରେ ଅର୍ଥ ପରିଵର୍ତ୍ତନ ସହିତ ସର୍ଵତ୍ର ପ୍ରଚଳିତ ହେଵାପରେ ଭାରତରେ ଚଳୁଅଛି ‌। 

ସେ ଯାହାହେଉ ଓଡ଼ିଆ ଭାଷାରେ ବି ଦୋକାନ ଅର୍ଥରେ ଗୋଟେ ଦେଶୀୟ ଶବ୍ଦ ଚଳୁଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଏଵଂ ସେହି ଶବ୍ଦଟି #କାଣ୍ଡି ଅଟେ । ମାତ୍ର ଗ୍ରାମାଞ୍ଚଳର ଦୋକାନଗୁଡି଼କୁ ହିଁ ପ୍ରାଚୀନ ଓଡ଼ିଆମାନେ କାଣ୍ଡି କହୁଥିଲେ । ଏ ଦେଶରେ ଲୋକେ ଦୋକାନକୁ 'ପସରା' ବି କହୁଥିଲେ ତେଣୁ କଵିସୂର୍ଯ୍ୟ ଲେଖିଲେ "ବସିଛି ଦୁଃଖ ପାସୋରା ବାଢ଼ି ବିରସ ପସରା" (କଵିସୂର୍ଯ୍ୟ, ରତ୍ନାକର ଚମ୍ପୂ ବ. ଗୀତ) । ତେବେ ଏହି ଶବ୍ଦ ସହିତ ସମୋଦ୍ଧୃତ ସଂସ୍କୃତ ଭାଷାର ପ୍ରସର ଓ ପ୍ରସାର ଶବ୍ଦ ମଧ୍ୟ ଦୋକାନ ଅର୍ଥରେ ପ୍ରୟୋଗ ହେଉଥିଲା । 

ମଦ ଦୋକାନକୁ ଓଡ଼ିଶାରେ ମଦଖଟି ଓ ମଦଭାଟି କହୁଥିଲେ। ତାଡ଼ି ଦୋକାନକୁ ତାଡ଼ିଖଟି କହୁଥିଲେ । କଂସାରୀ ଦୋକାନକୁ କୁପ୍ୟଶାଳା କୁହାଯାଉଥିଲା। କୁମ୍ଭାର ଦୋକାନକୁ କୁମ୍ଭଶାଳା କହୁଥିଲେ । ଭଣ୍ଡାରୀ ଦୋକାନକୁ ଖରକୁଟୀ ଓ ନାପିତଶାଳା କୁହାଯାଉଥିଲା । ଵସ୍ତ୍ରାଳୟକୁ ତନ୍ତୁଶାଳା କହୁଥିଲେ । ଅନେକ ଦୋକାନ ଥିଵା ଗଳିକୁ ପଟି ଓ ହାଟ କହୁଥିଲେ । 

ଆପଣ,ଵିପଣି,ପାଣି,ଵିଥିକା,କୁଟି,ଆଵାରି,ଵିପଣପାଣି,ଆସନୀ,ଆଵରିକା,ଵିପଣ,ପଣ୍ୟ ଓ ସାଧୃତ ଭଳି ଅନେକ ଶାସ୍ତ୍ରୀୟ ଭାରତୀୟ ଶବ୍ଦ ମଧ୍ୟ ଦୋକାନ ଅର୍ଥରେ ଏ ଦେଶର ପୁରାଣ ଶାସ୍ତ୍ରରେ ତଥା ପଣ୍ଡିତମାନଙ୍କ ମଧ୍ୟରେ କଥୋପକଥନ ସମୟରେ ଚଳୁଥିଲା । 

ତେବେ କ'ଣ ହେଲା କେଜାଣି ଇରାକର ଦୋକାନ ଶବ୍ଦଟି ସାରା ଭାରତରେ ଚାରିଆଡ଼େ ମାଡ଼ିଗଲା ।

Friday, March 22, 2024

ଏକ ମୌଳିକ ଓ ପ୍ରାଚୀନ ଓଡ଼ିଆ ଶବ୍ଦ: ଆଈଆଈ

ଜାପାନରେ କୋଡ଼ିଏ ହଜାର ପାଖାପାଖି Ainu ଜନଜାତିର ଲୋକେ ଥିଲେ ବି ସେମାନଙ୍କର ମୂଳ Ainu ଭାଷାରେ ମାତ୍ର ପାଞ୍ଚ ଦଶଜଣ ଲୋକ କଥାଭାଷା ହୋଇପାରୁଛନ୍ତି । ମରିଵାକୁ ବସିଥିଵା ଏହି Ainu ଭାଷାରେアイアイ (ayay) ବୋଲି ଗୋଟିଏ ଶବ୍ଦ ଅଛି ଯାହାର ଅର୍ଥ baby ଵା ଛୁଆ । ହଁ ! ଜାପାନରେ 
ରହୁଥିଵା ଆଇନୁ ଜନଜାତିର ଛୁଆମାନେ ଆଜି ନିଜ ଜାତିର ଭାଷାକୁ ଛାଡ଼ି ଦେଲେଣି ତେଣୁ
ଏ ଶବ୍ଦଟି ବି ଦିନେ ତାଙ୍କ ଭାଷା ଭଳି ଲୋପ ପାଇଯିଵ । 

ଜାପାନରୁ ଟିକିଏ ପଛକୁ ଆସିଲେ ଭିଏତନାମ ବୋଲି ଏକ ଦେଶ ପଡ଼େ । ଏ ଦେଶରେ ଆଷ୍ଟ୍ରୋଏସିଆଟିକ୍ ଭାଷାପରିଵାରର Vietnamese ଭାଷା ବୋଲାଯାଏ । ଭିଏତନାମୀରେ ଲେଖିଲାବେଳେ ସ୍ଥାନୀୟ ସାହିତ୍ୟିକମାନେ ai ai ବୋଲି ଶବ୍ଦଟିଏ ଵ୍ୟଵହାର କରନ୍ତି ଯାହାର ଅର୍ଥ everyone, everybody ଵା ସର୍ଵେ ଓ ସମସ୍ତେ ।

ସେଠାରୁ ଆଉ ଖଣ୍ଡେ ଦୂର ପଛକୁ କିନ୍ତୁ ତଳଆଡ଼କୁ ଫେରିଲେ ମାଡାଗାସ୍କର ବୋଲି ଗୋଟିଏ ବଡ଼ ଦ୍ଵୀପ ଆଫ୍ରିକାର ପୂର୍ଵରେ ଥିଵାର ଦେଖାଯାଏ । ଏ ଦ୍ଵୀପ ଏକଦା ଭାରତ ସହିତ ସଂଯୁକ୍ତ ଥିଵା ଵୈଜ୍ଞାନିକମାନେ କୁହନ୍ତି । ତେବେ ଭାରତଠାରୁ ଵିଚ୍ଛିନ୍ନ ହେଲାପରେ ଲକ୍ଷ ଲକ୍ଷ ଵର୍ଷ ଧରି କୌଣସି ମୂଳ ଭୂଖଣ୍ଡ ସହିତ ସଂଯୁକ୍ତ ନଥିଵା ଯୋଗୁଁ ମାଡାଗାସ୍କରରେ ଵିଭିନ୍ନ ଜାତିର ଵିଚିତ୍ର ପ୍ରାଣୀ ଓ ଉଦ୍ଭିଦ ଜାତ ହୋଇଛନ୍ତି । ଏହି ମାଡାଗାସ୍କର ଦ୍ଵୀପରେ ମୂଷା ଭଳି ଦେଖାଯାଉଥିଵା ଲେମୁର ଜାତୀୟ ଜୀଵ Daubentonia madagascariensisକୁ 
ai ai ଵା aye-aye କୁହାଯାଏ । 
ଫ୍ରେଞ୍ଚ୍ ଓ ଇଂରାଜୀ ଭାଷାରେ 
aye aye, sir କୁହନ୍ତି ‌ । ସାଧାରଣତଃ ଆଗେ ପାଶ୍ଚାତ୍ୟ ବୋଇତିଆଳମାନେ ଏହାର ଵ୍ୟଵହାର କରୁଥିଲେ । ଏହି aye aye, sir ! ପଦ'ର ଆକ୍ଷରିକ ଅର୍ଥ "I understand the command and hasten to comply with the order." ଅଟେ । 

ତେବେ ଓଡ଼ିଆ ଭାଷାରେ ବି ଆଈଆଈ(Āīāī) ବୋଲି ଗୋଟିଏ ଧ୍ୱନ୍ୟାତ୍ମକ ଦେଶୀୟ ଅଵ୍ୟୟ ଥିଵା ହୁଏତ ଅନେକ ଓଡ଼ିଆଙ୍କୁ ଜଣା ନଥିଵ। 

ଏ ଦେଶର ଵୀରମାନେ ଯୁଦ୍ଧକାଳୀନ ନୃତ୍ୟ ସମୟରେ ଆଗେ 'ଆଈଆଈ' ଚିତ୍କାର କରୁଥିଲେ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । 

ଗଞ୍ଜାମ ଜିଲ୍ଲାର ପ୍ରାଚୀନ କଵି କୃଷ୍ଣ ସିଂହଙ୍କ କୃଷ୍ଣ ମହାଭାରତର କର୍ଣ୍ଣପର୍ଵରେ ଏହି ଆଈଆଈ ଶବ୍ଦର ଏମନ୍ତ ପ୍ରୟୋଗ ରହିଛି...

“ଭୂତ ପ୍ରେତ ପିଶାଚ ରକ୍ତ ମାଂସ ଖାଇ, ନାଚିଲେ ରଣଦାଣ୍ଡେ ବୋଲି ଆଈଆଈ।” 

ପ୍ରକୃତରେ ଏହି ଆଈଆଈ ଚିତ୍କାରଟି ଏକ ଜାତୀୟ ସିଂହନାଦ ଵା war cry ଥିଲା । ଓଡ଼ିଆ ଛଡ଼ା ଭାରତର ଅନ୍ୟ କୋୖଣସି ବଡ଼ ସାନ ଭାଷାରେ ଏହି ଆଈଆଈ ଶବ୍ଦ ଥିଵାର ଜଣାଯାଏ ନାହିଁ ତେଣୁ ନିଃସନ୍ଦେହ ଏହା ଏକ ମୌଳିକ ଓଡ଼ିଆ ଶବ୍ଦ ଅଟେ । ଏକ ନିର୍ଦ୍ଦିଷ୍ଟ କାଳରେ ଯୁଦ୍ଧ କ୍ଷେତ୍ରରେ ହିଁ ଏହି 'ଆଈଆଈ' ଶବ୍ଦର ପ୍ରୟୋଗ ଥିଵାରୁ ଏ ଶବ୍ଦ ଦୈନନ୍ଦିନ ଜୀଵନରେ ସେତେ ଆଵଶ୍ୟକ ହୋଇନଥାଏ ଅତଏଵ୍ ଏହା ଜଣାଶୁଣା ଓଡ଼ିଆ ଶବ୍ଦ ନୁହେଁ । ତେବେ ଏକ ମୌଳିକ ତଥା ପ୍ରାଚୀନ ଓଡ଼ିଆ ଶବ୍ଦ ଭାବେ ଆଈଆଈ ଶବ୍ଦର ଯେଉଁ ମର୍ଯ୍ୟାଦା ରହିଛି ତାହା ପ୍ରାଚୀନ ଓଡ଼ିଆ ସାହିତ୍ୟ ବଞ୍ଚି ରହିଥିଵା ଯାଏଁ ଯଥାଵତ୍ ରହିଥିଵ । 
 

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...